ଅଭ୍ରେକ୍ଷ
ଅଭ୍ରେକ୍ଷ
ଏ ମୋର ଦୁଆରେ
ଆସିଥିଲେ ବାରେ
ଯାମଳାର୍ଜୁନ ଭଂଜନ
ସରି ନଥିଲା ଗୋ
ସଜନୀ-ତେବେ ମୋ
ବପୁର ସାଜ-ମନ ମଥନ
ତରବରେ ତରଳିଲି
ଗରବରେ ସଜାଇଲି
ଅରଘଥାଳୀ ମୁଁ ନବ ବାଳୀ
କନକ ବସନ ଝୀନ
ବସନରେ ତାର ମନ
ପିନ୍ଧିଥିଲି ମୁଁ ତା ଶଂଖାଳୀ
ରୁପ ଝଲସାଇ ମୁଇ
ନବ ତରୁଣୀ,ଚିନ୍ମୟୀ
ଅନାଇ ରହିଲି ଘରେ ଥାଇ
କଂସ କେଶିନୀସୁଦନ
ଗୋପ ମଦନ ମୋହନ
ଅଜଣା ମୁଁ -ପହଂଚିବେ ଏଇ
ହାୟ ମୋ ସଜନୀ ଶୁଣ
ହତଭାଗିନୀ ମୁ ଜାଣ
ମରମେ ସରମେତ ମରିଲି
ମୁହିଁ ଆଗ୍ରହରେ ତାଂକୁ
ଅର୍ପିଲି ମୋର ମନକୁ
କଳା,ନବ ଛଇଳା ସେ ବୋଲି
ପଦ ପ୍ରକ୍ଷାଳନ କଲି
ଚଂଦନ ଲଗେଇ ଦେଲି
ଆଭୁଷଣେ ତାଂକୁ ସଜେଇଲି
ତାମ୍ବୁଳ କୁଖୁଆଇଲି
ପଞ୍ଚାମୃତ ପିଆଇଲି
ଅଭ୍ରେକ୍ଷରେ ମନ ହଜେଇଲି
ଶତ ସ୍ବରଗର ସୁଧା
ସତ୍ୟ ଅମରତ୍ବ ସ୍ପର୍ଧା
ଆବେଗରେ ତନୁ ସମର୍ପିଲି
ଭକ୍ତିତତ୍ତ୍ବ ପ୍ରୀତି ରାଧା
କୃଷ୍ନପ୍ରେମେ ନାହିଁ ବାଧା
ଯଥୋଚିତ ଆଚରଣ ବୋଲି ।