STORYMIRROR

Binaya Bhusan Panigrahi

Classics

3  

Binaya Bhusan Panigrahi

Classics

ଅପେକ୍ଷାକୁ ଆଉ ତର ନାହିଁ

ଅପେକ୍ଷାକୁ ଆଉ ତର ନାହିଁ

1 min
208


କବି ତମେ ଆଉ ହଜି ଯାଅ ନାହିଁ 

କଳ୍ପନା ପ୍ରସୂତ ବାଦଲ ପଛରେ

ଖୋଲିଦିଅ ଆଖି,ମେଲିଦିଅ ଦୃଷ୍ଟି

ଅପେକ୍ଷାକୁ ଆଉ ତର ନାହିଁ।


ଗୋଲାପର କଳି ନୀତି ପଡେ ବଳି

ଫୁଟିବାର ସ୍ୱପ୍ନ ପାଣିର ଫୋଟକା

ସିନ୍ଦୁରା ଫିଟିବା ପୂର୍ବରୁ ଫଟାଇ

ଲୁଚିଯା'ନ୍ତି କେତେ କେତେ'ଯେ ଦୁର୍ବୃତ୍ତ

ଖୋଜି ଦଣ୍ଡିବାକୁ କିଏ କାହିଁ !!!


ଫୁଟିବା ଫୁଲଟେ ଦିଶୁନାହିଁ କାହିଁ

ଦିଗ ବିଦିଗ ତ ବାସୁନାହିଁ !

ରକ୍ତ ଗୋଲାପର ଖିଲିଖିଲି ହସ

ମଧୁର ମହକ ଖୋଜ ନାହିଁ କବି ,

ଦଉଡନି ମାୟା ମିରିଗ ପଛରେ

ମାୟାର ନିର୍ଦ୍ଦିଷ୍ଟ କାୟା ନାହିଁ

ମୋହଗ୍ରସ୍ଥ ନୁହେଁ,ପ୍ରକୃତିସ୍ଥ ହୁଅ

ଅପେକ୍ଷାକୁ ଆଉ ତର ନାହିଁ।


ସାମ୍ନାର ସତ୍ୟକୁ ଆଖି ବୁଜିଦେଇ

କେତେଦିନ ଆଉ ମୁଦ୍ରିତ ନୟନେ

ଆଙ୍କୁଥିବ ଚିତ୍ର କାଗଜରେ ଖାଲି

କଳ୍ପିତ ଗୋଲାପ ରଙ୍ଗ ଦେଇ ?


ଭାଙ୍ଗିଦେଇ ନିଦ ଜାଗ ଏବେ କବି

କଳ୍ପନା ବିଳାସୀ ଲେଖନୀ ମୂନରେ

ଘନ ଅନ୍ଧାର ବୁକୁ ଦିଅ ଚିରି

ବେନି କର୍ଣ୍ଣ ଡେରି ଶୁଣଶୁଣ କବି

ଗୋଲାପ କଳିଙ୍କ ଆର୍ତ୍ତ ଚିତ୍କାର,

"ଫୁଟିବୁନି ଆମେ ଫୁଟିବୁନି ଆଉ,

ଫୁଟିବାଠୁଁ ବଡ଼ ଶାପ ନାହିଁ,

ଜୀବନର କିଛି ମାନେ ନାହିଁ ଏଠି

ଅବେଳରେ ବଳି ପଡ଼ିବା ଆଗରୁ

ଆମ୍ଭଠାରୁ ପ୍ରାଣ ନିଅ ଛଡେଇ

ତ୍ରାଣକର୍ତ୍ତା କେହି ଆସିବ କି ନାହିଁ

ଅପେକ୍ଷାକୁ ଆଉ ତର ନାହିଁ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics