ବାକ୍ଯଦେବୀ ସରସ୍ଵତୀ
ବାକ୍ଯଦେବୀ ସରସ୍ଵତୀ
ବାକ୍ଯଦେବୀ ସରସ୍ଵତୀ ମରାଳ ବାହିନୀ
ପୟରେ ନମୁଛି ତବ ମା ଜଗଜ୍ଜନନୀ ।
ମା ଗୋ ନିଶାକରମୁଖୀ ଚନ୍ଦ୍ରାର୍ଦ୍ଧ ଶେଖରୀ
ଅକ୍ଷମାଳା ମଣିମୟ କଳସ ତୁମରି ।
ଆବର ପୁସ୍ତକ ବୀଣା କରେ ପାଏ ଶୋଭା
ଦିବ୍ଯ ପୁଲକ ଜାଗ୍ରତ ହୁଏ ଦେଖି ଆଭା ।
କୁନ୍ଦ ମଲ୍ଲୀ ଆଦି ଶ୍ୱେତ ପୁଷ୍ପ ଶୋହେ ଗଳେ
ଶ୍ୱେତବସ୍ତ୍ର ପରିଧାନ ତୁମ ସଦାକାଳେ ।
ଦିବ୍ଯ ଆଭରଣ ଅଙ୍ଗେ ହୋଇଛି ଜଡିତ
ତବ ଦରଶନେ ତନୁ ମନ ପ୍ରଫୁଲ୍ଲିତ ।
ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତଗଣ
ବନ୍ଦନା କରନ୍ତି କରି ଦିବ୍ଯ ସ୍ତବ ଗାନ ।
ତବ କୃପା ବଳେ ମୂକ ବାଚାଳ ହୁଅଇ
କୃପା କରିଥିବ ମାତ ଆଗୋ କୃପାମୟୀ ।
ତବ କୃପା ବଳେ ମାତ ମୂର୍ଖ କାଳିଦାସ
ମହାକବି ହେଲେ ଲୋକେ ରହିଛି ବିଶ୍ୱାସ ।
ଅଠରଖଣ୍ଡ ଭାରତ କରିଲେ ରଚନା
ତବ କୃପା ବଳରେ ସାରଳା ଦାସ ସିନା ।
ବାଗ୍ଦେବୀ ଜନନୀ କାବ୍ୟକଳା ଠାକୁରାଣୀ
ବ୍ରହ୍ମମଣ୍ଡଳ ବାସିନୀ ବିଷ୍ଣୁଙ୍କ ଘରଣୀ ।
ବୀଣା ବାଦନ ନିରତା ସଦା ଜଗନ୍ମାତ
ଚରଣକମଳେ ତବ ମୁଁ ଶରଣାଗତ ।
ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ
ପୂଜନ ହୁଅଇ ତବ ବୈଦିକ ବିିଧିରେ ।
ସବୁ ହୃଦୟରୁ ପୋଛି ଅବିଦ୍ୟା ଅଜ୍ଞାନ
ଭରିିଦିିଅ ମାତା କୃୃପାମୟୀ ଦିବ୍ୟଜ୍ଞାନ ।
