STORYMIRROR

Chinmaya Kumar Nayak

Tragedy

4  

Chinmaya Kumar Nayak

Tragedy

ଭିଟାମାଟିର ବତୁରା ସ୍ୱପ୍ନ

ଭିଟାମାଟିର ବତୁରା ସ୍ୱପ୍ନ

1 min
168

ଭିଟାମାଟିର ଉର୍ବରତା କମିଗଲା ପରେ

କେଇଗୁଣ୍ଠ ଜମିରେ ପଟୁ ଚରିଗଲା ପରେ

ଭୋକ ଆଗେ ମାଟିପ୍ରୀତି ହାରିଗଲା ପରେ

ମନେପଡ଼େ କଳାଧୂଆଁର ଗରମ ନିଃଶ୍ୱାସ। 


ମାଆର ପାନଡବା ଖାଲି ହେବା ପରେ

ବାପାଙ୍କ ଔଷଧ ବାକି ବଢିଗଲା ପରେ

ଭାରିଜାର ଆଖି ଲୁହ ଅମାନିଆ ପରେ

ମନେପଡ଼େ ସେ ଅଚିହ୍ନା ସହରର ନକଲି ଆଦର।


ସଞ୍ଚୟଖାତାର ଭୋକ ବଢିଗଲା ପରେ

ପନ୍ଥାର ସନ୍ଧାନରେ ଜୋତା ଛିଡ଼ିଗଲା ପରେ

ଛୁଆଟାର ଡବା କ୍ଷୀର ମହଙ୍ଗା ହେବାରେ

ମନେପଡ଼େ କାରଖାନାର ଘର୍ଘର ଗର୍ଜନ।


ଅଭିମାନ, ସ୍ୱାଭିମାନ ଶସ୍ତା ହେଲାପରେ

ସରକାର ଚାଷୀନୀତି ବାଟବଣା ପରେ

ସଂସାର ଜଞ୍ଜାଳ ବୋଝ ଓଜନିଆ ପରେ

ମନେପଡ଼େ ସେ ଚିହ୍ନା ମେସିନଗୁଡ଼ାକର ଅତୁଟ ବନ୍ଧୁତ୍ୱ। 


ନିଜ ଭିଟାମାଟିର ସ୍ୱପ୍ନ ବତୁରି ଯିବା ପରେ

ଆଶା ଗୁଡ଼ାକ ଓଳିତଳେ ବହିଯିବା ପରେ

ସମ୍ପର୍କର ସୂତା ସବୁ ଅଡ଼ୁଆ ହେଲା ପରେ

ମନେପଡ଼େ ସୂତାକଳର ଅଭୁଲା ବନ୍ଧନ।


ନୂଆ ଆଣିଥିବା କ୍ୟାନଭାସ ଜୋତା ମାଟି ହେଲାପରେ

ମୋ ଯୋଗ୍ୟତା ଓ କୁଶଳତା ଅଯୋଗ୍ୟ ହେବାପରେ

ଅଭାବେ ସ୍ଵଭାବ ମୋର ହଜିଗଲା ପରେ

ମନେପଡ଼େ ସୁରଟର ସୁରିଲା ସଙ୍ଗୀତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy