STORYMIRROR

Er Sachidananda Barik

Inspirational Others

3  

Er Sachidananda Barik

Inspirational Others

ଅଧା ଲେଖା ବହି

ଅଧା ଲେଖା ବହି

2 mins
420


ମଲାଟଟି ସେତେଟା ଆକର୍ଷଣୀୟ ନୁହେଁ

ତଥାପି ଅନେକ କିଛି ଅଛି

ଚିତ୍ର ସଂକେତ

ମୋତେ ଭଲ ଲାଗିଥିବା ମଣିଷ ଆଉ ଜିନିଷର

ସ୍ପଷ୍ଟ ଅସ୍ପଷ୍ଟ ସୂକ୍ଷ୍ମ ଛାପ ॥


ମୁଖବନ୍ଧଟି ମୋର

ଜଣେ ସରଳ ନିଷ୍କପଟ

ଦୁନିଆକୁ ପ୍ରାୟ ଭୋଗି ସାରିଥିବା ପିଲାର ॥

ସୂଚୀପତ୍ର

ମୋ ବାଲ୍ୟ କୈଶୋର ଆଉ ଯୌବନର

ବଛା ବଛା ସ୍ମୃତି ସମ୍ବଳିତ

ସ୍ଵୀକାରୋକ୍ତି ଆଉ ଅଭିବ୍ୟକ୍ତିର ସମାହାର ॥


ଏଯାବତ ଲେଖା ସରିଥିବା ପୃଷ୍ଠାରେ

କିଛି ପୃଷ୍ଠା ମୋର

କିଛି ତମର

ଆଉ କିଛି ଆମ ଦୁହିଙ୍କର

ଗୁଳି ଗପ ଅଳି ଅଝଟ ବୁଝାମଣା ପ୍ରତାରଣାର

ଏକ ସଂପୂର୍ଣ୍ଣ ମିଶ୍ରଣ ॥


ଲେଖା ସରିଥିବା ପୃଷ୍ଠାରେ ଅଛି ମୋ ମା’ର ବଳିଦାନ

ମୋ ବାପାଙ୍କ ଆକୁଣ୍ଠ ସମର୍ଥନ

ଆଉ ମୋ ପରିବାରର ଆଜି ଯାଏଁ

ଗଣି ହେଉ ନ ଥିବା ଅନେକ ଯୋଗଦାନ ॥


କିଛି ପୃଷ୍ଠାରେ ଲିପିବଦ୍ଧ

ମୋ ଅଭୂଲା ଅତୀତ

କିଛି ପୃଷ୍ଠାରେ ଲେଖା

ମୋ ସାଙ୍ଗ ମାନଙ୍କର କାଣ୍ଡ କାର୍ନାମା

ଯାହା ଏବେ କିଛି ଉଜ୍ଜୀବିତ କିଛି ଝାପସା ଝାପସା

ମୋ ସ୍ମୃତିର ଦିଗବଳୟରେ ॥


କିଛି ପୃଷ୍ଠା ଉତ୍ସର୍ଗୀକୃତ

ମୋ ଜୀବନକୁ ଆସିଥିବା ମଣିଷ ମାନଙ୍କର

ମିଠା ଖଟା ସ୍ମୃତିରେ ଋଦ୍ଧିମନ୍ତ ॥


ଆଉ କିଛି ପୃଷ୍ଠାରେ

ଏ ଯାଏଁ ଭୋଗି ସାରିଥିବା

କିଛି କର୍ମ ଫଳ କିଛି ପରିଣାମ ଲିପିବଦ୍ଧ ॥


ଅନେକ ପୃଷ୍ଠାରେ

ବହୁତ କିଛି ଲେଖି ହୋଇଛି ଆପେ ଆପେ

ସମୟର କାଳିରେ

କିଛି ଧାଡି କିଛି ପୃଷ୍ଠା ବୁଝିଛି

ଅନେକ କିଛି ଅସ୍ପଷ୍ଟ

ଏବେ ବି ଏତେ ଦିନ ପରେ... ॥


ଅନେକ ପୃଷ୍ଠା ଏବେ ବି ଖାଲି ଖାଲି

କିଛି ଇଚ୍ଛାକୃତ ଆଉ କିଛି ଅନିଚ୍ଛାକୃତ

କାହା ପ୍ରତୀକ୍ଷାରେ

କାହା ବିରହରେ ... ॥

ଆଉ କିଛି ପୃଷ୍ଠା

ନାଲି ନେଳି ବେରଙ୍ଗୀ

ପ୍ରେମର ସ୍ପର୍ଶରେ ... ॥


ସମସ୍ତଙ୍କୁ ତୋଳି ଧରିଛି ଲେଖା ସରିଥିବା ପୃଷ୍ଠା

ଆହୁରି ଲେଖା ଚାଲିଛି

ଦେଖା ଯାଉ

କାଳି ସରୁଛି ନା ପୃଷ୍ଠା

କିଏ ପଢୁଛି କିଏ ଛାପୁଛି

ଜାଣିନି ଜୀବନ ଡାଇରିରେ

କେତେ ପୃଷ୍ଠା ବାକି ଅଛି

କେତେ ଆଉ ଲେଖା ହେବ

ଲେଖୁଥିବା ପୃଷ୍ଠା ଶେଷ

ନା ଆହୁରି ବାକି ଅଛି

ତଥାପି ଶେଷ ପୃଷ୍ଠା ପାଇଁ

ଅନେକ ସ୍ଵପ୍ନକୁ ଲେଖିବାର ଅଭିଳାଷଟେ ଅଛି

ଦେଖା ଯାଉ ସମୟ ଚାହୁଁଛି ...॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational