ଅହେତୁକ ଆକର୍ଷଣ
ଅହେତୁକ ଆକର୍ଷଣ
କୁହୁକ ଆଖିର
ସେ ମହୁଲି ନିଶା
କଜଳ ପୂରିତ
ଢଳ ଢଳ ଦୁଇ ନୀଳକଇଁର ନିମନ୍ତ୍ରଣ
ବାନ୍ଧି ବସିଲା ବସା
କୁରଙ୍ଗୀ ନୟନାର
ନହୁଲି ସମ୍ମୁହନ
କେବେ ଚୋରି କରିନେଲା
ମୋ ପଦ୍ମବନ
ଜାଣିବା ଆଗରୁ ଉଡିଲା ହଁସା ।
ଲୁହାକଣ୍ଡା ପରି
ଟାଣିନେଲା ଦେଖେଇ
ଚୁମ୍ବକୀୟ କ୍ଷେତ୍ର କ୍ଷେତ୍ରଫଳ
ପତଙ୍ଗମାନଙ୍କୁ
ଲୋଭେଇଲା ମହକେଇ
ଜାଜ୍ଜଲ୍ୟମୟ ପାଗଳ ଅନଳ
ଭଅଁରଦଳଙ୍କୁ
ଟାଣିନେଲା ଚମକେଉ
ପ୍ରସୁନମୟ ବଗିଚାସ୍ଥଳ ।
ଜାଣି ପାରିଲିନି
ବାୟା ବାତୁଳାମିରେ
କେତେବେଳେ ଫସିଗଲି
ଆତୁରେ ଚାତୁରେ
ମାତିଗଲି ପ୍ରେମ ତୋରିରେ ପଡିଗଲି
ବୁଢିଆଣି ଜାଲରେ
ଅଜଣା ଅଚିହ୍ନାରୁ ହେଲି ଆପଣାର
ପର ଅନ୍ୟରୁ ହେଲି ଅତି ନିଜର
ଘନିଷ୍ଠ ସମ୍ପର୍କ ଗଢି ଉଠିଲା
ଗଭୀର ବିଶ୍ବାସ ଗଡୁରି ମାଡିଲା
ବିଶ୍ୱାସ କରିବନି
ତୁମ ପାଦଚିହ୍ନ ପଛେ ପଛେ
ମୋ' ଛାଇ ଆଲୁଅ
ତୁମ ଶବ୍ଦତରଙ୍ଗ ପାଖେ ପାଖେ
ମୋ' ଛବିଳ ଛନ୍ଦଲୟ
ତୁମ ଆଲିଙ୍ଗନ ମାଖେ ଚାଖେ
ମୋ' କୋମଳ ବାହୁବଳୟ
କୁହ ! କୁହ !
ନୟନ ଚାହାଁଣୀରେ
ନୟନ କାହାଣୀରେ
ବି ଥାଏ ଗୋଟେ ଅହେତୁକ ଆକର୍ଷଣ
ଅନାମଧେୟ ଅପାଙ୍କ୍ତେୟ ମାନଙ୍କୁ
କରିଦିଏ ପ୍ରେମ ପ୍ରବୀଣ ।