ଭିଜା ମାଟିର ବାସ୍ନା
ଭିଜା ମାଟିର ବାସ୍ନା
କେତେଦିନ ହେଲା ଦେଖାନାହିଁ ନଭେ
ଧରାର ସୁପ୍ରିୟ ଜୀବନ ତାରା
କନକ କିରଣେ ରଞ୍ଜୁନାହିଁ କିମ୍ପା
ସୁରୁଚି ଆଭାର ରକ୍ତିମ ଧାରା ।
ପ୍ରାଚୀଭାଲପଟେ ଦେଖାଯାଉନାହିଁ
ପାଟଳ ସିନ୍ଦୂର ରକ୍ତିମ ଟୀକା
ଧଳା ପଣତ ରେ କିଏ ଢାଙ୍କିଅଛି
ଶୁଭ୍ର ପ୍ରତ୍ୟୁଷର ସୁ -ଆବାହିକା ।
ଅଭିମାନୀ ସିନ୍ଧୁ ଆଡ଼ରୁଷା ପଣେ
ଭାନୁ ଉଗ୍ର ତାପେ ଆହତ ହୋଇ
ଅଞ୍ଚଳ ବାସକୁ ଆକାଶେ ଉଡାଇ
ଖେଳୁଥିଲା ସଙ୍ଗେ ସମୀରସହୀ ।
ନାୟକ ର ପ୍ରେମ ତାପର ଆଭାଷ
ଦିନୁ ଦିନ କ୍ରମେ ଅଧିକ ହେଲା
ଅସ୍ଥିର କରାଇ ଅର୍ଣ୍ଣବ ତନୁ କୁ
ତାପରେ ତାପିତ କରି ମାରିଲା ।
ଅସହ୍ୟ ଉତ୍ତାପେ ଅଙ୍ଗବାସ ତେଜି
ସିକ୍ତବାସ ସବୁ ଉଡାଇ ଦେଇ
କହୁଛି, ବଲ୍ଲଭ!ଦହନାହିଁ ତାପେ
ସହିବାର ଶକ୍ତି ଆଉ ମୋ ନାହିଁ ।
ଧଳା, କଳା, ନୀଳ, ଧୂସର ପିନ୍ଧାଣି
ରଙ୍ଗ ବେରଙ୍ଗର ଯାଉଛି ଭାସି
କେତେବେଳେ ରବି ଉଙ୍କି ମାରୁଅଛି
ଶାଢ଼ୀ ଫାଙ୍କେ ଫାଙ୍କେ ମୁରୁକି ହସି ।
ସାଗର କହୁଛି, ହେ ପ୍ରିୟ ନାଗର
ଦୁଃଖ ତୁମ ବିନା ବୁଝିବ କିଏ
ତପତ ସଂତାପେ ଦହ୍ୟ ହୋଇ ପ୍ରାଣେ
ଉତ୍ତାପ ନିର୍ଗତ ହେଉଛି ଦେହେ ।
ଶୁଖିତ ଗଲାଣି ନିର୍ଯ୍ୟାତନା ଦୁଃଖ
ଦେହ ମୁଣ୍ଡ ହାତ ଗଲାଣି ସିଝି
ଲୋମ ଅନୁଲୋମ ପୋଡି ତ ଗଲାଣି
ଚାହିଁଛି ପାଦପ ବାରିକୁ ହେଜି ।
ଆଉ ଆସନାହିଁ ଦୂରେ ରହିଥାଅ
ଏହି କେତେଦିନ ଦିଅ ଦୂରାଇ
ପାର ଯଦି ତୁମେ ସ୍ରଷ୍ଟାଙ୍କୁ ଆକୁଳେ
. କହ ଦେବେ ବାରିଧାରା ଝରାଇ ।
ପ୍ରିୟା ର ଆକୁଳ ମିନତୀ ଲାଗିଲା
ଧବର ମରମେ ହୋଇଣ ଗାର
ଆକୁଳେ ସ୍ରଷ୍ଟାଙ୍କୁ ଭାନୁ ଜଣାଇଲେ
ଜଳ ବରଷିଲା ଧାରକୁ ଧାର ।
ଆସିଲା ଶ୍ରାବଣ ଝର ଝର ତାନେ
ଝରାଇ ଧରାକୁ ଦେଲା ତିନ୍ତାଇ
ଖାଲ ନଈ ନାଳ ତଡାଗ ସାଗର
ଉଣା ଯହିଁ ଥିଲା ଦେଲା ପୁରାଇ ।
ଶୀତଳ ହୋଇଲା ମେଦିନୀ ର ତନୁ
ଭିଜା ମାଟି ବାସ୍ନା ଆହାଃ କି ଭଲେ
ଛୋଟ ବଡ ଯେତେ ଲତା ଆଉ ଗୁଳ୍ମ
ଯହିଁ ଯିଏ ଥିଲେ ଉଠି ବସିଲେ ।
କେଉଁ ଆଡେ ଥିଲେ କୀଟ ପତଙ୍ଗ ରେ
ଏକଜୁଟ ହେଲେ ମାଳକୁ ମାଳ
କିଏ ନୂଆ ପତ୍ର କିଏ ଫୁଲ ମଧୁ
. ଖାଇ ଗଲେ ହୋଇ ଆନନ୍ଦେ ଭୋଳ ।
ବରଷା ର ପାଣି କୂଳ ଖାଉଥିଲା
ବିଲ ହିଡ଼ ସବୁ କରିଣ ଏକ
ଆଗ ପଛ ହୋଇ ଖେଳୁଥିଲେ ମାଛ
ଗୀତ ଗାଉଥିଲା ଆନନ୍ଦେ ଭେକ ।
ଅବିରାମ ଝରା ବାରି ର ନିନାଦେ
କଥା ଶୁଭୁଥିଲା ବହୁତ ଧୀର
ହଳୁଆ ସାଥୀକୁ ଡାକି କହୁଥିଲା
ହଳ ଫିଟା ଏବେ ହେଲା ଉଛୁର ।
ଝପ ଝପ ପାଣି ଯାଉଥିଲା ଝରି
ରିମିଝିମ ତାନେ ବୃକ୍ଷେ ଝୁଲାଇ
କାଲୁଆ ପବନ ସାଇଁ ସାଇଁ ବାଜି
ଦେଉଥିଲା ଦେହ ମନ ଥରାଇ ।
ଯହିଁ ଦେଖ ତହିଁ ଅତି ଜଳେ ମହୀ
ସାଗର ସମ୍ପଦେ ହୋଇଣ ଧଳା
ଭିଜାମାଟି ବାସ୍ନା ମନ ମୋହିନିଏ
ସବୁ ଗଛ ପତ୍ର ଦିଶେ ଶ୍ୟାମଳା ।