ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ
ଆମେ କରୁଅଛୁ ଆମରି ଶାସନ
ସ୍ୱାଧୀନ ଭାରତ ବର୍ଷେ,
ଆମରି ଇଚ୍ଛାରେ ଶାସକ ବାଛୁଛୁ
ଯାହା ହିତ ହୁଏ ଦେଶେ |
ଗଣତନ୍ତ୍ର ଏକ ଶାସନ ପଦ୍ଧତି
ସାଧାରଣ ଲୋକ ରାଜ,
ବିଶ୍ୱେ ବହୁଦେଶ ଆପଣାଇଛନ୍ତି
ହୋଇଛି ଯେବେ ସ୍ୱରାଜ |
ଅଛି ସମ୍ବିଧାନ ଶାସନ ପାଇଁ ଯେ
ଆଇନର ଗନ୍ତାଘର,
ସକଳ ନିୟମ ଲେଖା ହୋଇଅଛି
ଯାହା ସବୁ ଦରକାର |
ଆମେରିକା,ଫ୍ରାନ୍ସ,ଇଂଲଣ୍ଡ, ଭାରତ
ଏପରି ଅନେକ ଦେଶ,
ଚାଲିଛି ନିର୍ବିଘ୍ନେ ସାଧାରଣ ତନ୍ତ୍ର
ଉଡାଇ ନିଜର ଯଶ |
ଲୋକମାନଙ୍କର ଲୋକଙ୍କର ଦ୍ୱାରା
ଲୋକମାନଙ୍କର ପାଇଁ,
ଏ ଗଣତନ୍ତ୍ରର ଗଜଲ ପରା ଯେ
ଇତିହାସ ଯାଏ ଗାଇ |
ଦେଶ ନାଗରିକ ଭୋଟ ଜରିଆରେ
କରିଥାନ୍ତି ନିର୍ବାଚିତ,
ନିର୍ବାଚିତ ଜନ ପ୍ରତିନିଧି ମାନେ
ପାଆନ୍ତି ଶାସକ ପଦ |
ଗଣତନ୍ତ୍ର ଦିଏ ନାଗରିକେ ତାର
ମଉଳିକ ଅଧିକାର,
ରହିଛି କର୍ତ୍ତବ୍ୟ ଦେଶପାଇଁ କିଛି
ପ୍ରତ୍ୟେକ ନାଗରିକର |
ଆସିଥାଏ ଯେବେ ଦେଶ ପରେ ମାଡି
ପ୍ରାକୃତିକ ବିପର୍ଯୟ,
ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି
ଶାସକ ହୋଇ ସଦୟ |
ହୋଇଥାଏ ଦେଶେ ଲୋକଙ୍କର ସେବା
ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ପାଇଁ,
ରାସ୍ତାଘାଟ ସହ ଦେଶର ସୁରକ୍ଷା
କରନ୍ତି ଭରସା ଦେଇ |
ଯେତେ ବି ଶାସନ ଅଛି ଭିନ୍ନ ଭିନ୍ନ
ଶ୍ରେଷ୍ଠ ଅଟେ ଗଣତନ୍ତ୍ର,
ଗଣତନ୍ତ୍ରର ଏ ଗଜଲ ଗାଉଛି
ଶୁଣ ଏକତାର ମନ୍ତ୍ର |
