Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabinarayan Senapati

Drama Fantasy Others

3  

Rabinarayan Senapati

Drama Fantasy Others

ଅନନ୍ତା

ଅନନ୍ତା

8 mins
317



 ସେମାନେ ଦିଶୁଥିଲେ ଅତ୍ୟନ୍ତ ପ୍ରସନ୍ନ, ତହିଁରେ କୌଣସି ବିଶେଷତ୍ୱ ଥିବାର କାରଣ ନଥିଲା । ମାତୃତ୍ତ୍ୱର ପ୍ରଥମ ସ୍ୱାକ୍ଷର ବହନ କରୁଥିବା ସଲଜ୍ଜ ବଧୂଟି ପ୍ରଥମକରି ଡାକ୍ତରୀ ପରୀକ୍ଷା ପାଇଁ ସ୍ୱାମୀ ସାଥିରେ ବାହାରକୁ ଆସିଛି ସମସ୍ତ ସମ୍ଭ୍ରମତାର ପରିପାଟୀ ସହ। ସ୍ୱାମୀ ତାର ଚିକିତ୍ସା ବ୍ୟତିରେକ ଯେପରି ଆଉ କିଛି କହିବାକୁ ଚାହୁଁଛି କିନ୍ତୁ କହି ପାରୁନାହିଁ। ମନେହୁଏ ପ୍ରସଙ୍ଗଟି ଉତ୍ସାହପ୍ରଦ ଯାହା ତାର ମୁହଁର ଉଜ୍ଜ୍ୱଳ ଭାବଭଙ୍ଗୀ ପ୍ରକାଶ କରୁଛି। ଡାକ୍ତରୀ କାମ ସମାପ୍ତ ହୁଅନ୍ତେ ବୋହୂଟି ଚୌକି ଛାଡି ଯାଉନି, କେବଳ ତା ସ୍ୱାମୀ ଆଡକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଛି, ସତେ ଅବା କହୁଛି,”କହିବ କହିବ ବୋଲି ଭଜି ହେଉଥିଲ କହୁନ କାହିଁକି?”

ଡାକ୍ତର କହିଲେ କଣ କଥା, ଆଉ କିଛି କହିବ!

ମୋତେ ଚିହ୍ନି ପାରୁଛନ୍ତି ସାର?

ଡାକ୍ତର ନିରିଖେଇ ଦେଖିଲେ, “ଚିହ୍ନୁଛି କିନ୍ତୁ ସଠିକ ମନେ ପଡୁ ନାହିଁ”।

“ମୁଁ ମୁଢ ଅନନ୍ତା ଆଜ୍ଞା। ଆପଣ ମୋତେ ଦେଖିଥିଲେ ସରକାରୀ ବାଳାଶ୍ରମରେ ପ୍ରଥମ ଥର” ।

ହଁ ହଁ ମନେ ପଡିଲା । କିଛି ବର୍ଷ ପୂର୍ବେ ସେ ଦିନେ ଅତିଥି ହୋଇ ଯାଇଥିଲେ ବାଳଶ୍ରମକୁ। ସଭାକାର୍ଯ୍ୟ ସରିଲାପରେ ଅନ୍ତେବାସୀ ଓ ତତ୍ତ୍ୱାବଧାରକଙ୍କ ସହ ମୁହାଁମୁହିଁ କଥା ହୋଇ ନାନାଦି ସମସ୍ୟା ବାବଦରେ ଆଲୋଚନା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥାଏ। ବିଜ୍ଞ ବ୍ୟକ୍ତି ମାନେ ନିଜର ସୁଚିନ୍ତିତ ମତ ଦେଉଥାନ୍ତି। ସେ କେବଳ ଶ୍ରୋତାପ୍ରାୟ ବସିଥାଆନ୍ତି। ତହୁଁ ଆସିଲା ଅନନ୍ତା ପ୍ରସଙ୍ଗ। ଅନନ୍ତା ଠିଆ ହୋଇଥାଏ ସାଥିମାନଙ୍କ ସହ । ସତେ ଅବା ଅନାହାରକ୍ଳୀଷ୍ଟ ଦଳେ କ୍ଷୀଣ ଶରୀର କିଶୋରଙ୍କର ଭୀମ ସ୍ୱରୁପ ଦଳପତି। ଆଖିରେ ତା’ର ଝଲକୁଛି ବିଶ୍ୱାସର ପ୍ରତିଶୃତି, କୈଶୋର୍ଯ୍ୟର କଅଁଳ ସ୍ପର୍ଶ ଗଜ୍ଜୁରିତ ନିଶ ଇତ୍ୟାଦି ସହ ଅନେକ ବ୍ରଣ ଅନନ୍ତାକୁ ଅନ୍ୟ ମାନଙ୍କଠୁ ପୃଥକ କରୁଛି।

ତତ୍ତ୍ୱାବଧାରକ କହିଲେ ଅନନ୍ତାକୁ ଆଉ ଏଠାରେ ରଖିହେବନାହିଁ। କଥା ମାନୁନାହିଁ। ଗେଟ ବନ୍ଦ ହେଲାପରେ ପାଚେରୀ ଡେଇଁ ପଳାଉଛି, କଡା ପାନ ଖାଉଛି, ବାହାରେ କୁସଙ୍ଗରେ ପଡିଛି, ସେମାନେ କୁବୁଦ୍ଧି ଦେଉଛନ୍ତି, ଶୁଣଯାଏ ବେଳେ ବେଳେ ସ୍କୁଲ ନଯାଇ କେଉଁ ଏକ ମୋଟର ଗ୍ୟାରେଜରେ ସାମୟିକ କାମ କରି ପଇସା ଆଣୁଛି। ବେଳେ ବେଳେ ସ୍କୁଲ ସାଥୀ ମାନଙ୍କ ଘରକୁ ଯାଇ ପିଜୁଳି,ଆମ୍ବ, ନଡିଆ ଆଉ କେତେକଣ ଗଛରେ ଚଢି ତୋଳି ଦେଉଛି । ସେମାନଙ୍କ ଘରେ ଖାଇ ପିଇ ଆସୁଛି, ନଦୀ ଗଣ୍ଡରେ ପହଁରୁଛି, ପାଠ ଆଦୌ ପଢୁନାହିଁ, ପାସ କରିବାର କୌଣସି ସମ୍ଭାବନା ନାହିଁ। ଅନ୍ୟ ଅନ୍ତେବାସୀମାନେ ଅନେକ ଦୃଷ୍ଟାନ୍ତ ଦେଲେ ତତ୍ତ୍ୱାବଧାରକଙ୍କ କଥାକୁ ଠିକ ପ୍ରମାଣ କରିବାପାଇଁ।

ସମସ୍ତେ ଅନନ୍ତାକୁ ତାଗିତ କଲେ, ଶୃଙ୍ଖଳା ପାଳନ କରିବାକୁ ପରାମର୍ଶ ଦେଲେ, ପରୀକ୍ଷାରେ ପାସ କରିବା ପାଇଁ ପାଠ ପଢିବା ନିହାତି ଜରୁରୀ; ସେକଥା’ବି କହିଲେ। କେମିତି ମନେହେଲା, ତାକୁ ତା ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆ ଯାଉନାହିଁ । ସେ ଦୁଃଖ ଅବା ବିରକ୍ତ ହେବାପରି ଜଣା ପଡୁ ନଥିଲା । ସମସ୍ତଙ୍କ କଥା ମାନି ନେଇଛି ବୋଲି ଯେଉଁ ଧାରଣାଟି ସୃଷ୍ଟି ହେଲା ତାହା ମଧ୍ୟ ଅତ୍ୟନ୍ତ ଭ୍ରମପୂର୍ଣ୍ଣ ଅନୂଭୁତ ହେଉଥିଲା । ଲାଗୁଥିଲା ଏ ପ୍ରତି ସେ ସମ୍ପୂର୍ଣ୍ଣ ବେପରୁଆ ।

ଡାକ୍ତରବାବୁ କହିଲେ, ବାବା ଅନନ୍ତା ତୁମର ସମସ୍ୟା କଣ ଆମ୍ଭଙ୍କୁ ଫିଟାଇ କୁହ ।

ମୁଁ କଣ କହିବି ସାର, ମୁଁ’ତ ରାଣ୍ଡି ପୁଅ ଅନନ୍ତା । (ଜଣେ ବିଧବାର ଦୁଷ୍ଟ ଏବଂ ଏକମାତ୍ର ପୁଅ ଅନନ୍ତା ଗ୍ରାମକୁ ବନ୍ୟାରୁ ରକ୍ଷା କରିବା ପାଇଁ ପ୍ରାଣ ଉତ୍ସର୍ଗ କରିବାର ମର୍ମସ୍ପର୍ଶୀ ଗଳ୍ପ – ଫକୀର ମୋହନ)

ଦେଖାଗଲା ତତ୍ତ୍ୱାବଧାରକଙ୍କ ମୁହଁ ଶୁଖି କଳାକାଠ ପଡିଗଲା, ଅନନ୍ତା ବିରୁଦ୍ଧରେ ସାକ୍ଷୀ ଦେଉଥିବା ପିଲାଏ ହତଭମ୍ବ ଦେଖାଗଲେ । ଅନନ୍ତା ଜିଭ କାମୁଡି ପକାଇଲା । ଯେମିତି ମସ୍ତବଡ ଭୁଲ କରିପକାଇଛି । ସେତେବେଳର ତାପମାତ୍ରା ଅଧିକ ନ’ହୋଇଥିବା ତଥା ବେଗରେ ପଙ୍ଖା ଘୁରୁଥିବା ସତ୍ତ୍ୱେ ମହାଶୟଙ୍କ ଦେହ ମୁଣ୍ଡରୁ ସ୍ୱେଦ ନିର୍ଗତ ହୋଇ ପରିବେଶକୁ ଗମ୍ଭୀର କରିଥିଲା। ପଛପାଖ ଆମ୍ବ ଓ ବଉଳ ଗଛ ସ୍ତବ୍ଧ ଓ ନିଶ୍ଚଳ ହୋଇ ଯାଇଥିଲେ । କେତେବେଳୁ ସୁସ୍ୱରରେ ରବ କରୁଥିବା କୌଣସି ଏକ ବିହଙ୍ଗର ସ୍ୱର କର୍କଶ ଓ ବିକଟାଳ ଶୁଭିଲା । ମନେହେଲା ବିନାମେଘେ ବଜ୍ରପାତ ଘଟିଲା ।

ପରିସ୍ଥିତିକୁ ଲଘୁ କରିବା ଉଦ୍ଦେଶ୍ୟରେ ଅତିଥିମାନେ ଅନ୍ୟ ପ୍ରସଙ୍ଗ ଉତ୍ଥାପନ କଲେ ଏବଂ ପିଲାମାନଙ୍କୁ ବସିବାକୁ ନିର୍ଦ୍ଦେଶ ଦେଲେ ।

ଅନନ୍ତାକୁ କିଛି କହିବାକୁ ସୁଯୋଗ ଦେବାକୁ ଡାକ୍ତର ସମସ୍ତଙ୍କୁ ଅନୁରୋଧ କଲେ । ସୁଯୋଗ ଦିଆଗଲା ମଧ୍ୟ ।

ଅନନ୍ତା ସାଙ୍ଗ ସାଥୀ ମାନଙ୍କୁ ଚାହିଁଲା । ତତ୍ତ୍ୱାବଧାରକଙ୍କ ଆଡକୁ କଣେଇକି ଅନାଇଲା, ଏବେ ସେ ନିଜେ ଦୋଷୀ ପ୍ରାୟ ଦେଖା ଯାଉଥିଲା ।

“ନାଇଁ ଆଜ୍ଞା, ମୁଁ କଣ କହୁଥିଲିକି, ମୁଁ ମୁଁ ମାନେ ମୁଁ ଜଣେ ବାପ ଛେଉଣ୍ଡ ପିଲା, ଦୁଃଖିନୀ ବିଧବା ମାଆ ମୋର ବଡ କଷ୍ଟରେ ଚଳୁଛି, ମୋତେ ସେହି ଫକୀରମୋହନଙ୍କ,’ରାଣ୍ଡିପୁଅ ଅନନ୍ତା’ ଗଳ୍ପଟି ପଢିବାକୁ କେହି ଚିଡାଇବା ଉଦ୍ଦେଶ୍ୟରେ କହି ନାହାନ୍ତି, ସୁପରିଟେଣ୍ଡେଣ୍ଟ ସାର ମଧ୍ୟ କହି ନାହାନ୍ତି କିନ୍ତୁ ମୋ ନାଁ’ଟି ଅନନ୍ତା ହୋଇଥିବାରୁ ଆଉ ମୋ ବାପା ମରି ଯାଇଥିବାରୁ ଏହା ମୋ ନିଜ ଗଳ୍ପ ଭାବି ମୁଁ ପଢିଛି, ବାରମ୍ବାର ପଢିଛି, ଭାବିଛି ମୋର ଏହି ଧିକ ଜୀବନ ମଧ୍ୟ ଦିନେ ବହୁ ମୂଲ୍ୟବାନ କାମରେ ଲାଗିବ । ସତ କହୁଛି, ଆମ ସାର ମୋତେ ଜମାରୁ ସେମିତି କହି ଅପମାନିତ କରି ନାହାନ୍ତି । “

ବାତାବରଣର ଗମ୍ଭୀରତା ବଢିଥିଲା କି କମିଥିଲା କହିବା ସହଜ ନଥିଲା ତେବେ ବୋଧହେଲା ଫକୀର ମୋହନଙ୍କୁ ଏଭଳି ସମ୍ମାନ ତାଙ୍କ ଜୀବଦ୍ଦଶା ଅବା ମରଣୋତ୍ତରେ ମଧ୍ୟ କେଉଁଠାରେ ମିଳି ନଥିବ । ସତେଅବା ସେ ମହାନ ଆତ୍ମା ଏକ ବେତ ଧରି ସବୁ ବୟସ୍କ ବ୍ୟକ୍ତିଙ୍କୁ ଛାଟେ ଛାଟେ ଦେଇ ପୁଣି ସେହି ବାତାୟନ ବାଟେ ଆମ୍ବ ଗଛର ସେ ବିହଙ୍ଗ ପୃଷ୍ଠରେ ବସି କେଉଁଆଡେ ଅଦୃଶ୍ୟ ହୋଇଗଲେ । ପକ୍ଷୀଟିର ରାଗ ଅବା ବିରାଗ ଆଉ ଶୁଣା ଯାଉ ନଥିଲା ।

ଡାକ୍ତରଙ୍କ ମନ ଶାନ୍ତି ହୋଇନଥିଲା । ସେ ଅନନ୍ତାକୁ ପାଖକୁ ଡାକି କହିଲେ, “ ତୁମେ ବହୁତ ଉନ୍ନତି କରିବା ଦୃଢନିଶ୍ଚିତ, ତେବେ ତୁମର ଦୁଷ୍ଟାମୀ କାହିଁକି ବାବା!”

ମୁଁ କଣ ଭାବୁଛି ଜାଣିଛନ୍ତି ସାର୍, ପାଠ ମୋ ଦ୍ୱାରା ହେଉନାହିଁ କି ହେବନାହିଁ । ଏଣୁ ବଡ ହେଲେ ଗାଡି ଚଲାଇବି । ସେଥିପାଇଁ ଲୁଚିଛପି ଗ୍ୟାରେଜରେ କାମ କରେ, ଗାଡିର ଭିତର ବାହାର ଚିହ୍ନେ, ଭାରୀ ସୁଖ ଲାଗେ, କେବେ କେବେ ଗାଡି ଚଲାଇବାକୁ ମିଳେ । କିଛି ଟଙ୍କା ରଖିଛି, ଭାବିଛି ଲାଇସେନ ବାହାର କରିବି, ଗ୍ୟାରେଜବାଲା ଏ ଦିଗରେ ସାହାଯ୍ୟ କରିବାର ପ୍ରତିଶୃତି ଦେଇଛି। ପାଠ ପଢି କଣ କରିବି, ମୋ ପାଠକୁ ଚାକିରୀ ନାହିଁ, ମୋ ମାଆକୁ କେତେ ଦିନ ଆଉ ବାର ଦ୍ୱାର ବୁଲି ପାଇଟି କରିବାକୁ ଛାଡିଦେବି। ସାର ମୁଁ ଲାଇସେନ୍ସ ବାହାର କଲେ ମୋତେ ଡ୍ରାଇଭର ରଖିବେ!

- ଦେଖ ବାବୁ ତୁମ ବୟସ ହିସାବରେ ତୁମ ବୁଦ୍ଧି ବହୁତ ପରିପକ୍ୱ , ତୁମେ ଏମିତି ବ୍ୟସ୍ତ ହୁଅ ନାହିଁ, ତୁମ ପାଇଁ ସଫଳତା ଅବଶ୍ୟ ଅପେକ୍ଷା କରିଛି।

କ୍ରମେ ଘଟଣାଟି ବିସ୍ମୃତ ହୋଇଯାଇଥିଲା ।

କିଛି ବର୍ଷ ପରେ ପୁଣି ଅନନ୍ତା ସହ ଦେଖାହେଲା । ଏଥର ତାକୁ ପୋଲିସ ବାବୁ ମାନେ ଆଣିଥିଲେ ଜଣେ ଅଭିଯୁକ୍ତ ରୂପେ, ଗ୍ୟାରେଜ ମାଲିକର ନାବାଳିକା ଝିଅ ଲାନୀକୁ ଅପହରଣ ଇତ୍ୟାଦି ମାମଲାରେ । ଅନନ୍ତାକୁ ସେବେଳକୁ ଅଠର ବର୍ଷ ଏବଂ ଲାନୀ ମାତ୍ର ପନ୍ଦର ବର୍ଷର ନାବାଳିକା ।

ଲାନୀର ମନ୍ତବ୍ୟ ଥିଲା ସେ ଅନନ୍ତାକୁ ଭଲପାଏ ଓ ନିଜ ଇଛାରେ ତା’ସହ ଯାଇଥିଲା ବାହାହୋଇ ଘର ସଂସାର କରିବାକୁ । ସେ ଡାକ୍ତରୀମାଇନା ହେବାକୁ ଆଦୌ ରାଜି ହେଲାନାହିଁ ।

ଅନନ୍ତା କହିଲା, “ମୁଁ ଏତେ ନିୟମ କାନୁନ ଜାଣିନଥିଲି, ଲାନୀକୁ ଭଲପାଏ ବାହା ହେବାକୁ ଚାହୁଁଛି କହିବାରୁ ତା ବାପା ରାଜି ହେଲେ ନାହିଁ ଏବଂ ଅନ୍ୟ ପ୍ରସ୍ତାବରେ ଲାନୀକୁ ବାଧ୍ୟକରି ବାହା ଦେବାର ଯୋଜନା କଲେ । ସେଥିପାଇଁ ମୁଁ ଲାନୀକୁ ନେଇ କୋର୍ଟ ଯାଇଥିଲି ବାହା ହେବାପାଇଁ । ସେଠିକାର ବାବୁମାନେ ଏହା ବୟସ ଦୃଷ୍ଟିରୁ ଆଇନ ସମତ୍ତ ନୁହେଁ କହି ଥାନାବାବୁଙ୍କୁ ଡାକି ଆଇନ ଅନୁଯାଇ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କହିଲେ, ବାସ ତା’ପରେ ଆମକୁ ଏଠାକୁ ଅଣାଗଲା । ଆପଣ ସାର କହନ୍ତୁ ଯଦି ତା’ର ବୟସ ହୋଇନାହିଁ ସେ ଅନ୍ୟତ୍ର ବାହା ହୋଇଥାନ୍ତା କିପରି! କେତେ ବୟସରେ ବାହାହେବା ଠିକ ସେକଥା ମୋତେ ଗାଆଁରେ କି ଘରେ ଅବା ବିଦ୍ୟାଳୟରେ କେହି କହି ନାହାନ୍ତି କିମ୍ବା ପାଠ ବହିରେ ଲେଖାଯାଇ ନାହିଁ । ମୁଁ ଜାଣିବି କେମିତି! ସେ ବୟସ ହେବା ଆଗରୁ ଝିଅଟିଏ ସହ ଭଲପାଇବା ଭାବନା ଆସିବାକୁ ଭଗବାନ ରୋକୁନାହାନ୍ତି କାହିଁକି? ମୁଁ ଭାବିଥିଲି ଯେହେତୁ ରୋଜଗାର କରୁଛି, ମୋ ମାଆର ସୁବିଧା ପାଇଁ ମୋତେ ବାହାହେବା ଜରୁରୀ ଏବଂ ଲାନୀ ସେଥିରେ ରାଜି ହେଲା । ତା’କୁ ପଚାରିଲେ ସେ କହିବଯେ ।“

ଅଠର ବର୍ଷର ଡ୍ରାଇଭର ପିଲାଟିଏ ଏକଥା କହୁଛି କିମ୍ବା ଜଣେ ଦକ୍ଷ ଓକିଲ ଯୁକ୍ତି କରୁଛି ସେକଥା ଭାବୁଥିଲେ ଆଶ୍ଚର୍ଯ୍ୟଚକିତ ଡାକ୍ତରବାବୁ ।

କେଶଟି ଖୁବ ଶୀଘ୍ର ଫୈସଲା ହୋଇ ଯାଇଥିବାର ସୂଚନା କୌଣସି ସୂତ୍ରରୁ ଡାକ୍ତର ପାଇଥିଲେ । ଉଭୟଙ୍କ ବୟସ ଉପଯୁକ୍ତ ନହେବା ପର୍ଯ୍ୟନ୍ତ ବିବାହ ହୋଇ ପାରିବ ନାହିଁ, ଲାନୀ ନିଜଘରେ ରହିବ, ତା’ଉପରେ କୌଣସି ନିର୍ଯାତନା ଯେପରି ନହୁଏ ସେ ପ୍ରତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଧ୍ୟାନ ଦେବ, ଉଭୟ ପକ୍ଷ ପରସ୍ପରକୁ ବିଭାହେବାକୁ ବାଧ୍ୟ ନୁହନ୍ତି, ଏବଂ ନିର୍ବୋଧତା ବ୍ୟତୀତ ଅନ୍ୟ କୌଣସି ଅପରାଧ କରିଥିବାର ପ୍ରମାଣ ନ’ଥିବାରୁ ଅନନ୍ତାକୁ କୌଣସି ଦଣ୍ଡ ମିଳିବା ସମିଚୀନ ନୁହେଁ; ଏହି ପ୍ରକାର ଆଦେଶ ମାନ୍ୟବର ଅଦାଲତ ଦେଇଥିଲେ ।

ଏହାପରେ ଅନନ୍ତାକୁ ସେ ପାଶୋରି ପକାଇଥିଲେ । ଏହି ଚଇନି ଫିଟ ଯୁବକ ଜଣକ କ’ଣ ଅନନ୍ତା ହୋଇପାରେ । ଆଉ ଏ ବୋହୂଟି ଲାନୀ କିମ୍ବା ଅନ୍ୟକେହି !

ଓ ବାବୁ ଜଣକ ତା ନାମ ଅନନ୍ତା ବଦଳରେ ଅନନ୍ତ କହିନଥିଲେ ସେ ସଂଗେ ସଂଗେ ଜାଣି ପାରିଥାନ୍ତେ ପରା । ଡାକ୍ତର ପୁଣି ଟିକେ ଚିଠା ଉପରେ ନଜର ପକାଇଲେ। ଏଁ! ସତେ’ତ , ଆରେ ବାଃ ତାହେଲେ ଅନନ୍ତା ତୁମ କାହାଣୀ ସମ୍ପୂର୍ଣ୍ଣ ନହେଲା ପର୍ଯ୍ୟନ୍ତ ଆଜି ସବୁ କାମ ବନ୍ଦ ।

ସହାୟକ ଡାକି ମୃଦୁ ପାନୀୟର ବ୍ୟବସ୍ଥା କରିବାକୁ କହିଲେ ।

“ସେ ଅନେକ କଥା ସାର୍, ଆପଣଙ୍କୁ କହିଲେ ଅତ୍ୟନ୍ତ ଆନନ୍ଦ ଲାଗିବ । ଆପଣଙ୍କ କଥା ମୋତେ ଗଭୀର ବିଶ୍ୱାସ ଦେଇଥିଲା, ମୁଁ ମନେମନେ ଭାବିଲି ଏତିକି ପାଠକୁ କେଉଁ ଚାକିରି ମିଳିବ? ଆତ୍ମ ପ୍ରତ୍ୟେୟ କହିଲା ସୈନ୍ୟବାହିନୀ ତୋତେ ଅପେକ୍ଷା କରିଛି”।

ବର୍ଷା ଦିନର କଥା, ପ୍ରବଳ ବୃଷ୍ଟିପାତ ବନ୍ୟାର ତାଣ୍ଡବ ସୃଷ୍ଟି କରିଥାଏ ସାରା ଓଡିଶାରେ। ନଦୀରେ ନଦୀଏ ପାଣି, ଦୁର୍ବଳ ବନ୍ଧ ଭାଙ୍ଗି କେତେ ଗାଆଁ ଗଣ୍ଡାକୁ ଉଛନ୍ନ କରିଥାଏ। ଉଦ୍ଧାର କାର୍ଯ୍ୟରେ ସୈନ୍ୟବାହିନୀ ମୁତୟନ ହୋଇଥାଏ । ସରକାରୀ ବେସରକାରୀ ନାଆ ସବୁ କାମରେ ଲାଗିଥାନ୍, ଲୋକେ କଥା ହେଉଥାନ୍ତ ଏମିତି ବନ୍ୟା କେବେ ହୋଇନଥିଲା । ବୈତରଣୀର ସମସ୍ତ ପାଣି ଯେମିତି ତାରି ଇଲାକାକୁ ଛାରଖାର କରିବାକୁ ଶପଥ ନେଇଛି । ଉଭାକ୍ଷେତର ଫସଲ ପାଣି ଲହରୀ ତଳେ ଅଦୃଶ୍ୟ, ଯାହାକିଛି ଧନ ଜୀବନ ସବୁ ନଦୀବନ୍ଧ ଉପରେ । ନେତାଏ ପ୍ରତିଯୋଗୀତା କରି ନିଜ ଗ୍ରାମକୁ ସମସ୍ତ ସାହଯ୍ୟ ନେବାକୂ ବ୍ୟସ୍ତ । କେଉଁଠି କେଉଁଠି ଭୋକିଲା ଗୋମେଷାଦି ପଶୁମାନେ ରଡି ଛାଡୁଛଂତି । ଚୁଲି ଜଳିବାର ବ୍ୟବସ୍ଥା ନାହିଁ । ପାଣି ଘେର ମଧ୍ୟରେ ଫସି ଯାଇଥିବା ଗୋଟିଏ ଛୋଟ ଗ୍ରାମରୁ ଲୋକମାନଙ୍କୁ ବାହାର କରିବାରେ ସୁରକ୍ଷା ବଳ ଲାଗିପଡିଛନ୍ତି, ନାଉରିଆ ବି ଲାଗିଛନ୍ତି.ସ୍ଥାନେ ସ୍ଥାନେ ପାଣି ଭଉଁରି ଖେଳୁଛି। ସେମିତି ଏକ ଭଉଁରିରେ ଦେଶୀ ଡଙ୍ଗା ପଡିଗଲା, ଡଙ୍ଗା ଓଲଟି ପଡିଲା , ଲୋକମାନେ ପହଁରିବା ଆରମ୍ଭ କଲେ କିନ୍ତୁ ପହଁରା ଜାଣି ନଥିବା ଦୁଇଜଣ ମହିଳା ଭାସି ଗଲେ । ସୁରକ୍ଷାବଳ ସେଠାରୁ ଟିକେ ଦୂରରେ ଥାଆନ୍ତି। ଲୋକମାନେ ପରସ୍ପରକୁ ଅନାଇବାଠୁ ଅଧିକ କୌଣସି କର୍ତ୍ତବ୍ୟ ଚିନ୍ତା କରୁ ନଥାନ୍ତି । ଅନନ୍ତା ପାଣିକୁ ଲମ୍ଫଦେଲା । ସେମାନେ ଭାସି ଯାଉଥାଆନ୍ତି ଧାନବିଲ ଉପରେ ଉବୁଟୁବୁ ହୋଇ। ଅନନ୍ତା ତା’ର ସମସ୍ତ ଶକ୍ତି ଲଗାଇ ଦେଇଥାଏ । ହାତରେ ପଡିଲା ଭାସିଯାଉଥିବା ଏକ ଲମ୍ବା ବାଉଁଶ । ସେ ତାହାକୁ କାତ ଭଳି ବ୍ୟବହାର କରି ଆହୁରି ବେଗରେ ଆଗେଇ ଗଲା ।

ଦୁଇଜଣ କିଭଳି ରକ୍ଷା କରିବ ସେମାନଙ୍କ ମଧ୍ୟରେଏବେ ଅନେକ ବ୍ୟବଧାନ ହୋଇ ସାରିଥାଏ । ଜଣେ ଚିତ୍କାର ଛାଡୁଥାଏ ଆଉଜଣେ ସମ୍ଭବତଃ ପାଣି ପିଇ ନାକେଦମ ହୋଇଗଲାଣି । ମନ କହିଲା ଯେ ଗଲା ସେ ଯାଉ, ଅନ୍ତଃତ ଯେ ନିଶ୍ଚିତ ବଂଚିଛି ତାକୁ ରକ୍ଷା କରାଯାଉ । ଚିତ୍କାର ଛାଡୁଥିବା ଆର ଗ୍ରାମର ମହିଳାଂକ ପାଖକୁ ଝପଟି ଗଲା । ତାର ବାହୁ ଧରି ପ୍ରଥମେ ତାଂକୁ ଥୟ କଲା । ଅନ୍ୟ ହାତରେ ବାଉଁଶଟି ଧରିବକୁ ନିର୍ଦ୍ଦେଶ ଦେଲା ଏବଂ ତାହାକୁ କାତଭଳି ଭୂମିରେ ପୋତିବାକୁ କହିଲା । କାତଟି ତଳେ ଲାଗିଲା କ୍ଷଣି କାମ ସହଜ ହୋଇଗଲା ଅନନ୍ତା ନିଜର ସମସ୍ତ ଶକ୍ତି ସହ କାତଟିକୁ ଭୂମିରେ ପୋତି ପକାଇ ମହିଳା ତହିଁ ନିର୍ଭୟ ହୋଇ ଭାସି ରହିବାକୁ କହିଲା ଓ ଅନ୍ୟ ଜଣଙ୍କ ଦିଗରେ ଗତି କଲା । ଜୀବିତ ହେଉକି ମୃତ ହେଉ ଉଦ୍ଧାର କରିବାକୁ ପଡିବ । ଯନ୍ତ୍ର ଚାଳିତ ଡଂଗାର ଶବ୍ଦ ପାଖେଇ ଆସୁଛି, ଅନନ୍ତାର ଉତ୍ସାହ ବଢିଗଲା । ବେଗ ଆହୁରି ବଢାଇବା ପାଇଁ ସେ ଅପେକ୍ଷାକୃତ ଅଧିକ ପ୍ରଖର ସ୍ରୋତ ମଧ୍ୟକୁ ଇଛାକୃତ ଭାବେ ଚାଲିଗଲା । ନିଜେ ବିପଦରେ ପଡିଗଲା । ଇଶ୍ୱରଙ୍କୁ ସ୍ମରଣକରି ଆଗକୁ ମାଡି ଚାଲିଲା । ଜୀବନ ଓ ମୃତ୍ୟୁ ମଧ୍ୟରେ କେତେ ଅବା ପାର୍ଥକ୍ୟ, ମୋଟର ବୋଟ ପାଖେଇ ଆସୁଥାଏ ସେ ପାର୍ଥକ୍ୟକୁ ଯୋଡିବା ପାଇଁ । ଅନନ୍ତା ଏବେ ପହଞ୍ଚି ଯାଇଥାଏ ଅନ୍ୟ ମହିଳା ପାଖାପାଖି । ଆପାତତଃ ସେ ପ୍ରଖର ସ୍ରୋତରୁ ରକ୍ଷା ପାଇ ଯାଇଛି।

 ସୁରକ୍ଷାବଳଙ୍କ ମୋଟର ବୋଟ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କଲା । ଦ୍ୱିତୀୟ ମହିଳା ମଧ୍ୟ ସେମାନଙ୍କ କ୍ୟମ୍ପ ଡାକ୍ତରଙ୍କ ଚିକିତ୍ସାରେ ଆରୋଗ୍ୟ ହେଲେ ।

“ଅତଃପର କଣ ହେଲା ଜାଣନ୍ତି ସାର୍, ଆପଣଙ୍କ ଆଶୀର୍ବାଦରୁ ସେମାନଙ୍କ ଅଫିସର ବନ୍ୟା ସରିଲା ପର୍ଯ୍ୟନ୍ତ ମୋତେ ଟିମ୍’ରେ ରଖିଲେ । ମୋ ନାମ ସୁପାରିଶ କଲେ । ମୋତେ ଡ୍ରାଇଭର ଚାକିରୀ ମିଳିଗଲା ।“

ଆଛା!

“ହଁ ସାର୍, ମୁଁ ହୀରୋ ହୋଇଗଲି, ଶ୍ୱଶୁର ଖୋସାମତ କରିବାକୁ ଆସିଲେ ମୋ ମାଆଙ୍କ ପାଖକୁ”।

ଲାନୀ ରାଗିଗଲା । “ସାର ମିଛକଥା, ମୋ ବାପାଙ୍କ ଗ୍ୟରେଜରେ ବାପା ୟାଙ୍କୁ କାମରେ ଲଗାଇ ସାରିଥିଲେ ଏବଂ ଶ୍ରଦ୍ଧା କରୁଥିଲେ, କେବଳ ଯାହା ବୟସକୁ ଅପେକ୍ଷା କରୁଥିଲେ, ବେଇମାନ ଲୋକ”।

ମୁହଁ ଲାଲ ପଡିଗଲା ।


ସେମିତି କୁହନ୍ତି ଅନନ୍ତା? ଡାକ୍ତର ବାବୁ ମୃଦୁ ଭର୍ସନା କଲେ ।

“ ମୁଁ ଅଟକିଲି ନାହିଁ ଯାହା ସୁଯୋଗ ଆସିଲା ଗ୍ରହଣକଲି, ଅଟୋମୋବାଇଲରେ ଆଇ.ଟି.ଆଇ କଲି, ପରେ ପରେ ପରୀକ୍ଷା ଦେଇ ଚାଲିଲି, ମୁଁ ଏବେ ଜଣେ ଗ୍ରାଜୁଏଟ । ସମାନ୍ତରାଳ ଭାବେ ମୋର ପ୍ରମୋଶନ ହୋଇଚାଲିଲା, ଅଧୁନା ଭାରତୀୟ ପଦାତିକ ବାହିନୀର ‘ଡେୟାର ଡେଭିଲ’ ଟିମର ମୁଁ ଅନ୍ୟତମ ସଦସ୍ୟ, ମୋର ପ୍ରମୋଶନ ଅନେକ ବାର ହୋଇ ମୁଁ ଏବେ ଜୁନିୟର କମାଣ୍ଡିଂ ଅଫିସର୍ । ଲୁଚି ଲୁଚି ଗ୍ୟାରେଜରେ କାମ କରୁଥିବା ‘ରାଣ୍ଡିପୁଅ ଅନନ୍ତା’ ଆଜି ଆପଣଙ୍କ ଆଶୀର୍ବାଦରୁ ବହୁତ ଆଗକୁ ଯାଇ ପାରିଛି । ମା ଛେଉଣ୍ଡ ଏହି ଲାନୀ ପାଇଁ ମୋ ଶ୍ୱଶୁର ବେଶ ଆସ୍ୱସ୍ତ । ମୋ ମାଆ ଆଜି ଗାଆଁରେ ମୁଣ୍ଡ ଟେକି ଚାଲୁଛି । ସବୁବେଳେ ତା’ର ଗୋଟିଏ ଉପଦେଶ, “ବିପଦ ବେଳେ ଅଧିର ହେବନାହିଁ ଆଗକୁ ଭଲ ସମୟ ନିଶ୍ଚିତ ଆସିବ” । ମା ମୋର ଏବେ ବାଳଶ୍ରମରେ ଜଣେ ସ୍ୱେଛାସେବୀ କିଛି ସମୟ ସେଇଠି ପିଲାମାନଙ୍କ ସେବାରେ କଟାଏ । ଆପଣଙ୍କୁ ଦେଖାକରି ସମସ୍ତ କଥା କହିବାର ଆବେଗଭରା ଇଛାଟି ଆଜି ପୂରଣ ହେଲା ।“

ଏତିକି କହି ଆଣ୍ଠେଇ ପଡି ଡାକ୍ତରଙ୍କୁ ପ୍ରଣାମ କରିବା ପୂର୍ବରୁ ସେ ତାକୁ ଆଲିଙ୍ଗନ କରିଥିଲେ । ଭାବୁଥିଲେ ସେ ସ୍ୱପ୍ନ ଦେଖୁ ନାହାନ୍ତି’ତ ! ବୋଧହେଲା ଏହା ତାଙ୍କ ଜୀବନର ଶ୍ରେଷ୍ଠ ଅନୁଭୁତି ।

 ସେ ଅନୁଭବ କରୁଥିଲେ ବାତାବରଣରେ ଯେପରି କେଉଁ ଅଦୃଶ୍ୟ ମହତ୍ତର ସତ୍ତା ଉପସ୍ଥିତ ରହି ସମସ୍ତଙ୍କୁ ଆଶୀର୍ବାଦ ଦେଉଛି ।



Rate this content
Log in

Similar oriya story from Drama