ଅପରା ଏକାଦଶୀ
ଅପରା ଏକାଦଶୀ
ପ୍ରଣମ୍ଯ ହେ ପଦ୍ମନାଭ ପଦ୍ମ ଲୋଚନ
ପଦ୍ମହସ୍ତ ପଦ୍ମା ପତି ପଦ୍ମ ଚରଣ।
ତୁମରି ସର୍ଜନା ପ୍ରଭୁ ସୁନ୍ଦର ସୃଷ୍ଟି
ତୁମେ ଶାନ୍ତି ତୁମେ ମୁକ୍ତି ଅଗତି ଗତି ।
ତୁମେ ସତ ଆଉ ସବୁ ସେ ମିଛ ମାୟା
ମୁକତିର ମାର୍ଗ ତୁମେ ଅବେଳେ ସାହା ।
ବାଟ ଅବାଟରେ ତୁମେ ଦେଖାଅ ରାହା
ତୁମେ ଦୟା କ୍ଷମା ତୁମେ ଦୁଖୀ ର ଆହା ।
ମୋହରେ ବସ ହୋଇ ଅଧମ ମଣିଷ
ବିବେକ କୁ ପାରେ ନାହିଁ କରି ବିଶ୍ବାସ।
ଜାଣିଜାଣି ଅବାଟରେ ପାଦ ସେ ଦିଏ
ନୀତି ଅନୀତି ର କଥା ପାଶୋରି ଯାଏ ।
ଇହ କାଳ ପର କାଳ ପାଇଁକି ସିଏ
ପାପ ଅରଜନ କରି ଯାତନା ପାଏ ।
ଭାବିଲା ବେଳକୁ ଆଉ ନଥାଏ ବେଳ
ନିଜ ପାଇଁ ନିଜେ ସେତ ହୁଅଇ କାଳ ।
ଏ ହାତର ପାପ କୁ ସେ ହାତ ନିଏନି
ଅଥଳ ଜଳରେ ନାଆ କାତ ପାଏନି ।
ପାପ ତାପୁ ମୁକ୍ତି ପାଇଁ ଗୋଟିଏ ବାଟ
ପ୍ରତି ଏକାଦଶୀ ସେତ ପବିତ୍ର ବ୍ରତ।
କୃଷ୍ଣ ହେଉ ଅବା ସେତ ଶୁକ୍ଳ ପକ୍ଷ ଟି
ଏକାଦଶୀ ବିଷ୍ଣୁଙ୍କର ସେ ପ୍ରିୟ ତିଥି ।
ବିଷ୍ଣୁଙ୍କର ନାଭିରୁ ଏକାଦଶୀ ଜାତ
ସେଥିପାଇଁ ତିଥି ମଧ୍ୟେ ଦିନଟି ଶ୍ରେଷ୍ଠ।
ବିଷ୍ଣୁ ମନ୍ଦିର ରେ ହୁଏ ବିଶେଷ ପୂଜା
ପ୍ରଭୁଙ୍କର ଜୟ ଗାନେ ଉଡ଼ଇ ଧ୍ବଜା।
ସେ ଶୁଭ ଦିନରେ ଯିଏ ବ୍ରତ ରଖନ୍ତି
ପ୍ରଭୁଙ୍କର କୃପା ଦୃଷ୍ଟି ଲାଭ କରନ୍ତି।
ବିଷ୍ଣୁଙ୍କର ନାମ କଲେ ଜପ ସେଦିନ
ଜନ୍ମ ଜନ୍ମାନ୍ତର ପାଇଁ ପୂଣ୍ୟ ଅର୍ଜ୍ଜନ ।
କାହିଁ କେତେ ଯୁଗରୁ ଏ ରହିଛି କଥା
ଏ ବ୍ରତ ର ଫଳ ଜମା ନୁହେଁ ଅନ୍ୟଥା।
ନିଷ୍ଠା ରେ ଏହି ବ୍ରତ ପାଳିଛନ୍ତି ଯିଏ
ଘୋର ବିପଦୁ ରକ୍ଷା ପାଇଛନ୍ତି ସିଏ ।
ମାୟାରେ ପଡି କେତେ ଅଧର୍ମ କରନ୍ତି
ଏକାଦଶୀ ବ୍ରତ କରି ପୂଣ୍ୟ ଅର୍ଜନ୍ତି।
ଯମ ଦୂତ ସେମାନଙ୍କୁ ଦୂରୁ ଡରନ୍ତି
ବିଷ୍ଣୁଙ୍କ ଚରଣେ ସିଏ ଲୀନ ହୁଅନ୍ତି।
ପ୍ରତି ଏକାଦଶୀ ର ଯେ ସ୍ବତନ୍ତ୍ର ନୀତି
ଭରିଦିଏ ଜୀବନରେ ଅପୂର୍ବ ଶାନ୍ତି।
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଏକାଦଶୀ ତ
ଅପରା ଏକାଦଶୀ ଭାବରେ ସେ କ୍ଷାତ।
ନିଷ୍ଠାରେ ଏହି ବ୍ରତ କରିଥାଏ ଯିଏ
ଅପାର ସଂସାର ଜାଲୁ ସେ ମୁକ୍ତି ପାଏ ।
ସେଥିପାଇଁ ଏକାଦଶୀ ନାମ ଅପରା
ବ୍ରତ କଲେ ମିଳିଥାଏ ସୁଖ ଅସରା ।
ବ୍ରହ୍ମ ହତ୍ଯା ହେଉ କି ଗୋଧନ ହରଣ
ଗୁରୁ ନିନ୍ଦା ଅବା ସେ ମିଥ୍ୟାବାଦି ପୁଣ,
ପ୍ରବଞ୍ଚନା ହେଉ କି ପରକିଆ ପ୍ରିତି
ଅନ୍ୟାୟ ଅତ୍ୟାଚାର ଅବା ଚୌରବୃତ୍ତି,
ଯେତେବଡ ପାପ ପଛେ କରୁଯେ ଯିଏ
ଅପରା ବ୍ରତ କଲେ ମୁକ୍ତି ପାଏ ସିଏ ।
ତିନି ପୁଷ୍କର ସ୍ନାନ କାର୍ତ୍ତିକ ସ୍ନାହାନ
ଗଙ୍ଗା ସ୍ନାନ ପୁଣ୍ୟ ମିଳେ ଏ ବ୍ରତେ ଜାଣ।
ପାପରୂପୀ ବୃକ୍ଷ କରିବାକୁ ଛେଦନ
କୁରାଢ଼ି ସ୍ୱରୂପ ଯେ ଏ ବ୍ରତ ପାଳନ ।
ଅପରା ବ୍ରତ ମହିମା ଅଶେଷ ସେତ
ସେଥିପାଇଁ ଏହି ବ୍ରତ ଜଗତେ କ୍ଷାତ ।
ବରଷକେ ଥରେ ଆସେ ଏ ପୂଣ୍ୟ ତିଥି
ଶାନ୍ତି ମୁକ୍ତି ପାଇଁ ବ୍ରତ ପାଳନ୍ତି ବ୍ରତୀ ।
ଅପରା ଏକାଦଶୀ ଦିନ ସେ ମହାନ
ସେଦିନ ପାଆନ୍ତି ପୂଜା ବିଷ୍ଣୁ ବାମନ ।
ବିଷ୍ଣୁ ଙ୍କ ପଦାଘାତେ ଗଙ୍ଗା ସୃଷ୍ଟି ହେଲେ
ପତିତପାବନୀ ନାମେ ମର୍ତ୍ତ୍ୟେ ବହିଲେ ।
ଗଙ୍ଗା ଙ୍କ ପ୍ରଥମ ଜଳେ ପିତାମହ ଯେ
ବାମନ ବିଷ୍ଣୁ ଙ୍କ ପାଦ ଧୋଇ ଥିଲେ ସେ ।
ସେ ଲାଗି ଅପରା ବ୍ରତ ଯିଏ ପାଳନ୍ତି
ଗଙ୍ଗା ଜଳେ ବାମନ ଙ୍କୁ ସ୍ନାନ କରନ୍ତି ।
ହଳଦୀ କୁକୁମ କଳା ବାସ ଚନ୍ଦନ
ପ୍ରଭୁ ଙ୍କ ମୂରତି ରେ କରନ୍ତି ଲେପନ ।
ସ୍ବେତ ପୁଷ୍ପେ ପ୍ରଭୁ ଙ୍କ କରନ୍ତି ଅର୍ଚ୍ଚନା
ଧୂପ ଦୀପ ଜାଳି କରନ୍ତି ବନ୍ଦାପନା ।
ଭକତିରେ କରନ୍ତି ପ୍ରଭୁ ଙ୍କୁ ପ୍ରାର୍ଥନା
ନିର୍ଜଳା ଉପବାସେ ବ୍ରତ ଆରାଧନା।
ଖଟ ପଲଙ୍କେ ସେଦିନ ଶୋଇବା ମନା
ପର ନିନ୍ଦା ପର ଚର୍ଚ୍ଚା କରିବା ମନା ।
ସଂଯମ ଶୃଙ୍ଖଳା ପ୍ରତି ଦେବଟି ଧ୍ୟାନ
ପ୍ରଭୁ ଙ୍କ ପାଦରେ ସଦା ରଖିବ ମନ ।
ଦ୍ବାଦଶୀ ପ୍ରଭାତରେ ସୂର୍ଯ୍ୟୋଦୟ ପରେ
ବ୍ରତ ସମାପନ ପୁଣି କରିବ ନିଷ୍ଠା ରେ।
ଅପରା ଏକାଦଶୀ ନାମଯେ ପୁଣ
ଜଳକ୍ରୀଡା ଏକାଦଶୀ ଅଟଇ ଜାଣ ।
ଶ୍ରୀକ୍ଷେତ୍ରେ ହେଉଥାଏ ଭିତର ଚନ୍ଦନ
ଜଳକ୍ରୀଡା କରିଥାନ୍ତି ଦିଅଁ ସେଦିନ ।
ପୂଜାପଣ୍ଡା ଆଜ୍ଞାମାଳ ଦେବା ପରେଟି
ମହାଜନ ମାନେ ତହୁଁ ଚଳି ଯାଆନ୍ତି।
ମଦନମୋହନ ଶ୍ରୀଦେବୀ ଙ୍କୁ ଯେ ନେଇ
ଗଜଦନ୍ତ ପାଲିଙ୍କିରେ ବସାନ୍ତି ଯାଇ ।
ବିମାନ ବଡୁ ପାଲିଙ୍କି କାନ୍ଧରେ ବୋହି
ଜଳକ୍ରୀଡା ମଣ୍ଡପେ ପହଞ୍ଚନ୍ତି ସେହି।
ମଣ୍ଡପେ କୁଣ୍ଡ ଚନ୍ଦନ ଜଳରେ ପୂର୍ଣ୍ଣ
ପ୍ରବେଶନ୍ତି ଶ୍ରୀଦେବୀ ମଦନମୋହନ ।
ସୁବାସିତ ଜଳ ପିଚକାରୀ ହୁଅଇ
ପଞ୍ଚୋପଚାରେ ଭୋଗ ନୈବେଦ୍ୟ ଲାଗଇ ।
ତାପରେ ଜୀଉମାନେ ଜଳୁ ବାହାରନ୍ତି
ପଞ୍ଚାମୃତ ରେ ପୁଣି ସ୍ନାହାନ କରନ୍ତି।
ସ୍ନାନ ପରେ ଜୀଉମାନେ ବେଶ ହୁଅନ୍ତି
ବଡ଼ ଦେଉଳ କୁ ପୁଣି ଲେଉଟି ଥାନ୍ତି ।
ଦକ୍ଷିଣ ଘରେ ଯାନ୍ତି ମଦନମୋହନ
ଶ୍ରୀଦେବୀ ଚଳନ୍ତି ଯେ ରତ୍ନ ସିଂହାସନ।
ଜଳକ୍ରୀଡା ହେଉ ଅବା ହେଉ ଅପରା
ଏକାଦଶୀ ବ୍ରତ ସେତ ଦୁଃଖ ପାଶୋରା ।
ଜ୍ଞାନୀ ଜନ ମାନେ ଏହି ବ୍ରତ ପାଳନ୍ତି
ଜନ୍ମ ଜନ୍ମାନ୍ତର ପାଇଁ ପୂଣ୍ୟ ସଞ୍ଚନ୍ତି।
ଖାଲଖମା ଭରା ଆମ ଜୀବନ ପଥ
ପଡ଼ି ଉଠି ଗଡେ ଯହିଁ ଜୀବନ ରଥ ।
ପଥସାରା ପ୍ରଭୁ ଙ୍କର ନାମ କିର୍ତ୍ତନ
ଅପସରି ଯାଏ ସବୁ ଦୁଃଖ ଦୁର୍ଦ୍ଦିନ।
ସେ ପଥରେ ପୁଣି ଏକାଦଶୀ ବ୍ରତ ଟି
ଶାନ୍ତି ଆଉ ମୁକ୍ତି ପାଇଁ ସାହା ହୁଏଟି।
ଭକ୍ତି ନିଷ୍ଠା ରେ ସେ ବ୍ରତ ପାଳନ କରି
ଭବ ସାଗର କୁ ଭାବେ ଯିବାରେ ତରି ।
ଜୟ ଜଗନ୍ନାଥ ପ୍ରଭୁ ଜଗତ ନାଥ
ଭାବରେ ଭଣିଲି ତୁମ କଥା ଅମୃତ।
ଏ ଅଧମ ଦିଲ୍ଲୀପ ର ଏହି ମିନତି
ଦୋଷ ଥିଲେ କ୍ଷମା ଦେବ ହେ ଖଗପତି।
