ବାପା ମୋ ମହାନାୟକ
ବାପା ମୋ ମହାନାୟକ
ପାଟି ସ୍ବାଦ ପିତା ଦେହ ପାଇଁ ହିତ
ପିତାଙ୍କର ପରିଚୟ
ତାରଣ ମାରଣ ହରଣ ଭରଣ
ରକ୍ଷଣ ଲକ୍ଷ ନିଶ୍ଚୟ ।
ବାପା ବାଡଟିଏ ସୁରକ୍ଷା ଦିଅନ୍ତି
ବଗିଚାକୁ ମାଳି ପରି
ପାଦ ପରି ତାଙ୍କ ଭାରବୁହା ନୀତି
ଆମ ପାଇଁ ସ୍ୱର୍ଗପୁରୀ ।
ଟାଣ ବ୍ୟବହାର ନାରିକେଳ ପରି
ସୁକୋମଳ ଅଭ୍ୟନ୍ତର
ବାପଥିଲା ପୁଅ ସଭାରେ ହାରେନା
ପ୍ରଥା ଅଛି ସମାଜର ।
ନୃସିଂହ ବଦ୍ଧିଲେ ଜଗତେ ରହିଲା
କୁପିତା'ର ପରିଚୟ
ହିରଣ୍ୟକଶ୍ୟୁପ ଯୋଗୁଁ ପ୍ରହଲ୍ଲାଦ
ଶ୍ରେଷ୍ଠ ଭକ୍ତ ସୁନିଶ୍ଚୟ ।
ନଦୀଟି ଯେପରି ବହିଯାଏ ଧାର
ଭୁଲିଯାଏ ନିଜ ଉତ୍ସ
ସନ୍ତାନ ନଜାଣେ ଜନକଙ୍କ କଷ୍ଟ
ଆପଣା ବିଚାର ବତ୍ସ ।
ଆପଣା ସୁଖକୁ ଜଳାଞ୍ଜଳି ଦେଇ
ସନ୍ତାନେ ଦେଖାନ୍ତି ସ୍ୱପ୍ନ
ପାହାଚ ପାଲଟି ଚଢାନ୍ତି ପିଠିରେ
ଉନ୍ନତିରେ ସଦା ମଗ୍ନ ।
ପୁତ୍ର ବଡ ହୋଇ ବୃଦ୍ଧାଶ୍ରମ ଖୋଜେ
ପିତାଙ୍କୁ କରି ଗୋପନ
ଚିନ୍ତନ ନକରେ ବାର୍ଦ୍ଧକ୍ଯ ଆପଣା
ପାଇଁ ହେବ ସମାପନ ।
ଜନକ ଇଶ୍ବର ପୁଣି ଗୁରୁଦେବ
ପ୍ରେରଣାର ଉତ୍ସ ତୁମେ
ଜନ୍ମଦାତା ରୂପେ ଗୌରବ ବଢାଇ
ଧନ୍ୟ କଲ ଧରାଧାମେ ।
ପରଦା ପଛର ନାୟକ ବାପା ମୋ
ସବୁ ବିଜୟର ଶ୍ରେୟ
ଆମ ସୁଖପାଇଁ ଉତ୍ସର୍ଗ କରିଛ
ନାହିଁ କିଛି ଅନାଦେୟ ।
ପିତା ହେଲାପରେ ଜାଣୁଛି ପିତାହେ
ତୁମ ଅଖଣ୍ଡ ସାଧନା
ସୁପୁତ୍ର ତୁମର ନହେଲି ସୁପିତା
ହେବି ଏତିକି କାମନା ।
