ଅନ୍ତରୁ ଆରମ୍ଭ
ଅନ୍ତରୁ ଆରମ୍ଭ
୧
ଶୁଷ୍କ ଫଳଟି ଝଡ଼ିଗଲା ପରେ
ପଛରେ ଛାଡ଼ିଦେଇ ଯାଏ
ଅନେକ ସମ୍ଭାବନାର
ନୂତନ ବିହନ
ଆଉ କିଛି ଜୀବନର
ଆରମ୍ଭ ଉଦ୍ଦେଶ୍ୟରେ।
୨
କୃଷ୍ଣ ଚାଦର ତଳେ
ନିଦ୍ରା ଯାନ୍ତି ଅସ୍ତାଚଳେ
ସୂର୍ଯ୍ୟଦେବ ଯେବେ
ଅନ୍ତ ହୁଏ ଦିବସର
ଆଲୋକ ମେଖଳା
ଜୀବନ ଆରମ୍ଭ ହୁଏ
ଜହ୍ନର ଶୀତଛାୟା ତଳେ
ପୁର୍ଣ ହୁଏ ସମୟ ଶୃଙ୍ଖଳା।
୩
ଅନେକ କିଛି ବାକିଥିଲେ ବି
ଇତି ଲେଖିବାକୁ ବାଧ୍ୟ ହୋଇଥିଲି
ମୋ ହାତଲେଖା ଚିଠିରେ
ଓ ସେ ଇତିର ପ୍ରତ୍ୟୁତ୍ତର
ଜୀବନ ମଧ୍ୟାହ୍ନରେ
ମେଘର ସମ୍ବାଦ ଆଣି ଆସିଥିଲା
ଭିଜେଇବାକୁ ଖୁବ ମନ ଭରି।
୪
ଓଢଣୀ ତଳେ ଲୁହର ବଢ଼ି
ଛାଡି ଆସିଥିଲା ସେ ସଞ୍ଚିଥିବା
ଅସରନ୍ତି ଖୁସିର କଉଡ଼ି
ଗୋଟିଏ ଜୀବନର ଅନ୍ତ ପରେ
ନୂତନ ଭବିଷ୍ୟର ଅନେକ ଆଶଙ୍କା
ଭାରାକ୍ରାନ୍ତ କରୁଥିଲା
ଆଉ ଏକ ଆରମ୍ଭର ଅନିଶ୍ଚିତତା।
୫
ମୃତ୍ୟୁ ପରେ ବି
କାହାଣୀ ସରେନା
ମଶାଣୀର ଅଭିଶପ୍ତ ଶଯ୍ୟାରୁ
ପାଉଁଶଗଦା ବି କଥା କହେ
ପାପର ପୁଟୁଳି ଭିତରେ
ଶୁଭିଯାଏ ପ୍ରାଯଶ୍ଚିତର ଚାପା ସ୍ୱର
ପୁଣ୍ୟର ଫୁଲଗଛରେ
ଫୁଟିଉଠେ ସୁବାସିତ ଫୁଲ
କିଛି ସମ୍ବାଦ ଦେଇଯାଏ
ମୃତ୍ୟୁଟିଏ ତା ପର ପିଢ଼ୀକୁ
ପ୍ରତିଥର ନିରବ କଣ୍ଠରେ।
୬
ସବୁ ଅନ୍ତ ପରେ
କିନ୍ତୁ ସରେନା କବିତା
କାଗଜରେ ଖାଲି ପୃଷ୍ଠା ଥିବା ଯାଏଁ
ଯୋଡ଼ି ହୋଇଯାଏ
ଛନ୍ଦବଦ୍ଧ ଧାଡ଼ି ପରେ ଧାଡ଼ି
ଏପରିକି ପୂର୍ଣଛେଦ ପରେ।
