ଭାଗବତରେ ରାଜା ପୃଥୁ
ଭାଗବତରେ ରାଜା ପୃଥୁ
ଧ୍ରୁବ ବଂଶଧର ଅଙ୍ଗ ନାମେ ରାଜା
ସ୍ୱଭାବେ ଧାର୍ମିକ ରାଜା
ଅଙ୍ଗ ପରେ ପୁତ୍ର ବେଣ ହେଲେ ରାଜା
ପ୍ରମାଦ ଗଣିଲେ ପ୍ରଜା
ଅତି ଅମଣିଷ ତଥା ଅବିବେକୀ
ହେଲା ଯେବେ ରାଜା ବେଣ
ମୁନି ଋଷି ତଥା ବ୍ରାହ୍ମଣ ଶାପରେ
ଆପେ ହୋଇଲା ନିଧନ
ନିଜ ମୃତ ପୁତ୍ର ବେଣ ଶରୀରକୁ
ମାତା କଲେ ସରଂକ୍ଷିତ
ରାଜା ବିନା ବହୁ ଦିନ ଧରି ରାଜ୍ୟ
କ୍ରମେ ହେଲା ଉପେକ୍ଷିତ
ମୃତ ବେଣ ଉର ଦେଶ ମନ୍ଥନରେ
ପୁତ୍ର ଏକ ହେଲା ଜାତ
ଭୟଙ୍କର ରୂପ ଦେଖି ସେ ପୁତ୍ରର
ନିଷାଦ ବଂଶ ନାମିତ
ପୁଣି ବାହୁ ଯୁଗ୍ମ ମନ୍ଥନ କ୍ରମରେ
ସ୍ତ୍ରୀ ପୁରୁଷର ଜାତ
ରାଜା ରାଣୀ ଭାବେ ରହିଲେ ଉଭୟେ
ରାଜ୍ୟ ହୋଇଲା ଶାସିତ
ଅରାଜକତା ଥିଲା ରାଜ୍ୟ ମଧ୍ୟେ
ବେଣ ରାଜା ସମୟରେ
ଧର୍ମ ବିନା ହୋଇ ଥିଲା ଶସ୍ୟ ହାନି
ସମ୍ପୂର୍ଣ୍ଣ ଧରା ପୃଷ୍ଠରେ
ପୃଥୁ ରାଜାଙ୍କର ଧର୍ମ ଭାବ ଦେଖି
କହିଲେ ଦେବୀ ଧରିତ୍ରୀ
ପୃଥିବୀକୁ ଗାଈ ରୂପେ ମନେ କରି
ଦୋହନ ହେଉ ସମ୍ପ୍ରତି
ଧରିତ୍ରୀ ଦେବୀଙ୍କ ଅନୁରୋଧ ଧାରେ
ପୃଥିବୀ ହେଲା ଦୋହନ
ପ୍ରଜା ସହିତରେ ସକଳ ପ୍ରାଣୀଙ୍କ
ହେଲା ମଙ୍ଗଳ ବିଧାନ
ବିଷ୍ଣୁଙ୍କର ଏକ ଅବତାର ଭାବେ
ରାଜା ପୃଥୁଙ୍କର ଜାତ
ମାନବ କଲ୍ୟାଣ ସାଧନ ନିମନ୍ତେ
ବିଷ୍ଣୁ ହିଁ ସଦା ଜାଗ୍ରତ
