ଅନାବନା କବିତା - ୮
ଅନାବନା କବିତା - ୮
ମୁଁ ଅଭିମାନରେ ଚାଲିଆସିଲି
ବୃନ୍ଦାବନ ବାହାରେ
ମୁଁ ନାରୀ ନଥିଲି।
ଯମୁନାରେ ଗାଧୋଇଲାବେଳେ
ଯମୁନା ସାରା ନୀଳ ପାଣି।
ମୋ ଦେହର ନୀଳ ପାଣିରେ
ଗୋଟିଏ ଭୁଷଣ୍ଡ କାକ
ବନିଗଲା ଚତୁର୍ଧା ମୂରତି
ଆକାଶ ଗୋଟେ
ପାଣିରୁ ଉଠିପଡି
ଆକାଶରେ ଛାଇଲା ଯେମିତି।
ମୁଁ ଦେଖିଥିବା ଭ୍ରମ
ସତ୍ୟ ଥିଲା ସତରେ
ପ୍ରତି ଗୋପୀର ଆଲିଙ୍ଗନରେ
ଜଣେଜଣେ କୃଷ୍ଣ ଥିଲା।
ଓଃ ଏ ପୁରୁଷ ବେଶ
ଭାରି ଦୁର୍ବିସହ
ମୋତେ ବରଂ କର ତୁମେ
ଚନ୍ଦ୍ରସେଣା ପରି ଜଣେ
ବିକଳ୍ପ ପ୍ରତ୍ୟୟ।
ନିଅ
ମୋତେ ଏପାରିରୁ
ଫେରେଇ ନିଅ।।
ଅନୀଲ କୁମାର ପାଢୀ