Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Tragedy

3  

Prakash Sahoo

Tragedy

ଅଧା ରହିଗଲା ରାକ୍ଷୀ ବନ୍ଧନ

ଅଧା ରହିଗଲା ରାକ୍ଷୀ ବନ୍ଧନ

6 mins
7.6K


ରାକ୍ଷୀର ମହତ୍ୱ ଭାଇକୁ ଜଣା।ଆଉ ଭାଇର ମହତ୍ୱ ଭଉଣୀକୁ।ଦୁନିଆର ସବୁଠୁ ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ।ଯଦି ରାକ୍ଷୀ ବାବଦରେ ଅବୁଝା ଅଛ ତେବେ ଦେଖ ଟିକେ ସେହି ଶ୍ରୀମନ୍ଦିରକୁ କେମିତି ଅଛି ସେହି ଅଲିଅଳି ଭଉଣୀ ତା ବଡ଼ ଭାଇ ବଳିଆ ଆଉ ସାନ ଭାଇ କାଳିଆ ମଝିରେ।ରାକ୍ଷୀ ଏକ ସାମନ୍ୟ ସୂତା ଖିଅଟିଏ କିନ୍ତୁ ଭଉଣୀ ଯେବେ ବାନ୍ଧେ ରାକ୍ଷୀ ତା ଭାଇ ହାତରେ ସେହି ସୂତା ଖିଅ ପାଲଟି ଯାଏ ସୁରକ୍ଷାର କବଚ।ଭାଇର ମଙ୍ଗଳ କାମନା କରେ ଭଉଣୀ ,ପ୍ରତିବଦଳରେ ଭାଇ ଭଉଣୀର ସୁରକ୍ଷାର ପ୍ରତିଶ୍ରୁତି ଦିଏ।

କିନ୍ତୁ ବେଳେ ବେଳେ ଏମିତି କିଛି ପ୍ରଶ୍ନ ମନକୁ ଆସେ ରାକ୍ଷୀକୁ ନେଇ ଆଜିର ସଭ୍ୟ ସମାଜରେ ନାରୀ ମାନଙ୍କ ପ୍ରତି ଥିବା ଘୃଣ୍ୟ ମନୋଭାବ।ଆଉ ବିଧାତାର ବିଚାର ବି ବଡ଼ ବିଚିତ୍ର।

ମନେ ପଡିଲେ ନୟନରୁ ଲୋତକ ଝରି ପଡେ।ଶରୀର ମୋର ଶୀତେଇ ଉଠେ।ଦେହରେ ଶିହରଣ ଖେଳିଯାଏ।ମନ ମୋର ଦୁଃଖରେ ଭାଙ୍ଗିଯାଏ।ଆହା କି କରୁଣ ସେ କାହାଣୀ।ହେ ଭଗବାନ! ସତେ କି ତୁ ଏଡେ ନିଷ୍ଠୁର?ତୁହି ପରା ସୃଷ୍ଟିକର୍ତ୍ତା। ତୋ ସୃଷ୍ଟିରେ ଏଡେ ହୀନସ୍ତା କାହିଁକି?ହେ ପ୍ରଭୁ ତୁ ମାନିନୀର ସାହା ଭରସା,ତା ନ ହେଲେ ସେ ସାରା ସଂସାରରୁ ଭାସିଯିବ।

ମାନିନୀ ଛୋଟ ଝିଅଟିଏ।ନବମ ଶ୍ରେଣୀର ଛାତ୍ରୀ।ବାପା ତାର ଭାରତୀୟ ସେନାରେ ଜଣେ ସିପାହୀ।ତାର ସାନ ଭାଇ ଦିପୁ, ବହୁତ ଭଲପାଏ ତାକୁ।ମା ରୋଗରେ ପଡି କିଛି ବର୍ଷ ତଳେ ସମସ୍ତଙ୍କୁ ପର କରି ଚାଲିଯାଇଛି ଆର ପାରିକୁ।ବାପା ମଝିରେ ମଝିରେ ଗାଁକୁ ଆସିଲେ ସେମାନଙ୍କ ପାଇଁ ଅନେକ ଖାଇବା ଜିନିଷ ,କପଡା ନେଇ ଆସନ୍ତି।ପିଲା ଦୁଇ ଜଣଙ୍କର ମୁହଁକୁ ଦେଖି ମାନିନୀର ବାପା ବି ଦ୍ୱିତୀୟ ବିବାହ କଲେ ନାହିଁ। କାଳେ ସେମାନଙ୍କର ଯତ୍ନରେ ଅବହେଳା ହେବ ବୋଲି।ଜେଜେମା ଆଉ ଜେଜେବାପାଙ୍କ ସହିତ ମାନିନୀ ଆଉ ଦିପୁ ବହୁତ ଖୁସିରେ ରହିଥାନ୍ତି।

ହଠାତ ଏହି ସଂସାରର ଭାଗ୍ୟକାଶରେ ସୂର୍ଯ୍ୟ ଲିଭିଗଲା।ସାରା ସଂସାର ଅନ୍ଧକାରମୟ ହୋଇଗଲା।ସେଦିନ ଥିଲା ଅଗଷ୍ଟ ମାସ ପନ୍ଦର ତାରିଖ ଯେଉଁଦିନ ଆମ ଦେଶ ସ୍ଵାଧୀନ ହୋଇଥିଲା।

ମାନିନୀ ଆଉ ଦିପୁ ଗାଁ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଦୂରଦର୍ଶନ ଏବଂ ରେଡ଼ିଓରେ ଖବର ପ୍ରସାରିତ ହେଲା ଏମିତି "ସ୍ୱାଧିନତା ଦିବସ ଅବସରରେ ଆତଙ୍କବାଦୀଙ୍କର ଏକ ବଡ ଧରଣର ଯୋଜନାକୁ ପଣ୍ଡ କରିଦେଇଛି ଭାରତୀୟ ସେନା।ଏଥିରେ ସମସ୍ତ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି।"

ଆଉ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।

ଚାରିଆଡ଼େ ଖାଲି ସେନାର ପ୍ରସଂଶା।ଦେଶର ସ୍ୱାଧୀନତା ଦିବସ ଅବସରରେ ସେନାର ଏକ ବଡ ସଫଳତା ପାଇଁ ସବୁଆଡେ ଚର୍ଚ୍ଚା ଚାଲିଛି।ମାନିନୀ ଆଉ ଦିପୁ ଭି ବହୁତ ଖୁସି ।

ପରଦିନ ସଖାଳ ସମୟରେ ମାନିନୀ ଘର ଚଉଁରା ମୂଳେ ଦୀପ ଜାଳୁଥିବା ବେଳେ ।କିଛି ଗାଡିର ଶବ୍ଦ ଶୁଣି ଧାଇଁ ଗଲା ସେହି ଘର ଅଗଣା ଆଡେ।ଏତେ ସବୁ ଏକ ରଙ୍ଗର ଗାଡି ଆଉ ବାପାଙ୍କ ପୋଷାକ ପରି ପିନ୍ଧିଥିବା କିଛି ଯୁବକଙ୍କୁ ଏତେ ପାଖରେ ଦେଖି ମାନିନୀ କିଛି ବୁଝି ପାରୁନଥିଲା।ଗାଡିର ପଛରେ ଥିଲେ ସହ ସହ ଲୋକ।ହଠାତ ଗାଡି ଭିତରୁ କିଛି ଲୋକ ଜଣେ ଲୋକର ଶବ ଆଣି ଘର ସାମ୍ନାରେ ରଖିଦେଲେ ।ଧଳା କପଡାରେ ଶବକୁ ଘୋଡାଇ ଦିଆଯାଇଥିଲା। ମାନିନୀ ଖାଲି ଦେଖୁଥାଏ ହାତରେ ଥାଏ ଅଧା ଜଳା ଦୀପ ,କେହି ଜଣେ ଶବର ମୁହଁରୁ କପଡା ଉଠାଇ ଦେଲେ।ଜଜେମା ଆଉ ଜେଜେବାପାଙ୍କ କ୍ରନ୍ଦନ ଶୁଣିବାକୁ ମିଳିଲା ତାକୁ।ସାନ ଭାଇ ଦିପୁ ବି କାନ୍ଦୁଥିଲା।ସେ କଣ କରିବ ଏପରି ପରିସ୍ଥିତିରେ କିଛି ବୁଝିପାରୁନଥିଲା।ଏହି କିଛି ବର୍ଷ ତଳେ ମାକୁ ହରାଇବାରର ଦୁଃଖ ସବୁ ମନେ ଅଛି।ମନେ ଅଛି ବିତି ଯାଇଥିବା ସେହି ଦୁଃଖଦ ଦିନ ଗୁଡିକ।ଏତେ କମ ବୟସରେ ଏତେ ବଡ଼ ଦୁଃଖକୁ ସେ ସମ୍ଭାଳି ପାରୁନଥିଲା।କାହାର ଦୋଷ ଦେବ ସେ ବୁଝିପାରୁନଥିଲା।କେଉଁ ଜନ୍ମର ପାପ କି କାହା ଅଭିଶାପର କୋପରେ ତାର ଏହି ସୁନାର ସଂସାର ଆଜି ଛାରଖାର ହୋଇଗଲା ?

ତଥାପି ଭାଙ୍ଗି ପଡ଼ିଲାନି ସେ ପାଠ ପଢା ଛାଡିଦେଲା ।ଜେଜେମା ,ଜେଜେବାପା ଆଉ ଦିପୁର ଦାଇତ୍ୱ ଏବେ ତା ହାତରେ ନ୍ୟସ୍ତ କରି ଭଗବାନ ତାର କେଉଁ ପରୀକ୍ଷା ନେଉଥିଲେ କେଜାଣି? ବହୁ ଦୁଃଖ କଷ୍ଟରେ ସମୟ ବିତିଲା ତାର ।ଯେଉଁ ବୟସରେ ସେ ସାଙ୍ଗ ମାନଙ୍କ ସହିତ ବୁଲିବା କି କଲେଜ ଯାଇ ପାଠ ପଢିବା କଥା ଆଜି ସେ ସମସ୍ତ ଆଶାଙ୍କୁ ମାରି ଦେଇଛି କେବଳ ତା ଭାଇକୁ ମଣିଷ କରିବା ପାଇଁ ଘରର ଚାରି କାନ୍ଥ ଭିତରେ ନିଜକୁ ଆବଦ୍ଧ କରିଦେଇଛି।

ଆଜି ମାନିନୀ ହସି ହସି ଖୁସିରେ ଡେଇଁ ପଡୁଛି।ଭାଇ ତାର ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନରେ ପାସ କରିଛି।ସବୁ ଦୁଃଖ ତାର ଦୁରେଇ ଯାଉଛି।ଆଜି ତା ଆଖିରେ ଆଖିଏ ସ୍ୱପ୍ନ।ସେ ଯେମିତି ଯେଉଁଠି ହେଲେ ପଇସା ଆଣିବ ।ଭାଇକୁ ଅଧିକା ପାଠ ପଢ଼ାଇବ।ତା ଭାଇ ବଡ଼ ମଣିଷ ହେବ।ତାର ସବୁ ଦୁଃଖ ଦୁରେଇ ଯିବ।ସେ ଦଉଡି ଯାଉଥାଏ ତା ବାପା ମାଙ୍କ ଫଟୋ ନିକଟକୁ।ସତରେ କେତେ ଖୁସି ହୋଇଥାନ୍ତେ ତାର ବାପା ମା।ମନ ତାର ଦୁଃଖରେ ମଳିନ ପଡ଼ିଥାଏ।କଇଁ କଇଁ ହୋଇ କାନ୍ଦି ଉଠେ ସେ।ମନେ ମନେ କହି ଉଠେ ତୁମେ ଦିପୁ କୁ ଆଶୀର୍ବାଦ କର।ମୋତେ ସାହସ ଯୋଗାଅ ।ଏମିତି କେତେ କଣ ଭାବି ମୁଣ୍ଡିଆ ମାରେ ସେହି ସ୍ବର୍ଗତ ପିତା ମାତାଙ୍କ ଫଟୋ ନିକଟରେ।

ରାଜଧାନୀର ଏକ ନାମିଦାମୀ କଲେଜରେ ଦିପୁର ନାମ ଲେଖା ସରିଗଲା।ଆଜି ସେ ପାଠ ପଢିବାକୁ ଯାଉଛି।ନୂଆ ଜାଗା ,ନୂଆ ପିଲା।ସତର୍କ ରହିବୁ।ମନ ଲଗାଇ ପାଠ ପଢିବୁ।କେତେ କଣ ବୁଝାଉଥାଏ ମାନିନୀ ତାର ଆଦରର ଭାଇ ଦିପୁକୁ।ଦିପୁ ଚାଲିଗଲା ପାଠ ପଢିବା ପାଇଁ।ମାନିନୀ ଆଜି ଏକା।ଆଦୌ ଭଲ ଲାଗୁନଥାଏ ତାକୁ।ଚାହୁଁ ଚାହୁଁ ରାକ୍ଷୀ ପୂର୍ଣ୍ଣିମା ଆସିଗଲାଣି।ତାର ସେହି କୁନି ଗେଲ୍ହା ଭାଇ ହାତରେ ରାକ୍ଷୀ ବାନ୍ଧି ସାହସ ଯୋଗାଇ ଦେବା ପାଇଁ ଦିପୁ ପାଖକୁ ଆଜି ଚିଠିଟିଏ ଲେଖିଲା।

ଦିପୁ ରେ,

     ଆଶୀର୍ବାଦ ନେବୁ।ତୁ କେମିତି ଅଛୁ ସେଠି।ଦେହ ଭଲ ଅଛି କି ନାହିଁ।ପାଠ ପଢା କେମିତି ଚାଲିଛି।ତୁ ରାକ୍ଷୀ ପୂର୍ଣ୍ଣିମାକୁ ଆସିବୁ।ତୋତେ ବହୁତ ଦିନ ହେବ ଦେଖି ନାହିଁ।ତୋ ନାନୀ କଥା ରଖିବୁ ।ଗୋଟେ ଦିନ ପାଇଁ ଘରକୁ ଆସିବୁ।ଜେଜେମା ଆଉ ଜେଜେବାପା ବି ତୋ କଥା ବହୁତ ପଚାରୁଛନ୍ତି।ତୋ ସାଙ୍ଗ ମାନେ ବି ପଚାରୁଛନ୍ତି ତୋ ବିଷୟରେ ତୁ କେବେ ଆସିବୁ?

    ତୋ ଅପା,

ଦଶ ଦିନ ଭିତରେ ଚିଠିର ଉତ୍ତର ଆସିଗଲା।ନାନୀ ତୁ ଆଦୌ ବ୍ୟସ୍ତ ହେବୁ ନାହିଁ।ମୁଁ ରାକ୍ଷୀ ପୂର୍ଣ୍ଣିମା ଦିନ ଘରକୁ ଯିବି।ନାନୀ ମୁଁ ବହୁତ ଦିନ ହେଲା ତୋ ହାତ ରନ୍ଧା ଖାଇ ନାହିଁ।ମୁଁ ଘରକୁ ଗଲେ ଚକୁଳି ପିଠା କରିଦେବୁ।ଅନ୍ୟାନ୍ୟ ସବୁ ଭଲ।ମୁଁ ପୂର୍ଣ୍ଣିମା ଦିନ ସଖାଳୁ ପହଞ୍ଚିଯିବି।ଚିଠିର ଉତ୍ତର ପଢି ଆନନ୍ଦର ସୀମା ରହିଲା ନାହିଁ ମାନିନୀର।ତା ଭାଇ ଆସିବ।ଗାଁରୁ ଯାଇଛି ସହରକୁ ପାଠ ପଢିବା ପାଇଁ କେତେ ନୂଆ ଜିନିଷ ଦେଖୁଥିବ।ସେ କଣ ଏହି ଅଳ୍ପ ଦାମ ରାକ୍ଷୀକୁ ପସନ୍ଦ କରିବ।ଯେମିତି ହେଉ କିଛି ପଇସା ସଞ୍ଚୟ କରି ବାହାରି ଗଲା ଏକ ଦାମୀ ରାକ୍ଷୀ କିଣିବା ପାଇଁ।ବାଦାମ ,ନଡ଼ିଆ ଆଉ ଘିଅ ଆଣି ପିଠା କରିବ ତା ଭାଇ ଖାଇବ କେଡେ ସରାଗରେ,ଆଉ କହିବ ମୋ ନାନୀ ପରି କିଏ ହେବ।ଏତକ ତା ଭାଇ ପାଟିରୁ ଶୁଣି ଖୁସିରେ ଫୁଲି ପଡିବ।ରାକ୍ଷୀଟିକୁ ବାନ୍ଧି ଦେଇ କହିବ ଦିପୁରେ ତୁ ଭଲ ମଣିଷଟେ ହେବୁ।ଦେଶ ଜାତିର ସେବା କରିବୁ ।ବାପଙ୍କ ପରି ସେନା ବାହିନୀରେ ଯୋଗ ଦାନ କରି ଦେଶର ସୁରକ୍ଷା କରିବୁ।ସେଥିରେରେ ତୋ ନାନୀର ଆନନ୍ଦ ।ଆଉ କିଛି ଲୋଡ଼ା ନାହିଁ ମୋର।

ଆଜି ରାକ୍ଷୀ ପୁର୍ଣ୍ଣିମା।ଦିପୁ ତାର ଗାଁ ମାଟିକୁ ଆସିବ।ମାନିନୀ ପିଠା ସଜାଇ ରଖିଛି।ଘରେ କାମ କରୁ କରୁ ଦାଣ୍ଡ ଦୁଆର ମୁହଁରେ ଶୁଣା ଗଲା ଗାଡିର ଶବ୍ଦ।ମାନିନୀ ଦୌଉଡ଼ିଗଲା।ଦେଖେ ତ ଦୁଇ ତିନି ଜଣ ପ୍ୟାଣ୍ଟ ସାର୍ଟ ପିନ୍ଧି ଗାଡିରୁ ଓଲ୍ହାଇ ପଡିଲେ।ମାନିନୀ ଭାବିଲା ଏମାନେ ତା ହେଲେ ଦିପୁର ସାଙ୍ଗ।ଦିପୁ ତାଙ୍କୁ ସାଙ୍ଗରେ ଆଣିଛି ତାଙ୍କ ଘର ଦେଖେଇ ନେବାକୁ ହେଲେ ବର୍ତ୍ତମାନ ସେ କିଣିବ କଣ?ସେ ତ ଗୋଟିଏ ରାକ୍ଷୀ କିଛି ପିଠା ରଖିଛି।ଏମାନଙ୍କ ହାତରେ ବାନ୍ଧିବ କଣ?ଖାଇବାକୁ ଦେବ କଣ।ମନେ ମନେ ଚିଡି ଉଥିଲା।

କିନ୍ତୁ ଏ କଣ ହେଲା।ମାନିନୀର ମୁହଁ କଳା ପଡିଗଲା।ତା ମୁଣ୍ଡ ଘୁରାଇଦେଲା।ସବୁ ଅନ୍ଧକାର ଦେଖା ଗଲା।ତାକୁ ସେହି ବନ୍ଧୁ ମାନେ ଧଳା ଚାଦର ତଳେ ଶୋଇଥିବା ଦିପୁକୁ ଓଲ୍ହାଇ ଆଣିଲେ।ଠିକ ଏହିପରି ତା ବାପାଙ୍କର ଶବକୁ ଘର ଅଗଣାରେ ରଖାଇଯାଇଥିଲା।ଆଉ ମଧ୍ୟ ରଖାଯାଇଥିଲା ତା ମା ର ଶବ ଠିକ ଏହିପରି ମଶାଣିକୁ ନେବା ପୂର୍ବ ରୁ।ମାନିନୀ ଧଳା ଚାଦର ବାହାର କରି ଦେଖେ ତ ଦିପୁର ରକ୍ତ ଜୁଡବୁଡ଼ ଶରୀର।ଏଥର ମାନିନୀ ନା କାନ୍ଦି ପାରିଲା ନା ହସି ପାରିଲା।ମୁକ ହେଲା ପରି ଶବର ପାଖରେ ବସି ପଡ଼ିଲା।ବାପା ମାଙ୍କୁ ହରାଇଲା ପରେ ଯାହା ମୁହଁକୁ ଚାହିଁ ସେ ଆଜି ଯାଏ ବଞ୍ଚି ଥିଲା ଶେଷରେ ସେ ବି ଚାଲିଗଲା ବହୁ ଦୂରକୁ।ଗାଁର ଲୋକ ମାନେ ତାକୁ ଯେତେ ଯାହା କହିଲେ ସେ କିଛି କହିଲା ନାହିଁ କାରଣ ଦିପୁର ଶବକୁ ଦେଖି ତାର ପ୍ରାଣବାୟୁ ଉଡିଯାଇଥିଲା।

ଦିପୁ ଆସିବା ବାଟରେ ତାର ଗାଡି ଦୁର୍ଘଟଣାରେ ଚିରଦିନ ପାଇଁ ଆଖି ବୁଝିଦେଇଥିଲା।ଗୋଟିଏ ଜୁହିରେ ଭାଇ ଭଉଣୀ ଦୁଇଜଣ ମହା ଆନନ୍ଦରେ ଶୋଇଗଲେ।ଏ ଦୁଃଖଦ ସଂସାରରୁ ବିଦାୟ ନେଲେ ଶେଷରେ ଅଧା ରହିଗଲା ରାକ୍ଷୀ ବନ୍ଧନ..

ପ୍ରକାଶ ସାହୁ,

ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ


Rate this content
Log in

Similar oriya story from Tragedy