ବାଜିଆ ପଛେ ଜୀବନ ଦେଲା
ବାଜିଆ ପଛେ ଜୀବନ ଦେଲା
ବ୍ରାହ୍ମଣୀ ବକ୍ଷ ଉଠିଛି ଫୁଲି
ଘୋର ବରଷା କାଳ ।
ଘାଟ ଜଗିଛି କଳିଙ୍ଗ ବୀର
ବାର ବରଷ ବାଳ ।।
ନାଆଁ ତା ବାଜି ଅତୀବ ପାଜି
ଭାରି ସେ ଅମାନିଆଁ ।
ଧନ୍ୟ ଜନନୀ ଉତ୍କଳ ମାଆ
ବକଟେ ତୋର ଛୁଆ ।।
କୂଳରେ ଆସି ଡାକିଲେ କିଏ
ଆଣରେ ଡଙ୍ଗା ଆଣ ।
ନିରେଖି ଦେଖେ ବାଜିଆ ଇଏ
ଇଂରେଜ ପଲଟଣ ।।
କୁକୁର ଗୁଡ଼ା ହୋଇଛ ଛିଡ଼ା
ଦେଶ ମୋ ଖାଅ ଲୁଟି ।
ଦେଖାଉ ଅଛ ବାଜିକୁ ତୁମେ
ଭୂଜଙ୍ଗ ଭୁରୁକୁଟି ।।
ମାଆର ସ୍ତନ ଖାଇଛି ମୁହିଁ
କରିଛି ପଣ ମୁହିଁ ।
କଳିଙ୍ଗ ସୁନୁ ମୁଁ ଅଭିମନ୍ୟୁ
ନାଆ ମୁଁ ନେବି ନାହିଁ ।।
ଯାଅରେ ଫେରି କୁକୁର ଦଳ
ଯାଅରେ ଫେରି ଚୋର ।
ନେବିନି ଡଙ୍ଗା ଏଇଠି ଛିଡ଼ା
ଦୃଢ଼ ପ୍ରତିଜ୍ଞା ମୋର ।।
ଗୁଡୁମ୍ ଗୁଡୁମ୍ ଶବଦ ନାଦେ
ଗରଜି ଗଲା ଘାଟି ।
ରକତ ବୁଡ଼ା ଶରୀର ବାଜି
ଭୂମିରେ ପଡ଼ି ଲୋଟି ।।
ଗଲାଣି ବହି ସେକାଳୁ କେତେ
ବ୍ରାହ୍ମଣୀ ବୁକେ ପାଣି ।
ରକତ ଗାରେ ରହିଛି ଲେଖା
ବାଜି ରାଉତ ବାଣୀ ।।
କାଳ କାଳକୁ ରହିଲା ଲେଖା
ଉତ୍କଳ ପୁଅ ଗାଥା ।
ବାଜିଆ ପଛେ ଜୀବନ ଦେଲା
ନୋଇଁଲା ନାହିଁ ମଥା ।।