ଅତୁଲ୍ୟ ମମତାମୟୀ
ଅତୁଲ୍ୟ ମମତାମୟୀ
ସର୍ବାଗ୍ରେ ସ୍ୱତନ୍ତ୍ର ଗୌରବ ମଣ୍ଡିତ
ପୁଣ୍ୟ ଓଡିଶା ଭୂଇଁ
ସାହିତ୍ୟ ,ସଂସ୍କୃତି ,କଳା ଭାସ୍କର୍ଯ୍ୟରେ
ଏମିତି ରାଇଜ ନାହିଁ ।
ନୀଳ ଚିଲିକାର ଶୁଭ୍ର ଢେଉମାଳ
ଚରଣ ଦେଉଛି ଧୋଇ
ବନ ଉପବନ ତରୁଲତା ଭରା
ସବୁଜ ସୁଷମା ନାଇ ।
ଦେଓମାଳି ଗିରି ମୁକୁଟ ସାଜିଛି
ସମ୍ପଦେ ସଜ୍ଜିତ ହୋଇ
ବୀରତ୍ବର ଗାଥା କହେ ବାରବାଟୀ
ଅଦ୍ୟ ଅପି ଠିଆହୋଇ ।
କୋଣାରକ ବିଶ୍ବେ ଖ୍ୟାତି ଅରଜିଛି
ତ୍ୟାଗର ମହତ୍ତ୍ୱ ଗାଇ
ଧର୍ମ ଓ ବିଶ୍ୱାସ ଭକ୍ତିର ପୁରୋଧା
ଉଭା ଜଗନ୍ନାଥ ସାଇଁ ।
ଅନନ୍ୟ ବିସ୍ମୟ କରୁକାର୍ଯ୍ୟପୂର୍ଣ୍ଣ
କୀର୍ତ୍ତିରାଜି ମଣ୍ଡିହୋଇ
କଳା କଉଶଳ ପ୍ରଥା ପରମ୍ପରା
ତା'ର ପଟାନ୍ତର ନାହିଁ ।
ଭାଷା ମଧୁରତା ବଖାଣେ ଗରବେ
ପୂଜ୍ୟ ମଧୁବାବୁ ପାଇଁ
ପୋଥି ଓ ପୁରାଣ ଧରମର ସାକ୍ଷୀ
ଶାଶ୍ୱତ ଅମୂଲ୍ୟ ସେହି ।
ସର୍ବଗୁଣେ ଶୋଭା ଅନୁପମ ଆଭା
ମର୍ତ୍ତ୍ୟରେ ଉପମା ନାହିଁ
ଅସ୍ମିତା ଯାହାର ସଦା ଅମଳିନ
ଅତୂଲ୍ୟ ମମତାମୟୀ ।