STORYMIRROR

Jagannath Barik

Inspirational

4  

Jagannath Barik

Inspirational

ଅସମ୍ଭାଳ କଳିକାଳ

ଅସମ୍ଭାଳ କଳିକାଳ

1 min
378

ଏତ ଅସମ୍ଭାଳ  ଘୋର କାଳିକାଳ

  କିଏ ଗୁରୁ କିଏ ଶିଷ୍ୟ

ଲାଗିଗଲେ ଚେର ଦେଖି କାଳ ବେଳ 

   ବିଶ୍ୱାସରେ ଭରେ ଵିଷ ।


ଗୋଡ଼ ହାତ ଧରି  ତୋଷାମଦ କରି

  ସ୍ୱାର୍ଥ ହୋଇଗଲେ ସିଦ୍ଧ

ଭୁଲି ଉପକାର  କୃତଘ୍ନ ପ୍ରକାର

   କରିଥାଏ ଶଲ୍ୟ ବିଦ୍ଧ ।


ଉପକାରିତାର  ପ୍ରତି ଉପକାର 

   କରିବାତ ଦୂରେ ଥାଉ

ଭୁଲି ତା ମିହନ୍ତ  ଉଭା ଶତ୍ରୁ ବତ 

   ନିର୍ମମେ ସାଧଇ ଦାଉ ।


ଗଛ ଲଗାଇବୁ  ଧରମ କରିବୁ

   କରୁନାହିଁ ଜମା ମନା

ମଣିଷ ଗଛ ତ  ଲଗାଇଲେ ସତ୍ୟ

  କାଟିବ ତୋ ଦାନା କନା ।


ବହୁ ମୁଖାଧାରୀ  କପଟ ଆଚାରୀ

   ସହଜେ ନୁହନ୍ତି ଚିହ୍ନା 

ଅତିଭକ୍ତି ପଣ   ଚୋରର ଲକ୍ଷଣ

  ଅନୁଭବୀ ଜାଣେ ସିନା ।


ସତ୍ୟ ଶାନ୍ତି ଦୟା  କ୍ଷମା ବାଟବଣା 

  ଅସତ୍ୟର ହୁଏ ଜୟ

ନିର୍ଗୁଣ ଅଳ୍ପଜ୍ଞ   ବୋଲାଉଛି ବିଜ୍ଞ 

   ଜ୍ଞାନୀ ଲଭେ ପରାଜୟ ।


ଧୂର୍ତ୍ତ ଅପଗଣ୍ଡ ଶିରେ ପାଟଦଣ୍ଡ

   ଯୋଗ୍ୟ ଜନ ଉପେକ୍ଷିତ

ସଇତାନ ଏଥି  ବେଦ ପଢୁଛନ୍ତି 

   ପଣ୍ଡିତଗଣ ଲାଂଛିତ ।


ଆପେ ଆପଣାର  ପ୍ରଶସ୍ତି ପ୍ରଚାର

   କରୁଛନ୍ତି ଭଣ୍ଡ ପଣେ

ଗୁରୁ କାନ୍ଧେ ଶିଷ୍ୟ  ଉଭାହୋଇ ଶୀର୍ଷ

   ଆସନକୁ ଶ୍ରେୟ ମଣେ ।


ଜ୍ଞାନ ରାଜ୍ୟେ ଧନ  ଘୋର ବିସ୍ଫୋରଣ

   ସରବେ ତ ସର୍ବଜଣା

ଗର୍ବ ଅହଂକାର  ଗ୍ରାସିଛି ସଂସାର

  ଚକ୍ଷୁସ୍ମାନ ଅନ୍ଧ କଣା ।


ପାପର ପ୍ରାବଲ୍ୟ  ମିଥ୍ୟା ହଳାହଳ

  ସତ୍ୟ ତ୍ରସ୍ଥ ହୀନବଳ

ଦୁର୍ନୀତି ରାକ୍ଷସ ଗ୍ରାସେ ଦେଶ ଦଶ

   ଧର୍ମ ଧସେ ରସାତଳ ।


ଇଛାମୟ ହରି  ଏହି ଭଵ ତରୀ

  କେଉଁ ଲକ୍ଷ୍ୟ ପଥେ ବାହ

ଚରମ ସମୟ  ଏ କି ଦୟାମୟ

  ଚିନ୍ତି ହୃଦ ହୁଏ ଦାହ ।


Rate this content
Log in

Similar oriya poem from Inspirational