ଆଶା
ଆଶା
ପୁଣି ଏମିତି ଏକ ସକାଳ ଆସିବ,
ଔଷଧ ଦୋକାନ ଆଗରେ ନୁହେଁ,
ଚା ଦୋକାନ ଆଗରେ ଭିଡ଼ ଜମିବ ।
ପୁଣି ଏମିତି ଏକ ଅପରାହ୍ନ ଆସିବ,
ସ୍କୁଲ ପଡ଼ିଆରେ ବୁଲାକୁକୁରଙ୍କ ଚିତ୍କାର ନୁହେଁ,
ପିଲାମାନଙ୍କ କଳରବ ଶୁଭିବ ।
ପୁଣି ଏମିତି ଏକ ସଂଜ ଆସିବ
ଛକମୁଣ୍ଡରେ ପୋଲିସର ଗାଡ଼ି ନୁହେଁ,
ପ୍ରିୟ ବନ୍ଧୁମାନେ ଦିଶିବେ ।
ପୁଣି ଏମିତି ଏକ ରାତି ଆସିବ,
ଆମ୍ବୁଲାନ୍ସ୍ର ସାଇରନ୍ ଶବ୍ଦରେ ନୁହେଁ,
ଚୁଡ଼ିର ରୁଣୁଝୁଣୁରେ ନିଦ ଭାଂଗିବ ।
ପୁଣି ଏମିତି ସମୟ ଫେରି ଆସିବ,
ହାଉସ୍ଫୁଲ ବୋର୍ଡ ହାସପାତାଳ ଆଉ ଶ୍ମସାନରେ ନୁହେଁ-
ସିନେମାହଲ୍ରେ ଲାଗିବ ।
ପୁଣି ଏମିତି ଏକ ସମୟ ଫେରି ଆସିବ,
ଗଙ୍ଗାରେ ଶବ ନୁହେଁ,
ଓଁକାର ଧ୍ୱନି ପହଁରିବ ।
ପୁଣି ଏମିତି ଏକ ସମୟ ଫେରିଆସିବ,
ମଣିଷ ସିଲିଣ୍ଡରରୁ ନୁହେଁ,
ଖୋଲା ପବନରୁ ଅମ୍ଳଜାନ ନେବ ।
ପୁଣି ଏମିତି ଏକ ସମୟ ଫେରିଆସିବ, ବନ୍ଧୁ ମିଳନ ହବ।
ମଣିଷ କେବଳ ଜୀଇଁବନି ବଞ୍ଚିବ ।
