କଇଁଛର ଧୀର ଚାଲି
କଇଁଛର ଧୀର ଚାଲି
ସୃଷ୍ଟି ଆରମ୍ଭ ବେଳର କଥା । ସେତେବେଳେ ସବୁପ୍ରାଣୀ ମିଳିମିଶି ଚଳୁଥାନ୍ତି । ଭଗବାନ ସବୁ ପ୍ରାଣୀକୁ ସେମାନଙ୍କର ଆତ୍ମରକ୍ଷା ପାଇଁ କିଛି ନା କିଛି ଅର୍ପଣ କରିଥିଲେ । ଏଇ ଯେମିତି କାହାକୁ ଶିଙ୍ଗ ତ କାହାକୁ ତୀକ୍ଷ୍ନ ନଖ ଓ ଦାନ୍ତ । ହେଲେ କାହା ମନରେ ତିଳେହେଁ ଦୁଃଖ ନଥିଲା । ସମସ୍ତପ୍ରାଣୀ ପରସ୍ପରକୁ ସାହାଯ୍ୟ କରି ଚଳୁଥାନ୍ତି ।
ମାତ୍ର ଏହି ପ୍ରାଣୀମାନଙ୍କ ଭିତରେ କଇଁଛ ଥିଲା ବ୍ୟତିକ୍ରମ । ତା’ର ଆତ୍ମରକ୍ଷା ପାଇଁ ତାକୁ କିଛି ମିଳି ନ ଥିଲା । ମାତ୍ର ତା’ର ଧୀର ଚାଲି ଯୋଗୁଁ ସେ ଅନେକ ସମୟରେ ଅନ୍ୟ ପ୍ରାଣୀମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଥିଲା । ସେତେବେଳେ ସେହି ନିରୀହ କଇଁଛଟି ତା’ର କଠିନ ଖୋଳପା ଭିତରେ ପଶି ରହିଯିବା ଛଡା ଅନ୍ୟ ଉପାୟ କିଛି ନଥିଲା । ଲୋକମାନେ ତାକୁ ଅତି ସହଜରେ ଧରି ନେଇ ଖାଦ୍ୟ ରୂପେ ବ୍ୟବହାର କରି ଦେଉଥିଲେ । ଏଥିପାଇଁ କଇଁଛକୁ ନାନା କଷ୍ଟ ଯାତନା ସହିବାକୁ ପଡୁଥିଲା, କାରଣ ଏହା ଥିଲା ତା’ର କୃତକର୍ମର ଫଳ ।
କୁହାଯାଇଛି ଯେ, କଇଁଛ ଅତ୍ୟନ୍ତ ସ୍ୱାର୍ଥପର ଥିବାରୁ ଏଭଳି ଦଣ୍ଡ ସେ ପାଇଛି । ସେ ଧୀରେ ଧୀରେ ଚାଲିବାର କାରଣ ହେଲା, ସେ ତା’ର ପରିବାରକୁ ସବୁବେଳେ ବୋହି ବୋହି ଚାଲୁଥିବାରୁ ଏପରି ଶିଥିଳ ଗତିରେ ଚାଲୁଛି । ଏହା ଉପରେ କାହାଣୀଟିଏ –
କଇଁଛ ଭାରି ସ୍ୱାର୍ଥପର ଥାଏ । ଦିନେ ଭଗବାନ କୌଣସି କାର୍ଯ୍ୟରେ ସବୁ ପଶୁ ପକ୍ଷୀଙ୍କୁ ଡାକି ସଭା କଲେ । ସଭାରେ ସମସ୍ତେ ଯୋଗଦେଲେ, ମାତ୍ର କଇଁଛ ଯୋଗଦେଲା ନାହିଁ । ସୁତରାଂ ଭଗବାନ ତାକୁ ଡକାଇ ପଠାଇଲେ । ତଥାପି ସେ ଭଗବାନଙ୍କ କଥାକୁ କର୍ଣ୍ଣପାତ କଲାନାହିଁ, ବରଂ କହିଲା, “ମୋ ଘର ମୁଁ ଜଗିଛି, ତେଣୁ ମୁଁ ଯାଇପାରିବି ନାହିଁ ।”
ଏଥର ଭଗବାନ ଆଉ ଜଣକୁ ପଠାଇ କଇଁଛକୁ ଖବର ଦେଲେ ଯେ, ତୋ ଘର ଜଗିବା ପାଇଁ ମୁଁ ଜଣକୁ ପଠାଇଲି । ସେ ତୋର ଘର ଜଗୁ ଆଉ ତୁ ସଭାକୁ ଆସ । ତୋ ନିକଟରେ ସଭାର ଜରୁରୀ କାମ ଅଛି ।”
ଏବେ କଇଁଛ ଭଗବାନଙ୍କ କଥା ବି ଶୁଣିଲା ନାହିଁ । କହିଲା, “ମୋର କାହା ଉପରେ ବିଶ୍ୱାସ ନାହିଁ । ମୋ ଘରକୁ ମୁଁ ନିଜେ ହିଁ ଜଗିବି । ସୁତରାଂ ମୁଁ ଯାଇ ପାରିବି ନାହିଁ ।”
ଏହିସବୁ ଘଟଣାରୁ ଭଗବାନ ବୁଝିଗଲେ ଯେ, କଇଁଛ ନିଶ୍ଚୟ ସ୍ୱାର୍ଥପର ଜୀବଟାଏ । ଏହିକଥା ଯଦି ଅନ୍ୟ ପ୍ରାଣୀମାନେ ଜାଣିବେ ତେବେ କଇଁଛଭଳି ସମସ୍ତେ ସ୍ୱାର୍ଥପର ହୋଇଯିବେ । ଫଳରେ ସଂସାରରେ କେହି କାହାକୁ ସାହାଯ୍ୟ କରିବେ ନାହିଁ । ଏପରି ହେଲେ ସଂସାର ଚଳିବ କିପରି? ସୁତରାଂ ଏପରିସ୍ଥଳେ ମୋତେ କିଛି ଗୋଟିଏ ନିଶ୍ଚୟ କରିବାକୁ ହେବ ବୋଲି ଭଗବାନ ମନେ ମନେ ଭାବିଲେ ।
ସୁତରାଂ ଭଗବାନ ଏବେ କଇଁଛକୁ ଅଭିଶାପ ଦେଇ କହିଲେ, “ଆଜି ତୁ ଯେଉଁ ଘର ଘର ନାମ ରଟି ଏକୁଟିଆ ବସିଛୁ, ଏଣିକି ତୁ ସେଇ ଘରର ବୋଝକୁ ବୋହି ବୋହି ଚାଲିବୁ, ଆଉ ସେଇ ବୋଝର ଭାରରେ ତୋର ଗତି ଅତି ମନ୍ଥର ହୋଇଯିବ ।”
ସେହି ଦିନଠାରୁ କଇଁଛ ତା’ର ଘରକୁ ବୋହି ଚାଲିଛି । ଚାଲିଲା ବେଳେ ସେ କଷ୍ଟ ତ ଭୋଗୁଛି, ବେଳେବେଳେ ମଣିଷ ହାତରେ ଅତି ସହଜରେ ଧରାପଡି ପ୍ରାଣ ବି ହରାଉଛି ।