ଆଧୁନିକତା
ଆଧୁନିକତା


କାବ୍ୟ କବିତାରେ ସ୍ପଷ୍ଟ ବାରିହେଲା
ଆଧୁନିକତାର ଛାପ,
କବି ରାଧାନାଥ ଆରମ୍ଭ କରିଲେ
ନୂତନ ଯୁଗର ରୂପ |୧|
ଫକିର ମୋହନ ଉପନ୍ୟାସ ଆଉ
ଗଳ୍ପ ସାହିତ୍ୟରେ ଆଭା,
ବିକଶିତ କଲେ ନୂତନ ସୃଷ୍ଟିର
ଆଧୁନିକତାର ପ୍ରଭା |୨|
ସାହିତ୍ୟର ରୂପ ବଦଳି ଚାଲିଲା
ପାଦ ଦେଇ ଧିରେ ଧିରେ,
ଆଧୁନିକତାର ପରଶ ଲଭିଣ
ଭାସିଗଲା ଭାଷା ନୀରେ |୩|
ଯେତେ ନୂଆ ରୂପ ରଙ୍ଗ ସଉରଭ
ପିନ୍ଧିଲେ ସାହିତ୍ଯ ରବି,
ଛାନ୍ଦ ଅଳଙ୍କାର ଚଉପଦୀ ଚମ୍ପୁ
ଛାଡ଼ି କି ପାରଇ କବି |୪|
ବେଶ ପୋଷାକରେ ଖାଦ୍ୟ ଚଳଣିରେ
ଆଧୁନିକତାର ଛାପ,
ଦିନକୁ ଦିନ ତ ବଦଳି ଚାଲିଛି
ଗଣି ହୋଇଯାଏ ଗପ |୫|
ପର ଆଧୁନିକ ଯୁଗର ପ୍ରଭାବ
ଯୁବକ ଗଣରେ ଛାଏ,
ବେଶ ପୋଷାକରୁ ଚୁଟି କଟାଯାଏ
ଆଖି ଖୋସି ହୋଇଯାଏ |୬|
ତାହାକୁ ବର୍ଣ୍ଣିଲେ ଆଧୁନିକ ପିଲେ
କବିଙ୍କ କଲମ ମୁନକୁ,
ମୋଡ଼ି ଭାଙ୍ଗିଦେବେ କାଗଜ ଚିରିବେ
ଶୋଧିନେବେ ସାତ ଜନ୍ମକୁ |୭|
ମାନୁଛି ମାନୁଛି ଆଧୁନିକତାର
ପଦଧ୍ବନି ଶୁଣିବାକୁ,
ଅଳପ ବହୁତେ ଆମେ ବୁଢ଼ାମାନେ
ବାଧ୍ୟ ପଛେ ଧାଇଁବାକୁ |୮|
ବିଜ୍ଞାନର ଏହି ଜୟଯାତ୍ରା କାଳେ
ମଣିଷ ଗଢ଼ିଛି ଶଉଧ,
ତଥାପି ମଣିଷ ପୂରା ଅସହାୟ
କରୋନା ଯୁଦ୍ଧରେ ଗଧ |୯|
ସଂସାର ସୃଷ୍ଟିରେ ଯେତେ ଆଧୁନିକ
ହୋଇଥାଉ ଏ ମଣିଷ,
ପ୍ରକୃତି ଆଗରେ ହତବାକ ହୁଏ
ମୁଣ୍ତ ନୋଇ ମାଗେ ଆଶିଷ |୧୦|