ଅବିଶ୍ରାନ୍ତ ପଥିକ
ଅବିଶ୍ରାନ୍ତ ପଥିକ
ପଥିକ ଟିଏ ମୁଁ ।
ସୂର୍ଯ୍ୟୋଦୟ ଠାରୁ ବାଟ ଚାଲିବା
ଆରମ୍ଭ କରିଛି,
ଚାଲୁଥିଵି ସୂର୍ଯ୍ୟାସ୍ତ ଯାଏ।
ଇଚ୍ଛା ମୋର ଦର୍ଶନ କରିବାକୁ
ଜୀଵନ ପଥର ଚତୁରାଶ୍ରମ।
ଅଜଣା ବାଟରେ ଚାଲୁ ଚାଲୁ
କେବେ ପଥଭ୍ରଷ୍ଟ ହେଇଯାଉଛି ତ
କେବେ ପଥଭ୍ରାନ୍ତ।
ତଥାପି ଚାଲିଛି ଆଗକୁ ଆଗକୁ
ମୋର ଲକ୍ଷ୍ୟ ଅଭିମୁଖେ।
ପାରିହୋଇଛି ସୁଖ ଦୁଃଖ ର ଅନେକ ନଈ ।
କେତେ ଥର ଝୁଣ୍ଟିଛି ହସଲୁହ,
ଲାଭ କ୍ଷତିର ମୁଗୁନି ପଥରରେ।
ଯାଉ ଯାଉ ରାସ୍ତାରେ ତିଆରିଛି କେତେ
ଆଶା ଓ ଭରସାର ବାଲିଘର ।
ପଥ ମଧ୍ୟରେ ଭେଟିଛି
ମୋ ପରି ଅନେକ ପଥଚାରୀଙ୍କୁ ।
ସମସ୍ତେ ଯିଏ ଯାହା ରାସ୍ତାରେ।
ପ୍ରଥମାଶ୍ରମ ଅତିକ୍ରମ କଲାପରେ
ପଥ ମଧ୍ୟରେ ଭେଟିଲି
ଜଣେ ଅଚିହ୍ନା ପଥିକକୁ ।
ପ୍ରଥମ ଦେଖାରେ ସେ
ମୋର ହାତ ଧରି ଚାଲିବାକୁ ଚାହିଁଲେ
ଦେଖିଵାକୁ ଜୀବନର ଦ୍ବିତୀୟ ଆଶ୍ରମ।
ତାଙ୍କ ସହ ପଥମଧ୍ୟରେ ଯିବାବେଳେ
କେତେ ଉଠାଣି ଗଡାଣି,
ଅଙ୍କାବଙ୍କା,କଣ୍ଟକିତ ପଥ
ପାରି ହେଇ ଚାଲିଛୁ ଆମେ ।
କେବେ ଗନ୍ତବ୍ୟ ପଥରେ ଆସିଛି
ଆନନ୍ଦର କଅଁଳ ଘାସ ତ କେବେ
ସାମ୍ନାରେ ଦଣ୍ଡାୟମାନ
ବିପଦର ଉତ୍ତୁଙ୍ଗ ପାହାଡ଼।
ତଥାପି ଆମେ ହାତ ଛାଡିନୁ।
ଅନେକ ବାଟୋଇ ଆମକୁ
ବାଟ କାଟି ଚାଲିଗଲେଣି ହେଲେ
ସେ ମୋ ସହ ଚାରୋଟି ଆଶ୍ରମ
ଦର୍ଶନ କରିବାକୁ କରିଛନ୍ତି
ଦୃଢ ସଂକଳ୍ପ।
ଇତିମଧ୍ୟରେ ଲଭିଛୁପୁଣି
ଦୁଇଟି ନୂତନ ପଥଚାରୀ ଙ୍କୁ।
ସତେକି ଅମୂଲ୍ୟ ରତ୍ନ।
ଆମେ ତାଙ୍କ ପଥ ପ୍ରଦର୍ଶକ ସାଜି
ଚାଲିବା ଶିଖାଉଛୁ
ବନ୍ଧୁର ମସୃଣ ପଥରେ।
ଜୀବନର ଅପରାହ୍ନ
ଆସିବା ପୂର୍ବରୁ ଖୋଜିଦେଵୁ
ତାଙ୍କ ପାଇଁ ଉପଯୁକ୍ତ ସହଯାତ୍ରୀ।
ପହଞ୍ଚିବେ ଲକ୍ଷ୍ୟସ୍ଥଳେ।
ଚାଲିଛୁ,ଚାଲିବୁ ଲମ୍ବି ଥିବା ପଥେ।
ଉଠିପଡି,ଉଭୟେ କାନ୍ଧରେ କାନ୍ଧ ରଖି
ହାତ ଧରାଧରି ହୋଇ
ଚାଲିବୁ ଜୀବନର ସଞ୍ଜଯାଏ ।