ଧୂମରେଖାର ଶେଷଘଣ୍ଟି
ଧୂମରେଖାର ଶେଷଘଣ୍ଟି
ସେମାନେ କ'ଣ ଭାବିବେ
ଏମାନେ କ'ଣ କହିବେ
ଲୋକେ 'କ'ଣ ସବୁ
ଫୁସୁରୁ ଫାସର ହେବେ
ପଡୋଶି କେମିତିକା
ମୁଁହ ବିନ୍ଧାଡ଼ା ଓଠ ଛେନ୍ଟଡା
ଭଲୁଗୁଣା ଶୁଣେଇବେ
ଜଗତ କେମିତିକା ପବନ ଉଡ଼େଇବ
ସରମ ଲାଜରେ ଘରୁ ବାହାରି ହେବନି
ଆତ୍ମସମ୍ମାନ ସବୁ
ବଂଶ ବୁନିଆଦି ସବୁ ମାଟିରେ ମିଶିବ
ସାତ ପୁରୁଷର ଆଭିଯାତ୍ୟ କୂଳଖ୍ୟାତି
ସବୁ ରସାତଳକୁ ଯିବ ହିଁ ଯିବ
ଇତ୍ୟାଦି ଇତ୍ୟାଦି ।
ଏସବୁ ମନର ଭ୍ରମରେଖା
କୁହୁଡି କୁହେଳିକା ସମ
କଳ୍ପନା ଚିତ୍ରିତ କୃତ୍ରିମ ଧୂମଶିଖା
ଶୀତ ସକାଳର ଧୂମାଳ ହେମାଳ କୁଝଝଟିକା
ତପନ କିରଣ ଆଗମନେ ଆବାହନେ
ସବୁ କୁଆଡେ ଉଭାନ ପ୍ରସ୍ଥାନ
ଖୋଜିଲା ବେଳକୁ ବିପଦେ ଆପଦେ
ଦେଖା ନ ଥିବ ପର-ଇତର ପରିକା ।
ଲୋକଙ୍କ କାମ ହେଲା କହିବା
ଭଲ ହେଲେ ବି କହିବେ
ଭେଲ ବେଳେ ବି କହି କହି କନ୍ଦେଇବେ
ଛୋଟ ମୋଟ ତଥ୍ୟକୁ
ସୋରିଷକୁ ତାଳ ପରିକା ବର୍ଣ୍ଣିବେ
ଆଉ ହାସ୍ୟ ବିନୋଦନ ପାଇଁ
କଞ୍ଚାମାଳ ଭାବରେ ବ୍ୟବହାର କରିବେ ।
ଲୋକଙ୍କ କାମ ହେଲା କାନେଇବେ
ଘରେ ଥିବ ଅନେକ ସମସ୍ୟା
ଅନ୍ୟଙ୍କ କାମରେ ନାକ ପୁରେଇବେ
ମୁଣ୍ଡ ପୁରେଇ ଘୁରେଇ
ତୁଣ୍ଡ କମାଣକୁ ଏମିତି ବାଗେଇବେ
ଯେମିତି ପ୍ରଜ୍ଞା ପୁରୁଷ ବାଗ୍ମୀନାୟକ
ଫମ୍ପା ଟାଉଟର ଛଦ୍ମ ବିଦୁଷକ
ସବୁ ଗୋଟେ ଗୋଟେ ମାରାତ୍ମକ ଡାହୁକ
ଏ ସବୁ ଭ୍ରମାତ୍ମକ ଭାବନା
ଛାଡ଼ିବାକୁ ହେବ
ନୂଆବର୍ଷର ସଂକଳ୍ପ ପରି
ବଜ୍ର ଆତ୍ମଶୋଧନ କରି
ଏସବୁ ଧୂମାତ୍ମକ ଚେତନା
ଜଳୁଥିବା ଖଣ୍ଡିଆ ବିଡିକୁ ପାଦରେ
ଦଳିଦେବା ପରି
ଦଳି ମକଚି ଦେବାକୁ ହେବ
ଥୁ ଥୁ ଧିକ୍କାର କରି
ଫୁ ଫୁ ଫୁତ୍କାର ମାରି
ଏସବୁ କିମ୍ଭୁତ କିମ୍ଭାକାର ଶୋଚନା
କୁମ୍ଭାର ମାଟି-କାଦୁଅକୁ
ମନ୍ଥନ କରିବାନ୍ୟାୟରେ
ଭ୍ରମକୁ ଘାଣ୍ଟି ଦରାଣ୍ଡିବାକୁ ହେବ
ବିଶ୍ରାମରେ ନିଶ୍ୱାସ -ବିଶ୍ୱାସ ମାରି
ନିରୋଳାରେ ଚିନ୍ତନ-ମନ୍ଥନ କରି
ଏସବୁ ବେକାରିଆ ବଚନା
ଲେମ୍ବୁ ସରବତ୍ ପରି
ଚିନ୍ତା-ଲୁଣ ଲେମ୍ବୁ-ଗୁଣ ସହିତ
ଚାମୁଚ- ଜ୍ଞାନକୁ ଗୋଳେଇ ମିଳେଇ
ମନ-ଘଣ୍ଟି ବଜେଇବାକୁ ହେବ
ବିଭୁଙ୍କ ପଦ୍ମପାଦ ସୁମରି
ମାଡି ଚାଲିବା ବଢି ଚାଲିବା ସବୁ ବିସ୍ମରୀ ।