ଆମ ପିଲାଦିନ
ଆମ ପିଲାଦିନ
ମିଳନ୍ତାକି ମୋତେ ଗୋଟେଦିନ ପଛେ
କାଟିବାକୁ ମିତ୍ର ସହ
ଅଭୁଲା ସ୍ମୃତିକୁ ସାଉଁଟିଣ ସବୁ
ବିତାନ୍ତି ପ୍ରତିଟି କ୍ଷଣ
ପିଲାଦିନ ଆମ ଆସନ୍ତାକି ଫେରି
ହୁଅନ୍ତାକି ଚମତ୍କାର
ସେଦିନର ସେହି ଟିକିପିଲା ହୋଇ
ତୋଳନ୍ତୁ ବାଲିର ଘର
ପୁଚି, ଲୁଚକାଳି, ବିଛୁ, ବୋହୁଚୋରି
କବାଡି, ପାହାଡପଣି
କଣ୍ଢେଇ ରାଣୀର ମିଛ ବାହାଘର
ମଥାରେ ଓଢଣୀ ଟାଣି
ବରଷା ଋତୁରେ ସାଙ୍ଗସାଥି ମେଳେ
ହୋଇଥାନ୍ତୁ ଟିକେ ଓଦା
ପାଣିର ସୁଅରେ ଆମ ଗାଆଁ ଦାଣ୍ଡେ
ଭସାନ୍ତୁ କାଗଜ ଡ଼ଙ୍ଗା
ଖରାବେଳେ ପୁଣି ଜେଜେମା ପାଖରୁ
ଶୁଣନ୍ତୁ ନାନା କାହାଣୀ
ଅଚିନ୍ତା ନିଦରେ ଶୋଇଯାନ୍ତୁ ଆମେ
ମଜା ମଜା କଥା ଶୁଣି
ପିନ୍ଧା ପୋଷାକରେ ମାଛ ବି ଧରନ୍ତୁ
ନାଳ, ପୋଖରୀରେ ପଶି
ଫଳ ଚୋରିକରି ବିଲ ଓ ବାଡିରୁ
ଲୁଚିକି ଆସନ୍ତୁ ଖସି
ଆସନ୍ତା କି ଫେରି ପିଲାଦିନ ଆମ
ହୋଇଯାନ୍ତୁ ଟିକିପିଲା
ଆଦର ଯତନ କରନ୍ତେ ସଭିଏଁ
ହୁଅନ୍ତୁ ଆମେ ଯେ ଗେଲ୍ହା