Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସଞ୍ଜୁ ଓ ସଞ୍ଜନା-:
ସଞ୍ଜୁ ଓ ସଞ୍ଜନା-:
★★★★★

© Prasant Kumar Senapati

Inspirational

11 Minutes   6.9K    15


Content Ranking

 ଭାଗ-୦୧

ମୋ ଘର ଠାରୁ କିଛି ଦୂରରେ ଏକ ଛୋଟ ସରୁନଇ ବହିଯାଉଛି । ନଇଟି ଛୋଟ ସରୁ ହେଲେ କଣ ହେବ ସବୁବେଳେ ଅକାତ କାତ ପାଣି । ନଇର କୂଳେ କୂଳେ ଶୋଭା ବର୍ଦ୍ଧନ କରୁଛି ଝାଉଁବଣଟି । ଯେତେବେଳେ ମୋତେ ଏକଲାପଣ ଓ ଦୁଃଖ ଘାରି ହୋଇଯାଏ କିଛି ସମୟ ମୁଁ ସରୁନଇ ଧାରେ ବସି ନିଜର ଅତୀତ ଓ ବର୍ତ୍ତମାନକୁ ବିଶ୍ଳେଷଣ କରେ ।

ଆଜି ବି ସରୁନଇ ଧାରେ ମୁଁ ମୋର ଅତୀତରେ ହଜି ଯାଇଥିଲି । ହଠାତ୍ କୌଣସି ଏକ ଶଦ୍ଦର ପ୍ରତିଧ୍ବନୀରେ ମୁଁ ଅବଚେତନରୁ ଚେତନକୁ ଫେରିଲି । ସଂଧ୍ୟା ସମୟ, ସୂର୍ଯ୍ୟଦେବ ବି ପ୍ରସ୍ଥାନ କରି ସାରିଥାନ୍ତି ଓ ରାତି ଅନ୍ଧାର ନିଜ କାୟା ବିସ୍ତାରିବାରେ ବ୍ୟସ୍ତ ଥାଏ । ସେଥିପାଇଁ ଭଲରେ ଦେଖିପାରୁନଥିଲେ ବି ଶଦ୍ଦ ଶୁଭିଥିବା ଦିଗକୁ ଆଗେଇଲି । ଅଳ୍ପ କିଛିଦୂରରେ କେହିଜଣେ ନଇର ଅକାତ ପାଣିରେ ବୁଡି ଯାଉଥିବା ପରି ମନେହେଲା । ମୁଁ କାଳ ବିଳମ୍ବ ନକରି ପାଣି ଭିତରକୁ ଡେଇଁ ପଡିଲି ଓ କୌଣସି ପ୍ରକାରେ ବାହାରକୁ ଆଣିଲି । ତାର ନିଶ୍ବାସ ପ୍ରଶ୍ବାସ ବହୁତ ଜୋରରେ ଚାଲିଥାଏ । କିଛି ସମୟ ପାଇଁ ତାକୁ କୂଳରେ ଶୁଆଇ ଦେଇ ସୁସ୍ଥ ହେବା ପର୍ଯ୍ୟନ୍ତ ଅପେକ୍ଷା କଲି ।

କିଛି ସମୟ ପରେ ସ୍ବାଭବିକ ଅବସ୍ଥାକୁ ଫେରିବା ମାତ୍ରେ ମୁଁ ପଚାରିଲି "କଣ ହୋଇଛି ତୁମର ?"

ସେ ଛୋଟପିଲାଙ୍କ ପରି ଖାଲି କାନ୍ଦୁଥିଲା ।

ଆତ୍ମହତ୍ୟା କଣ ପାଇଁ କରୁଥିଲ ? ଦୃଢ କଣ୍ଠରେ ପଚାରିଲି ।

ସେ କାନ୍ଦି କାନ୍ଦି କହିଲା କାହିିଁକି ମୋତେ ପୁଣି ଏକ ନୂଆ ଜୀବନ ଦେଲ ? ମୁଁ ମରିବାକୁ ଚାହେଁ ।

କାହିଁକି ଆତ୍ମହତ୍ୟା କରିବ ? ମୁଁ ଚଢାଗଳାରେ କହିଥିଲି ।

ମରିବି ନାହିଁ ତ କଣ କରିବି ? ମୋ ଜୀବନ ନର୍କ ପାଲଟି ଯାଇଛି, ଏମିତି ବଞ୍ଚିବା ଅପେକ୍ଷା ମରିଯିବା ଶହେଗୁଣ ଭଲ । ହଁ, ଏହା ସତ ଯେ ନର୍କ ପାଇଁ ମୁଁ ନିଜେ ଦାୟୀ । ତେଣୁ ମୁଁ ନିଜକୁ ନିଜେ ଶେଷ କରିଦେବାକୁ ଚାହେଁ ।

ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହଁ, ଯଦି ଏହା ହୋଇପାରନ୍ତା ଆଜି ଦୁନିଆରେ ଜଣେ ହେଲେ ବି ମଣିଷ ବଞ୍ଚିକି ନଥାନ୍ତେ । ମୁଁ ତାକୁ ବୁଝାଉଥାଏ ।

ସେ ମୁହଁ ତଳକୁ କରି କହିଲା ଯଦି ତୁମ ସହିତ ଏପରି କିଛି ଘଟିଥାନ୍ତା, ତେବେ ତୁମେ ମୋର ଦୁଃଖ କଷ୍ଟ ବୁଝିପାରିଥାନ୍ତ । ମୁଁ ବି ବଞ୍ଚିବାକୁ ଚାହିଁଥିଲି ଓ ଆଖିରେ ଆଖିରେ ଅନେକ ସ୍ବପ୍ନ ସଜାଇ କାହାର ଫେରିବା ପଥକୁ ଚାହିଁ ବସିଥିଲି ।

ତେବେ ଏପରି ନିଷ୍ପତ୍ତି ନେବାର ମାନେ କଣ ? କଣ ପାଇଁ ଏ ଦୁଃସାହଶିକ କାମ ? ଏପରି କଣ ଘଟିଲା ଯେ ତୁମେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲ ?

ସେ ଚୁପ୍ ।

କୁହ, ପୁନଶ୍ଚ କଠୋର ହୋଇ ମୁଁ ପଚାରିଲି ।

ସେ ନିଜ ଓଢଣୀକୁ ମଥାରେ ପକାଇ ରାତି ଅନ୍ଧକାରରେ ଅଳପରେ ମୋ ମୁହଁକୁ ଚାହିଁଲା ଓ ପୁଣି ମୋ ଠାରୁ ଦୂରକୁ ଚାଲିଯିବା ପାଇଁ ଆଗଭର ହେଲା ।

ମୁଁ କହିଲି ଶୁଣ ! ତୁମେ ମରିବା ପାଇଁ ଯଦି ପୁର୍ନବାର ଚାହିଁବ ମୁଁ ତୁମକୁ ବାରମ୍ବାର ବଞ୍ଚାଇ ନପାରେ । କିନ୍ତୁ ଗୋଟେ କାହାଣୀ କହୁଛି ଶୁଣିଯାଅ ।

ଜଣେ ପିଲା ଥିଲା, ସଞ୍ଜୁ । ଯେବେ ଠାରୁ ସେ ଦୁନିଆକୁ ଦେଖିଲା ଜାଣିଲା ସେତେବେଳେ ତା ପାଖରେ କେହିନଥିଲେ । ବାପା ଓ ମାଆ ପରିଚୟ ହୀନ, ଆଜି ଏ ଗଳିରେ ତ କାଲି ସେ ଗଳିରେ । ଯେଉଁଠି ଯାହା ମିଳେ ଖାଇ ବଞ୍ଚିଥାଏ । କେବଳ ବଞ୍ଚିବା ତା ପାଇଁ ଜୀବନ ଥିଲା । ଏମିତି ବି ସମୟ ଆସେ ଦିନେ ଦୁଇଦିନ ଉପବାସ ରହିବାକୁ ପଡିଥାଏ । ସହରର କୌଣସି ବଡ ବଡ ହୋଟେଲ୍ ରେ ବିବାହ ପାର୍ଟି କିମ୍ଭା ଫଙ୍କସନ୍ ହେଲେ ଲୁଚି ଲୁଚି ଯାଇ ସହରର ବୁଲା କୁକୁରମାନେ ଖାଉଥିବା ଅଇଁଠା ପତ୍ରରୁ ଖୁଣ୍ଟି ଖୁଣ୍ଟି ଖାଇଥାଏ । ସ୍କୁଲ୍ ଯାଉଥିବା ପିଲାମାନଙ୍କୁ ଦେଖିବା ପରେ ତାର ବି ପାଠ ପଢିବା ପାଇଁ ମନ ହୁଏ । ଏପରି ଦିନେ ଲୁଚି ଲୁଚି ଶ୍ରେଣୀଗୃହରେ ପ୍ରବେଶ କରଲା ଓ ଜଣେ ସାଥୀପିଲାର ବହିନେଇ ପଢିବାକୁ ଲାଗିଲା । ସବୁପିଲାମାନେ ଜଣେ ମଇଳା ଚିରାଫଟା ପିନ୍ଧିଥିବା ପିଲାକୁ ଦେଖି ଚୋର ଚୋର ଚିତ୍କାର କଲେ ଓ ଜଣେ ଶିକ୍ଷକ ଆସି ତାକୁ ବହୁତ ପିଟିବା ପରେ ସ୍କୁଲ୍ ରୁ କାନଧରି ବାହର କରିଦେଲେ ।

ସେ ପିଲାଟି କାନ୍ଦି କାନ୍ଦି ଚାଲିଯାଉଥିଲା, ଜଣେ ଲୋକ ଆସି ପିଲାଟିକୁ ଚୁପ୍ କରାଇ ଖାଇବାକୁ ଦେଲେ ଓ ତାକୁ ସାଥିରେ ଘରକୁ ନେଇଗଲେ । ସେ ଲୋକ ଉକ୍ତ ସ୍କୁଲ୍ ର ଜଣେ ଶିକ୍ଷକ । ସେ ହିଁ ପିଲାଟିର ନାମ ସଞ୍ଜୁ ରଖିଲେ । ସେ ପିଲାଟିକୁ ନିଜ ପୁଅ ପରି ପାଳିପୋଷି ବଡ କଲେ । ସେ ସଞ୍ଜୁକୁ ପଢାଇଲେ ଓ ଶୁଶିକ୍ଷା ଦେଇ ଯୋଗ୍ୟ କଲେ ଯେପରି ସତ୍ଉପାୟରେ ସେ ନିଜ ପେଟ ପୋଷି ପାରିବ । ଆଜିକା ସମୟରେ ସଞ୍ଜୁ ବି ଜଣେ ଶିକ୍ଷକ ।

ହଁ, ଏହା ସତ ଯେ ପିଲାଟି ଟାଟା, ବିର୍ଲା କି ଅମ୍ବାନି ପରି ହୋଇପାରିଲା ନାହିଁ, କିନ୍ତୁ ଜଣେ ଅନାଥ ଯାହାର କେହି ନାହାନ୍ତି, ଆଜି ସେ ଇଜ୍ଜତର ସହିତ ପେଟ ପୋଷି ପାରୁଛି ଓ ସନ୍ତୁଷ୍ଟ ବି ।

ବହୁତ ସମୟ ହୋଇଗଲାଣି, ମୋତେ ଯିବାକୁ ହେବ କହି ସେଠାରୁ ମୁଁ ଯିବାପାଇଁ ବାହାରିଲି ।

ଆପଣଙ୍କ ନାମ କଣ ? ସେ ଧୀର କଣ୍ଠରେ ପଚାରିଥିଲା ।

ସଞ୍ଜୁ ।

ଭାଗ-୦୨

ବହୁତ ସମୟ ହୋଇଗଲାଣି, ମୋତେ ଯିବାକୁ ହେବ କହି ସେଠାରୁ ମୁଁ ଯିବା ପାଇଁ ବାହାରିଲି ।

ଆପଣଙ୍କ ନାଁ କଣ ? ଝିଅଟି ଧୀର କଣ୍ଠରେ ପଚାରିଥିଲା ।

ସଞ୍ଜୁ । ଏତିକ କହି ମୁଁ ଅଟକି ଯାଇଥିଲି ।

ଓଃ ! ତେବେ ଆପଣ କଣ ସେହି ଅନାଥ ପିଲା ? ସମୟ ଓ ପରିସ୍ଥିତିକୁ ସାମନା କରିବାର ଯେଉଁ ଶକ୍ତି ଆପଣଙ୍କ ପାଖରେ ଅଛି, ସେତକ ଧୈର୍ଯ୍ୟ ମୋର ନାହିଁ, ତେଣୁ ମୁୁଁ ଆତ୍ମହତ୍ୟା କରିବା ପାଇଁ ଆସିଥିଲି । ମୋ ନାମ ସଞ୍ଜନା । ଏଇ ଝାଉଁବଣ ସେପାଖେ ମୋ ଗାଁ । ଆପଣ ବୋର୍ ହେଉନାହାନ୍ତି ତ ? ଜଣେ ଦୁଃଖିନୀର ଦୁଃଖ ଆଉଜଣେ ଦୁଃଖୀ ବୁଝିପାରିବ । ମୁଁ ଆପଣଙ୍କ ବିଷୟରେ ଜାଣିନଥିଲି ତ ସେଥିପାଇଁ ପ୍ରଥମେ କିଛି କହିଲି ନାହିଁ । ଏବେ ଆପଣଙ୍କ ଦୁଃଖ ଜୀବନ କାହାଣୀ ଶୁଣିବା ପରେ ମୋ ଅସହାୟତାକୁ ଆପଣ ବୁଝିପାରିବେ ବୋଲି ଆଶାକରେ । ଏତିକି କହିବା ମଧ୍ୟରେ ତାର ଆଖି କୋଣରୁ କେତେଧାର ଲୁହ ଝରି ପଡିଥିଲା ।

ମୁଁ ସଞ୍ଜନାର ପାଖାପାଖି ହେଲି ଓ ତାର ଦୁଇହାତକୁ ଧରି ସରୁନଇ ମୁହାଣରେ ପଡିଥିବା ଏକ ପ୍ରଶସ୍ତ ଶିଳା ଉପରେ ବସାଇ କହିଲି, ଲୁହ ପୋଛିନିଅ ସଞ୍ଜନା । ଦୁଃଖ ସୁଖର ମିଳନରେ ତ ନୈସ୍ବର୍ଗିକ ଜୀବନ । ଜୀବନ ଅଛି ମାନେ ସୁଖ ଦୁଃଖ ଅଛି । କିନ୍ତୁ ତାକୁ ସାମନା ନକରି ଆତ୍ମହତ୍ୟା ପରି ଏକ ଅପରାଧର ପଥ ବାଛିନେବା ସମ୍ପୁର୍ଣ୍ଣ ଭୁଲ୍ ।

ସଞ୍ଜନା ଆଖି ଲୁହ ପୋଛିଲା ଓ ଅତି ଆପଣାର ପରି ମୋତେ ଚାହିଁ ସାମାନ୍ୟ ସ୍ମିତହାସ୍ୟଟିଏ ତାର ଓଠରେ ଖେଳିଗଲା । ତା ଓଠର ହସ ମୁଁ ଦେଖି ପାରିନଥାନ୍ତି, ଯଦି ବିଜୁଳି ଚମକି ନଥାନ୍ତା । ବୋଧେ ଇନ୍ଦ୍ରଦେବ ଏତେ ସୁନ୍ଦର ହସଟିଏ ଦେଖିବା ପାଇଁ ମୋ ଉପରେ ଦୟା କରିଥିଲେ ।

ସଞ୍ଜନା କହିଲା ମୁଁ ଯେତେବେଳେ ଆଠବର୍ଷର ହୋଇଥିଲି ବାପା ଓ ମାଆ ଗାଡି ଦୂର୍ଘଟଣାରେ ଦୁହେଁ ଆରପାରିକୁ ଚାଲିଗଲେ । ବାପାଙ୍କର କେହି ଭାଇ କି ଭଉଣୀ ନଥିବାରୁ ମୁଁ ମାମୁଁଙ୍କ ଘରେ ଆସି ରହିଲି । ମାମୁଁ ମୋତେ ବହୁତ ଭଲ ପାଆନ୍ତି, କିନ୍ତୁ ମାଇଁ ଟିକିଏ ଅଲଗା । ଏହା ନୁହେଁ ଯେ ସେ ଖରାପ କିମ୍ଭା ମୋତେ ମାରନ୍ତି ପିଟନ୍ତି, କିନ୍ତୁ ମୋର ଛୋଟ ଛୋଟ ଭୁଲ୍ ପାଇଁ ଅନେକ ଗାଳିମନ୍ଦ କରନ୍ତି । ମାମୁଁ ଜଣେ ସ୍ବାଭିମାନୀ ମଣିଷ । ସେ ନିଜ ସ୍ବାଭିମାନକୁ କେବେ ବି ତଳେ ପକାଇବାକୁ ଦିଅନ୍ତି ନାହିଁ । ମାମୁଁଘରେ ରହି ମୁଁ ଧିରେ ଧିରେ ବଡ ହେଲି ଓ ମେଟ୍ରିକ୍ ପରିକ୍ଷାରେ ଉତ୍ତର୍ଣ୍ଣ ହୋଇ ପାଖ କଲେଜ୍ ରେ ପଢିଲି ।

କଲେଜ୍ ର କିଛିମାସ ପରେ ମନୋଜ ନାମକ ଜଣେ ଯୁବକ ସହିତ ମୋର ପ୍ରେମ ସମ୍ପର୍କ ଯୋଡି ହୋଇଗଲା । ପ୍ରଥମେ ପ୍ରଥମେ ମନୋଜ ଖୁବ୍ ସାଧାସିଧା ଭଲପିଲାର ଅଭିନୟ କରୁଥାଏ, କିନ୍ତୁ ଅଳ୍ପ କେତେଦିନର ମିଳାମିଶା ପରେ ସେ ମୋତେ ବାରମ୍ବାର ପୁରୀ ଯିବା, ହୋଟେଲ୍ ରେ ରହିବା ଓ କଦର୍ଯ୍ୟ କଦାକାର ଭାଷା ସହିତ ତାର ଖରାପ ଚରିତ୍ର ମୋ ନଜରକୁ ଆସିଲା । ମନୋଜ ପଢାରେ ପ୍ରଥମ ହେଉଥିଲା ଓ ଧନୀଘର ପୁଅଟା । ତା ପ୍ରତି ପ୍ରାୟ ଝିଅମାନଙ୍କ ନଜର । ବେଳେ ବେଳେ ମନୋଜ ସହିତ କଥା ହେବା ଓ ତାକୁ ପ୍ରେମରେ ପକାଇବା ପାଇଁ ଅନେକ ଆଧୁନିକ ଦୃଷ୍ଟିକୋଣ ରଖିଥିବା ଝିଅମାନେ ଚିନ୍ତା କରନ୍ତି । କିନ୍ତୁ ମନୋଜ ଜଣେ କାମ ପିପାସୁ ଦେହର କ୍ଷୁଧା ମେଣ୍ଟାଇବା ପାଇଁ ଅନେକ ଝିଅଙ୍କ ସହିତ ସମସ୍ତଙ୍କ ଅଲକ୍ଷରେ ସମ୍ପର୍କ ରଖିଥାଏ । ଏସବୁ ଜାଣିବା ପରଠାରୁ ମୁଁ ମନୋଜ ସହିତ ସମ୍ପର୍କ କମ୍ ରଖିଲି ଓ ଧିରେ ଧୀରେ ଅଲଗା ହୋଇଗଲୁ । ମନୋଜ ଯୁକ୍ତ ଦୁଇ ବାଣିଜ୍ୟରେ ପ୍ରଥମ ସ୍ଥାନରେ ଉତ୍ତିର୍ଣ୍ଣ ହେବା ପରେ ଭୁବେନେଶ୍ବର ଏକ ଭଲ କଲେଜ୍ ରେ ନାମ ଲେଖାଇଲା । ସେଦିନ ଠାରୁ ମନୋଜ ସହିତ ସମସ୍ତ ସମ୍ପର୍କ କଟିଗଲା । ଏହା ପରଠାରୁ ପ୍ରେମ ପରି କାଦୁଅରେ କେବେ ବି ଗୋଡ ପୁରାଇନାହିଁ । ପରେ ମୁଁ ସେହି ଗାଁ କଲେଜ୍ ରେ ଗ୍ରାଜୁଏସନ ପାସ୍ କଲି ।

ଏହି ବର୍ଷଟେ ହେବ ମଞ୍ଚେଶ୍ବର'ର ଏକ କମ୍ପାନିରେ ଚାକିରୀ କରି ଆସୁଛି । ତିନିମାସ ତଳର କଥା । ସେଦିନ ସଂଧ୍ୟାରେ ଅଫିସ୍ ରୁ ଫେରିବା ସମୟରେ ଦେଖିଲି ସ୍କୁଟି ପମ୍ପଚର ହୋଇ ଯାଇଛି । ସଂଧ୍ୟା ସମୟରେ ଅଟୋ କିମ୍ଭା ବସ୍ ମିଳିବା କଷ୍ଟକର । ବାଣୀବିହାର ପର୍ଯ୍ୟନ୍ତ ମୋତେ ଚାଲିଚାଲି ଯିବାକୁ ହେବ । ହଠାତ୍ ଖରାଦିନର ବର୍ଷାଟା କେଉଁଠି ଥିଲା କେଜାଣି ଆକାଶରେ କଳାହାଣ୍ଡିଆ ମେଘ, ବିଜୁଳି ଘଡଘଡି ସହିତ ମାଡି ଆସିଲା । ବଡ ବଡ ଟୋପାରେ ମୁଁ ସମ୍ପୁର୍ଣ୍ଣ ଭିଜିଗଲି । ପାଖରେ ଏକ ଛୋଟ କୁଡିଆ ଦେଖି ବର୍ଷାରୁ ବଞ୍ଚିବା ପାଇଁ ଆଶ୍ରୟ ନେଲି । ବର୍ଷା କମିବାର ନାଁ ଧରୁନଥାଏ । ଅଧଘଣ୍ଟାଏ ପାଖାପାଖି ଅପେକ୍ଷା କରିବା ପରେ ଭିଜି ଭିଜି ଚାଲିଯିବି ଭାବି ରାସ୍ତାରେ ପାଦ ରଖିବା ସମୟରେ ଏକ ମାରୁତି ଭ୍ୟାନ୍ ଆସି ଅଟକିଗଲା । ମାରୁତିର ଡୋର ଖୋଲିବା ମାତ୍ରେ ମୁଁ ଆଶ୍ଚର୍ଯ୍ୟ ହେଲି, ଭିତରେ ମନୋଜ ବସିଥିଲା । ଦୀର୍ଘ ଚାରିବର୍ଷର ଅନ୍ତରାଳ ପରେ ଦେଖା ।

ଆରେ ସଞ୍ଜନା, ତମେ ଏଠି ?

ଭାଗ-୦୩

ଆରେ ସଞ୍ଜନା, ତମେ ଏଠି ?

ହଁ, ମୁଁ ଏଇ ମଞ୍ଚେଶ୍ବରର ଏକ କମ୍ପାନିରେ କାମ କରୁଛି, ଆଜି ସ୍କୁଟି ଖରାପ ହୋଇଗଲା ତ ବାଧ୍ୟ ହୋଇ ଚାଲି ଚାଲି...

ଓଃ । ଆସ ଏହି ପାଖରେ ମୋ ଘର । ଟିକେ ଅପେକ୍ଷା କରିବ ଓ ବର୍ଷା ଛାଡିବା ପରେ ମୁଁ ତୁମକୁ ନେଇ ଛାଡିଆସିବି ।

ନାଁ, ନାଁ ମୁଁ ଚାଲିଯିବି । ପୁଣି ବାଣୀବିହାର ବର୍ଷାରେ ଭିଜି ଭିଜି ଯିବା ଓ ମୁହଁ ଅନ୍ଧାର ହେଲାଣି ଏକୁଟିଆ ଚାଲି ଚାଲି ଯିବା ଅପେକ୍ଷା ମନୋଜ ସହିତ ଯିବା ଠିକ୍ ଲାଗିଲା ।

ପୁନଶ୍ଚ ମନୋଜ ଜିଦ୍ଦି କରିବାରୁ ତାର ଗାଡିରେ ବସିଲି ଓ ପାଞ୍ଚଶହ ମିଟର ଯିବାପରେ ଏକ ଗେଟ୍ ସମ୍ମୁଖରେ ଗାଡି ଅଟକିଗଲା । ସେ ମୋତେ ନିଜ ଘରକୁ ଡାକିନେଲା, ମୁଁ ସଂକୋଚ ଅନୁଭବ କରୁଥିଲେ ମଧ୍ୟ ତା ସହିତ ଯିବା ପାଇଁ ବାଧ୍ୟ ହୋଇଥିଲି । ଗୋଟିଏ ମାତ୍ର ସିଙ୍ଗଲ ରୁମ୍ ଓ ପାଖକୁ ଲାଗି କିଚେନ୍ । ମନୋଜ ଧନୀ ଘରର ପୁଅ ହୋଇଥିଲେ ମଧ୍ୟ ଏତେ ଛୋଟଘର ଭଡା ନେଇ ରହିବା କଥାଟା ମୋତେ ହଜମ ହେଲାନାହିଁ । ସିଙ୍ଗଲ ରୁମ୍ ରେ ଗୋଟେ ପାଖେ କେତୋଟି ପ୍ଲାଷ୍ଟିକ ଚେୟାର, ଅନ୍ୟପାଖେ ଏକ ପଲଙ୍ଗ ଓ ପଲଙ୍ଗରୁ ମୁହଁ କରି ଶୋଇ ଚାହିଁବା ଦିଗରେ ଏକ ଏଲ୍.ସି.ଡି ଟିଭି । ମୋତେ ମନୋଜ ବସିବାକୁ କହି କିଚେନ୍ କୁ ଗଲା ଚା ତିଆରିବା ପାଇଁ । ମୁଁ ଟିଭି ଦେଖିବା ସହିତ ଅତୀତକୁ ଫେରିଗଲି । ମନୋଜ ଏବେ କଣ ସମ୍ପୁର୍ଣ୍ଣ ବଦଳି ଯାଇଛି ? ମୁଁ ମନୋଜ ଠାରେ ବିଶ୍ବାସ କରି କିଛି ଭୁଲ୍ କରିନି ତ ? ଦୀର୍ଘ ଚାରିବର୍ଷର ବ୍ୟବଧାନ ପରେ ମନୋଜ ସହିତ ପୁନଶ୍ଚ ଭେଟ ହେବାର କାରଣ କଣ ହୋଇପାରେ ? ଏହା ଭିତରେ ମନୋଜ ଦୁଇକପ୍ ଚା ଧରି ପହଞ୍ଚିଥିଲା ଓ ମୋ ହାତକୁ କପଟେ ବଢାଇ ନିଜେ ପିଇଲା । ଦୁହେଁ ଚା ପିଇବା ସହିତ ଭଲମନ୍ଦ କଥା ହେଉଥିଲୁ । କପ୍ ରୁ ଚା ଯେତେ ଯେତେ ସରି ଆସୁଥିଲା ମୋର ଶରୀର ଶିଥିଳ ନିସ୍ତେଜ ଲାଗୁଥିଲା । ଧୀରେ ଧିରେ ମୁଣ୍ଡ ଭାରି ଅନୁଭବ କରୁଥିଲି ଓ ନିଦରେ ଆଖି ବନ୍ଦ ହୋଇ ଆସୁଥାଏ ।

ନିଦ ଭାଙ୍ଗିବା ବେଳକୁ ରାତି ସାଢେ ନଅଟା । ଆଖି ଖୋଲିବା ମାତ୍ରେ ମନୋଜକୁ ସାମନାରେ ଦେଖି ଆଶ୍ଚର୍ଯ୍ୟ ହେଲି । ମନୋଜ କିଛି ଦୂର ଏକ ଚେୟାରରେ ବସି ମୋତେ ଅପଲକ ନୟନରେ ଚାହିଁଥାଏ । ମୋର ନିଦ ଭାଙ୍ଗିବା ଦେଖି ତାର ମୁହଁରେ ଏକ କୁଟିଳ ହସ ଖେଳିଗଲା । ଏପରି ଅନୁଭବ ହେଲା ଯେମିତି ସେ ଦୀର୍ଘ ବର୍ଷର ବ୍ୟବଧାନ ପରେ ବିଜୟ ଲାଭ କରି ପାରିଛି । ବେଡ୍ ରୁ ଉଠିବା ପାଇଁ ଚେଷ୍ଟା କଲି କିନ୍ତୁ କିପରି ଗୋଟେ ଅଜିବ ଅଜିବ ଲାଗୁଥାଏ । ଅବଶ ଶରୀର ଓ ମନ ଭାରାକ୍ରାନ୍ତ ଅନୁଭୂତ ହେଉଥାଏ । ତଥାପି ସାମାନ୍ୟ କଷ୍ଟ କରି ବେଡ୍ ରୁ ଉଠିଲି । ଏବେ ବି ଆଖି ନିଦ ନିଦ ଲାଗୁଥାଏ , ମୁଁ କାଳ ବିଳମ୍ବ ନକରି ମନୋଜକୁ ଅନୁରୋଧ କଲି ବାଣୀବିହାରର ମୋ ଭଡାଘରେ ଛାଡି ଆସିବା ପାଇଁ । ମୁଁ କିଛି ବୁଝିପାରୁଥାଏ ଓ କିଛି ଅବୁଝା ଲାଗୁଥାଏ । କୌଣସି ଏକ ଅଜଣା ଭୟରେ ମୁଁ ଥରୁଥାଏ । ମନୋଜ ପ୍ରତି ମନରେ ଏକ ଘୃଣା ଭାବ କାହିଁକି ଆସୁଥାଏ, ବହୁତ ଅନୁରୋଧ ପରେ ମନୋଜ ମାରୁତି ଭ୍ୟାନ୍ ରେ ବସାଇ ବାଣୀବିହାରରେ ଛାଡି ଆସିଲା । ତାର ମୁହଁରେ ସେହି କୁଟୀଳ ହସ ରହି ରହି ମୋତେ ଖତେଇ ହେବା ପରି ଲାଗୁଥାଏ । ଅନେକ ଦୁଶ୍ଚିନ୍ତାର ଭାର ମନରେ ନେଇ ଘରେ ପହଞ୍ଚିଗଲି ।

ସେଦିନ ପରଠାରୁ ବହୁତ ଥର ମନୋଜ ମୋତେ ବାରମ୍ବାର ଦେଖା କରିଛି ଓ ନିଜ ଭଡାଘରକୁ ଯିବା ପାଇଁ ନିମନ୍ତ୍ରଣ କରିଛି, ହେଲେ ଏକ ଅଜଣା ଭୟ ଓ ଘୃଣା ମୋତେ ବାରମ୍ବାର ସାବଧାନ କରିଦିଏ । ହଠାତ୍ ମାସଟେ ପରେ ମାସିକ ସ୍ରାବର ବିଳମ୍ବ ହେବାରୁ ମୋର ଭୟ ବଢିଗଲା ଓ ଯେଉଁ ଅଜଣା ଭୟ ମୋ ମନରେ ବସା ବାନ୍ଧିଥିଲା ତାହା ସତରେ ପରିଣତ ହେବାକୁ ଯାଉଥିଲା । ଏହା ଭିତରେ ମୁଁ ଗର୍ଭବତୀ ବୋଲି ଜାଣିପାରିଲି । ମନୋଜକୁ ବହୁତ ଖୋଜିଲି, କଣ କରିବି କଣ ନାହିଁ କିଛି ବୁଦ୍ଧିବାଟ ଦିଶିଲା ନାହିଁ । ଅନେକ ଥର ଚିନ୍ତା କଲି ଗୋଟେ ପାପୀର ପାପ କର୍ମ ପାଇଁ କାହିଁକି ଗୋଟେ ନୀରିହକୁ ଜନ୍ମ ନହେବା ପୂର୍ବରୁ ମାରି ହତ୍ୟାକାରୀ ସାଜିବି । ଏହିପରି ଅନେକ ଗୁଡିଏ ଚିନ୍ତାରେ ଭିତରେ ଭିତରେ ମୁଁ ଅହରହ ମରୁଥାଏ । ଧିରେ ଧିରେ ମୋର ଦେହ ଖରାପ ହେବାକୁ ଲାଗିଲା, ଶରୀର କ୍ଷୀଣ ଦୂର୍ବଳ ହୋଇଗଲା । ଶେଷରେ ମାମୁଁ ଖବର ପାଇ ମୋତେ ଗାଁକୁ ନେଇ ଆସିଲେ । ଏତେଦିନ ପର୍ଯ୍ୟନ୍ତ ମୁଁ ମନୋଜକୁ ଖୋଜୁଥିଲି, ତାକୁ ବୁଝାଇ ସୁଝାଇ ସବୁକଥା ମାମୁଁଙ୍କୁ ଜଣାଇବି ଓ ଦୁହେଁ ବିବାହ କରିନେବୁ । କିନ୍ତୁ ଆଜି ମାମୁଁଙ୍କ ଏକା ଜିଦ୍ଦି ମୋତେ ମେଡିକାଲ ନେଇଯିବେ, ଏପଟେ ମନୋଜର ଖବର ବି ମିଳୁନି । ଏପରି ଅବସ୍ଥାରେ ମାମୁଁ ପରି ଜଣେ ସ୍ବାଭିମାନୀ ମଣିଷକୁ କିପରି ବଞ୍ଚିଥାଉ ଥାଉ ମାରିଦେବି । ସେଥିପାଇଁ ମୁଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲି ।

ମୋର କିଛି ଭୁଲ୍ ନଥାଇ ବି ଆଜି ସମାଜରେ ମୁଁ ଗୋଟେ କଳଙ୍କିନି ସାଜିଛି । ଭୁଲ୍ ଏତିକି ଯେ ପୁନଶ୍ଚ ମନୋଜକୁ ବିଶ୍ବାସ କରିଥିଲି । ଆପଣ କୁହନ୍ତୁ ତ ମୋ ପରି ଜଣେ କଳଙ୍କିନିକୁ କଣ କେହି ଆଦରି ପାରିବ ? କେହି ମୋ ପେଟରେ ବଢୁଥିବା ପିଲାକୁ ବାପାର ପରିଚୟ ଦେଇ ପାରିବ ?

କାହାକୁ ଭରସା କରିବି ? ମୋ ମାମୁଁଙ୍କ ପରି ଜଣେ ସ୍ବାଭିମାନୀ ଲୋକର ଆଖିରେ ମୁଁ ଲୁହ ହୋଇ ଝରିବା ପୂର୍ବରୁ ଦୁନିଆ ଛାଡିଦେବା ଠିକ୍ ହେବ ।

ସଞ୍ଜୁ, ସଞ୍ଜନାର ଦୁଃଖ କାହାଣୀ ଓ ଅନ୍ତରର ବ୍ୟଥା ଶୁଣିବା ପରେ କେଇବୁନ୍ଦା ଲୁହ ତାର ଆଖିରୁ ଝରିପଡିଥିଲା । ଏହା ଭିତରେ କେତେବେଳେ ପୂର୍ବ ଦିଗରୁ କଳା ଅନ୍ଧାର କରି ବର୍ଷା ଆସି ସାରିଲାଣି, କେହି ବି ସେପ୍ରତି ଧ୍ୟାନ ଦେଇ ନଥାନ୍ତି । ହଠାତ୍ ବିଜୁଳି ଘଡ ଘଡିର ଶଦ୍ଦରେ ସଞ୍ଜନା ଡରିଯାଇ ସଞ୍ଜୁ କୋଳରେ ମୁହଁ ଲୁଚାଇ ନିଏ ଓ ପରବର୍ତ୍ତି ସମୟରେ ପୁଣି ଦୂରେଇ ଯାଏ । ସଞ୍ଜନା ପାଗିଳି ପରି ଚିତ୍କାର କରି କହେ "ହେ ବର୍ଷା କାହିଁକି ମୋର ଏତେ ବଡ ସର୍ବନାଶ କଲୁ ?" ମୁଁ ତୋତେ ବହୁତ ଘୃଣା କରେ ବର୍ଷା । ସେଦିନର ପରିସ୍ଥିତି ପାଇଁ କେବଳ ତୁ ଦାୟୀ । ସଞ୍ଜନାର ମୁହଁରେ ଭରି ଯାଇଥିଲା ଘୃଣାର ସାଗର । ସଞ୍ଜୁ ଧୀରେ ଧୀରେ ସଞ୍ଜନା ନିକଟକୁ ଯାଇ ତାକୁ ଧରିନେଲା ଓ ନିଜର କରିବା ଭାଷାରେ କହିଲା "ସଞ୍ଜନା ତୁମେ ମୋତେ ବିଶ୍ବାସ କରିପାରିବ ।" ତୁମେ ଶାନ୍ତ ହୋଇଯାଅ ।

ସଞ୍ଜନା କାନ୍ଦି କାନ୍ଦି କହିଥିଲା ଆଉ ଶାନ୍ତ କଣପାଇଁ ହେବି ? କାହା ପାଇଁ ହେବି ? ଏ ସମାଜରେ କଣ କେହି ଏପରି ପୁରୁଷ ଅଛନ୍ତି ଯିଏ ମୋତେ ଗ୍ରହଣ କରି ପାରିବ ? କୁହ ସଞ୍ଜୁ, କୁହ ? କଣ ତୁମେ ପାରିବ କି ?

ସଞ୍ଜୁ ଚୁପ୍ ରହିଲା ।

ସଞ୍ଜନା କହିଲା ସମସ୍ତେ ଜାଣନ୍ତି ଉପଦେଶ ଦେବା, ହେଲେ ଆପଣାଇବା ପାଇଁ କେତେଜଣ ଆଗେଇ ଆସନ୍ତି ? ତୁମେ ବି ଏ କଳଙ୍କିତ ପରୁଷ ସମାଜ ମଧ୍ୟରୁ ଜଣେ । ହସୁଥିଲା ସଞ୍ଜନା, ବିକଟାଳ ହସ । ସେ ହସ ନୁହେଁ ତ, ଯେପରି ମେଦିନୀ ଫାଟି ପଡିବ ।

ସଞ୍ଜୁ ଆଉ ଚୁପ୍ ହୋଇ ରହିପାରିଲା ନାହିଁ, ଭିଡିନେଲା ସଞ୍ଜୁ ନିଜ ବଳିଷ୍ଠ ଛାତିରେ ସଞ୍ଜନାକୁ । ହଁ ସଞ୍ଜନା, ମୁଁ ପାରିବି । ମୁଁ ତୁମ ପିଲାର ବାପା ହୋଇପାରିବି । ତୁମକୁ ମୁଁ ନିଜର କରି ପାରିବି । ମୋ ପରି ଜଣେ ଅନାଥର ହାତ ଧରି ତୁମେ ସାରା ଜୀବନ ଖୁସି ରହି ପାରିବ ତ ?

ପ୍ରକୁସ୍ଥିତ ହେଲା ସଞ୍ଜନା, ସେ ଯାହା ଶୁଣିଛି କଣ ସତ ନା ଶଦ୍ଦର ଧୋକା ? କଣ ସତରେ ସଞ୍ଜୁ ତାକୁ ?

ସଞ୍ଜୁ ସଞ୍ଜନାର ହାତ ଧରି ପଚାରିଥିଲା, କୁହ ନା ସଞ୍ଜନା ତୁମେ କଣ ମୋ ପରି ଜଣେ ଅନାଥର ହାତ ଧରି ପାଦରେ ପାଦ ମିଶାଇ ସାରା ଜୀବନ ମୋ ସୁଖ ଦୁଃଖର ସାଥି ହୋଇ ପାରିବ ?

ସଞ୍ଜନା ଆଖିରେ ଥିଲା ଲୁହର ଝରଣା, ସେ କହିଥିଲା ତୁମ ପରି ଜଣେ ଦେବତା ଭାଗ୍ୟରେ ଥିଲେ ମିଳେ । ମୁଁ ମରିବା ପାଇଁ ଆସିଥିଲି, ତୁମେ ମୋତେ ବଞ୍ଚାଇବା ପରେ ତୁମ ଅଧିକାର ମୋତେ ଦାସି କରି ରଖିପାର ।

ଲୁହ ପୋଛିଦେଲା ସଞ୍ଜୁ ଓ କହିଲା ସଞ୍ଜନା ତୁମ ଦୁଃଖର ସମୟ ବିତି ଯାଇଛି । ଏବେ ତୁମେ ମୋ ପାଇଁ ବଞ୍ଚିବ ଓ ଆମ ପିଲା ପାଇଁ ବଞ୍ଚିବ । ସଞ୍ଜୁ ଓ ସଞ୍ଜନାର ଦୁଃଖ କାହାଣୀ ଶୁଣି ମେଘ ବି କାନ୍ଦି ପକାଇଲା । ସଞ୍ଜୁ କହୁଥିଲା ତୁମ ଜୀବନରେ ଏଇ ବର୍ଷା ଦିନେ ଦୁଃଖର ପାହାଡ ଆଣି ଦେଇଥିଲା, ଏହି ବର୍ଷା ଆଜିଠାରୁ ଆମ ପ୍ରେମର ସାକ୍ଷୀ । ଦେଖନା ସଞ୍ଜନା ତୁମ ଆଖିର ଲୁହକୁ କିପରି ଧୋଇ ଦେଉଛି ଆଗାମି ହସଖୁସିର ସଂସାର ପାଇଁ । ସଞ୍ଜନା ନିଜକୁ ସମ୍ଭାଳି ପାରିଲାନି, ଆଲିଙ୍ଗନ କରିନେଲା ସଞ୍ଜୁଙ୍କୁ । ଦୁଇଟି ଦୁଃଖିନି ହୃଦୟର ମିଳନ ଆଜି ହୋଇଥିଲା । ଏଇ ମେଘ ବି ଦିନେ ଦୁଃଖ ଆଣି ଦେଇଥିଲା, ଏଇ ମେଘ ଆଜି ଖୁସିର ସବାରୀ ନେଇ ଆସିଛି । ଦୁହେଁ ହାତ ଧରାଧରି ହୋଇ ଫେରି ଯାଉଥିଲେ ଏକ ସୁନେଲି ସଂସାରର ସ୍ବପ୍ନରେ ।

ଦୀର୍ଘ ପାଞ୍ଚବର୍ଷ ପରେ ଗୋଟିଏ ପୁଅ ଓ ଗୋଟିଏ ଝିଅର ଜନନୀ ସଞ୍ଜନା । କେବେ କେହି କାହାର ଅତୀତକୁ ମନେ ପକାଇ ନାହାନ୍ତି । ଆଜି ଆଉ ବର୍ଷା ଆସିଲେ ସଞ୍ଜନା ବର୍ଷାକୁ ଗାଳି କରୁନି । ଯେଉଁ ବର୍ଷା ଦିନେ ଅଭିଶାପ ହୋଇ ଆସିଥିଲା, ଆଜି ଆର୍ଶିବାଦ ହୋଇ ତାର ଜୀବନରେ ଖୁସିର ପାହାଡ ଠିଆ କରି ଦେଇଛି ।

ସମାପ୍ତ

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି

ପ୍ରତିଧ୍ବନୀ ଆତ୍ମହତ୍ୟା କଠୋର

Rate the content


Originality
Flow
Language
Cover design

Comments

Post

Some text some message..