ଅଲିଅଳି ତଅପୋଇ
ଅଲିଅଳି ତଅପୋଇ
ଭାଦ୍ରବ ମାସରେ ପ୍ରତି ରବିବାରେ
କୁଆଁରୀ ଝିଅଙ୍କ ବ୍ରତ
ଭାଇ ପ୍ରଗତିରେ ସ୍ନେହ ପରିବାରେ
ପାଇଁ କରିଥାଏ ସେତ ll
ପୁରୁଷ ପ୍ରାଧାନ୍ୟ ପ୍ରଦେଶ ଓଡିଶା
ନାରୀମାନେ ନିର୍ଯ୍ୟାତିତ
ତଅପୋଇ କଥା ସଚେତନ ଭରା
ଝିଅମାନେ ଶୃଙ୍ଖଳିତ ll
ନାରୀ ସାଜେ ଏଠି ନାରୀର ବଇରୀ
ଶାଶୁ ବୋହୂ ବୋଲାବୋଲି
ଭାଉଜ ଦେଖେନା ନଣନ୍ଦର ଶିରୀ
ପ୍ରତି ଘରେ ହୁଏ କଳି ll
ଦ୍ରୌପଦୀ ସାବିତ୍ରୀ ସୀତା ସତ୍ୟବତୀ
ତଅପୋଇ ଉପାଖ୍ୟାନ
କରେ ଯେ ସଜାଗ ନାରୀ ମୂଲ୍ୟବୋଧ
କର ନାରୀ ସନମାନ ll
ନାରୀ ନୁହେଁ ବସ୍ତୁ ଭୋଗ୍ୟାର ପ୍ରତୀକ
ନାରାୟଣୀ ଦୁର୍ଗା ଦେବୀ
କଲେ ହତାଦର ଶ୍ରୀହୀନ ହୋଇବ
ନାରୀ ନୁହେଁ ସେ ତ ଦେବୀ ll
ଅଲିଅଳି ଝିଅ ତଅପୋଇ ସେତ
ଭଉଣୀ ସାତ ଭାଇରେ
ହେଲା ନିର୍ଯ୍ୟାତିତ ଭାଉଜ କ୍ରୂରରେ
ଲେଖାଥିଲା ତା ଭାଗ୍ୟରେ ll
ଭକ୍ତିପୁତ ମନେ ମଙ୍ଗଳାଙ୍କୁ ଡାକେ
ଭାଇଙ୍କ ପାଇଁ କି ବ୍ରତ
ମଙ୍ଗଳକାରିଣୀ ମାଆ ଭଗବତୀ
ଭକ୍ତିରେ ହୋଇଲେ ପ୍ରୀତ ll
ଭାଇଙ୍କୁ ପାଇଲେ ବୃତ୍ତାନ୍ତ କହିଲେ
କଷ୍ଟଭରା ତାର ଦିନ
ଭାଉଜଙ୍କ ନାକ ଛେଦି ଭାଇମାନେ
ଭଉଣୀଙ୍କୁ ଦେଲେ ମାନ ll
ମଙ୍ଗଳା ଆଶିଷେ ପରିବାରେ ପୁଣି
ସୁଖ ଶାନ୍ତି ହେଲା ଭରି
ଭାଉଜ ନଣନ୍ଦ ହେଲେ କୋଳାକୋଳି
ଦୁଃଖ ଦିନ ଗଲା ସରି ll
ଝିଅର ଆଦର ସଭିଏଁ କରହେ
ଭୃଣ ହତ୍ୟା ବନ୍ଦ କର
ନାରୀ ଅଟେ ମାଆ ଭଉଣୀ ସେବିକା
ସ୍ମାରକୀ ଯେ ମମତାର ll
