ଅମର ପ୍ରେମ
ଅମର ପ୍ରେମ
କଥା ଦେଉଅଛି ଆଗୋ ରାଧାରାଣୀ
ମଥାକୁ ତୁମର ଛୁଇଁ
ଯୁଗ ଯୁଗ ପାଇଁ ଆମ ପ୍ରେମ ଗାଥା
ରହିବ ଅମର ହୋଇ ।
କେଳି କୁଞ୍ଜବନ ଯମୁନା ତଟିନୀ
ଆମରି ପ୍ରେମର ସାକ୍ଷୀ
ପ୍ରେମୀଙ୍କ ମନରେ ଜାଗିବ ଭାବନା
ଫୁଲର ବଗିଚା ଦେଖି ।
ବଂଶୀରୁ ନିଃସୃତ ପ୍ରେମର ଝଙ୍କାର
ଶୁଣିଲେ କର୍ଣ୍ଣରେ ପ୍ରେମୀ
ପାଗଳ ପରାଏ ପ୍ରୀତିର ତାଳରେ
ନାଚିବେ ସଭିଏଁ ଝୁମି ।
ସରଗ ମରତ ତିନି ଭୁବନରେ
ଶାଶ୍ୱତ ପ୍ରେମର ମୂଲ୍ୟ
ସଭିଙ୍କ ହୃଦୟେ ଭରିଦେବି ପ୍ରିୟା
ଅମୃତ କଣିକା ତୁଲ୍ୟ ।
ମିଠା ରାଗରୁଷା ମାନ ଅଭିମାନ
ଝରାଇ ଦେଇଛ ସଖୀ
ପ୍ରେମକୁ ମଧୁର କରିବେ ସକଳେ
ହୃଦୟେ ସାଇତି ରଖି ।
ହୃଦେ ବ୍ୟାକୁଳତା ମିଠାମିଠା ବ୍ୟଥା
ଅନେକ ଭାବନା ଭରି
ଜୀବନ ପରିଧି ପ୍ରୀତିର ପରଶେ
ଦେବି ମୁଁ ରଙ୍ଗୀନ କରି ।
ପ୍ରକୃତି ବକ୍ଷରେ ଋତୁ ପରେ ଋତୁ
ଆସିବେ ପ୍ରୀତିକୁ ନେଇ
ହୃଦେ ଆଲୋଡନ ଦେହେ ଶିହରଣ
ଭରିବେ ଆନନ୍ଦ ହୋଇ ।
ଅପୂର୍ବ ଅନନ୍ୟ ପ୍ରେମ ଅନୁଭବ
ଜୀବନେ ପାଇବା ପାଇଁ
ପୂଜିବେ ଦୁହିଁଙ୍କ ଚରଣ ଯୁଗଳ
ଅନ୍ୟଥା ହୋଇବ ନାହିଁ ।
ହୃଦୟ ମିଳନେ ପ୍ରେମ ପୂଜାପାଏ
ବୁଝିବେ ଜଗତ ଜନ
ଦୈହିକ ମିଳନେ ପ୍ରେମ କ୍ଷଣସ୍ଥାୟୀ
ନିରାଶ ହୋଇବ ମନ ।
ପ୍ରକୃତି ବକ୍ଷରେ ପ୍ରତିଟି ହୃଦୟେ
ଭରିବି ପ୍ରେମର ଶକ୍ତି
ମୋ'ପ୍ରେମେ ଅଧିର ହୋଇବେ ଯେ'ଜନ
ଲଭିବେ ଜୀବନେ ମୁକ୍ତି ।
ପ୍ରେମ ଚିରନ୍ତନ ପବିତ୍ର ଭାବନା
ଅକ୍ଷୟ ଅମୃତ ଧାରା
ପ୍ରେମ ସତ୍ୟ ଶିବ ସୁନ୍ଦର ସୁରଭି
ଜାଣିବେ ଜଗତ ସାରା ।

