ଭିଟାମାଟି କୋଳ ପରେ
ଭିଟାମାଟି କୋଳ ପରେ
ସରି ସରି ଆସିଲାଣି ଜୀବନ ଆୟୁଷ
ବୟସର ସାୟାହ୍ନରେ ଏକମାତ୍ର ଆଶ
ଭିଟାମାଟି କୋଳପରେ
କଟାଇବି ଶେଷବେଳ ଆନନ୍ଦେ ଶାନ୍ତିରେ ।
ଜଳିଥିଲା ସେହିଠାରେ ଏନ୍ତୁଡ଼ି ଅନଳ
ତା'ର ଜଳ,ବାୟୁ,ଖାଦ୍ୟ ଅମୃତ ସକଳ
ମୋ ଶରୀରେ ରକ୍ତ ହୋଇ
ଝରୁଅଛି ଅବାରିତ ଭୁଲିପାରି ନାହିଁ ।
ତା'ବକ୍ଷରେ ହସିଖେଳି କାଟିଲି ବାଳୁତ
ନିର୍ଭୟରେ ତୋଟା,ନଈ ବୁଲିଲି ବହୁତ
ବାପାମାଆ ଭାଇଭଗ୍ନୀ
ସ୍ନେହଶ୍ରଦ୍ଧା ମମତାର ଅସରନ୍ତି ଖଣି ।
ନାନା ପୂଜାପାର୍ବଣରେ ନାଚିଲି ଗାଇଲି
ପିଠାପଣା ବାସନାରେ ଅଧିର ହୋଇଲି
ସାଙ୍ଗସାଥି ଗହଣରେ
ପାଠଶାଠ ଶିଖିଲି ମୁଁ ଗୁରୁଙ୍କ ଶିକ୍ଷାରେ ।
ଗ୍ରାମଦେବୀ ପୀଠେ ନିତି ସକାଳେ ସଞ୍ଜରେ
ଘଣ୍ଟ କାହାଳୀର ଧ୍ୱନି ଭରିଛି ଅନ୍ତରେ
ଭକତିର ପ୍ରବାହରେ
ଅପୂର୍ବ ଭାବନା ଜାଗେ ନିର୍ମଳ ଅନ୍ତରେ ।
ଯଉବନେ ନୂଆ ସ୍ୱପ୍ନ ଆଖିରେ ଚିତ୍ରିତ
ପ୍ରବାସରେ କର୍ମକ୍ଷେତ୍ରେ ସାଜିଲି ଆଶ୍ରିତ
ପୁଅଝିଅ ଭବିଷ୍ୟତ
ସମାଜରେ ଗଢିବାକୁ ହୋଇଲି ସମର୍ଥ ।
ବ୍ୟସ୍ତ ବହୁଳତା ମୋର ଜୀବନ ଯାତ୍ରାରେ
ଭିଟାମାଟି ମିଠାସ୍ମୃତି ସାଇତି ଅନ୍ତରେ
ଝୁରିଅଛି ନୀରବରେ
ଯାଇନାହିଁ କେଉଁଦିନୁ ଦେଖିନି ନେତ୍ରରେ ।
ଦାୟିତ୍ୱ ସରିଛି ମୋର ସରିଛି କର୍ତ୍ତବ୍ୟ
ଅବସର ପରେ ମନେ ଶାନ୍ତିର ଅଭାବ
ପୁଅଝିଅ ସଦା ବ୍ୟସ୍ତ
ଦୁଇପ୍ରାଣୀ ଅନୁଭବ କରୁଛୁ ଏକାନ୍ତ ।
ହାତଠାରି ଡାକୁଅଛି ଭିଟାମାଟି ମୋତେ
ସ୍ୱପ୍ନେ ଦେଖୁଅଛି ନିତି ନିର୍ଜନ ନିଶିଥେ
ବଦଳିଛି ରୂପ ତା'ର
ବଦଳିନି ସ୍ନେହଶ୍ରଦ୍ଧା ମମତା ହୃଦର ।
ଚାରିକାନ୍ଥ ଆବଦ୍ଧରେ ନଥିବ ଜୀବନ
ଆହାରିବି ସୁଖଶାନ୍ତି ବାଳୁତ ସମାନ
ତା' ଶରୀରେ ଲୀନ ହୋଇ
ଜୀବନର ଶେଷ ପୁଣ୍ୟ ଅରଜିବି ମୁହିଁ ।