Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁ ଆଉ ମୁଁ ର ସଂସାର
ତୁ ଆଉ ମୁଁ ର ସଂସାର
★★★★★

© Banabihari Mishra

Tragedy

6 Minutes   330    24


Content Ranking

ପଦିଆ ଶୁଣିଥିଲା ତା ବାପାଠୁ, ତାଙ୍କର ସବୁକିଛି ଥିଲା । ଗୋଟେ ସୁନ୍ଦରିଆ ଝାଟିମାଟିର ଘର, ଲିପାପୋଛା ଅଗଣା, ତା ମଝିରେ ତୁଳସୀ ଚଉଁରା, ବାଡିରେ ସଜନା ଗଛ, ବାଡରେ ଜହ୍ନି ଲଟା, ବାସନ ଧୁଆ ଜାଗାରେ କେତେଟା ଲଙ୍କାଗଛ । ଶାଗପେଜର ଦୁନିଆଁରେ ଆଉ କ'ଣ ଦରକାର ଯେ? ସେଥିରେ ଚେନାଏ ହସ ଆଉ ଦିଟୋପା ଲୁହ ମିଶିଗଲେ ତ ପରିପୂର୍ଣ୍ଣ ସଂସାର ।

ଏଇମିତି ସୁଖଦୁଃଖର ସଂସାର ହସଖୁସିରେ ଚାଲିଥାଏ । କିନ୍ତୁ ସେଇ ସତିଆନାଶିଆ ବାତ୍ୟାଟା ସବୁ ସାରିଦେଲା । ବର୍ଷା ସାଙ୍ଗକୁ ପବନ । ଘର କାନ୍ଥ ପଡି ବାପା ମା ଦିଜଣ ସେ ପୁରକୁ ଚାଲିଗଲେ । ଆଉ ଏକୁଟିଆ ଛାଡିଗଲେ ପଦିଆକୁ ଜୀବନ ସହ ଖୁଣ୍ଟେ ଲଢିବାକୁ । ସେ ପୁଣି ଗୋଟେ ଗୋଡ ଛୋଟା କରିଦେଇ । ଘର କାନ୍ଥ ପଡି ତାର ଗୋଟେ ଗୋଡ ଭାଙ୍ଗିଗଲା ଯେ ଚିକିତ୍ସା ଅଭାବରୁ ଛୋଟା ହେଇ ରହିଗଲା ।

ସେଇ ଛୋଟା ଗୋଡରେ ଅନାଥ ପଦିଆ ଷୋହଳ କି ସତର ବର୍ଷ ବୟସରୁ ବାହାପିଟି ମୂଲଲାଗି ଚଳୁଛି ଯେ ଆଜି ପର୍ଯ୍ୟନ୍ତ ସେଇମିତି ଅଛି । ଗାଁ ଗୋଚର ଜାଗାରେ ତିଆରି କରିଛି ଖଣ୍ଡେ କୁଡିଆ, ସେ ପୁଣି ଝାଟିମାଟିର । ଠିକ୍ ସେଇପରିକା ଘରଟିଏ ଯେମିତି ତା ବାପା କରିଥିଲା । ସକାଳୁ ତ ଉଠି ଚାଲିଯାଏ ସାହୁ ଘରକୁ ମଜୁରୀ ଖଟିବା ପାଇଁ । ଦିନରେ ସେଇଠି ଖାଇବାଟା ହେଇଯାଏ । ଘରକୁ ସଞ୍ଜକୁ ଆସିଲେ ପୁଣି ପେଟ ଚିନ୍ତା । ଖଟିଖଟି ଆସି ପୁଣି ଚୁଲି ପାଖକୁ ଯିବାକୁ ପଡେ । କେବେ କେମିତି ସାହୁ ଘର କିଛି ଦେଇଦେଲେ ସେଇଥିରେ ରାତିଟା ଚଳିଯାଏ । କିନ୍ତୁ ତାର ପ୍ରଚଣ୍ଡ ଆତ୍ମାଭିମାନ ତାକୁ ଏମିତି ମାଗିଆଣି ଚଳିବାକୁ କୁଣ୍ଠିତ କରିଥାଏ ।

ସକାଳୁ ଉଠି କାମକୁ ଯିବା ଆଗରୁ ଘରେ ଶାଗ ପଟାଳିଟେ, ନ ହେଲେ ଲଙ୍କା ଦିଗଛ, ଭେଣ୍ଡି ଦି ବୁଦା, ଯାହା ହେଲେ କିଛିଗୋଟେ କରିଥାଏ । ଭାରି ମେହେନତି । ଦଣ୍ଡେ ବସିବାକୁ ତାକୁ ଜମା ଭଲ ଲାଗେନି । ତାର ଏଇ ଛୋଟା ଗୋଡରେ ତାର ପାରିବା ପଣିଆ ଦେଖି ଗାଁରେ କେତେକ ମୁରବୀସ୍ଥାନୀୟ ଲୋକେ ତାକୁ କେତେଥର କହିଲେଣି ହାତକୁ ଦି ହାତ ହେଇଯିବାପାଇଁ । କିନ୍ତୁ ପଦିଆର ସେଥିକି ନିଘା ନ ଥାଏ । ଭାବେ କିଏ ପୁଣି ଏତେ ଝମେଲାରେ ପଶୁଛି । ଜବାବରେ ଖାଲି ଲାଜମିଶା ମୁରୁକିହସା ଦେଇ ଚାଲିଯାଏ ।

ଏଇମିତି ଦିନ ଗଡିଚାଲେ । କିନ୍ତୁ ସେଦିନ ସବୁକିଛି ସମାନ ଗଲାନି । ସକାଳୁ ଦେହଟା କେମିତି କସମସିଆ ଲାଗିଲା । ଦେହ ହାତରେ ଭୀଷଣ ଦରଜ । ସାହସ କରି ଉଠିପଡିଲା ସିନା, ଆଉ ବଳ ପାଇଲା ନାହିଁ । ବହୁ କଷ୍ଟରେ ଦେହଟାକୁ ଘୋଷାରି ଘୋଷାରି ପଦିଆ ପଗଞ୍ଚିଲା ସାହୁ ଘରେ । କ'ଣ ଦିଟା ଖାଇବାକୁ ମିଳିଯିବ ପରା । ଦେହରେ ଟିକେ ବଳ ଆସିଯିବ । ସାଆନ୍ତାଣୀ ଦିଟା ତବତ ଆଉ ଖଟା ଟିକେ ଦେଲେ । ମୁନ୍ଦେ ହବ ଉଷୁମ ପାଣି ଆଉ ବଟିକା ଦିଟା ବି ଦେଲେ । ଆଉ ବଟିକା ଦିଟା ଖାଇଦେଲା ପରେ ପଦିଆ ଗଡିପଡିଲା ତାଙ୍କରି ପିଣ୍ଡାରେ । ସଞ ଉତାରୁ ଟିକେ ସାଷ୍ଟମ ହେଲାପରେ ପଦିଆ ଫେରିଆସିଲା ତା କୁଡିଆକୁ ।

ତାଟି ମେଲେଇ ଭିତରକୁ ପଶିଗଲା ବେଳକୁ କ'ଣ ଗୋଟାଏ ଝୁଣ୍ଟି ପଡିଲା । ଡିବିରି ତ ଲାଗି ନ ଥିଲା, ତଥାପି ସେଇ ଅନ୍ଧାରରେ ମଣିଷଟାଏ ବୋଲି ଜାଣିପାରିଲା । ନଇଁ ପଡି ଅଣ୍ଡାଳି ଦେଲାବେଳକୁ ଜାଣିଲା ମାଇପି ଟିଏ । ପଦିଆ ଡିବିରି ଲଗେଇ ଆଣିଲା । ଦେଖିଲା କସ୍ତା ଶାଢୀପିନ୍ଧା କମ ବୟସର ମାଇପିଟିଏ । ଡିବିରି ଆଲୁଅରେ ତାର କଅଁଳିଆ ମୁହଁର କରୁଣ ଚାହାଣୀ ପଦିଆର ମନକୁ କେମିତି କେମିତି ବ୍ୟସ୍ତ ଆଉ ଆନ୍ଦୋଳିତ କରପକାଇଲା । ସତେ ଯେମିତି ସିଏ କିଛି କହିବାକୁ ଚାହୁଁଛି ଆଉ ଏ ପଞ୍ଚହତା ମରଦଟାକୁ ଦେଖି ଶଙ୍କାରେ କିଛି କହିପାରୁନି ।

ପଦିଆ ତାକୁ ସାହସ ଦେଇ କହିଲା, "କିଏ ତୁ, କୋଉଠୁ ଆସିଚୁ, କ'ଣ ତୋର ଅସୁବିଧା ....." ପଦିଆ କଥାରେ ତାର ଟିକେ ସାହସ ପାଇଲା କି କ'ଣ, ଥଙ୍ଗଥଙ୍ଗ ପାଟିରେ ତା ନାଁ 'କମଳା' ବୋଲି କହିଲା । ତା ବାପା ତାକୁ ଦାଦନ ଖଟିବା ପାଇଁ ଦଲାଲ ସାଙ୍ଗରେ ପଠେଇ ଦେଲା । ଆଉ ସେ ଦଲାଲ ତାକୁ କାମ ନ ଦେଇ ...... ଛିଃ .... । ତା ପରେ ଆଉ କିଛି କହି ନ ପାରି କମଳା କାନ୍ଦି ପକେଇଲା । ପଦିଆ ତା'ର ଦୁଃଖ କାହାଣୀ ଶୁଣି ଦୟାରେ ବିଗଳିତ ହୋଇଗଲା । ସେଇଦିନୁ ପଦିଆ ଆଉ କମଳା ଦି ଜଣ ଯାକ ସେଇ ଛୋଟିଆ କୁଡିଆଟିରେ ମୁଣ୍ଡ ଗୁଞ୍ଜିଲେ । କେଉଁ ଏକ ଅଜଣା ଅଲିଖିତ ଆଉ ଅଦୃଶ୍ୟ ବନ୍ଧନରେ ବନ୍ଧନରେ ବାନ୍ଧି ହେଇଗଲେ ଦି ଜଣ ଯାକ । ବଢି ଚାଲିଲା ପରସ୍ପର ପ୍ରତି ବିଶ୍ୱାସ, ଜଣକର ଅନ୍ୟ ଜଣଙ୍କ ପ୍ରତି ପ୍ରତ୍ୟୟ । ସେଇଦିନଠୁ ନା ପଦିଆ କମଳାକୁ ତା ଅତୀତ କଥା ପଚାରିଛି, ନା କମଳା । ବର୍ତ୍ତମାନକୁ ନେଇ ସେମାନେ ଖୁସିରେ ସେଇ ଛୋଟିଆ କୁଡିଆଟିରେ ସବୁ ସ୍ୱାମୀ-ସ୍ତ୍ରୀ ଭଳି ରହିଲେ । କାହାର କାହା ପ୍ରତି ନା ଥିଲା ଅଭିଯୋଗ ନା ଥିଲା ଅବିଶ୍ୱାସ ।

ସମୟ ଗଡି ଚାଲିଥାଏ । ପଦିଆ ଯଥାରୀତି ତା ସାହୁ ଘର କାମକୁ ଯାଏ । ଆଉ କମଳା ଘର କାମ କରିଥାଏ । ଘର ଲିପାପୋଛା, ଶାଗ ପଟାଳିରେ ପାଣି ଦବା, ବିଲମାଳରୁ ବାରଜାତିଆ ଶାଗ ଆଣି ଖରଡିବା, କେବେ କେମତି ଚେଙ୍ଗଟାଏ କି କଙ୍କଡାଟାଏ ମିଳିଗଲେ ଆହୁରି ଖୁସି । ପଦିଆ କାମରୁ ଫେରି ଆସିଲେ ଦି ଜଣ ଯାକ ମିଶି ଖାଆନ୍ତି । ମିଶି ହସନ୍ତି ।

ଗାଁ ସାରା ଏବେ କମଳାକୁ ପଦିଆ ମାଇପ ବୋଲି ଡାକିଲେଣି । ବାପ ମା ଦେଇଥିବା ନାଁ ଟାର ସତ୍ତା ଏଠି ଏବେ ପ୍ରାୟ ବିଲୁପ୍ତ ହେବାକୁ ବସିଲାଣି । କମଳା ଏବେ ପଦିଆର ସ୍ତ୍ରୀ ରୂପେ ପରିଚିତ ହେଇଗଲାଣି । ଗାଁ ମାଇପିଙ୍କ ସାଙ୍ଗରେ କଥା ହେବାପାଇଁ ତ ତାକୁ ବେଳ ନ ଥାଏ, ତଥାପି କେବେ କେମିତି କାହାସହ ମୁହାଁମୁହିଁ ହେଇଗଲେ ଲାଜମିଶା ମୁରୁକିହସାରେ କାମଚଳେଇ ନିଏ କମଳା ।

ପଦିଆକୁ କିନ୍ତୁ ଅନେକ ପ୍ରଶ୍ନବାଚୀର ସମ୍ମୁଖୀନ ହେବାକୁ ପଡେ । ଯୋଉ ମାଇପିଟା ତା ଘରେ ରହୁଛି, ତାର ଜାତି କ'ଣ, ଧର୍ମ କ'ଣ, ତା ଘର କୋଉଠି ଇତ୍ୟାଦି । ପଦିଆ କିନ୍ତୁ ଅତି ସରଳ ଭାବେ ଉତ୍ତର ଦିଏ, "ମୁଁ ଜାଣିନି । ତା ଜାତି ଧର୍ମ ନେଇ ମୁଁ କରିବି କ'ଣ? ସିଏ ମୋ ସୁଖରେ ହସୁଛି ଆଉ ମୋ ଦୁଃଖରେ କାନ୍ଦୁଛି । ଆଉ ମୁଁ ବି ସେମିତି ତା ସୁଖରେ ହସେ ଆଉ ତା ଦୁଃଖରେ କାନ୍ଦେ । ଆଉ ଅଧିକା କ'ଣ ଦରକାର ଯେ ? ସମସ୍ତଙ୍କ ମୁହଁ ଚୁପ୍ ହୋଇଯାଏ । ପଦିଆ ଭାବେ, ଗୋଟେ ପୁଅପିଲା ତ ଗୋଟେ ଝିଅପିଲାକୁ ନେଇ ଘର କଲା, ସେଥିରେ ଜାତିପତି, ଧର୍ମକର୍ମର ଜାଗା କୋଉଠି ?

ଏଇ କଥାକୁ ନେଇ କିନ୍ତୁ ଲୋକେ ଆଜିକାଲି ଗାଁରେ ଭାରି ଟୁପୁରୁଟାପର ହେଉଛନ୍ତି । ପଦିଆ କୁଆଡୁ ଗୋଟେ ମାଇପି ଆଣି ରଖିଛି । ଜାତି ନାହିଁ, କୁଳ ନାହିଁ, ପଦିଆଟା ଅଜାତି ହେଇଗଲା । ସିଏ ଜାତି ନ ହେଲେ ତାର ନିସ୍ତାର ନାହିଁ । କିନ୍ତୁ ପଦିଆର ସେଥିକି ନିଘା ନାହିଁ । ତା କାମରେ ସିଏ ବ୍ୟସ୍ତ ଥାଏ । ନିତିଦିନିଆ ଚାଷକାମ, କେବେ କେମିତି ଘରକାମ କରିଦିଏ ସାହୁଘରେ ।

ସେଦିନ କିନ୍ତୁ କଥାଟା ଅଲଗା ମୋଡ ନେଇଗଲା । ଗାଁ ଲୋକଙ୍କ ଓଜର ଆପତ୍ତିକୁ ଶୁଣି ସାହୁଏ ପଦିଆକୁ ସଫାସଫା ମନା କରିଦେଲେ କାମକୁ ଆସିବା ପାଇଁ । ପଦିଆର ମନରେ ସେକଥାଟା ସେଦିନ କୌଣସି ରେଖାପାତ କରି ନଥିଲା । ମୂଲିଆ ସେ, ମୂଲ ଲାଗିଲେ ତା ପେଟକୁ ଭାତ ଯାଏ । ବାହାପିଟି ଖଟିଲେ ଦିଟା ପେଟ କ'ଣ ଅପୋଷା ରହିବ? ସେଥିପାଇଁ ପଦିଆ ପାଖ କେଇଖଣ୍ଡ ଗାଁରେ ମୂଲ ଲାଗିବା ପାଇଁ ରଲା । କିନ୍ତୁ କୋଉଠି କିଛି ମଳିଲାନି । ସବୁ ସେଇ ଜାତି, ଅଜାତିଆଟାକୁ କିଏ ବା କାମ କରେଇବ?

ନିରାଶ ହେଇ ଫେରିଲା ପଦିଆ । କମଳା ତାକୁ ଆଶ୍ୱାସନା ଦେଇ କହିଲା,"ଚାଲ, ଆମେ ଏ ଗାଁ ଛାଡି ଆଉ କୁଆଡେ ପଳେଇବା ଯୋଉଠି କେହି ଆମକୁ ଜାତି ଧର୍ମ କଥା ପଚାରିବେନି । କିନ୍ତୁ ପଦିଆର ସେଇ ଛୋଟ କୁଡିଆ, ବାଡିରେ ସଜନା ଗଛ, ଲଙ୍କା ଦି ବୁଦା, ଶାଗ ପଟାଳି, ଆଉ ତା ମେହେନତ ସଜାଡିଥିବା ଅନେକ କିଛି ତାକୁ ପଛରୁ ଟାଣି ଧରିଲା । ପଦିଆ ଯାଇପାରିଲାନି । ଦିନକୁ ଦିନ ଭୋକ ଉପାସରେ ଦିଟା ପ୍ରାଣୀ କଲବଲ ହେଇ ସେଇ ଛୋଟ କୁଡିଆଟିରେ ବନ୍ଦୀପ୍ରାୟ ରହିଲେ ।

ଦିନେ ଗଲା, ଦି ଦିନ ଗଲା, ଦିଟା ପ୍ରାଣୀ ଭୋକରେ ଆଉଟ ପାଉଟୁ ହେଉଛନ୍ତି । ଆଉ ବାହାର ଦୁନିଆଁ ଯାହା ଯେମିତି ଚାଲିବା କଥା, ଚାଲିଚି । ଖାଲି ଅଟକି ଯାଇଛି ପଦିଆ ଆଉ କମଳା ପାଇଁ । ସେଥିପ୍ରତି କାହାର ନିଘା ନାହିଁ ।

ଫଗୁଣ ଶେଷ ସରିକି ବିଲମାଳରୁ ସବୁ ଘାସଲଟା ଶୁଖି ଗଲାଣି । ବାରଜାତିଆ ଶାଗ ମିଳିବାର ଆଶା ନାହିଁ । ପାଣି ବିନା ବାଡିର ସବୁ ଗଛ ଲତା ଶୁଖି ଚଅଁର ହେଇଗଲାଣି । ବିଲ ସବୁ ଶୁଖି ଠୋ ଠା । ଗଡିଆ ପୋଖରୀରୁ ତାକୁ ପାଣି ଆଣିବା ମନା । ବିଲ ଚୁଆରୁ ପାଣି ଆଣି ଯାହା ଯେମିତି ଦିଜଣ ଚଳୁଥିଲେ, କିନ୍ତୁ ଏବେ ସବୁ ଶୂନ୍ୟ । ଭୋକଶୋଷର ଦାଉ ।

ଆଜି ଦେହରେ ଦିଜଣ ଯାକର ଜମାରୁ ବଳ ପାଉନି । ଭୋକଶୋଷରେ ପ୍ରାଣ ବାହାରିଯିବା ଭଳି ଲାଗୁଛି । ନିଜର ସବୁବଳ ଏକାଠି କରି ଛୋଟା ପଦିଆ କମଳା ଉପରେ ଭରା ଦେଇ ଉଠିବାକୁ ଚେଷ୍ଟା କଲା । କମଳା ଦେହରେ ତାତି ଭର୍ତ୍ତି । ସତେ ଯେମିତି ସିଏ ଚାହିଁ ରହିଥିଲା ଏଇ ପରଶ ଟିକକ ପାଇଁ । କମଳା ସେଇଠି ଟଳି ପଡିଲା । ତା ଉପରେ ଭରା ଦେଇ ଉଠିବାକୁ ଚେଷ୍ଟା କରୁଥିବା ପଦିଆ ସନ୍ତୁଳନ ହରାଇ ପଡିଗଲା କମଳାର ଅସାଡ ଦେହଟା ଉପରେ । ପାଖ ଥୁଣ୍ଟା ଆମ୍ବ ଗଛରେ ପେଚାଟାଏ ବସି ବଡ ଭୟଙ୍କର ସ୍ୱରରେ ରାବ ଦେଉଥିଲା ।

ଦି ଦିନ ପରେ ଗାଁ ଲୋକେ ଦୁର୍ଗନ୍ଧ ହେବାରୁ ଭିତରେ ପଶି ଦେଖିଲେ ଦୁଇଟି ଗଳିତ ଶବ ।

ସଂସାର ଲୁହ ହସ

Rate the content


Originality
Flow
Language
Cover design

Comments

Post

Some text some message..