STORYMIRROR

Lata Behera

Abstract

4  

Lata Behera

Abstract

ଅଗଣା

ଅଗଣା

2 mins
292


ଘରକୁ ଅଗଣା ଦିଶଇ ସୁନ୍ଦର 

      ଅଗଣାରେ ବୃନ୍ଦାବତୀ

ଓଡିଆ ଘରର କୁଳବଧୂ ଜଳ 

     ଦେଇ ପୂଜୁ ଥାଏ ନିତି ।


ସକାଳ ସନ୍ଧ୍ୟାରେ ଦୀପ ଜାଳୁ ଥାଏ

     ମନରେ ଭକତି ରଖି 

ବାଡି ଅଗଣାରେ ଫୁଲ ଫୁଟୁ ଥାଏ 

    ଲାଖି ଯାଉ ଥାଏ ଆଖି ।


ବରଷା ଋତୁରେ ଅଗଣାରେ ବସି 

     ପିଲାଏ ଖେଳ ଖେଳନ୍ତି 

ସଢେଇରେ ଓଦା ବାଲି ବୋହି ଆଣି

     ବିଲେଇ କୁମା କରନ୍ତି ।


ଦାଣ୍ଡରେ ଗୋଳିଆ ପାଣି ମାଡି ଯାଏ

     ଘର ଅଗଣାରେ ବସି 

ରଙ୍ଗ ବେରଙ୍ଗର କାଗଜ ଡଙ୍ଗାକୁ 

     ଭସାଉ ଥାଆନ୍ତି ହସି ।


ସବୁଜ ଶ୍ୟାମଳ ଦିଶଇ ଅଗଣା

     ଦୂବ ଘାସ ଗାଲିଚାରେ

ଟିକି ପ୍ରଜାପତି ଉଡି ବୁଲୁଥାନ୍ତି 

   ଫୁଲ ଦେହ ଅଗଣାରେ ।


ଶରତ ଋତୁରେ ନିର୍ମଳ ଆକାଶ

     ଅଗଣା ଦିଶେ ସୁନ୍ଦର 

ଗୋମୟରେ ଘର ଅଗଣା ଲିପନ୍ତି 

    ଦିଶେ କେଡେ ମନୋହର ।


ଅଗଣା ଆଗରେ ବାଡର ଦେହରେ 

     ଅପରାଜିତା ମାଡଇ 

ଅତି ମନଲୋଭା ସେଇ ଫୁଲ କୃଷ୍ଣ 

     ଶନିଦେବ ପୂଜା ପାଇ ।


ମାର୍ଗଶିର ମାସ ଆସି ଯାଏ ଯେବେ 

    ଅଗଣା ଉଠଇ ହସି

ଚାଉଳକୁ ବାଟି ଝୋଟି ଦିଆ ଯାଏ

    ଲାଗୁ ଥାଏ କେତେ ଖୁସି ।


ଶୀତ ଆସିଗଲେ ଘର ଅଗଣାରେ 

   ନିଆଁ ଜଳା ଯାଏ କେତେ 

ଜେଜେମାଆ ପାଖରୁ କେତେ ଗୀତ ଗପ

     ବସି ଶୁଣୁ ଥାଉ ସତେ ।


ପିଲାଟି ଅଝଟ ହେଲେ ମାଆ ତାର

    ଅଗଣେ ବୁଲାଉ ଥାଏ 

କେବେ ଜହ୍ନ ମାମୁଁ ସପ୍ତର୍ଷିମଣ୍ତଳ

     ଦେଖେଇ ଭୁଲେଇ ଦିଏ ।


ଖରା ଦିନେ ଘର ଅଗଣାଟି ସତେ

     ଦିଶେ କେଡେ ପରିଷ୍କାର 

ସଞ୍ଜ ହେଲେ ସପ ମଶୀଣାକୁ ପାରି

    ବସନ୍ତି ତାର ଉପର ।


କେତେ ଗୀତ ଗପ ଢଗ ଢମାଳିରେ

     ଉଛୁଳି ପଡେ ଅଗଣା 

କେତେ ଯେ ପୁରାଣ ପାଠ ପଢା ଯାଏ

    କରି ହୁଏନା କଳନା ।


ଗାଆଁର ଯେ ଘର ଘରରେ ଅଗଣା 

     ଅଗଣାରେ ଦୋଳି ଥାଏ

ଭାରି ମଜା ଲାଗେ ସେ ଦୋଳିରେ ଯେବେ 

     ଝିଅ ବସି ଝୁଲୁ ଥାଏ ।


ଅଗଣାରେ ପିଲାମାନେ ଖେଳୁ ଥିଲେ

      କେତେ ଖୁସି ଲାଗୁ ଥାଏ

କ୍ଷଣିକ ପାଇଁ ଜୀବନର ଦୁଃଖ 

      କେଣେ ଅପସରି ଯାଏ ।


ଅଗଣାରେ ବସି ସେ ତାସ୍ ଖେଳ 

     କେତେ ମଜା ଦେଇ ଥାଏ

ସେ ଅଗଣା ଆଗରେ ଲଟାର ଦେହରେ

    ଜହ୍ନି ଫୁଲ ଫୁଟି ଥାଏ ।


ଅଗଣାରେ ବାଘବଜାରୀ ଖେଳନ୍ତି

     ଚାଲେ ବି ଖପୁରୀ ଖେଳ  

ଲିଆ ଖୁରୁ ବାଟି ବାଡି ଡିଆଁ ଦେଖି 

     ବୁଡି ଯାଇ ଥାଏ ବେଳ ।


କେତେ ବାଲି ଖେଳ ଖେଳି ଥାନ୍ତି ପିଲେ 

      ଅଗଣାରେ ଘର କରି 

ବାଲି ଭାତ ପିଠା ତରକାରୀ କରି

     ଘରେ ଯାନ୍ତି ଖେଳ ସାରି ।


ଘର ଅଗଣାରେ ଝିଅ ବୋହୂ ପସା

     କଉଡି ଖେଳ ଖେଳନ୍ତି 

ବାହାଘର ବେଳେ ସେଇ ଅଗଣାରେ

     ବେଦୀ ପୁଣି କରି ଥାନ୍ତି ।


ଘର ଅଗଣାରେ ଚେୟାର ଉପରେ 

    ଘର କର୍ତ୍ତା ବସିଥାନ୍ତି 

ଭାରି ଖୁସି ଲାଗେ ବୋହୂ ଯେବେ

    ଚା କପ୍ ଧରେଇ ଦ୍ୟନ୍ତି ।


ଯାନି ଯାତ୍ରା ମେଳା ମଉତ୍ସବ ବେଳେ

    ଅଗଣା ପୂରି ଉଠଇ

ଏଇ ଅଗଣାରୁ ଶେଷ ସମୟରେ 

    ଶେଷ ଯାତ୍ରା ହେଇଥାଇ ।


ଭୁଲି ତ ହୁଏନି ଏ ଘର ଅଗଣା 

    ଥାଏ ମନ ହୃଦୟରେ

କେତେ ଯେ ସପନ ରହି ଅଛି ସେଠି

    ଏଇ ଆଖି ପଲକରେ ।



Rate this content
Log in

Similar oriya poem from Abstract