ପୌରୁଷ
ପୌରୁଷ


ପୌରୁଷର ସଂଜ୍ଞା ପରିସର ଏକ
ବହୁ କ୍ଷେତ୍ରୀ ସୀମାହୀନ
ଅର୍ଜିବାକୁ ହୁଏ ଜୀବନ ତମାମ
ତଥାପି ହୁଏନା ପୂର୍ଣ୍ଣ |
ପୁରୁଷେ ପୌରୁଷ ଶ୍ରେଷ୍ଠ ଅଳଙ୍କାର
ଜୀବନ ସୁନ୍ଦର ହୁଏ
ନିଜର ଉନ୍ନତି ଜାତିର ଟେକ ଯେ
ପୌରୁଷରେ ମିଳିଥାଏ |
ଉତ୍ତମ ଚରିତ୍ର ଦିଏ ପୁରୁଷକୁ
ସମାଜରେ ଶ୍ରେଷ୍ଠ ସ୍ଥାନ
ନିଜ ତ୍ୟାଗ ବଳେ ସମାଜରୁ ପାଏ
ସ୍ନେହ ଶ୍ରଦ୍ଧା ଅନୁଦାନ |
ନିଜ ଗୁଣ ବଳେ ମହୀୟାନ ହୁଏ
ପରକୁ ଆପଣା କରି
ବିଶ୍ୱସ୍ତ ହୋଇ ସେ ଲୋକଙ୍କ ଆଖିରେ
ସମ୍ଭାବନା ଦିଏ ଭରି |
ଯେଉଁ ପୁରୁଷ ଯେ ଅନୁକରଣୀୟ
ସିଏ ତ ପୌରୁଷ ଭରା
ତ୍ୟାଗ ପୂତ ତାର ସମଗ୍ର ଜୀବିକା
ଭିନ୍ନ ତା ଜୀବନ ଧାରା |
ନ୍ୟାୟ ଅନ୍ୟାୟର କଷଟି ପଥରେ
ନିଜକୁ ପରଖେ ଆଗେ
ଅନ୍ୟାୟକୁ ଫିଙ୍ଗି ନ୍ୟାୟ ପଥେ ସିଏ
ଚାଲେ କଷ୍ଟ ଦେଇ ଅଙ୍ଗେ |
ମହା ଭାରତରେ ଭୀଷ୍ମଙ୍କ ଚରିତ୍ରେ
ଭରିଥିଲା ମହାତ୍ୟାଗ
ସତ୍ୟ ପଥେ ଚାଲି ରାଜା ହରିଶ୍ଚନ୍ଦ୍ର
ହୋଇଥିଲେ ହତଭାଗ୍ୟ |
ଭୋଗର ଲାଳସା ରହିଲେ ମନରେ
ପୌରୁଷ ଯେ କଳଙ୍କିତ
ତ୍ୟାଗରେ ଅର୍ଜନ କରା ହୋଇଥାଏ
ପୌରୁଷକୁ ସୁଶୋଭିତ |