Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୧୦
ବିକ୍ରମ ବେତାଳ - ୧୦
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.3K    11


Content Ranking

କୁଜାର କୁହୁକ ଲଢେଇ

ଦିନକର ଘଟଣା । ମହାରାଜା ବିକ୍ରମାଦିତ୍ୟ ସେତେବେଳେ ତାଙ୍କର ରାଇଜରେ ନଥାଆନ୍ତି । ସେ ତ ଭା’ରି ପର ଉପକାରୀ ରାଜା । କେହି ଧନୀ ହେଉ ବା ଗରିବ ହେଉ, ବିପଦରେ ପଡି ତାଙ୍କ ପାଖରେ ଗୁହାରୀ କଲେ, ସେ ସାଙ୍ଗେ ସାଙ୍ଗେ ଯାଇ ତାହାକୁ ବିପଦରୁ ଉଦ୍ଧାର କରନ୍ତି । ସେଥିପାଇଁ ଯଦି ନିଜର ଜୀବନ ଚାଲିଯାଏ, ତହିଁକି ବି ସେ ରାଜାଙ୍କର ମୋଟେ ଚିନ୍ତା ନଥାଏ । ଇମିତିକା ଅନେକ ମହତ ଗୁଣ ତାହାଙ୍କଠିଁ ଥାଏ ବୋଲି ତାଙ୍କର ଖୁବ୍ ନାମଡାକ । ସେ ଥରେ ଜଣେ ଗରିବ ଦୁଃଖି ବ୍ରାହ୍ମଣର ଦୁଃଖ ଗୁହାରୀ ଶୁଣି ତାହାକୁ ବିପଦରୁ ରକ୍ଷା କରିବାକୁ ଏକା ଏକା ଅନେକ ଦୂରଦେଶକୁ ଯାଇଥାଆନ୍ତି ।

ବିକ୍ରମାଦିତ୍ୟ ଏଡେ ଭଲ ରାଜା, ଗୁଣବାନ, ବିଦ୍ୱାନ୍, କୀର୍ତ୍ତିବାନ୍ ପୁଣି ପର ଉପକାରୀ ରାଜା ଥିଲେ ବି ତାହାଙ୍କର ମଧ୍ୟ ଶତ୍ରୁ ଥିଲେ । ଏହି ଦୁନିଆଟା ବି ସେମିତିକା ଗୋଟାଏ ଭା’ରି ଅସଲଟିଆ ସ୍ଥାନ । ଏଠେଇଁ ଇମିତି ଅନେକ ଖଳ, ମନ୍ଦ ପ୍ରକୃତିର ଲୋକ ଅଛନ୍ତି, ଯେଉଁମାନେ କି ଆଉ ଜଣଙ୍କର ସୁନାମ, କୀର୍ତ୍ତି, ପ୍ରଶଂସା, ବଡପଣ ଦେଖିଲେ ଆଦୌ ସହିପାରନ୍ତି ନାହିଁ । ପରର ଶିରୀ ଦେଖିଲେ ସେମାନେ ଖାଲି ଚିଡିଚିଡି ହୁଅନ୍ତି । ପରର ପ୍ରଶଂସା ଶୁଣିଲେ ସେମାନଙ୍କର ଦିହରେ ତାହା ଆଦୌ ଯାଏ ନାହିଁ । ସେମିତିକା ଗୋଟାଏ, ଦି’ଟା ପଡୋଶୀ ଘୁଅମୁହାଁ ରଜା ବିକ୍ରମାଦିତ୍ୟଙ୍କର ଚୁପ୍ସଇତାନ ଶତ୍ରୁ ଥିଲେ । ସେମାନେ ସବୁବେଳେ ଛକିଥିଲେ, ସେ କେମିତି ଅକଳରେ ପଡିଲେ ପଟାଏ ଦାଗିଦେବେ । ସେ ରାଇଜରେ ନଥିଲାବେଳେ କିଛି ହେଲେ ତାଙ୍କର ଖିନିଖରାପ କରିଦେବେ, କିଛି ହେଲେ ଲୋକସାନ କରିଦେବେ । ଏବେ ଯେତେବେଳେ ସେମାନେ ଶୁଣିଲେ ଯେ ବିକ୍ରମାଦିତ୍ୟ ତାଙ୍କର ରାଇଜରେ ନାହାଁନ୍ତି, ଗୋଟାଏ ରାଜା ତାହାର ସଇନ ସାମନ୍ତ, ଦଳବଳ ନେଇ ଆସିଲା ତାଙ୍କର ରାଇଜ ଉପରେ ଚଢାଉ କରିବାକୁ ।

ଉଜ୍ଜ୍ୱଳ ନଗର ଚର ଆସି ବିକ୍ରମାଦିତ୍ୟଙ୍କର ରାଜସଭାରେ ଖବର ଦେଲା ଯେ ପଡୋଶୀ ରାଜା ଭଗାରୀପଣ ସାଧିବାକୁ ଆମ ରାଇଜ ଉପରେ ଚଢାଉ କରିବାକୁ ଦଳବଳ ନେଇ ମାଡିଆସୁଛି । ଏହି ଖବର ଶୁଣି ପାତ୍ର ମନ୍ତ୍ରୀଙ୍କର ଛାତି ଚାଉଁକିନା ଚମକି ଉଠିଲା । ମହାରାଜା ଏତିକିବେଳେ ନାହାଁନ୍ତି, ଯୁଦ୍ଧ ଚାଳନା କରିବ କିଏ? ବଡ ବଡ ଯୋଦ୍ଧାମାନଙ୍କୁ ବି ଖବର ଦିଆଯାଇ ନାହିଁ । କୌଣସି ପ୍ରକାରେ ଆମେମାନେ ତ ପ୍ରସ୍ତୁତ ନାହୁଁ । କ’ଣ କରିବା! କ’ଣ କରିବା! କ’ଣ କରିବା ବୋଲି ଚାରିଆଡେ ହାଲହୋଲି ପଡିଗଲା । ସମସ୍ତେ ଖାଲି ଗାଲରେ ହାତଦେଇ ଭାବିବାକୁ ଲାଗିଲେ । ସେମାନେ ନଈଟାକୁ ପାରିହୋଇ ଆସିଲେତ ଆଗ ଆମ ରାଜଉଆସକୁ ଘେରାଉ କରିବେ । ତେଣୁ କାହାରିକୁ କିଛି ବି ବୁଦ୍ଧି ଦିଶୁନାହିଁ ।

ଠିକ୍ ଏତିକିବେଳେ କୁଆଡୁ ଚାଲି ବୁଲି ଆସି ସେଦିନ କୁଜା ଦେଖିଲା, ଉଆସସାରା ସବୁଆଡେ ସମସ୍ତେ କ’ଣ ଟୁପ୍ଟାପ୍ ଫୁସ୍ଫାସ୍ ହୋଇ ମୁହଁ ଶୁଖାଇ ଦେଉଛନ୍ତି । କାହାରି ମନରେ ଟିକିଏ ହେଲେ ବି ସୁଖ ନାହିଁ । କଥା କ’ଣ? କୁଜା ଜଣେ ଦି’ଜଣ ରଜାଘର ଟହଲିଆଙ୍କୁ ଚୁପ୍ଚାପ୍ କରି ପଚାରିଲା । ଜଣେ କହିଲା – “ଘରବୁଡି ପାଣି ଆଣ୍ଠୁଏ ହେଲାଣି ତୁମକୁ କ’ଣ କିଛି ବି ଜଣାନାହିଁ । ପଡୋଶୀ ରାଇଜ ଶତୁରୁ ରଜା ପରା ଆମ ରାଇଜ ଉପରେ ଚଢାଉ କରିବାକୁ ମାଡି ଆସିଲାଣି । ଆଗ ସେ ଏଇ ରାଜ ଉଆସକୁ ଘେରାଉ କରିବ । ଆମ ଲୋକେ ମୋଟେ ତିଆର ହୋଇ ନାହାଁନ୍ତି, ପୁଣି ମହାରାଜା ବି ନାହାଁନ୍ତି । ସେଇଥିପାଇଁ ଆମ ଭିତରେ ହାଲହୋଳି ପଡିଯାଇଚି, କିଏ ଆମକୁ ଏଇ ବିପଦରୁ ରକ୍ଷା କରିବ ।” କୁଜା ସବୁ କଥା ଶୁଣିଲା । ହେଲେ ସେ କାହାକୁ କିଛି ବି କହିଲା ନାହିଁ । ନିଜ ଢୋଲକଟି କାନ୍ଧରେ ପକାଇ ନଈ କୂଳକୁ ବାହାରିଗଲା । ସେଠଉଁ ନଈ ତ ଅନେକ ଗୁଡାଏ ବାଟ । କୁଜା ଜାଗାଏ ଦି’ଜାଗା ଗଛ ମୂଳେ ବସି ଝାଳମାରି ଖରା ଲେଉଟାଣି ବେଳକୁ ନଈକୂଳରେ ଯାଇ ପହଁଚିଲା । ସେତେବେଳକୁ ବି ଶତ୍ରୁ ରଜାର ସନ୍ୟସାମନ୍ତ ନଈ କୂଳରେ ରୁଣ୍ଡ ହୋଇ ନଥାନ୍ତି । ଖାଲି ଯାହା ଦୂରରୁ ସେମାନଙ୍କର ଗହଳ ଚହଳ ଶୁଭୁଥାଏ ।

ତା’ପରେ ହଠାତ୍ ସେ କୁଜା ତାହାର ଢୋଲକ ପିଟିପିଟି ଚାରି ଘେରା ବୁଲି ଧୂଳି ଉଡାଇଲା । “ଲାଗିଯା’… ଯା’ ଲାଗିଯା’ ବୋଲି ପାଟି କରି ହେଣ୍ଡିମାରିଲା । ଆରେ ବାବାରେ, ୟେ କଣ ହେଲା! ଅନଉଁ ଅନଉଁ ହଜାର ହଜାର ଅଶୁଆର, ହଜାର ହଜାର ହାତୀ ଚଢା ଯୋଦ୍ଧା, ହଜାର ହଜାର ଧନୁଶରଧାରୀ, ହଜାର ହଜାର ମଲ୍ଲବୀର ଧନୁଶର, ଭାଲା, ବର୍ଚ୍ଛା, ଢୋଲ, ଖଣ୍ଡା, ମୁଦୁଗର ଉଂଚାଇ ସେହି ବାଲି ପନ୍ତାର ଗୋଟାକ ମାରମାର, ଧରଧର କହି ଖେଦିବୁଲିଲେ । ସେହି ପଂଚହତା ଭୁଷୁଣ୍ଡା ଭୁଷୁଣ୍ଡା ଲୋକ ଗୁଡାକ ଆଉ ସେହି ଯମଦୂତ ପରି କୋଧମା, କୋଧମା ଚାରି ଚଉରସ ପହିଲିମାନ (ମଲ୍ଲ) ଗୁଡାକଙ୍କୁ ଯିଏ ଅନାଇଦେବ, ତା’ର ରକତ ପାଣି ହୋଇଯିବ, ପିଳେହୀ ଖସିପଡିବ । ସେମାନେ ଡେଇଁ କୁଦି, ଚକଟିମନ୍ଥି, ସେହି ବାଲି ଉପରେ କୁହାଟ ମାରୁଥାଆନ୍ତି ।

ଏତିକିବେଳେ ସେପାରି ନଈ କୂଳରେ ଶତ୍ରୁ ସନ୍ୟସାମନ୍ତ ଭା’ରି ସଲଟଣରେ ଆସି ରୁଣ୍ଡ ହେଲେ । ଫର୍ଚ୍ଚାଦିନ ଆଲୁଅ ଥାଏ । ଦେଖାଗଲା, ଶତ୍ରୁ ଫଉଜଠଉଁ ପ୍ରାୟ ପଚାଶଗୁଣ ଅଧିକା ହେବେ ଏପାରିର ସନ୍ୟସାମନ୍ତ । ସମସ୍ତେ ବାହାସ୍ଫୋଟ ମାରି “ଆସରେ…ଆସରେ … କିଏ ଆମ ରାଇଜ ଉପରେ ଚଢଉ କରିବ” ବୋଲି କୁହାଟ ମାରି ଗର୍ଜନ କରୁଛନ୍ତି । ପାଣି ଭିତରକୁ ଗୋଡ ବଢେଇ, ଲଢେଇ କରିବା ପାଇଁ ଖାଲି ହୁମୁହୁମୁ ହେଉଛନ୍ତି । ଶତ୍ରୁ ଫଉଜର ସେନାପତି ଦେଖିଲା ଯେ ବିକ୍ରମାଦିତ୍ୟଙ୍କ ସଇନ ଫଉଜ ପାଖରେ ତାଙ୍କର ସଇନବଳ କିଛି ବି ନୁହଁନ୍ତି । ଯେମିତି ସମୁଦ୍ର ପାଖରେ ଗଣ୍ଡୁଷେ ପାଣି, କାହିଁ ପାହାଡ ପାଖରେ ଉଇ ହୁଙ୍କାପରି ସାତ କୋଚାରେ କୋଚାଏ ବି ହେବ ନାହିଁ । ଏ ପାଖର ଗୋଟାଏ ଗୋଟାଏ ଯୋଦ୍ଧା ଯେମିତି ହୋଇଛନ୍ତି ସେ ପାଖର ପୁଞ୍ଜା ପୁଞ୍ଜା ସଇନକୁ କାଖରେ ଯାକିନେବେ । ଏ ପାଖର ଜଣେ ଜଣେ ପହିଲିମାନ ଯେମିତି ବୃଶାଳ ହୋଇଛନ୍ତି, ଥରେ ଥରେ ମୁଦୁଗର ବୁଲାଇ ପିଟିଲେ ସେ ପାଖର ପନ୍ଦର କୋଡିଏ ଲୋକଙ୍କ ହାଡମାଉଁସ ଚଟଣୀ କରିଦେବେ । ଏପରି ସବୁ ଭାବି ସେ ସେନାପତିର ସାହାସ ଆଉ ପତେଇଲା ନାହିଁ । ସେ ତରଛ ହୋଇ ପଛଘୁଂଚା ଦେଲା । ସେନାପତି ଯେତେବେଳେ ହଟିଲା, ତା ଦେଖାଦେଖି ଆଉ ସବୁ ସଇନ ମଧ୍ୟ ଛାନିଆ ହୋଇ ଘରମୁହାଁ ଚମ୍ପଟ ଛୁ’ କଲେ । କାହିଁକିନା କଥାରେ ପରା ଅଛି “ଆପେ ବଂଚିଲେ ବାପର ନାଁ ।”

ଦେଖୁ ଦେଖୁ ସେପାରି ନଈକୂଳ ଗୋଟାକ ନିଶୂନ ହୋଇଗଲା । ଯିଏ ପଳାଇଛନ୍ତି, ସେ ଆଉ ପଛକୁ ଚାହିଁନାହାଁନ୍ତି, ଜୀବନ ମୁରୁଛା ଦଉଡିଛନ୍ତି । ଏସବୁ ଦେଖି କୁଜା ଏକାଏକା ତା ମନକୁମନ ଖୁବ୍ ଗୁଡାଏ ହସିଲା । ପୁଣି ସେମିତି ଢୋଲକ ପିଟିପିଟି ଧୂଳି ଉଡାଇ ଦେଲାରୁ ଦଣ୍ଡକେ ଚାଳିଶ ପଚାଶ ହଜାର ଲୋକ କୁଆଡେ ଉଭାଇଗଲେ । ଏପାରି ନଈ କୂଳଟା ଆଗପରି ନିଛାଟିଆ ହୋଇଗଲା, ଆକାଶରେ ପହିଲିତରା କେତେଟା ଫୁଟିଲେ । ସେପାରି ଠାକୁର ଦେଉଳମାନଙ୍କରେ ଘଂଟ ଶଙ୍ଖ ଶବଦ ଶୁଭିଲା । ବାଦୁଡି ଗୁଡାକ ଫଡଫଡ ହୋଇ ପାଖର ବୁଢା ବରଗଛରେ ଓହଳି ପଡିଲେ । ଏଣେ ସେ କୁଜା ବି ନଈ କୂଳରେ ପୋଖରୀପାଣି ସାରି ଅଂଟା ପାଣିକରି ଉଆସ ଆଡକୁ ଝପଟିଲା ।

ମହାରାଜା ରାଇଜ ଧନୀ

Rate the content


Originality
Flow
Language
Cover design

Comments

Post

Some text some message..