ଭଲ ମଣିଷଟେ ହେବା
ଭଲ ମଣିଷଟେ ହେବା
ଦୁନିଆ ବୁକୁରେ ଭଲ କାମ କରି
ଯେବେ ଯଶ ଅରଜିବା
ସବୁରି ପାଖରେ ନିଶ୍ଚୟ ଆମେରେ
ଭଲ ମଣିଷଟେ ହେବା ।
ବାଳକ ବେଳରୁ ବୁଝି ଏହି କଥା
କର୍ତ୍ତବ୍ୟରେ ଆଗେଇବା
ପିତାମାତାଙ୍କର କଥା ମାନି ଚଳି
ଭଲ ମଣିଷଟେ ହେବା ।
ଵଡ଼ଙ୍କୁ ସମ୍ମାନ ସାନକୁ ଆଦର
ନମ୍ରତା ଗୁଣେ କରିବା
ମିଠା ଶବଦରେ ମନ ମୋହି ନେଇ
ଭଲ ମଣିଷଟେ ହେବା ।
ଗୁରୁଙ୍କର ନୀତି ଆଦରଶ ପଥ
ଅନ୍ତରେ ଆପଣେଇବା
ଆଶୀର୍ବାଦ ହାତ ମଥା ପରେ ଥିବ
ଭଲ ମଣିଷଟେ ହେବା ।
ସୁଶିକ୍ଷା ସଂସ୍କାର ଯେତେ ସଦାଚାର
ସେଥିରେ ପଖାଳି ହେବା
ଈଶ୍ବରଙ୍କଠାରେ ହୋଇ ଭକ୍ତିମତି
ଭଲ ମଣିଷଟେ ହେବା ।
ସ୍ନେହ, ପ୍ରେମ, ଦୟା, କ୍ଷମାକୁ ଆଦରି
ଜୀବନକୁ ଗଢୁଥିବା
ନିଜକୁ ଆନର ହୃଦୟରେ ଥାପି
ଭଲ ମଣିଷଟେ ହେବା ।
ଶାନ୍ତ ସୁଢ଼ଳ ଧଇର୍ଯ୍ୟ ପ୍ରବଳ
ଉଦାରତାକୁ ଧରିବା
ସଫା କରି ନିଜ ମନରୁ ମଇଳା
ଭଲ ମଣିଷଟେ ହେବା ।
ଅସହାୟ, ଦୀନ, ଦୁଃଖୀର ସେବାରେ
ମନ ସଦା ନିବେଶିବା
ସେମାନଙ୍କ ମୁଖେ ହସ ଟିକେ ଦେଇ
ଭଲ ମଣିଷଟେ ହେବା ।
ରାଗ, ରୋଷ, ଈର୍ଷା, ଅସୂୟା, ବିଦ୍ବେଷ
ହିଂସା ଆନେ ନ ରଖିବା
ଆପଣାପଣର ମହକ ଛୁଟଇ
ଭଲ ମଣିଷଟେ ହେବା ।
କାହା ଦୋଷ କେବେ ନଦେଖି ଆଖିରେ
ଭଲ ପରଖି କହିବା
ସଂଶୋଧନ ପାଇଁ ତା'ଠି ବଳ ଭରି
ଭଲ ମଣିଷଟେ ହେବା ।
ଜ୍ଞାତି ପରିଜନ ବନ୍ଧୁବାନ୍ଧବଠୁ
ଦେଶେ ଆମେ ଯେତେ ଥିବା
ନିଜ ଅବା ପର ଭାବନା ନରଖି
ଭଲ ମଣିଷଟେ ହେବା ।
ପ୍ରେମ ସଦ୍ଭାବନା କରି ମୂଳମନ୍ତ୍ର
ହୃଦୁ ହୃଦ ଜିତୁଥିବା
ପ୍ରତିଧ୍ବନି ହେବ ମଙ୍ଗଳଦାୟକ
ଭଲ ମଣିଷଟେ ହେବା ।
ଜ୍ଞାନକୁ ଆହରି ଅପରକୁ ବାଣ୍ଟି
ଜ୍ଞାନାଲୋକ ଜଳାଇବା
ଅଜ୍ଞାନାନ୍ଧାର କରିଦେଇ ଦୂର
ଭଲ ମଣିଷଟେ ହେବା ।
ଯେଉଁଠିକୁ ଯିବା ସେ ପରିବେଶରେ
ସ୍ବଚ୍ଛତାକୁ ଧ୍ୟାନ ଦେବା
ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ କରାଇଣ
ଭଲ ମଣିଷଟେ ହେବା ।
ସୁସ୍ଥ ପାବନ ମନଟିଏ ଧରି
ନିତି ଚଳି ଯାଉଥିବା
ଅପର ଖୁସିରେ ନିଜେ ହୋଇ ଖୁସି
ଭଲ ମଣିଷଟେ ହେବା ।
ଭଲ ମଣିଷରୁ ବଡ଼ ମଣିଷଟେ
ଯବେ କିଏ ସେ ହୋଇବା
ଜଗତେ ନିଶ୍ଚୟ କରି ନାମୋଜ୍ଜ୍ବଳ
ଅମର କୀର୍ତ୍ତି ରଚିବା ।
