STORYMIRROR

Anil Kumar Parhi

Inspirational Others

0  

Anil Kumar Parhi

Inspirational Others

ଅନାବନା କବିତା - ୨୭

ଅନାବନା କବିତା - ୨୭

1 min
329


ଅନୀଲ କୁମାର ପାଢୀ

(ମୋତେ ଭିଡି ଧରି ଶୋଇଛି

ମୋ ଝିଅ, ଶୀତ ଲାଗୁଛି ନା ଡର?

ମୋ ଝିଅ କଣ ପ୍ରଳାପ କରୁଛି ନିଦରେ

ମୋତେ ଲାଗୁଛି

ଯେମିତି ସାରା ସଂସାର ଏକଇ ସ୍ଵରରେ

ଡାକୁଛି - ବାପା! ବାପା ମୋର,

ନା ମ ମୋ ଆଖିରେ

କୀଟଟେ ପଡିଛି

ନହେଲେ ମୋର କାନ୍ଦିବାର

କଥା କ’ଣ ଅଛି। )

କମ୍ କଷ୍ଟ କି ବାପକୁ

ଗର୍ଭରୁ ଝିଅକୁ ଆଣିବା

ଝିଅ କହିବ, ବାପା ମ

ତମ ହାତରେ ଭାଗ୍ୟର

ମଇଳା, ବଙ୍କା ରେଖା

ମୋ ପାଦ ଥୋଇବି କୋଉଠି!

ଥାଉ ମୁଁ ରହୁଛି ଏଇଠି!

ତାପରେ ସେ ଭୃଣ ହୋଇଯିବ

ବେଧଡକ ଶୋଇଯିବ!

ବହୁ ବାପଙ୍କ ପାପ ମୁଁ କାହିଁକି

ଭୋଗିବି? କାହିଁକି

ମୋ ଝିଅ ମୋତେ

ମନେପକେଇ ଦେବ ଯେ

ମୋ ମା'ର ଫଟା ପାଦର

ଅଳତା ତଳେ ଲୁଚିଥିବା

ଇତିହାସ ବି ଗୋଟେ ହୋୟାଙ୍ଗହୋ।

ମୁଁ କହି ସାରିଛି

ହେ ଶିଶୁ କନ୍ୟା

ମୁଁ ତୋ ପାଦର ଅଳତା

ଜହ୍ନରେ ଧୋଇବି,

ଦର୍ପଣ ଶିଳାକୁ ନେଇ

ତୁଠର ପଥର କରିବି!!

ତା ମା ଗର୍ଭରେ

ଝିଅ ମୋର

ବଡ ଯିଦଖୋର!

ଝିଅ କହିଲା

ମୋ ମା କାଳେ ଅହଲ୍ୟା

ପତ୍ନୀ ସୀତା।

ଦୁହିତା ଦୁଇ କୁଳକୁ ହିତା।

ମୁଁ କହିଲି

ନାଇଁ ଅଭିଶାପ

ପାପ

ପିପାସା,

ଅଗ୍ନି ପରୀକ୍ଷା। ମଧ୍ୟ ବୟସ୍କ ଦିନଚର୍ଯ୍ୟାର ଦ୍ଵାହି

ଏଠି ବନ୍ଧକ, ବନ୍ଧୁକ କିଛି ନାଇଁ।

ଗଜକପଡା କ’ଣ ଝିଅ

ଗୋଟେ ଦର ଗଢା

ମୂର୍ତ୍ତି ତ ବିସର୍ଜନ ହିଁ।

ଝିଅ କହିଲା

ଭୃଣର ବି ଭାଷା ଥାଏ

ସମ୍ଭୋଗରୁ ଆରମ୍ଭି

ସମ୍ଭୋଗରେ ଝିଅ ଶେଷ ହୁଏ

କାହିଁ କେଉଁଠି ଝିଅ ହିଁ ନଥାଏ!!

ବାପା ମ

ମୁଁ ଯିବିନି

ସଇ କରି ଲେଖିଦିଅ

ମୋ ଭାଗରେ ବୁର୍ଖା ନାଇଁ

ଏରୁଣ୍ଡି ବନ୍ଧନାଇଁ।

ମୋ ପାଇଁ ନା ବେଣୀ ବନ୍ଧନ

ନା ଅରଣ୍ୟ ରୋଦନ। ଆଣ

ମୋ ପାଇଁ ପଦ୍ମ ପତ୍ର ଆଣ

ତହିଁରେ ଢଳ ଢଳ ହେଉଥିବ

ନିଦୁଆ କିରଣ

ଆଣ, ତୋଳିଧର

ମୁଁ ରଖିବି ପାଦ ମୋର!!

ସତରେ ଝିଅଙ୍କୁ ଗର୍ଭରୁ ଆଣିବା

କେଡେ କଷ୍ଟକର!!


Rate this content
Log in

Similar oriya poem from Inspirational