ଭାଗ୍ୟବାନ ମଣେ
ଭାଗ୍ୟବାନ ମଣେ
ମାଆର ଡାକ ତରଙ୍ଗେ
ଆଜି ବି ଅଳସ ଭାଙ୍ଗେ
ଆଖି ମଳି ମଳି ଖୋଲେ
ବିଚିତ୍ର ଢ଼ଙ୍ଗେ
ସ୍ମିତହାସ୍ୟ ରଙ୍ଗେ ସଙ୍ଗେ
ଉତ୍ତାଳ ଉମଙ୍ଗେ
ଭାଗ୍ୟବାନ ମଣେ ଅଙ୍ଗେ ଅଙ୍ଗେ ।
କୁନି ଝିଅର ବାପା ଡାକରେ
କବାଟ ଖୋଲାରେ
ମୃଦୁ ହିଲ୍ଲୋଳରେ
ବନ୍ଦ କରିବାରେ
ହାତ ହଲେଇ ଅଭିବାଦନରେ l
ହାଟ ଝୁଲା ଖୋଜାରେ
ହାତ ପୁରେଇ ଅଣ୍ଡାଳିବାରେ
ଖୋଜି ଖୋଜି ଥକି ଯିବାରେ
ମିଛି ମିଛିକା ରାଗ ରୋଷାରେ
ଅଳି ଅଝଟ ପାଦ କଂପାରେ
ପୁଣି କିଛି ପାଇ ଡେଇଁ ଲାଉ ହେବାରେ
ଭାଗ୍ୟବାନ ମଣେ ସେହି ମୁହୁର୍ତ୍ତରେ ।
ଚେନାଏ ହସରେ ଗଜୁରେ
ପାପୁଲିଏ ବିଶ୍ୱାସ
ମୁଠାଏ ଖୁସିରେ ତରଳେ
ମହଣେ ନି8ଶ୍ଵାସ ।
ବିନ୍ଦୁଏ ଆଦରେ ପଲ୍ଲବେ
ବଗିଚାଏ ପ୍ରଶ୍ୱାସ
ଆଞ୍ଜୁଳାଏ ପ୍ରେମରେ ଫୁଟେ
ପରାର୍ଦ୍ଧେ ଆତ୍ମବିଶ୍ୱାସ ।
ପଦିଏ କଅଁଳ କଥାରେ
ଯୋଡ଼େ ଅୟୁତ ଶୂନ୍ୟତା
ଧାଡିଏ ଅନ୍ତର ଖୋଲା ତ୍ୟାଗରେ
ଚହଟେ ନିୟୁତ ମାନବତା ।
ଛୋଟ ମୋଟ ସେବାର ତର୍ପଣ
ଦୟା କ୍ଷମା କରୁଣା ବର୍ଷଣ
କୁନି କୁନି ସାହାଯ୍ୟର ହାତ ସଂପ୍ରଦାନ
ମଧୁର ମିଶ୍ରିତ ବଚନ ଦର୍ଶନ ।
ବାପାଙ୍କର ମଧୁର ଉତ୍ସନା
ଭଉଣୀର ତିକ୍ତ ବିଡମ୍ବନା
ଜେଜେଙ୍କର ପାକୁଆ ପାଟିରେ
ଅସରନ୍ତି ମଜାଗପ ସରେନା ।
ବଙ୍କୁଲି ବାଡିର ତେଲେଙ୍ଗା ଛାପ
କୌତୁକ ସାଥିରେ ମସଲା ମୁଢି
ଆମ୍ବତୋଟା ମୂଳେ ରାଜଜେମା ଖେଳେ
କପୋଳ କଳ୍ପିତ କାହାଣୀ ପେଡି ।
ଜେଜେମା ହାତ ତିଆରି
ପିଠା ମୁଆଁ ଆଚାର ପଣା
ସ୍ନେହ ପରଶ ମିଶିଲେ
ବାସନ୍ତି ଲାଗନ୍ତି ଦଶଗୁଣା
ଭାଗ୍ୟବାନ ମୁଁ ମଣେ ବଡ଼ ସିଆଣା ।
