ଅକୁହା ବେଦନା
ଅକୁହା ବେଦନା
ଅବ୍ୟକ୍ତ ବେଦନା କରେ ଆନମନା
ନୟନୁ ଝରାଇ ଅଶ୍ରୁ
ଅଶ୍ରୁ ନୁହେଁ ସେ'ତ କ୍ଷତାକ୍ତ ରକତ
ନିର୍ଗତ ହୁଏ ହୃଦୟୁ।
ଜୀବନଟା ସତେ ଅଶାନ୍ତ ସାଗର
ଆସଇ ଭଟ୍ଟା ଜୁଆର
ଉର୍ମିମାଳା ସବୁ ପିଟି ହୁଏ ହୃଦେ
ଘାତଇ ସେ ବାରମ୍ବାର।
ଅକୁହା ଯନ୍ତ୍ରଣା କହିବି କାହାକୁ
କିଏ ସେ ବୁଝିବ ମନ
ମନ ବେଦନାକୁ ହୃଦୟରେ ଚାପି
ସହୁଛି କେତେ ଯାତନା।
ଆସିଥିଲ ତୁମେ ପହିଲି ବସନ୍ତେ
ଡେଣାକୁ ତୁମ ମେଲାଇ
ପତ୍ରଝଡ଼ା ସମ ଜୀବନରୁ ମମ
ନୀରବେ ଗଲ ଦୂରେଇ।
କହିବାକୁ ମୋତେ ଦେଲନି ସୁଯୋଗ
ହୃଦୟର ମୋ ଆବେଗ
କହିବା ଆଗରୁ ଚାଲିଗଲ ତୁମେ
ଖୋଜୁଥିଲ ବୋଧେ ସୁଯୋଗ।
ଆଶାର ମିନାର ହେଲା ଚୁରମାର
ସତେକି କାଚ ଆଇନା
ଯେତେ ଚେଷ୍ଟା କଲେ ଭଙ୍ଗା ହୃଦୟକୁ
ଜମାରୁ ଯୋଡ଼ି ପାରେନା।
ଅସହ୍ୟ ଯନ୍ତ୍ରଣା ଛାତି ତଳ ନିଆଁ
କୁହୁଳି କୁହୁଳି ଜଳେ
ଗୋପନରେ ରହି ମରମେ ମରମେ
ଜୀବନକୁ ଜାଳି ଦିଏ।
ଅନ୍ତର ଯାତନା ବାଡବାଗ୍ନୀ ସମ
ସଞ୍ଚିତ କରିଛି ହୃଦେ
ଉତ୍ତପ୍ତ ଏ ଲାର୍ଭା କେବେ ହେବ ଉଭା
ବିସ୍ପୋରଣ ହେବ କେବେ!!

