ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ,
ଜାତୀୟ ପତାକା ଉଡଇ ମୋ ଦେଶେ।
ଦେଶ ବାରେ ତିଳେ କହିଦେଇ ପଦେ,
ଉଡାଏ ପତାକା କେଡେ ମୁଁ ଆନନ୍ଦେ ।
ଆଜ ଏଇ ଦିନ ତ୍ରିରଙ୍ଗା ତଳେ,
ଶପଥ ନିଏ ମୁଁ ଦେଶ ଜନ ମେଳେ।
ସତ୍ୟ ପଥେ ଚାଲି ଅହିଂସା ଆଚରି,
କରିବି କର୍ତ୍ତବ୍ୟ ଏ ଜୀବନ ଭରି।
ଅଧିକାର ପାଇଁ ଯେତେ ମୁଁ ଚିନ୍ତିତ,
କର୍ତ୍ତବ୍ୟ ପାଇଁ ମୁଁ ନୁହେଁ ଏତେ ବ୍ୟସ୍ତ।
କିମ୍ପାଇଁ ଶପଥ କରିଥିଲି ମୁହିଁ,
ନିଜକୁ ଥରେ ମୁଁ କଳି ନାହିଁ ଯହିଁ।
ଆଜି ଏ ସାଧାରଣତନ୍ତ୍ର ଦିବସେ,
ସ୍ୱାର୍ଥ ଆଉ ଅର୍ଥ ନୟନେ ମୋ ଭାସେ।
ସ୍ୱାର୍ଥ ପଛେ ଧାଇଁ ଦେଶ କଥା ଭୁଲି,
ନିଜ କଥା ଭାଳି ଆଗେ ଯାଏ ଚାଲି ।
ନେତାଜୀ, ବାପୁଜୀ ଭଳି କେତେ ନେତା,
ସାଥେ ଥିଲେ କେତେ ମୋ ଦେଶ ଜନତା ।
କେତେ କ୍ଳେଶ ସହି ଅତ୍ୟାଚାର ପାଇ,
ଦେଶ ସ୍ୱାଧୀନତା ଆଣିଥିଲେ ଯାଇ।
ଦେଖି ବିଶ୍ୱ ଜନେ ସ୍ୱାଧୀନ ଭାରତ,
ନିଜ ନିଜ ଦେଶେ ଗଢ଼ିଥିଲେ ପଥ।
ଯେ'ଦେଶ ଦେଖାଏ ବିଶ୍ୱେ ମୁକ୍ତି ମାର୍ଗ,
ସେ'ଦେଶେ ଜନତା ଆଜି ଭାଗ ଭାଗ।
ଆଜି ଏ ସାଧାରଣ ତନ୍ତ୍ର ଦିବସେ,
ଗଣତନ୍ତ୍ର ଆଜି ବନ୍ଧା ନେତା ପାଶେ।
ଜନତା ଶାସନ ଗଣତନ୍ତ୍ର ଦେଶେ,
ଚାଲେ ନାହିଁ ଏଠି ଆମରି ସକାଶେ।
ମତ ମୂଲ ଭୁଲି ଆମେ ମତଦାନେ,
ମଦ ପ୍ରେମେ ବାଇ ହେବା ଯେତେ ଦିନେ ।
ସେଯାଏଁ ଏଦେଶେ ଜନତା ଶାସନ,
ନେତା ପାଶେ ବନ୍ଧା ପଡିଥିବ ଧନ।
ବିକାଶ ବଦଳେ ହୋଇବ ବିନାଶ,
ପରାଧୀନତା ଯେ କରୁଥିବ ଗ୍ରାସ।
ଅନ୍ଧାର ରଜନୀ ଆସିବ କି ପାହି,
ସ୍ୱାର୍ଥ ପଛେ ଯହିଁ ଥିବା ଆମେ ରହି।
ଆଜି ଏ ସାଧାରଣତନ୍ତ୍ର ଦିବସେ,
ନିଜ ମନକୁ ଥରେ ପଚାରି ଆସେ।
ଦେଶୁ ଦିନେ ମୁହିଁ ପାଇଚି ଯେ ଯାହା,
ସେଥୁ ତିଳେ ଋଣ ଶୁଝିଚି କି ତାହା ।
କେଡେ ମୁଁ କୃତଘ୍ନ ତେବେ ଏଇ ଦେଶେ,
କାହିଁ ଜନମିଛି ଏଠି ନର ବେଶେ।
ବର ଜୀବ ଭାଳି ଗଢ଼ିଥିଲେ ସାଇଁ,
ଏ କି' ବରପଣ ବୁଝି ହୁଏ ନାହିଁ।
ଛାଡି ପରଦୋଷ ନିଜକୁ ପଚାର,
କର୍ତ୍ତବ୍ୟ କରିଚ ତୁମେ କେତେ ଦୂର ।
ବଦଳିଲେ ବ୍ୟକ୍ତି ବଦଳିବ ଜାତି,
ବଦଳିଲେ ଜାତି ହସିବ ଏ'ମାଟି।
