Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବର୍ଷା ଓ ନିର୍ବାସିତ ବାପା
ବର୍ଷା ଓ ନିର୍ବାସିତ ବାପା
★★★★★

© Aravinda Das

Tragedy

5 Minutes   7.9K    16


Content Ranking

"ବାପା, କାଲି ସକାଳୁ ଆମକୁ ବାହାରିବାକୁ ପଡିବ । ଆପଣଙ୍କୁ ସେ ଜାଗାଟା ନିଶ୍ଚୟ ପସନ୍ଦ ଆସିବ ।"

ଖବରକାଗଜ ଉପରୁ ମୁଣ୍ଡ କାଢି ରମେଶ ବାବୁ ଏକ କାତର ଦୃଷ୍ଟିରେ ଚାହିଁଲେ ପୁଅ ଅବିନାଶକୁ । ଆଖିଟା ତାଙ୍କର ସ୍ଥିର ଥିଲା । କିନ୍ତୁ ତାଙ୍କୁ ଭିତରେ ଭିତରେ ଲାଗୁଥିଲା ସେ ଯେମିତି ଏଇନା କାନ୍ଦି ପକାଇବେ । ବହୁତ ସମୟ ଧରି କାନ୍ଦିବେ । କିନ୍ତୁ ସବୁଦିନ ଭଳି ତାଙ୍କ ଆଖିଟା ଆଜି ବି ଶୁଖିଲା ଥିଲା।

ନିଜକୁ ମଣିଷ ସବୁଠୁ ବଡ଼ ଅସହାୟ ମନେକରେ, ଯେତେବେଳେ ତାକୁ ଲାଗେ ତା ପାଖରେ ଆଉ କିଛି ବିକଳ୍ପ ନାହିଁ; ମୁଣ୍ଡପାତି ଝଡ଼ଟିକୁ ସାମ୍ନା କରୁଥିବା ଗଛପରି ଲାଗୁଥିଲା ରମେଶଙ୍କୁ ।

ବାହାରକୁ ଅନାଇଲେ ସେ।

ବର୍ଷା'ର ବେଗ ବହୁତ ବଢିଯାଇଥିଲା।

ତାରି ସହ ବଢ଼ୁଥିଲା ରମେଶଙ୍କ ହୃଦସ୍ପନ୍ଦନ।

ବର୍ଷା,ପବନ,ଘଡ଼ଘଡ଼ିଙ୍କ ସହ ତାଳ ମିଳାଇ ଗଛ ପତ୍ରଙ୍କ ନୃତ୍ୟ ,ଏକ ଅଦ୍ଭୁତ ରାଗିଣୀ ସୃଷ୍ଟି କରିବା ଆରମ୍ଭ କରିଥିଲା ଯେମିତି।କରୁଣ ରାଗିଣୀ ଭଳି ପ୍ରତ୍ୟୟମାନ ହେଉଥିଲା ରମେଶଙ୍କୁ।

ବର୍ଷାରେ ନିଜକୁ ଭିଜାଇବାକୁଇଛାହେଉଥିଲା ରମେଶଙ୍କ'ର।

କାଲିକୁ ବର୍ଷା କଣ କମିଥିବ ?ଆସନ୍ତା କାଲି ସେଠାକୁ ଯିବା କଣ ନିହାତି ଦରକାର ? ରମେଶଙ୍କ ସ୍ୱରରେ ଆକୁଳତା।ପୁଅକୁ ସେ ସମୟ ମାଗୁଥିଲେ।ଆଉ କିଛି ସମୟ ର କଣ୍ଟ।

ଘଣ୍ଟା ଚାଲିବା ବନ୍ଦ ହୋଇଯାଆନ୍ତା କି ? ରହିଯାଆନ୍ତା କି ସମୟ ଟିକେ ?

କିନ୍ତୁ ଅବିନାଶ ଯେମିତି ନିଷ୍ପତ୍ତି ନେଇ ସାରିଥିଲା।"ବର୍ଷା ସହିତ ଆମ ଯିବାର କିଛି ସମ୍ପର୍କ ନାହିଁ।ଆମେ ତ ଗାଡ଼ିରେ ଯିବା।ମୁଁ ଠିକ୍ କହୁଛି ନା ବାପା ?"

ଚମକି ପଡିଲେ ରମେଶ ବାବୁ । ଅତୀତର କିଛି ସ୍ପର୍ଶକାତର କଥା ଯେମିତି ତାଙ୍କୁ ମନେପକାଇଦେଉଥିଲା ଅବିନାଶ। ଅବିନାଶକୁ ସାତ ବର୍ଷ ବେଳେ ପତ୍ନୀ ସୁଜାତାଙ୍କ ଦେହାନ୍ତ ହୋଇଥିଲା । ମା କାହିଁକି ଆଖି ଖୋଲୁନି, ତାହା କିଛି ବୁଝିପାରୁନଥିଲା ଅବିନାଶ । କିଛିଦିନ ପରେ ସେ ବୁଝିପାରିଥିଲା, ବାପା ହିଁ ତାର ସବୁ କିଛି । ବାପା ଓ ମା ବି।

ସେଦିନ ଅବିନାଶ କାନ୍ଦି କାନ୍ଦି ଜିଦି ଧରି ରମେଶଙ୍କୁ ଅନେକ ବାରଣ କରିଥିଲା ,ଯେଉଁଦିନ ସେ ଜାଣିଲା ରମେଶ ଦ୍ବିତୀୟ ବିବାହ କରି ଗୋଟେ ନୂଆ ମା ଆଣିବାକୁ ଯାଉଛନ୍ତି।

କାଲି ତୁ ଓ ମୁଁ ଯାଇ ନୂଆ ମମିକୁ ଆଣିବା । ହୋଟେଲରେ ଖାଇବା ।

ଏ ବର୍ଷାରେ ଆମେ କେମିତି ଯିବା ? ଆର ବର୍ଷକୁ ବରଂ ଯିବା । କହିଥିଲା ଅବିନାଶ ।

"ତୁ ଓ ମୁଁ ନୂଆ ଡ୍ରେସ ପିନ୍ଧିବା।କାର ରେ ଯିବା।ଓଦା କାହିଁକି ହେବା ?"

"ମୋର ନୂଆ ମା ଦରକାର ନାହିଁ।ସେ ମୋତେ ବାଡେଇବେ ଓ ଘରୁ ବାହାର କରିଦେବେ, ଯେମିତି ସୁନୀଲ'ର ନୂଆ ମା କରିଥିଲେ। "

"ସେ ବାଜେ କଥାରେ ବିଶ୍ବାସ କରନା।ଘର, ବାହାର,ତୋ କାମ ମୁଁ ଆଉ ଏକୁଟିଆ ପାରୁନି ରେ।ତୋ ନୂଆ ମା ବହୁତ ଭଲ।"

ସେଦିନ ବି ବହୁତ ଜୋରରେ ବର୍ଷା ହେଉଥିଲା।ଅବିନାଶ'ର ଲୁହ ବର୍ଷା ଠାରୁ ବି ଅଧିକ ଥିଲା ବୋଧେ।

ପୁଣି ସେଦିନ ଅବିନାଶ ଆଖିରୁ ଲୁହର ବର୍ଷା ହୋଇଥିଲା,ଯେଉଁଦିନ ତାକୁ ବୋର୍ଡିଂ ସ୍କୁଲ ପଠାଇବାର ନିଷ୍ପତ୍ତି ନିଆଗଲା।

"ପ୍ଲିଜ ବାପା, ମୁଁ ମନ ଦେଇ ପାଠ ପଢିବି । ମୋତେ ଘରୁ ବାହାର କରନା । ମୁଁ କହୁଥିଲି ନା, ନୂଆ ମା ମୋତେ ଘରୁ ବାହାର କରିଦେବେ ବୋଲି।ସତ ହେଲା ନା ମୋ କଥା ?" କାନ୍ଦୁ ଥିଲା ଅବିନାଶ।

ତୋ ଭଲ ପାଇଁ ତୋ ନୂଆ ମମି ଓ ମୁଁ ଏଇ ଡିସିସନ ନେଇଛୁ।ତୋରି ଭାବିଷ୍ୟତ ପାଇଁ ଏହା ଦରକାର।"

"କିନ୍ତୁ ବାପା, ମୁଁ ଏକୁଟିଆ ଆପଣ ମାନଙ୍କୁ ଛାଡି କେମିତି ରହିବି ?ବାହାରେ କେତେ ବର୍ଷା ହେଉଛି।ବର୍ଷାରେ ମୁଁ ଓଦା ହେଲେ ମୋତେ ଥଣ୍ଡା ଜର ହେବ।"

ହସିଦେଇ ରମେଶ କହିଥିଲେ,"ଓଦା କାହିଁକି ହେବୁ ?ତୋ ପାଇଁ ଛତା,ରେନ୍ କୋର୍ଟ କିଣା ହୋଇଛି।ତା ଛଡ଼ା ଆମେ ତ କାରରେ ଯିବା।ହଷ୍ଟେଲ ରେ ତୋତେ ଅନେକ ସାଙ୍ଗ ମିଳିବେ।"

"ସେ ପିଲାମାନଙ୍କ ର ବି ନୂଆ ମା ଆସିଛନ୍ତି ?ମୋତେ ଘରୁ ବାହାର କରି ଦେଉଛ; ବଡ଼ ହେଲେ ମୁଁ ତୁମକୁ ଘରୁ ବାହାର କରିଦେବି।ସେତେବେଳ ତମେ କାନ୍ଦୁଥିବ, ମୋ ଭଳି।"

ଅବିନାଶ'ର ଶିଶୁ ମନଟି ନିରବ ବିଦ୍ରୋହ କରିଥିଲା।ତା ଅନ୍ତରାତ୍ମା ବିଳପି ଉଠୁଥିଲା।ବର୍ଷାକୁ କାହିଁକି କେଜାଣି ଘୃଣା କରୁଥିଲା ଅବିନାଶ।ବୋର୍ଡିଂ ସ୍କୁଲ୍ ରେ ଏକ ଭିନ୍ନ ବ୍ୟକ୍ତିତ୍ବଟେ ଗଜୁରି ଉଠୁଥିଲା ଅବିନାଶ ଭିତରେ।ଗୋଟେ ଖାପଛଡା ,ନିର୍ଲିପ୍ତ ଭାଵ।

ନୂଆ ମା କ୍ୟାନସର ରେ ଆଖି ବୁଜିଦେଲା ଖବର ଶୁଣି ଅବିନାଶ ମନରେ କିଛି ଭାବାନ୍ତର ସୃଷ୍ଟି ହୋଇନଥିଲା।ରମେଶ ପୁଣି ଏକୁଟିଆ ହୋଇଯାଇଥିଲେ।

ଅବିନାଶ କିନ୍ତୁ ହଷ୍ଟେଲରେ ରହି ନିଜ ଇଂଜିନିଅରିଂ,ଏମ ବି ଏ ସାରିଥିଲା।ଘରେ ରହି ପାଠ ପଢ଼ିବାର ,ରମେଶଙ୍କ'ର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ସେ।ରମେଶଙ୍କୁ ଲାଗୁଥିଲା ପୁଅ ତାଙ୍କ ଉପରେ ପ୍ରତିଶୋଧ ନେଉଛି;ତାଙ୍କୁ ନିସଙ୍ଗ କରିବାର ଉଦ୍ଦେଶ୍ୟ ରଖି।

ଆଜି ସେଇ କଥା ଭାବୁଥିଲେ ରମେଶ।ଅବିନାଶ କଣ ପୁଣି ସେଇକଥା ପାଇଁ ଆଜି ତାଙ୍କୁ ଘରୁ .......ଆଜିବି ବର୍ଷା ହେଉଛି ।ବର୍ଷାକୁ ଘୃଣା କରିବାକୁ ଆରମ୍ଭ କରୁଥିଲେ ରମେଶ।

ଅନୁରୋଧ କଲା ଢଙ୍ଗରେ ରମେଶ କହିଲେ,"ମୁଁ ଜାଣେ ତୁ ଏସବୁ କାହିଁକି କରୁଛୁ ।ପିଲାବେଳେ ତୋତେ ଏକୁଟିଆ ହଷ୍ଟେଲ ପଠେଇଥିଲି ବୋଲି ରାଗ ସୁଝୋଉଛୁ ?ହେଲେ ବାପା ରେ,ଏ ବୟସରେ ମୁଁ ଏକୁଟିଆ କେମିତି ରହିବି ?ତା ଛଡ଼ା ମୋର ଏଠି କିଛି ଅସୁବିଧା ହେଉନି।ସବୁ ତ ମୁଁ ଆଡ଼ଜଷ୍ଟ କରିନେଉଛି।"

ଏକ ନିର୍ବିକାର କଣ୍ଠରେ ଅବିନାଶ କହିଲା,"ଏକୁଟିଆ କାହିଁକି ରହିବେ ?ସେଠି ବି ଆପଣଙ୍କୁ ଅନେକ ସାଙ୍ଗ ମିଳିଯିବେ।ଏଠି ବରଂ ଆପଣ ଦିନ ସାରା ଏକୁଟିଆ ରହୁଛନ୍ତି।ମୁଁ ଓ ଆପଣଙ୍କ ବୋହୁ ଅଫିସରୁ ଫେରିଲା ବେଳକୁ ଡେରି ହେଉଛି।"

କବାଟ ପାଖରେ ଠିଆ ହୋଇ ବୋହୁ କହିଲା,"ସେଠି ବହୁତ ବଢିଆ ବ୍ୟବସ୍ଥା ଅଛି।ଖାଇବା, ହସ୍ପିଟାଲ, କେୟାରଟେକର ସବୁ ସୁବିଧା।ଫୋନ୍ ତ ଅଛି,କଥା ହେବେ।ଶନିବାର,ରବିବାର ଇୟେ ଦେଖା କରିବାକୁ ଯିବେ।"

ଶିକାରୀ ଜାଲରେ ଛନ୍ଦି ହୋଇ ଅସହାୟ ଭାବେ ନିଜ ମୁକ୍ତିର ବିଫଳ ଆଶାରେ ଡେଣାକୁ ଫଡ ଫଡ କରୁଥିବା ପକ୍ଷୀଟିଏ ଭଳି ଲାଗୁଥିଲା ରମେଶଙ୍କୁ।ତାଙ୍କୁ ଏ ଘର ଛାଡି ଓଲଡ ଏଜ୍ ହୋମ ଯିବାକୁ ହିଁ ପଡିବ।

କାର ରେ ବସି ପୁଅ ର ଫ୍ଲାଟ ଟିକୁ ବିକଳ ଭାବେ ଅନାଉଥିଲେ ରମେଶ।ସତେ ଯେମିତି ଶେଷ ଦର୍ଶନ କରୁଛନ୍ତି ଏ ଘର'ର। ଜୀବନ ତାଙ୍କୁ ପୁଣି ଆଣି ସେଇ ଦୋଛକିରେ ଠିଆ କରିଦେଇଛି,ଯେଉଁଠି ୟୁ ଟର୍ଣ୍ଣ ର ଅବକାଶ ନାହିଁ।ପୁଣି ସେଇ ନିସଂଗତା ଭରା ଜୀବନ ର ଅୟମାରମ୍ଭ।

ଅଧା ବାଟରେ ପ୍ରବଳବର୍ଷା;ଗୋଟେ କଫି ସପ ପାଖରେ କାର ରଖି ବାପାଙ୍କ ହାତ ଧରି ଭିତରକୁ ନେଇଗଲା ଅବିନାଶ।ଚୁପ୍ ହୋଇ ବସିଥାନ୍ତି ରମେଶ ବାବୁ।ତାଙ୍କ ମନର ଭାଷାକୁ ବୋଧେ ପଢ଼ିପାରୁଥିଲା ଅବିନାଶ।

ନିରବତା ଭଙ୍ଗ କରି ସେ ଆରମ୍ଭ କଲା, "ମୁଁ ଜାଣେ ବାପା,ଆପଣ ମୋ ଉପରେ ଅଭିମାନ କରିଛନ୍ତି।ମୁଁ ପ୍ରତିଶୋଧ ପରାୟଣ ଅଥବା ସ୍ତ୍ରୀ କଥାରେ ପଡି ଆପଣଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡୁଛି ବୋଲି ଆପଣ ଭାବୁଥିବେ।କିନ୍ତୁ ବାସ୍ତବରେ କଥାଟା ସମ୍ପର୍ଣ୍ଣ ଭିନ୍ନ।ହୁଏତ ଆପଣ ଅବିଶ୍ବାସ କରିପାରନ୍ତି।କିନ୍ତୁ ମୁଁ ମୋ ମନ କଥା,ଯାହା ସତ ,ତାହା କହିବି।"

ମୁଣ୍ଡଟେକି ଅନାଇଲେ ରମେଶ ବାବୁ।

ଅବିନାଶ ପୁଣି ଆରମ୍ଭ କଲା," ମୋର ଟ୍ରାନ୍ସଫର ହୋଇ ଯାଇଛି। ଆପଣଙ୍କୁ ନେଇ ଆମ ଦୁହିଁଙ୍କ ଭିତରେ ଝଗଡା ହେଉଥିଲା ,ଯାହାର କାରଣ ଆପଣ ଜାଣିନଥିଲେ।ଅନେକ ଦିନ ହେଲାଣି ପ୍ରୀତି ର ଆପଣଙ୍କ ପ୍ରତି ବ୍ୟବହାର ଦେଖି ମୁଁ ବିଚଳିତ ହୋଇପଡିଥିଲି।ଆପଣଙ୍କ ପ୍ରତି ଅବହେଳାକୁ ମୁଁ ସହଜରେ ଗ୍ରହଣ କରିପାରୁନଥିଲି।ମୋତେ ଏକ ଅଜଣା ଆଶଙ୍କା ବାରମ୍ବାର ଆବୋରି ବସୁଥିଲା;ମୋ ଅନୁପସ୍ଥିତି ରେ ଆପଣଙ୍କୁ ଅଧିକ ଅବହେଳା ନକରିବାର ଗ୍ୟାରେଣ୍ଟି କଣ ଅଛି ? ମୋ ବାପାଙ୍କୁ କିଏ କାହିଁକି ବୋଝ ଭାବିବ ?ଆତ୍ମସମ୍ମାନ ସହ ଆପଣ ଭଲରେ ଓ କ୍ବାଲିଟି ଜୀବନ ବିତାନ୍ତୁ,ଏହା ହିଁ ମୋର ଏକମାତ୍ର ଇଛା।ହୁଏତ ଆପଣ ପଚାରିବେ,ବାପାକୁ ବୃଦ୍ଧାଶ୍ରମ ପଠାଇ ପୁଅ କ୍ବାଲିଟି ଜୀବନ କଥା କେମିତି କହୁଛି ?"

ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲେ ରମେଶ ବାବୁ।

ରମେଶ ବାବୁଙ୍କ ଦୁଇ ହାତକୁ ଜାବୁଡି ଧରି ଅବିନାଶ କହିଲା, " ବାପା,ମୁଁ ଚାହେଁନା ,ନିଜ ଲୋକଙ୍କ ସହ ଆପଣ ଅବହେଳିତ ଭାବେ ଜୀବନ କାଟନ୍ତୁ। ମୁଁ ଚାହେଁନା ଆପଣ ଜୀବନ ସହ ଆଡ଼ଜଷ୍ଟ କରନ୍ତୁ ,ସାଲିସ କରନ୍ତୁ।ବରଂ ଜୀବନକୁ ପୁଣି ଥରେ ନୂଆ ଭାବେ ଆବିଷ୍କାର କରନ୍ତୁ।ଜୀବନରେ ଗୋଟେ ଭଲ ପୁଅ ଓ ସ୍ୱାମୀ ହେବା ବହୁତ କଷ୍ଟ।ମୋ ନୂଆ ଚାକିରୀ ଜାଗାରେ ନେଇଥିବା ଘରେ ଆପଣ ମୋ ସହ ରହିବେ।ଘର କାମ ଓ ଆପଣଙ୍କ ପାଖରେ ରହିବା ପାଇଁ ଲୋକ ଯୋଗାଡ଼ କରିଛି।ପ୍ରୀତି କିଛି ଜାଣିନି।ଜାଣିଲେ ଝଗଡା କଲେ କରିବ।ଆପଣଙ୍କୁ ବୃଦ୍ଧାଶ୍ରମ ରେ ଛାଡ଼ିବା କଥା ଶୁଣି ସେ ବି ଆଶ୍ଚର୍ଯ୍ୟ ହୋଉଥିଲା।ଏକଥା ଜାଣିଲେ ହୁଏତ ଅଧିକ ଆଶ୍ଚର୍ଯ୍ୟ ହେବ।ହେଉ; ମୁଁ ଖାତିର କରୁନି।"

କଫି ଆସିଯାଇଥିଲା।

ରମେଶ ବାବୁ କାନ୍ଦିପକାଇଲେ।ଏତେ ବର୍ଷ ଧରି ଶୁଖି ଯାଇଥିବା ଆଖିରେ ଯେମିତି ବନ୍ୟା ଆସିଯାଇଥିଲା।ଆଜି ବାହାରେ ବର୍ଷାର ଶବ୍ଦ ଏକ ମଧୁର ରାଗିଣୀ ଭଳି ପ୍ରତ୍ୟୟମାନ ହେଉଥିଲା ରମେଶଙ୍କୁ ।

(ଅରବିନ୍ଦ ଦାସ)

ଅବିନାଶ ରମେଶ ଫ୍ଲାଟ

Rate the content


Originality
Flow
Language
Cover design

Comments

Post

Some text some message..