ଭିଜା ଭିଜା ବର୍ଷା ସ୍ମୃତି
ଭିଜା ଭିଜା ବର୍ଷା ସ୍ମୃତି
ଭିଜା ଭିଜା ବର୍ଷା ସ୍ମୃତି ମନେ ପଡି ମୋର
ମନ ପ୍ରାଣ କୁ ଉନ୍ମନା କରେ ନିରନ୍ତର ।
ଭାଳଇ ମନରେ କେତେ ଶିହରଣ ଜାଗି
ଉଠେ ପ୍ରକମ୍ପିତ ଚିତ୍ତ ଅନୁରାଗେ ଭରି ।
ଅତୀତ ସ୍ମୃତି ରେ ମନ ଶିହରୀ ଉଠୁଛି
ଦେହ ରେ ବରଷା କାଳ ମାଧୁରୀ ଜାଗୁଛି ।
କେବେ ଯେବେ ଝଡି ବାତ୍ୟା ବଢ଼ି ବା ବତାସି
ଆସି ଦଣ୍ଡକ ଭିତରେ , ଧନ ଜନ ନାଶି ।
ଫେରି ଯାଏ ପୁଣି ଥରେ ହୁଏ ନଈ ବଢି
ନଈ ନାଳ ପାଣିରେ ବୁଡ଼ି ଗାଁ ଗଣ୍ଡା ମାଡ଼ି ।
ଉପୂଜାଏ ବହୁ ଦୁଃଖ ଜନ ଜୀବନ ରେ
ଅକାଳ ମୃତ୍ୟୁ ରେ ବିପର୍ଯ୍ୟସ୍ତ ଯିଏ କରେ ।
ପରମ୍ପରା ଚିର କାଳ ଯାତନା କବଳେ
କ୍ଷେତ , ବିଲେ ବାଲି ଚରି ଶସ୍ୟ ହାନୀ କରେ ।
ପଶୁ ପକ୍ଷୀ ମାନ ଙ୍କୁ ଯେ ଭସାଇ ନେଇଛି
ମନେ ପଡେ ସେହି ଅତୀତର ସ୍ମୃତି ନିତି ।
ବରଷା କାଦୁଅ ପାଣିରେ ଭିଜା କପଡା
କାନିରେ ବାନ୍ଧି ରଖିବା ଖାଦ୍ୟ , ଚିନି ଚୁଡ଼ା ।
ଗୁଡ଼ , ଚାଉଳ ଇତ୍ୟାଦି ଘେନି ଅନ୍ୟ ସ୍ଥାନେ
ଆଶ୍ରୟ ନିଅନ୍ତି ଜନେ ଯାଇ ଦୂର ସ୍ଥାନେ ।
ଏବେ କିନ୍ତୁ ଆଜି ଆଉ ନାହିଁ ଆଗ ଭଳି
ବଢି ଅଛି କୋଠା ଘର ମାଳ ମାଳ ଧାଡ଼ି ।
ଛତା ଧରି ଟପ ଟାପ ବରଷା ରେ ଭିଜା
ଲାଗୁ ଥିଲା ସେ କାଳ ରେ ଆହା କେତେ ମଜା ।
ଆଜି କିନ୍ତୁ ବର୍ଷତୀ ରେ ଘୋଡ଼ି ହୋଇ ଜନେ
ଯାଉ ଥିବା , ଦେଖି ଦେଖି ଚକିତ ମୋ ମନେ ।
ପଡେ କେତେ ବିଗତ ଦିନର ଆନ୍ଦୋଳନ
ଅବ୍ୟାହତ ରହି ଲାଗେ , ଯେସନ ସପନ ।

