STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅନଲାଇନ

ଅନଲାଇନ

1 min
627

କି ସମୟ ଦେଖ ଉଭା ହେଲା ଆସି

ବସିବା ମିଶିବା ମନା,

ଅନଲାଇନରେ ଆସର ବସିଛି

କାହାକୁ ଛୁଇଁବା ମନା। 


ସ୍ୱଜନ ପୀଡ଼ିତ କରୋନା କବଳେ

ତା ସେବା କରିବା ମନା,

ରୋଗୀ ଛଟପଟ ବିଛଣାରେ ଏକା

ତା ପାଶେ ରହିବା ମନା। 


ଅନଲାଇନରେ ଚିକିତ୍ସା ଚାଲିଛି

ଡାକ୍ତର ଛୁଇଁବା ମନା,

ରୋଗୀଟି ବିଚରା ହନ୍ତସନ୍ତ ହୁଏ

କା ସହ ମିଶିବା ମନା। 


ଅଧର ନାସିକା ମୁଖାରେ ଆବୃତ

ଖୋଲାରେ ନିଶ୍ବାସ ମନା,

ହୋଇ ପାରେ କେହି କେଉଁଠି ଆକ୍ରାନ୍ତ

କାହାକୁ ବିଶ୍ବାସ ମନା। 


ବନ୍ଧୁ ମିଳନ ଯେ ସପତ ସପନ

ସମବେତ ହେବା ମନା,

ଅନଲାଇନରେ ଚାଲେ ଆଦାନ ପ୍ରଦାନ

ପାଖରେ ବସିବା ମନା। 


ନାହିଁ ପୂଜା ପାର୍ବଣର ଆନନ୍ଦ

ମେଳା ମହୋତ୍ସବ ମନା,

ବିବାହ ବି ହୁଏ ଭରଚୁଆଲରେ

ଭବ୍ୟ ଆୟୋଜନ ମନା। 


ରାଜନୀତି ଚାଲେ ସଭା ସମିତିରେ

ତାଙ୍କୁ କେ କରିବ ମନା,

ଆନ୍ଦୋଳନ ଚାଲେ ମହା ଆଡମ୍ବରେ

ନେତା କି ମାନିବେ ମନା। 


ମୋବାଇଲ ସ୍କ୍ରିନ୍ ରେ ଫୁଟି ଉଠେ ଭାବ

ଭେଟାଭେଟି ଏଠି ମନା,

ଚୁମ୍ବକ ତରଙ୍ଗେ ବନ୍ଧା ଏ ଜୀବନ

ହାତେ ହାତ ଛନ୍ଦା ମନା। 


କେଜାଣି କେବେ ଏ ବେଳ ହେବ ପାରି

ଚକାନୟନକୁ ଅନା,

କେବେ ବହିବ ସେ ବିଶୁଦ୍ଧ ମଳୟ

କାଳର ଚକ୍ରକୁ ଅନା। 


ହେ ବିଶ୍ୱ ନିୟନ୍ତା ନକରି ଅହନ୍ତା

ଶୁଣ ବାରେ ଏ ମିନତି,

ତୁମ୍ଭ ସୃଷ୍ଟି ହେଉ ତୁମ୍ଭ ଅନୁରୂପ

ଭରିଯାଉ ସୁଖ ଶାନ୍ତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract