STORYMIRROR

Pranati Mahapatra

Inspirational

5.0  

Pranati Mahapatra

Inspirational

ଅପୂର୍ବ ବୈକୁଣ୍ଠ ଇଏ

ଅପୂର୍ବ ବୈକୁଣ୍ଠ ଇଏ

1 min
443


ପୂଣ୍ୟଭୂମି ଏହି ଶ୍ରୀକ୍ଷେତ୍ର ଧାମରେ

ଜନମି ଅର୍ଜିଛି ପୂଣ୍ୟ।

ସେହି ଧରାଧାମେ ଅଛି ମୋ ସରଗ

ହୋଇଯାଇଛି ମୁଁ ଧନ୍ୟ।

ଆସିଥିଲେ ମୋର ପୁରୁବ ପୁରୁଷ

ମୁଁ ବି ଆସିଛି ଧାଇଁ,

ସବୁଠାରୁ ପ୍ରିୟ ଆସରା ଜାଗା ମୋ

ବୈକୁଣ୍ଠ ଧାମ ସେହି।

ବାପା, ଗୋସିବାପା,ତାଙ୍କ ବାପାଙ୍କର

ଜଳେ ଏନ୍ତୁଡି ଯେଉଁଠି,

କେଡ଼େ ଭାଗ୍ୟବାନ ସେ ଏନ୍ତୁଡିଶାଳେ

ଜଳିଲା ଏନ୍ତୁଡି କାଠି।

ସଭିଏଁ କହିଲେ ଏଇ ମୋର ଘର

ସେନେହ ମମତା ଅଛି,

ଏଇଠି ଅଛନ୍ତି ଦେବା ଦେବୀ ମୋର

ଆଉ ମୁଁ ନ ଲୋଡେ କିଛି।

ସରସ୍ୱତୀ ପରି ମାଆ ମୋ ଅଛନ୍ତି

ଦିଅନ୍ତି ସୁଶିକ୍ଷା ଦାନ,

ସୃଷ୍ଟିକର୍ତ୍ତା ବ୍ରହ୍ମା ଦେବତା ବାପା ମୋ

ଶିଖାନ୍ତି ଧୈର୍ଯ୍ୟର ଗୁଣ।

ଜେଜେ, ଜେଜମା ପିତାମହ ଭୀଷ୍ମ

ପରି ଦିଅନ୍ତି ଦିବ୍ୟଜ୍ଞାନ,

ଆଦର ସେନେହ ବଳେ ସୁମଣିଷ

ହୋଇଯାଏ ମହୀୟାନ।

ସୁବିଶାଳ ସିନା ଅଟ୍ଟାଳିକା ନୁହେଁ

ଆମରି ଏଇତ ଘର,

ସୁଖଶାନ୍ତି, ସ୍ନେହ ବିଶ୍ଵାସରେ ଛନ୍ଦା

ପ୍ରାଣ ଜଣେ ଜଣକର।

ଘର ନିରିମାଣ ହୁଅଇ ତ ଏବେ

ଇଟା ବାଲି ସିମେଣ୍ଟରେ,

ମଜବୁତ ପାଇଁ ଶକ୍ତିଶାଳୀ ଲୁହା

ଭରିଥାନ୍ତି ତା ମଧ୍ୟରେ।

ପ୍ରୀତି, ଶାନ୍ତି ଭଲପାଇବା, ଶରଧା

ବୋଳାବୋଳି ମୋ ବୈକୁଣ୍ଠ,

ଭକ୍ତି ଓ ଏକତା, ବିଶ୍ଵାସର ଲୁହା

ପିଇଛୁ ଆମେ ଆକଣ୍ଠ।

ଦୁଃଖ କଷ୍ଟ କେବେ ବିଚଳିତ କରି

ଭାଙ୍ଗିନି ଆମ ଉଆସ,

ବାପା ମାଆ ଭାଇ ଭଉଣୀ ସେନେହେ

ପାଉ ସଦା ସୁଖ ହସ।

ଏକାସାଥେ ମିଶି ପରିବାର ଯାକ

ଭୋଜନ କରୁ ଖୁସିରେ,

ବାଦବିବାଦ କି ମନ ମନାନ୍ତର

ନ ଥାଏ ଆମ ଭିତରେ।

ମଥାକୁ ସାଉଁଳି କୋଳେ ଆଉଜେଇ

ମାଆ ଦିଏ କେତେ ସୁଖ,

ଗଙ୍ଗାଠୁ ପବିତ୍ରା,କାମଧେନୁ ପରି ଦାନୀ

ହିମାଳୟ ସଦୃଶ ସର୍ବଂସହା,

ମାଆବାପା, ଭାଇଭଗିନୀ ରହନ୍ତି

ସେ ଧାମେ କି ସୁଖ ଆହା।

ସଂସାରର ସବୁ ମାୟାମୋହ ଠାରୁ

ଦୂରରେ ଅଛି ସେ ଧାମ,

ସୁଖଶାନ୍ତି ଖୁସି ରହିଛି ଅମାପ

ବୈକୁଣ୍ଠ ପୁର ତା ନାମ।

ସେହି ମାଆ କୋଳେ, ସେ ଏନ୍ତୁଡି ଶାଳେ

ଜଳୁ ମୋ ଏନ୍ତୁଡି ନିଆଁ,

ସେହି ପୂଣ୍ୟଧାମେ ସେ ଗାଆଁରେ ମୋର

ଥାଉ ମୋ ନୂଆ ଦୁନିଆଁ।

ଅମର ଗାଥା ତା ଇତିହାସ ଭଳି

ଗାଇବ ଯେବେ ବା କିଏ,

ଗରବେ କହିବ ଏମିତି ବୈକୁଣ୍ଠ

ନାହିଁ ଏହି ଧରାଧାମେ।

ଅପୂର୍ବ ବୈକୁଣ୍ଠ ଇଏ।


ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational