STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଆଲୋକର ପର୍ବ

ଆଲୋକର ପର୍ବ

1 min
439


-----------------

ତମିସ୍ରା ବଳୟ ଲିଭିଲାଣି ନଭେ

ଧରା ହସିଲାଣି ଧୀରେ

ଶରତର ଅନ୍ତେ ଆଲୋକର ପର୍ବ

ଗାଏ ଗୀତ ମଧୁ ସୁରେ ।।


ମଧୁର ମଳୟ ଛୁଇଁଲାଣି ହୃଦ

ଶୀତ ନଇଁ ନଇଁ ଆସେ 

ଝଲମଲ ଆଭା ଖେଳିଲାଣି ଭବେ 

ଦୀପର ସୌରଭ ଦିଶେ ।।


ମର୍ତ୍ତ୍ୟର ମଣ୍ଡଳେ ଜ୍ୟୋତିର ଆଧାର

ଦୀପାବଳି ଆସିଲାଣି

ପାର୍ବଣ ପସରା ନଭଶ୍ଚୁମ୍ବୀ ଭାବ

ମହମହ ବାସିଲାଣି  ।।


ପ୍ରୀତିର ସନ୍ଦେଶ ମୂର୍ଚ୍ଛନା ତୋଳଇ

କୋଟି ଜନ ମନ ପ୍ରାଣେ

ଭ୍ରାତୃତ୍ବର ରଙ୍ଗ ନେସି ହୋଇଯାଏ

ଧରିତ୍ରୀର ଅନୁକୋଣେ ।।


ମଙ୍ଗଳ ମୁହୂର୍ତ୍ତେ ଦିବ୍ୟ ଅନୁଚିନ୍ତା 

ଛୁଇଁଲାଣି ଭୂମି ଭୂମା

ସବୁଜ କେଦାର ସାଗର ସୈକତ

ହସିଲାଣି ସବୁଜିମା  ।।


ବିଶ୍ବାସର ଯେତେ ନୀବିଡ ଅଶ୍ଳେଷ 

ଭରିଦେଉ ମାଦକତା

ନିଃଶ୍ବାସର ଯେତେ ପୁଷ୍ପିତ ପରଶ

ଭାଙ୍ଗିଦେଉ ନୀରବତା ।।


ଅସତ୍ୟ ଉପରେ ସତ୍ୟର ବିଜୟ

ଅଶାନ୍ତି ଉପରେ ଶାନ୍ତି 

ହିଂସାର ଉପରେ ଅହିଂସା ବିଜୟ

ପାହିଯାଉ ଅମାରାତି ।।


ପାପ ନଦୀ ତୀରେ ପୁଣ୍ୟ ଅଭିସାର

ବାକିଲାଣି ପାଂଚଜନ୍ୟ

ଜୀବନ ସଂଗ୍ରାମେ ଶୁଭେ ତୂର୍ଯ୍ୟନାଦ 

ମାର୍ଗ ହେଉ ଜ୍ୟୋତିଷ୍ମାନ ।।


ଅନ୍ୟାୟ, ଅନୀତି, ମିଥ୍ୟା, ପାପାଚାର

ଜଳିଯାଉ ଦାବାନଳେ

ସତ୍ୟ ,ଶାନ୍ତି, କ୍ଷମା, ଦୟା, ଦାନ, ଧର୍ମ 

ହସିଉଠୁ ମହୀ ତଳେ  ।।


ଆଲୋକର ପର୍ବ ଦର୍ପ କରୁ ଖର୍ବ

ଜଳୁ ମହାର୍ଘ ଦୀପାଳି

ସତ୍ୟ ସନାତନ ଅପୂର୍ବ ସ୍ପନ୍ଦନେ 

ଫୁଟୁ ପ୍ରେମର ଶେଫାଳୀ  ।।


ଉଚ୍ଚାରିତ ହେଉ ଧରିତ୍ରୀ ଅଙ୍ଗନେ

ମାନବିକତାର ସ୍ବର

ଚନ୍ଦନ ସୁବାସ ଶୀତଳ ଉଚ୍ଛ୍ବାସେ

ପୁଲକିତ ହେଉ ଶିର ।।


ମୁକୁଳିତ ହେଉ ମଙ୍ଗଳ ସ୍ତବକ

ଅମୃତ ସୋହାଗ ସାଥେ

ବିଚ୍ଛୁରିତ ହେଉ ଆଲୋକ ବର୍ଣ୍ଣାଳୀ

ସୌଭାଗ୍ଯର ଚଲା ପଥେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational