Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗୋଟିଏ ଭଣ୍ଡାରୀର କାହାଣୀ
ଗୋଟିଏ ଭଣ୍ଡାରୀର କାହାଣୀ
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.0K    13


Content Ranking

ଭାରତ ବର୍ଷର ଦକ୍ଷିଣରେ ‘ପାଟଳୀପୁତ୍ର’ ନାମକ ଏକ ନଗରୀ ଅବସ୍ଥିତ । ସେହି ନଗରୀରେ ମଣିଭଦ୍ର ନାମକ ଏକ ବଣିକ ବାସ କରୁଥିଲେ । ମାତ୍ର ଦୁର୍ଭାଗ୍ୟ କ୍ରମେ ସେ କ୍ରମେ ଗରୀବ ହୋଇଗଲେ । ସ୍ୱାଭାବିକ ଭାବରେ ଦରିଦ୍ର ବ୍ୟକ୍ତିତ ସମସ୍ତଙ୍କର ଘୃଣାର ଶିକାର ହୋଇଥାଏ । ମଣିଭଦ୍ର ବା’ ଏଥିରୁ ବାଦ୍ ଯିବେ କିପରି? ବ୍ୟକ୍ତି ଯେତେ ଉଚ୍ଚକୁଳ ସମ୍ଭୁତ, ଅଶେଷ ଗୁଣ ବନ୍ତ ହୁଅନ୍ତୁ ନା କାହିଁକି, ଧନ ନଥିଲେ ସବୁ ଅସାର । ବ୍ୟକ୍ତିଯେତେ ପଣ୍ଡିତ ହୋଇଥିଲେ ମଧ୍ୟ ଧନର ଅଭାବରୁ ନିଜ ପରିବାର ପୋଷଣ ପାଇଁ ସବୁ ସମୟରେ ଚିନ୍ତା କରିବାରୁ ଶେଷରେ ପଣ୍ଡିତର ବୁଦ୍ଧି ମଧ୍ୟ କମିଯାଏ । ଆକାଶରେ ତାରା ପୁଂଜର ଅନୁପସ୍ଥିତି ଆକାଶକୁ ଶ୍ରୀହୀନ କରିଦିଏ । ସେହିପରି ପୋଖରୀର ଶୁଷ୍କତା, ଭୟଙ୍କର ଶ୍ମଶାନ ଦେଖିବା ପାଇଁ ଭଲ ଲାଗେ ନାହିଁ । ସେହିପରି ଘରଟି ଯେତେ ଭଲ ହୋଇଥିଲେ ମଧ୍ୟ, ତାହାଯଦି ଏକ ଗରୀବ ବ୍ୟକ୍ତିର ହୋଇଥାଏ, ତାହା ଶୋଭା ପାଏ ନାହିଁ । ନିର୍ଦ୍ଧନ ବ୍ୟକ୍ତି ଯେତେ ସାଧୁ, ସଚ୍ଚୋଟ୍ ହେଲେ ମଧ୍ୟ ସମାଜ ତାକୁ ହୀନ ଚକ୍ଷୁରେ ଦେଖେ । ମାତ୍ର ଏକ ଧନୀ ବ୍ୟକ୍ତି ମୂର୍ଖ ହେଲେ ସମାଜ ସର୍ବଦା ତାକୁ ଉଚ୍ଚ ସ୍ଥାନ ଦେଇଥାଏ ।

ଦିନରାତି ସମୁଦ୍ର ଅଶାନ୍ତ ଚିତରେ ଘୁ ‘ଘୁ’ ଗର୍ଜନ କରୁଥାଏ । ସମୁଦ୍ରର ଜଳ ମଧ୍ୟ ମଧୁର ନୁହେଁ । କିଂତୁ ଆଜି ପର୍ଯ୍ୟନ୍ତ ସମୁଦ୍ରକୁ କେହି ହେୟ ଜ୍ଞାନ କରି ନାହାନ୍ତି । ସେହିପରି ଧନୀ ବ୍ୟକ୍ତି ଯେତେ ଖରାପ ଗୁଣର ଅଧିକାରୀ ହେଲେ ମଧ୍ୟ ସମାଜ କଦାପି ତା’କୁ ନିନ୍ଦା ଚକ୍ଷୁରେ ଦେଖି ନଥାଏ । ସେହିପରି ମଣିଭଦ୍ର ଗରୀବ ହୋଇଯିବାରୁ ଅନ୍ୟ ମାନଙ୍କଠାରୁ ସ୍ନେହ, ଆଦର, ସମ୍ମାନ ପାଇଲେ ନାହିଁ । ନିଜର ଦରିଦ୍ରପଣକୁ ନିନ୍ଦା କରି ଦିନେ ଦିନେ ରାତିରେ ନଖାଇ ନପିଇ ମଧ୍ୟ ଶୋଇପଡନ୍ତି । ତଥାପି ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ଶେଷରେ ମଣିଭଦ୍ର ଠିକ୍ କଲେ, ଏପରି ଜୀବନ ବିତାଇବା ଅପେକ୍ଷା ମୃତ୍ୟୁବରଣ କରିବା ଶତଗୁଣେ ଶ୍ରେୟସ୍କର । ସେଦିନ ରାତିରେ ମଣିଭଦ୍ର ଶୋଇବା ପରେ ହଠାତ୍ ଏକ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଜଣେ ସନ୍ନ୍ୟାସୀ ତାଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ କହୁଛନ୍ତି ‘ମଣିଭଦ୍ର’! ତୁମେ ଗରୀବ ହୋଇଗଲ ବୋଲି ମନେ ମନେ ଏତେ ଦୁଃଖ କରୁଛ । ମୁଁ ତୁମକୁ ଏକ ଉପାୟ କହୁଛି; ଶୁଣ! ମୋ କହିବା ଅନୁସାରେ କାର୍ଯ୍ୟ କଲେ ତୁମେ ଧନୀ ହୋଇପାରିବ । ଆସନ୍ତା କାଲି ସକାଳେ ମୁଁ ଏହିପରି ଏକ ସନ୍ନ୍ୟାସୀ ବେଶରେ ତୁମ ଘରକୁ ଯିବି । ତୁମେ ମୋତେ ଦେଖିବା ମାତ୍ରକେ ଆଗ ପଛ ବିଚାର ନକରି ଗୋଟେ ଠେଙ୍ଗରେ ମୋତେ ଶକ୍ତ ପାହାର ଦେବ । ମୁଁ ସଂଗେ ସଂଗେ ଏକ ସୁନା ମୁଣ୍ଡାରେ ପରିଣତ ହୋଇଯିବି । ସେହି ସୁନା ମୁଣ୍ଡାକୁ ତୁମେ ନେଇ ଧନୀ ହୋଇପାରିବ । ଏହା କହି ସନ୍ନ୍ୟାସୀ ଜଣକ ଅନ୍ତର୍ଦ୍ଧାନ ହୋଇଗଲେ ।

ସଂଗେ ସଂଗେ ମଣିଭଦ୍ରଙ୍କର ନିଦ ଭାଙ୍ଗିଗଲା । ଏହି କଥା ଚିନ୍ତାକରି ସେ ଆଉ ଶୋଇ ପାରିଲେ ନାହିଁ । ରାତି ପାହି ସକାଳ ହେଲା । କିଛି ସମୟ ପରେ ସତକୁ ସତ ଜଣେ ସନ୍ନ୍ୟାସୀ ତାଙ୍କ ଗୃହରେ ଆସି ଉପସ୍ଥିତ ହେଲେ । ମଣିଭଦ୍ର ତତ୍କ୍ଷଣାତ୍ ଏକ ଶକ୍ତ ଠେଙ୍ଗାରେ ସନ୍ନ୍ୟାସୀ ଜଣକୁ ପାହାରଟିଏ ବସାଇଲେ । ସନ୍ନ୍ୟାସୀ ଜଣକ ସଂଗେ ସଂଗେ ଏକ ସୁନାମୁଣ୍ଡାରେ ପରିଣତ ହୋଇଗଲେ । ମଣିଭଦ୍ର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେହି ସମୟରେ ମଣିଭଦ୍ରଙ୍କ ଘରକୁ ଏକ ଭଣ୍ଡାରୀ ଆସିଲା । ମଣିଭଦ୍ର ଭଣ୍ଡାରୀକୁ ଦେଖି ମନେ ମନେ ପ୍ରମାଦ ଗଣିଲେ । ନାନା ଅନୁନୟ ବିନୟ ହୋଇ ଏହି କଥାଟି କିପରି ବାହାରେ ପ୍ରଘଟ ନହୁଏ ସେଥିପାଇଁ ଭଣ୍ଡାରୀକୁ ଲାଂଚ ସ୍ୱରୂପ କିଛି ନୂଆ ନୂଆ ଲୁଗାପଟା ଓ ସୁନା ଦେଲେ ।

ଲୁଗାପଟା ଓ ସୁନା ପାଇ ଭଣ୍ଡାରୀ ମନେ ମନେ ଖୁସ୍ । ମୂର୍ଖ ଭଣ୍ଡାରୀ ମନେ ମନେ ଚିନ୍ତାକଲା, ମଣିଭଦ୍ର ଯଦି ଏପରି କରି ଧନୀ ହୋଇପାରିଲେ, ମୁଁ କାହିଁକି ନହୋଇପାରିବି । ଏହା ଭାବି ସେ ମନେ ମନେ ଏକ ଉପାୟ ପାଂଚିଲା । ତହିଁ ଆରଦିନ ସକାଳୁ ସନ୍ନ୍ୟାସୀମାନେ ରହୁଥିବା ସ୍ଥାନରେ ଭଣ୍ଡାରୀ ଯାଇ ହାଜର । ସେ ସନ୍ନ୍ୟାସୀମାନଙ୍କୁ କହିଲା, “ଆପଣମାନେ ଆଜି ମୋ ଘରେ ଭୋଜନ କରିବେ । ସେଥିପାଇଁ ନିମନ୍ତ୍ରଣ ଜଣାଇବାକୁ ମୁଁ ଆପଣଙ୍କ ବିହାରକୁ ଆସିଛି ।” ସନ୍ନ୍ୟାସୀମାନଙ୍କର ମୁଖ୍ୟ କହିଲେ, “ବତ୍ସ! ଆମ୍ଭେମାନେ ବ୍ରାହ୍ମଣମାନଙ୍କପରି ଅନ୍ୟ ଘରକୁ ଭୋଜନପାଇଁ ଯାଉ ନାହୁଁ । କେବଳ ଭକ୍ତିରେ ଡାକିଲେ ଶ୍ରାବକ ଗୃହକୁ ଯାଉ । ଆବଶ୍ୟକ ମୁତାବକ ଭୋଜନ କରିଥାଉ । ସନ୍ନ୍ୟାସୀଙ୍କ କଥା ଶୁଣି ଭଣ୍ଡାରୀ ସଂଗେ ସଂଗେ କହିଲା, ତା’ହେଲେ ମୁଁ ମଧ୍ୟ ଆପଣମାନଙ୍କପରି ସନ୍ନ୍ୟାସ ଗ୍ରହଣ କରିବାକୁ ଚାହୁଁଛି । ଆପଣ ଦୟାକରି ମୋ ଗୃହକୁ ଆସି ମୋତେ କୃତାର୍ଥ କରନ୍ତୁ ।”

ଭଣ୍ଡାରୀର କଥାରେ ସନ୍ନ୍ୟାସୀ ସମ୍ମତି ପ୍ରଦାନ କଲେ । କାଳେ ସନ୍ନ୍ୟାସୀମାନେ ନ ଆସିବେ ସେଥିପାଇଁ ଭଣ୍ଡାରୀ ପୁଣି ଥରେ ସେମାନଙ୍କୁ ନିମନ୍ତ୍ରଣ ଜଣାଇବାକୁ ଗଲା । ଭଣ୍ଡାରୀଠାରୁ ଧନ ହାସଲ କରିବା ଲୋଭରେ ସନ୍ନ୍ୟାସୀମାନେ ଶେଷରେ ତା ଘରେ ଯାଇ ପହଁଚିଲେ । ଘରଦ୍ୱାର ତ୍ୟାଗ କରି ଲଣ୍ଡିତ ମସ୍ତକ ହୋଇ ନିଜକୁ ସନ୍ନ୍ୟାସୀ ନାମରେ ପରିଚିତ କରାଉଥିବା ବ୍ୟକ୍ତିମାନେ କିପରି ଲୋଭର ବଶବର୍ତୀ ହୁଅନ୍ତି ତାହା ଏଠାରେ ଦେଖିବା କଥା । ସମସ୍ତ ସନ୍ନ୍ୟାସୀ ଭଣ୍ଡାରୀ ଘରେ ପହଁଚିଗଲେ । ଭଣ୍ଡାରୀ ଏମାନଙ୍କୁ ଦେଖି ସଂଗେ ସଂଗେ ବାହାରପଟ କବାଟ ବନ୍ଦ କରିଦେଇ ଏକ ଶକ୍ତ ଠେଙ୍ଗା ଆଣି ସନ୍ନ୍ୟାସୀମାନଙ୍କୁ ପିଟିଲା । ସନ୍ନ୍ୟାସୀମାନଙ୍କ ମଧ୍ୟରୁ କେତେଜଣ ସେଠାରେ ମୃତ୍ୟୁବରଣ କଲେ ଏବଂ ଆଉ କେତେଜଣ ଗଭୀରଭାବେ ଆଘାତପ୍ରାପ୍ତ ହେଲେ । ଠେଙ୍ଗାରେ ପିଟିବା ସମୟରେ ସନ୍ନ୍ୟାସୀମାନଙ୍କର କରୁଣ ଚିତ୍କାର ବାହାରେ ରାଜାଘର କଟୁଆଳମାନଙ୍କୁ ଶୁଭିଲା । ଚିତ୍କାର ଶୁଣି କଟୁଆଳମାନେ ଭଣ୍ଡାରୀର ଘର କବାଟ ଭାଙ୍ଗି ପଶିଲେ । ଘରେ ଏପରି ଅବସ୍ଥା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସଂଗେ ସଂଗେ ସନ୍ନ୍ୟାସୀମାନଙ୍କର ଚିକିତ୍ସା ବ୍ୟବସ୍ଥା କଲେ ଏବଂ ଭଣ୍ଡାରୀକୁ ବନ୍ଦୀକଲେ ।

ବିଚାରପାଇଁ ଭଣ୍ଡାରୀ ଓ ସନ୍ନ୍ୟାସୀମାନଙ୍କୁ ରାଜ ଦରବାରରେ ହାଜର କରାଗଲା । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା ଯାହା ଘଟିଥିଲା ଭଣ୍ଡାରୀ ସବୁକଥା କହିଲା । ରାଜା ସଂଗେ ସଂଗେ ମଣିଭଦ୍ରକୁ ଦରବାରକୁ ଡକାଇଲେ । ମଣିଭଦ୍ର ମଧ୍ୟ ନିଜ କଥା ବୟାନ କଲେ । ଶେଷରେ ରାଜା ଓ ବିଚାରକମାନେ ଆଦେଶ ଦେଲେ ଭଣ୍ଡାରୀକୁ ଶୂଳୀରେ ଚଢାଇ ମାରିବା ପାଇଁ ।

ତେଣୁ ଯେଉଁ କାର୍ଯ୍ୟରେ ପ୍ରଥମେ ହାତ ଦେବ ସେହି କାର୍ଯ୍ୟର ଭଲମନ୍ଦ ଦିଗ ସମ୍ପର୍କରେ ପ୍ରଥମେ ଚିନ୍ତାକରିବା ଆବଶ୍ୟକ । ତେଣୁ କଥାରେ କୁହାଯାଇଛି:-“ବୁଝି ବିଚାରୀ କାର୍ଯ୍ୟକଲେ, ପ୍ରମାଦ ନପଡଇ ଭଲେ ।” ସେହିପରି ବିଚାର ନକରି କାର୍ଯ୍ୟ କରିଥିବାରୁ ଶେଷରେ ବ୍ରାହ୍ମଣୀ ନେଉଳ ପାଇଁ ଅନୁତାପ କଲେ । ମଣିଭଦ୍ର ସଂଗେ ସଂଗେ ବିଚାରକ ମଣ୍ଡଳୀକୁ ଅନୁରୋଧ କଲେ ସେହି କାହାଣୀ ଶୁଣିବା ପାଇଁ । ବିଚାରକମାନଙ୍କ ମଧ୍ୟରୁ ଜଣେ କାହାଣୀ କହିବା ଆରମ୍ଭ କଲେ ।

ଭାରତ ପାଟଳୀପୁତ୍ର ଭଣ୍ଡାରୀ

Rate the content


Originality
Flow
Language
Cover design

Comments

Post

Some text some message..