ଅଗଣା
ଅଗଣା
ଘରକୁ ଅଗଣା ଦିଶଇ ସୁନ୍ଦର
ଅଗଣାରେ ବୃନ୍ଦାବତୀ
ଓଡିଆ ଘରର କୁଳବଧୂ ଜଳ
ଦେଇ ପୂଜୁ ଥାଏ ନିତି ।
ସକାଳ ସନ୍ଧ୍ୟାରେ ଦୀପ ଜାଳୁ ଥାଏ
ମନରେ ଭକତି ରଖି
ବାଡି ଅଗଣାରେ ଫୁଲ ଫୁଟୁ ଥାଏ
ଲାଖି ଯାଉ ଥାଏ ଆଖି ।
ବରଷା ଋତୁରେ ଅଗଣାରେ ବସି
ପିଲାଏ ଖେଳ ଖେଳନ୍ତି
ସଢେଇରେ ଓଦା ବାଲି ବୋହି ଆଣି
ବିଲେଇ କୁମା କରନ୍ତି ।
ଦାଣ୍ଡରେ ଗୋଳିଆ ପାଣି ମାଡି ଯାଏ
ଘର ଅଗଣାରେ ବସି
ରଙ୍ଗ ବେରଙ୍ଗର କାଗଜ ଡଙ୍ଗାକୁ
ଭସାଉ ଥାଆନ୍ତି ହସି ।
ସବୁଜ ଶ୍ୟାମଳ ଦିଶଇ ଅଗଣା
ଦୂବ ଘାସ ଗାଲିଚାରେ
ଟିକି ପ୍ରଜାପତି ଉଡି ବୁଲୁଥାନ୍ତି
ଫୁଲ ଦେହ ଅଗଣାରେ ।
ଶରତ ଋତୁରେ ନିର୍ମଳ ଆକାଶ
ଅଗଣା ଦିଶେ ସୁନ୍ଦର
ଗୋମୟରେ ଘର ଅଗଣା ଲିପନ୍ତି
ଦିଶେ କେଡେ ମନୋହର ।
ଅଗଣା ଆଗରେ ବାଡର ଦେହରେ
ଅପରାଜିତା ମାଡଇ
ଅତି ମନଲୋଭା ସେଇ ଫୁଲ କୃଷ୍ଣ
ଶନିଦେବ ପୂଜା ପାଇ ।
ମାର୍ଗଶିର ମାସ ଆସି ଯାଏ ଯେବେ
ଅଗଣା ଉଠଇ ହସି
ଚାଉଳକୁ ବାଟି ଝୋଟି ଦିଆ ଯାଏ
ଲାଗୁ ଥାଏ କେତେ ଖୁସି ।
ଶୀତ ଆସିଗଲେ ଘର ଅଗଣାରେ
ନିଆଁ ଜଳା ଯାଏ କେତେ
ଜେଜେମାଆ ପାଖରୁ କେତେ ଗୀତ ଗପ
ବସି ଶୁଣୁ ଥାଉ ସତେ ।
ପିଲାଟି ଅଝଟ ହେଲେ ମାଆ ତାର
ଅଗଣେ ବୁଲାଉ ଥାଏ
କେବେ ଜହ୍ନ ମାମୁଁ ସପ୍ତର୍ଷିମଣ୍ତଳ
ଦେଖେଇ ଭୁଲେଇ ଦିଏ ।
ଖରା ଦିନେ ଘର ଅଗଣାଟି ସତେ
ଦିଶେ କେଡେ ପରିଷ୍କାର
ସଞ୍ଜ ହେଲେ ସପ ମଶୀଣାକୁ ପାରି
ବସନ୍ତି ତାର ଉପର ।
କେତେ ଗୀତ ଗପ ଢଗ ଢମାଳିରେ
ଉଛୁଳି ପଡେ ଅଗଣା
କେତେ ଯେ ପୁରାଣ ପାଠ ପଢା ଯାଏ
କରି ହୁଏନା କଳନା ।
ଗାଆଁର ଯେ ଘର ଘରରେ ଅଗଣା
ଅଗଣାରେ ଦୋଳି ଥାଏ
ଭାରି ମଜା ଲାଗେ ସେ ଦୋଳିରେ ଯେବେ
ଝିଅ ବସି ଝୁଲୁ ଥାଏ ।
ଅଗଣାରେ ପିଲାମାନେ ଖେଳୁ ଥିଲେ
କେତେ ଖୁସି ଲାଗୁ ଥାଏ
କ୍ଷଣିକ ପାଇଁ ଜୀବନର ଦୁଃଖ
କେଣେ ଅପସରି ଯାଏ ।
ଅଗଣାରେ ବସି ସେ ତାସ୍ ଖେଳ
କେତେ ମଜା ଦେଇ ଥାଏ
ସେ ଅଗଣା ଆଗରେ ଲଟାର ଦେହରେ
ଜହ୍ନି ଫୁଲ ଫୁଟି ଥାଏ ।
ଅଗଣାରେ ବାଘବଜାରୀ ଖେଳନ୍ତି
ଚାଲେ ବି ଖପୁରୀ ଖେଳ
ଲିଆ ଖୁରୁ ବାଟି ବାଡି ଡିଆଁ ଦେଖି
ବୁଡି ଯାଇ ଥାଏ ବେଳ ।
କେତେ ବାଲି ଖେଳ ଖେଳି ଥାନ୍ତି ପିଲେ
ଅଗଣାରେ ଘର କରି
ବାଲି ଭାତ ପିଠା ତରକାରୀ କରି
ଘରେ ଯାନ୍ତି ଖେଳ ସାରି ।
ଘର ଅଗଣାରେ ଝିଅ ବୋହୂ ପସା
କଉଡି ଖେଳ ଖେଳନ୍ତି
ବାହାଘର ବେଳେ ସେଇ ଅଗଣାରେ
ବେଦୀ ପୁଣି କରି ଥାନ୍ତି ।
ଘର ଅଗଣାରେ ଚେୟାର ଉପରେ
ଘର କର୍ତ୍ତା ବସିଥାନ୍ତି
ଭାରି ଖୁସି ଲାଗେ ବୋହୂ ଯେବେ
ଚା କପ୍ ଧରେଇ ଦ୍ୟନ୍ତି ।
ଯାନି ଯାତ୍ରା ମେଳା ମଉତ୍ସବ ବେଳେ
ଅଗଣା ପୂରି ଉଠଇ
ଏଇ ଅଗଣାରୁ ଶେଷ ସମୟରେ
ଶେଷ ଯାତ୍ରା ହେଇଥାଇ ।
ଭୁଲି ତ ହୁଏନି ଏ ଘର ଅଗଣା
ଥାଏ ମନ ହୃଦୟରେ
କେତେ ଯେ ସପନ ରହି ଅଛି ସେଠି
ଏଇ ଆଖି ପଲକରେ ।
