ଅପରାହ୍ନ
ଅପରାହ୍ନ
ଗଜୁରିଛି କିଛି ପକ୍ବକେଶ
ଲୋଳିତ ଚର୍ମ ପ୍ରଦେଶ
ରୋଗରେ ଆକ୍ରାନ୍ତ ଗାତ୍ର
ଜୀର୍ଣ୍ଣ ଶୀର୍ଣ୍ଣ ତନୁ ସର୍ବତ୍ର
ବୋଧହୁଏ
ଉଙ୍କି ମାରିଲାଣି
ବୟସର ଅପରାହ୍ନ ମିତ୍ର ।
ବିଛଣାରେ ପଡି ଶୋଇ
ଦିବସ ସରୁନି ଭାଇ
ଖରାପ ଭାବନାର ଢ଼େଉ
ଅସ୍ତବ୍ୟସ୍ତ ତ୍ରସ୍ତ ଗ୍ରାସେ ରାହୁ
ବୋଧହୁଏ
ବୟସ ସରିଲାଣି
ଚାରିଦିନର ଆହେ ମହାବାହୁ ।
ଶୟନେ ଅବା ଜାଗରଣେ
ସଂଶୟ ମାଡ଼େ ଅକାରଣେ
ଷଡ଼ଋତୁ ଧାଇଁ ଚାଲିଯାଏ
ବନ୍ଦ କୋଠରୀରେ ପଡିଥାଏ
ବୋଧହୁଏ
ଶେଷ ଦୀପଶିଖା
ଲିଭି ଯିବ ଆପଣାଛାଏଁ ।
ପାଖ ମାଡନ୍ତିନି ଜ୍ଞାତିଜନ
କଥା କଥା କେ କଟୁକ୍ତି ପ୍ରବଚନ
କରୋନା କାହିଁ ଛାଡିଦେଲା
ଘାଣ୍ଟି ହେବାର ଯୋଜନା ଥିଲା
ବୋଧହୁଏ
କର୍ମଫଳ ରଙ୍ଗମଞ୍ଚ
ନିସ୍ତାର ନାହିଁ ହୋହଲ୍ଲା ଝାମେଲା ।
ଝରକା ଆଗରେ ବସି ବସି
କାଠ ଚୌକିରେ ଆଉଜି ଫସି
ଡ଼ାକ ଦେଲେ ଖୁଣ୍ଠଣା ମିଳେ
ଗରଗର ଚିଲ୍ଲାନ୍ତି ସକଳେ
ବୋଧହୁଏ
ହୁଗୁଳା ପୁଙ୍ଗୁଳା ବାର୍ଦ୍ଧକ୍ୟ
ହତାଦର ଅନାଦର ସଞ୍ଜ ସକାଳେ ।
ପେଜୁଆ ଆଖିକୁ ଥରୁଥିଲା ହାତ
ଅରୁଚି ଲାଗୁଛି ସିଝା ସନ୍ତୁଳା ଡାଲି ଭାତ
ଲମ୍ବା ଛଅ ଫୁଟିଆ ଶରୀର
ଲୁଗା ଖସି ପଡ଼େ ନସର ପସର
ବୋଧହୁଏ
ଶୁଖିଲା ବାଉଁଶ ଖଣ୍ଡ
କୋକେଇ ଉପରେ ହେବ ସବାର ।
