ଆତ୍ମଜାର ଆହ୍ବାନ
ଆତ୍ମଜାର ଆହ୍ବାନ
ଥାଉ , ଆଉ ସ୍ବପ୍ନ ଦେଖାଅନି ,
ଲୋଡାନାହିଁ ଜହ୍ନରେ ଘର,
ଲୋଡାନାହିଁ ତାରାର ତାରକସି,
ପଣ କରନି, ମୋ ମୃତ୍ୟୁ ପରେ
ମୋ ସମାଧି ଉପରେ
ଠିଆ କରିଦେବ ତାଜମହଲ ।
ମୁଁ ଜାଣେ .......
ମୋ ଆଖି ଖଞ୍ଜନାକ୍ଷୀ ନୁହେଁ,
ମୋ ହସରୁ ମୁକ୍ତା ଝରେନା ,
ମୁଁ ଚାଲିଲେ ପଦ୍ମ ତ ପଦ୍ମ
ଘାସଫୁଲଟିଏ ବି ଫୁଟେନା ।
ତଥାପି ତୁମେ କୁହ, ମୁଁ ଶୁଣେ ।
ଆଶ୍ଚର୍ଯ୍ୟ ନା !!!
ଦେଖ ,ଏବେ ଏବେ
ମୁଁ ଫେରି ପାଇଚି ସମ୍ବିତ୍ ।
ତୁମେ ଆଉ ପ୍ରଶଂସାର ଖୁଦ ଫିଙ୍ଗି
ଫାଶ ବସାଅନି ... ।
ପାରୁଛ ଯଦି ମୁକୁଳାଇ ନିଅ
ନିଜକୁ ମୋ ମୋହପାଶରୁ ।
ମୋତେ ଶକ୍ତ କରନି,
ବରଂ ହତ୍ୟା କର ,
ବାରମ୍ବାର ହତ୍ୟା କର ।
ମୁଁ ମରେ ମୋ ଭିତରେ,
କନ୍ୟା ହେବାର ଅପରାଧରେ,
କନ୍ୟାର ମା' ହେବା ଅପରାଧରେ,
କଥା ଦଉଚି, ଉଫ୍ କରିବିନି ।
(ସର୍ବଂସହାର ମୁକୁଟ ପିନ୍ଧି
କେହି କ'ଣ ଉଫ୍ କରେ !)
ଯଦି ଲୋଡାପଡେ
ମାଗିନେବ ମୋ ସାହାଯ୍ୟ,
ଆଦୌ ମନା କରିବିନି ।
ଜନ୍ମ ପୂର୍ବରୁ ଲିଙ୍ଗ ପରୀକ୍ଷା,
ଜନ୍ମ ପରେ ଅଦଳବଦଳର ଦ୍ବାହିରେ
ପିତୃତ୍ବ ପରୀକ୍ଷା କର ।
ଯେମିତି ବି ହେଉ
କଳେ ବଳେ କୌଶଳେ ହତ୍ୟା କର ।
ତା'ପରେ ପାରୁଛ ତ ଡିଣ୍ଡିମ ପିଟ
ତୁମେ ବଳବାନ୍ , ତୁମେ ମହୀରୁହ
ମାଟି ବିନା ବ୍ୟାପ୍ତ ହେଇପାର ସଚରାଚର,
ତୁମେ ସ୍ବୟଂଭୂ, ତୁମ ପାଇଁ
ଲୋଡା ନାହିଁ ନାଭିପଦ୍ମର ,
ଲୋଡାନାହିଁ ଜରାୟୁ କି ଜଠର ।।
****
ଦୀପ୍ତିମୟୀ ବିଶ୍ବାଳ
ବାଜି ରାଉତ ଛାତ୍ରାବାସ, ଅନୁଗୋଳ ।