ଆଦର୍ଶ ମୂର୍ତ୍ତି
ଆଦର୍ଶ ମୂର୍ତ୍ତି
ଝିଅ ମୋର
ହୁଅ ତୁମେ ସୀତା ପରି
ସାବିତ୍ରୀ ଦ୍ରୌପଦୀ କୁନ୍ତୀ
ଏହି ମହିୟସୀ ନାରୀମାନେ
ହୁଅନ୍ତୁ ତୋର ଆଦର୍ଶ
ପଥ ପଦର୍ଶକ।।
ନା ମାଆ ନା
ମୁଁ ଆଦର୍ଶ କରିବି ନାହିଁ
ଏଇ ପୌରାଣିକ ନାରୀମାନଙ୍କୁ
କୁହ କେଉଁ କାରଣରୁ
କଣ ବା ଅବଦାନ
କେଉଁ ଶିକ୍ଷା କେଉଁ ବାର୍ତ୍ତା
ଏମାନଙ୍କର ଆଜିର ନାରୀ ସମାଜକୁ।।
ନାରୀର ସମାଜିକ ସ୍ଥିତି
ବୌଦ୍ଧିକ ଉନ୍ନତି ପାଇଁ
କିଏ କୁହ କରିଥିଲେ
ଥରେ ମାତ୍ର ସ୍ୱର ଉତ୍ତୋଳନ।।
ନା ସୀତା ନା ଦ୍ରୌପଦୀ
ନା ସାବିତ୍ରୀ ନା କୁନ୍ତୀ।।
ନିଜ ସତୀତ୍ୱର ପରୀକ୍ଷା ପାଇଁ
ଅଗ୍ନିକୁଣ୍ଡକୁ ପଶିବା ପୂର୍ବରୁ
ଥରେ କଣ ଭାବିଥିଲ ସୀତା
ଏ ନିସର୍ତ ସମର୍ପଣ
ଆଗାମୀ ନାରୀସମାଜ ପାଇଁ
ଖୋଲି ଦେବ ଏକ
ଅସହାୟର ପଥ
ସବୁ ସମସ୍ୟା ସହ
ସାଲିସ କରିବା ପାଇଁ
ସବୁ ଦୁଃଖ କଷ୍ଟକୁ
ମୁହଁ ପୋତି ସହିବା ପାଇଁ
ନିଜେ କରି ନଥିବା
ଅପରାଧ ପାଇଁ ମଧ୍ୟ
ବିନା ଦ୍ବିଧାରେ ଦାୟୀ ରହିବା ପାଇଁ।।
ଥରେ ମାତ୍ର କେବଳ
କାହିଁକି ପ୍ରଶ୍ନ କଲନି
ନାରୀଟିକୁ ପୁରୁଷଟି
ବଳତ୍କାରରେ ହରିନେଲେ
ପୁରୁଷଟି ବଦଳରେ
କେମିତି ବା ଦୋଷୀ ହୁଏ ନାରୀ
ନିଜ ଇଛା ବିରୁଦ୍ଧରେ
ପତି ଠୁ ଦୂରରେ ଥିବା ନାରୀଟିକୁ
କାହିଁକି ବା ଦେବାକୁ ପଡେ ଅଗ୍ନିପରୀକ୍ଷା
କାହିଁକି ବିରୋଧ କୁହ
କଲନାହିଁ ତୁମ ପ୍ରତି
ହେଉଥିବା ଏ ଅବିଚାର କୁ।।
ଦ୍ରୌପଦୀ...
ତୁମେ ବି ତ କହିପାରିଥାନ୍ତ
ନାଁ ମୁଁ ମାନିବି ନାହିଁ
ମୋ ପ୍ରତି ଏ ଅନ୍ୟାୟ
ମୁଁ ବସ୍ତୁ ନୁହେଁ ଯେ
ମୋତେ ତୁମେ ବାଣ୍ଟି ଦେବ
ପାଞ୍ଚ ପାଞ୍ଚ ପୁରୁଷ ମଧ୍ୟରେ
ବାଜି ଲଗାଇବ ପଶା ଖେଳରେ
ନା ମୁଁ ହେବି ନାହିଁ
ପଶା ଖେଳର ବାଜି
ମୁଁ ସମ୍ପଦ ନୁହେଁ
ନୁହେଁ ବି ମୁଁ ଦାସୀ
ନିଜ ମୁହଁକୁ ତୁଣ୍ଡି ଲଗେଇ
ତୁମେ ଖୋଲିଦେଲ ପଥଟିଏ
ସମାଜ ପାଇଁ
ନାରୀକୁ ବସ୍ତୁଟିଏ
ପରି ବିବେଚନା କରିବାକୁ।।
ନିଜ ସମ୍ମାନ କୁ ବାଜି ଲଗେଇ
ବାରମ୍ବାର ନିଜକୁ
ଅପମାନିତ କରିଛ
ନିଜ ଅନିଚ୍ଛା ସତ୍ତ୍ୱେ
କେତେ କେତେ ପୁରୁଷର ବିର୍ୟ୍ଯ
ନିଜ ଗର୍ଭରେ ଧରିଛ
ତଥାପି ବି
ଫିଙ୍ଗି ଦେଇଛ
ନିଜ ରକ୍ତର ସନ୍ତାନକୁ
ସମାଜର କୁତ୍ସାକୁ ଡରି
କାହିଁ ଥରେ ବି ପ୍ରଶ୍ନ କଲ ନାହିଁ
ହେ ସମାଜ
ଏହି ଅବାଞ୍ଚିତ ମାତୃତ୍ୱ ପାଇଁ
ସତେ କଣ ଏକା ମୁଁ ହିଁ ଦାୟୀ
ମଥା ଉପରେ ଡହ ଡହ ଜଳୁଥିବା ସୂର୍ଯ୍ୟ
କିପରି ବା ନିଷ୍ପାପ ନିଷ୍କଣ୍ଟକ
ଯାହାର ତେଜକୁ କେବେ କେହି ଲିଭେଇ ପାରେନା
ସେ ବା କାହିଁକି ଡ଼ରେ କୁଣ୍ଠାବୋଧ କରେ
ପିତୃତ୍ୱର ପରିଚୟ ପାଇଁ
କୁନ୍ତୀ ତୁମର ସେ ନିରବତା
କଣ୍ଟା ସାଜିଲା ଆଗାମୀ ପିଢ଼ି ପାଇଁ
ସୁଯୋଗ ଦେଲା ଦୁନିଆକୁ
ସବୁ ସ୍ଖଳନ ପାଇଁ ସବୁ ବ୍ୟଭିଚାର ପାଈଁ
ସହଜରେ ତର୍ଜନୀ ନିର୍ଦେଶ କରିବାକୁ
କେବଳ ନାରୀଟିକୁ ଆଡ଼କୁ।।
ପିତା ପାଇଁ ରାଜ୍ୟ ପତି ପାଇଁ ଆୟୁଷ
ଗର୍ଭ ପାଇଁ ଶତ ପୁତ୍ରର ଭିକ୍ଷା
ଏୟା ହିଁ ତ ମାଗିଥିଲ ତୁମେ
ହେ ସାବିତ୍ରୀ
ପୁତ୍ର କେବଳ ପୁତ୍ର
ଏ କଣ ଅନ୍ୟାୟ ନୁହେଁ
ଜଣେ ନାରୀ ହୋଇ
ନାରୀ ସମାଜ ପାଇଁ
କାହିଁକି ମନରେ ଜାଗିଲା ନାହିଁ ତୁମ
କନ୍ୟା ସନ୍ତାନର ପ୍ରାପ୍ତି।।
ତୁମର ସେଇ ଅନ୍ୟାୟ ଭିକ୍ଷା
ଏବେ ସଂକଟରେ ପକେଇଚି
ନାରୀ ଜାତିର ଅସ୍ତିତ୍ୱ
ସେ ହୋଇଛି ଅବାଞ୍ଚିତ ଅବହେଳିତ
କେବେ ଡଷ୍ଟବିନ ତ କେବେ
ମାଟି ତଳେ ପୋତା ହେଉଛି
ଫୋଫଡା ହେଉଛି
ନବଜାତ ଶିଶୁ କନ୍ୟା
କେବଳ ପୁତ୍ର ପ୍ରାପ୍ତିର ମୋହ ପାଇଁ।।
ହେ ସୀତା ହେ ସାବିତ୍ରୀ କୁନ୍ତି ଓ ଦ୍ରୌପଦୀ କୁହ
କିଏ ଦାୟୀ
କିଏ ଅବା ଦାୟୀ
ସମାଜରେ ନାରୀର
ଏ ଅବହେଳିତ
ଅତ୍ୟାଚାରିତ ସ୍ଥାନ ପାଇଁ।
ତୁମେ ହିଁ ତ
ତୁମେ ହିଁ କେବଳ
ସତୀ ନାରୀର ପଦ ପାଇଁ
ସତେ କିବା ନାରୀ ଜାତିର
ଅସ୍ମିତା ସହ ପ୍ରତାରଣା କଲ
ତୁମେ ମହାନ ବୋଲି
ଯେତେ ଡ଼କା ପଡିଲେ ବି
ମୋ ପାଇଁ ତୁମେ କେବେ
ହେବ ନାହିଁ ଆଦର୍ଶର ମୂର୍ତ୍ତି
ମୋ ଆଦର୍ଶ ଫୁଲନ
ଯିଏ ଲଢ଼ିଥିଲା
ପ୍ରତିଶୋଧ ନେଇଥିଲା
ନିଜ ପ୍ରତି ହେଇଥିବା ଅନ୍ୟାୟକୁ
ଆଦର୍ଶ ମୋ ନାଦିଆ
ସାବିତ୍ରୀବାଇ, ଆନନ୍ଦି ଗୋପାଳ
ବା କଳ୍ପନା ଚାୱଲା
ହେଉ ଅବା ମାର୍ଗରେଟ ଥାଚର
ଇତିହାସର ପୃଷ୍ଠାରେ
ନିଜ ସ୍ବାକ୍ଷର ଛାଡି ଯାଇଥିବା
ସବୁ ମହିୟସୀ ନାରୀମାନେ
ଯିଏ ବଂଚିବା ଶିଖେଇଛନ୍ତି
ଲଢ଼ିବା ଶିଖେଇଛନ୍ତି
ଅଧିକାର ଦାବି କରିବା ଶିଖେଇଛନ୍ତି
ଖୋଲି ଦେଇଛନ୍ତି ଶହ ଶହ ପଥ
ନାରୀ ସମାଜ ପାଇଁ
ଏକ ସମ୍ମାନନୀୟ ଜୀବନ ଆଡ଼କୁ।।
