Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଫସଲ ଅମଳ
ଫସଲ ଅମଳ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Classics

8 Minutes   7.3K    17


Content Ranking

ଶ୍ରୀ ଲକ୍ଷ୍ମୀଧର ନାୟକ

ମୁଁ ଯୌବନରେ ଯେଉଁ କାର୍ଯ୍ୟକୁ ପୁଣ୍ୟ ବୋଲି ଭାବୁଥିଲି, ବାର୍ଦ୍ଧକ୍ୟରେ ତାକୁ ପାପ ବୋଲି ଭାବୁଛି । ଏକା ଦେହଟି ଦ୍ୱାରା ଏ ସବୁ ଘଟିଛି । କେବଳ ମନର ପରିବର୍ତ୍ତନରେ ପାପ ପୁଣ୍ୟ ଭାବନା ସୃଷ୍ଟି ହେଇଛି । ଯାହାକୁ ଯାହା ଭଲ ଲାଗିଲା, ତା’ ପାଇଁ ସେ କାମ । ଧରା ନ ପଡ଼ିଲେ ପୁଣ୍ୟବାନ୍. . . ଧରାପଡ଼ିଲେ ପାପୀ ! ଏଇ ତ !ଏମିତି ନିରାଧାର ସାନ୍ତ୍ୱନା ନିଜକୁ ନିଜେ ଦେଉ ଦେଉ ବୁଲି ଚାହିଁଲି- ସେ ମୁଁ ଆସୁଛି କି ମୋ ପଛେ ପଛେ ।

ଆସୁଥିଲା, କହିଲା- “ମର୍ଯ୍ୟାଦାହୀନ ଜୀବନ ଜୀଇଁବାରେ କେତେ ଯେ ଯନ୍ତ୍ରଣା, ଏହା ତୁମେ ବୁଝିଗଲଣି ? ମଣିଷର ମର୍ଯ୍ୟାଦା, ତା’ ନିଜ ଦ୍ୱାରା ନଷ୍ଟ ହୁଏ । ଯେତେବେଳେ ସେ ତାହାର ମୂଲ୍ୟ ବୁଝେ, ଅବସ୍ଥା ତା’ର ତୁମରି ପରି ହୁଏ ।” ବରଂ ଗୋଟାଏ କାମ କର ଶ୍ରୀଚନ୍ଦନ. . . ।

: କ’ଣ ?

. . . ଦେହ ହତ୍ୟା କରି ଦିଅ । ସବୁବେଳେ ଜଳିବା ଅପେକ୍ଷା, ଏକା ଜଳାରେ ସବୁ ଶେଷ ହେଇଯିବ । ଭଲ । ତୁମ ପାଇଁ ବହୁତ ଭଲ ଶ୍ରୀଚନ୍ଦନ ।

: ଚୁ. . . ପ୍ ! ଶ୍‌ଶଳା !

ମୋ ପାଇଁ ଯେଉଁ ସବୁ ସୁଯୋଗ ଥିଲା, ସେସବୁକୁ ଯଦି ମୋ ପରି ତୁ ବି ପାଇଥାନ୍ତୁ. . . ତୋର ରକ୍ତ, ମାଂସ, ହାଡ଼ ଓ ସମସ୍ତ ଚିତ୍ତବୃତ୍ତି ସେହି ଅନ୍ଧ ଗଳିରେ ପଶି, ଲୋଚା କୋଚା ହେଇ ଯାଇଥାନ୍ତା । କି ମର୍ଯ୍ୟାଦା କଥା ମୋତେ ଶୁଣାଉଛୁ ବେ ? ପରିସ୍ଥିତି ସବୁ ମର୍ଯ୍ୟାଦା- ଅମର୍ଯ୍ୟାଦା ସୃଷ୍ଟି କରିଥାଏ । କିଏ ସାରା ଜୀବନ ତା’ ମର୍ଯ୍ୟାଦାକୁ ଜାବୁଡ଼ି ଧରିଛି, ଆଁ ! ଜଣେ ବି ନୁହଁନ୍ତି ।

: କାହିଁକି ରାମଚନ୍ଦ୍ର ? ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ମର୍ଯ୍ୟାଦା ପ୍ରଦର୍ଶନରେ ତାଙ୍କଠାରୁ ବଡ଼ି କିଏ ଅଛନ୍ତି କି ?

‘ମୁଁ’ ର ଉତ୍ତରରେ ମୁଁ ହୋ’ ହୋ’ ହେଇ ହସିଲି । ଏମିତି ହସିଲି ଯେ. . . ସେ ବି ମୋ ପରି ସ୍ତବ୍ଧ ଓ ସ୍ଥାଣୁ ହେଇଗଲା କିଛି କ୍ଷଣ । ମୋତେ ଆଁ’ଟା କରି ଚାହିଁ ରହିଲା । କହିଲି- “ବାପର ଶହ ଶହ ରାଣୀଙ୍କ ଦୁଃଖ ଦେଖି (ପ୍ରକୃତରେ ତିନି ରାଣୀ ନୁହନ୍ତି) ଏକ ପତ୍ନୀ-ବ୍ରତ କରି, ନିଜ ପାଇଁ ଆଦର୍ଶ ଗଢୁ ଗଢୁ, ନିରୀହ ସାନଭାଇ ଲକ୍ଷ୍ମଣକୁ ସବୁ କଥାରେ ବଳୀ ପକାଇ ଦେଲା ରାମ । ଏଣେ ଊର୍ମିଳା କି ଦୁଃଖରେ ଥିଲା, ତା’ କଥା ବୁଝିଥିଲ କି ? ଯଦି ସାନ ଭାଇଟା ଜିଦି କଲା- ମୁଁ ସାଙ୍ଗରେ ଯିବି. . . ଊର୍ମିଳାକୁ ନେଲୁନି ! ଯଦି ତାକୁ ନ ନେଲୁ, ସୀତାକୁ ନେଲୁ କାହିଁକି ? ନିଜେ ସ୍ତ୍ରୀ ସହିତ ସୁଖରେ ଶୋଇବୁ କୁଡ଼ିଆରେ, ସାନଭାଇ ଅନିଦ୍ରା ରହି ଖୋଲା ଜଙ୍ଗଲଟାରେ ଧନୁଧରି, ଜଗିବ ! ଏଇ ତ ସାମାଜିକ ମର୍ଯ୍ୟାଦା ! ରଜା ଯାହା କରିବ, ପ୍ରଜା ତାହା କରିବାରେ କ୍ଷତି କ’ଣ ?”

ତୁ ସୁଗ୍ରୀବ ସାଙ୍ଗରେ ମିତ୍ରତା କର କି ବିଭୀଷଣ ସାଙ୍ଗରେ. . . ମୋର କିଛି କହିବାର ନାହିଁ । କି ଦୋଷ କରିଥିଲା ଯେ. . . ବାଳୀକୁ ମାରିଲୁ ! କ’ଣ ସୁଗ୍ରୀବ ତୋର ମିତ୍ର ବୋଲି ? ରାବଣକୁ ମାରିଲୁ, ଏଇଟା ଠିକ୍ କଲୁ, କିନ୍ତୁ ଦୁଇ ଦୁଇଟା ଭାଉଜ ମନ୍ଦୋଦରୀ ଓ ତାରା । ତାଙ୍କୁ ଦିଅରଙ୍କ ଛାୟାରେ ଛାଡ଼ି ଦେଲୁ । ପଚାରିଥିଲୁ କି, ସେ ଦୁହିଁଙ୍କର ଇଚ୍ଛା କ’ଣ ? ତୋ ସ୍ତ୍ରୀକୁ ଲକ୍ଷ୍ମଣ ମା’ କହିବ । ତାଙ୍କ ସ୍ତ୍ରୀଙ୍କର ମା’ ହେଇଯିବାରେ ଅସୁବିଧା କ’ଣ ଥିଲା ! ଏଇଟା ସାମାଜିକ ମର୍ଯ୍ୟାଦା !

. . . ତୁ ବାହା ହେଇଥିଲୁ । ସ୍ତ୍ରୀର ସୁଖ ଦୁଃଖରେ ସାଥୀ ହେବାର ଶପଥ ନେଇଥିଲୁ- ହୋମ କୁଣ୍ଡର ଅଗ୍ନିଙ୍କୁ ସାକ୍ଷୀ ରଖି । ନିଜ କୁଳ ଗୁରୁ ବଶିଷ୍ଠଙ୍କ ସାମ୍ନାରେ ଗାନ୍ଧର୍ବ ମତରେ ନିର୍ବାଚିତ ହେବା ପରେ, ବୈଦିକ ମତରେ ବିବାହ ସମ୍ପନ୍ନ ହୋଇଥିଲା । କିନ୍ତୁ ଦୁଃଖ ସହି ନଥିଲା ବିଚାରୀ ସୀତା । ଗୋଟାଏ ସନ୍ଦେହୀ ସ୍ୱାମୀର ଆରୋପ ଯୋଗୁଁ. . . ତାକୁ ତୁ ଅନ୍ତଃସତ୍ତ୍ୱା ଅବସ୍ଥାରେ ଜଙ୍ଗଲକୁ ଫୋପାଡ଼ି ଦେଲୁ । ଭାବି ବଂଶଧର କଥା ବି ଭାବିଲୁ ନାହିଁ । କି ବାପ, କି ସ୍ୱାମୀରେ ତୁ ! ଏଇନା ରାମର ସାମାଜିକ ମର୍ଯ୍ୟାଦା ।

ମୁଁ ଏସବୁ ଶୁଣି, ମୋତେ କ’ଣ କହିବାକୁ ଚାହୁଁଥିଲା । ତାକୁ ବାଧା ଦେଇ କହିଲି-

“ରାମର ଶ୍ୱଶୁର କଥା ଶୁଣ. . . ।”

ମହାରାଜା ଜନକ । ସେ ରାଜା, ପୁଣି ଋଷି । ବାଁ କଡ଼ରେ ସ୍ତ୍ରୀକୁ ନ ବସାଇ, ତା’ କାନ୍ଧରେ ହାତ ନ ପକାଇ, ଆଙ୍ଗୁଳି ଗୁଡ଼ାକ ଛାତି ଉପରଯାଏ ନ ଲମ୍ୱାଇ, ସେ ବି ରାଜକାର୍ଯ୍ୟ କରେନା । କିରେ. . . ତୁ ସିନା ମହାସଂଯମୀ ଋଷି କି ମୁନି ! ତୋ ରାଣୀ । ତା’ର କ’ଣ ଲାଜ ଶର୍ମ କିଛି ନ ଥିଲା । ତା’ ହୃଦୟ ବୁଝିବାକୁ ଚାହିଁଥିଲୁ କି ! ତୋ ରାଜସଭାକୁ ଯେଉଁମାନେ ଆସୁଥିଲେ, ସମସ୍ତେ ତୋ ପରି ଜ୍ଞାନ ପାଗଳ ଥିଲେ କି ! ଏ ବି କି ପ୍ରକାର ସାମାଜିକ ମର୍ଯ୍ୟାଦାର ଦୃଷ୍ଟାନ୍ତ ଥିଲା ବେ ମୁଁ !

ଆଉ ଶ୍ରୀକୃଷ୍ଣଙ୍କ କଥା କ’ଣ କହିବି !

ପାଟରାଣୀ ଋକ୍ମିଣୀ ସହିତ ସତ୍ୟଭାମା, ଜାମ୍ୱବତୀ ପ୍ରଭୃତି ଅଷ୍ଟ ପାଟବଂଶୀ ଥାଉ ଥାଉ, ଷୋଳ ହଜାର ଗୋପ ଯୁବତୀଙ୍କ ସହିତ ରାସଲୀଳା କଲୁ । ତାଙ୍କ ପରେ ଶ୍ରୀରାଧା । ସେ ପୁଣି ମାଇଁ !

. . . ଆରେ ହେଇଥିବ- ତୁମେ ସବୁ ଠାକୁର । ମୋର ସେଥିରେ କିଛି କରିବାର ନାହିଁ । ମର୍ତ୍ତ୍ୟକୁ ଆସି, ସାମାଜିକ ଜୀବନ ବଞ୍ଚୁଥିଲଟି । ପ୍ରକୃତରେ ସମାଜ ସଜାଡୁ ଥିଲ ନା ବିଘଟନ ପୁରାଉଥିଲ ।

ଜାଣି ରଖ୍ ମୁଁ-ଯୁଗକୁ ଯୁଗ ନାରୀଟି ପୁରୁଷର ଖେଳନା ହେଇ ରହିଛି । ମୁଁ ବି ସେଥିରୁ ବାଦ୍ ଯାଇ ନାହିଁ । ଏଇ ଦେଖୁନୁ- ତୁମ ବେଦ କହିଲା. . . ନାରୀର ତାକୁ ଛୁଇଁବା ମନା । କାହିଁକି ଅଶୁଦ୍ଧ ହେଇଯିବୁ, ନା. . . ବାଣୀ ସବୁ ମନରୁ କି ତାଳପତ୍ର ଖେଦାରୁ ଲିଭିଯିବ ! ନାରୀଠାରୁ ପୁରୁଷ କ’ଣ ଏତେ ବଡ଼ ଯେ. . . ବେଦକୁ ସେ ହିଁ ପଢ଼ିବ !

. . . ତୁମ ମାନସ ଗ୍ରନ୍ଥର ସ୍ରଷ୍ଟା ତୁଳସୀ ଦାସ । କ’ଣ କହିଲା ? ଢୋଲକୁ ପିଟ୍ . . . ମୁର୍ଖକୁ ପିଟ୍. . . ନାରୀକୁ ପିଟ୍ । ଢୋଲ୍ ଗଁୱାର୍ ନାରୀ. . . ୟେ ସବୁ ତାଡ଼ନ୍‌କେ ଅଧିକାରୀ । ସେମିତି ଗୋଟେ ନାରୀ ଗର୍ଭରୁ ତୁହିଁ ଆସିଥିଲୁ ନା ! ତୋ ନାରୀ ତୋର ସ୍ତ୍ରୈଣତାକୁ ବିରୋଧ କଲା ବୋଲି, ସବୁ ନାରୀଙ୍କୁ ପିଟେଇ ଦେଲୁ ।

ହଠାତ୍ ମୁଁ କହିଲା- “ତୁମେ ପୂର୍ବଜନ୍ମ ଓ ତାହା ସହ ସମ୍ପୃକ୍ତ ପରଜନ୍ମ. . . ଏହା ବିଶ୍ୱାସ କର କି ?”

. . . ପୂର୍ବଜନ୍ମରେ ଯାହା ହେବାକୁ ବାକି ଥାଏ, ପରଜନ୍ମରେ ତାହା ହୁଏ । ଏହା ପ୍ରାରବ୍ଧ କର୍ମ । ଏହି କର୍ମର ଫଳ ମନୁଷ୍ୟ ବର୍ତ୍ତମାନ କାଳରେ ଭୋଗେ ।

: ଭଲ କଥା । ମୁଁ କ’ଣ ଏହାର ବିରୋଧ କରୁଛି ? ମୋ ଯୌବନ, ତାରୁଣ୍ୟ ଓ ବାର୍ଦ୍ଧକ୍ୟରେ ଯେଉଁ ସବୁ ସ୍ଖଳନର କାର୍ଯ୍ୟ ଘଟିଗଲା, ସେ ସବୁକୁ କ’ଣ ପ୍ରାରବ୍ଧ କହିବା ମନା । ଛାଡ୍ ମୁଁ । ତୁ ଯୁକ୍ତିରେ ମୋତେ ପାରିବୁ ନାହିଁ । ଆରେ ଅନା ତୁମ ଆଜିର ସଭ୍ୟ ସମାଜକୁ- ଯେଉଁଠି ଶିକ୍ଷକ ପ୍ରେମ କରୁଛି ଛାତ୍ରୀକୁ. . . ସେଠି ଛାତ୍ରର ବାନ୍ଧବୀ ବିହାର କରିବାରେ ଅସୁବିଧା କେଉଁଠି ?

ଏଇ ତକ କହି, ଆଉ ‘ମୁଁ’ ର ମୁହଁକୁ ନ ଚାହିଁ, ତାକୁ ବାକ୍ ଚାତୁରୀରେ ବୋକା ବନେଇ ଦେଇ, ମୁଁ ଆସି ମା’ ଭବାନୀଙ୍କ ମନ୍ଦିର ପାହାଚରେ ବସିଗଲି । ତଥାପି ସିନ୍ଦୁରା ଫାଟି ନଥାଏ । ଆଳତି ବେଳା ଆସି ନ ଥାଏ । ଶେଷ ଡିସେମ୍ୱର ପାହାନ୍ତିଆ ଶୀତ ବେଳକୁ ବେଳ ଅଧିକ ଉଗ୍ର ହେଉଥାଏ । ଆଣ୍ଠୁ ଦୁଇଟିକୁ ଯୋଡ଼ି ଦେଇ, ତା’ ଉପରେ କହୁଣୀ ଦୁଇଟି ରଖି, ଦୁଇ ହାତ ପାପୁଲିରେ ମୋର ଦାଢ଼ି ବଲ ବଲ ତଳ ମୁହାଁ ଥୋଡ଼ିକୁ ତୋଳି ଧରିଲି. . . ଭାବି ଚାଲିଲି. . . ।

କେତେ ଯେ ନିରାଧାର ପ୍ରସଙ୍ଗ ଉଠାଇ ମୁଁ ଯୁକ୍ତି କଲି ମୁଁ ସହିତ । ଯିଏ ପୁରାଣ ଗ୍ରନ୍ଥର ମହତ୍ୱ ବୁଝିଛି, ତା’ ସମ୍ୱାଦର ନିର୍ଯ୍ୟାସ ସହିତ ଆତ୍ମସ୍ଥ ହୋଇଛି, ଯିଏ ବେଦର ପ୍ରାସଙ୍ଗିକ ଉଦ୍ଦେଶ୍ୟ ବୁଝିଛି, ପ୍ରକୃତି ଓ ପୁରୁଷଙ୍କ ରହସ୍ୟକୁ ଟିକେ ହେଲେ ଛୁଇଁଛି. . . ମୋ ଯୁକ୍ତି ଶୁଣି, ସେ ମୋତେ ପାଗଳ ବୋଲି କହନ୍ତା । ଅଥଚ ବାଟ ସାରା ଏତେ ଖେଞ୍ଚଣା ଦେଉଥିବା ସେ ମୁଁ, ନିରବ ରହିଗଲା କାହିଁକି ? ମୁଁ ତ ଆଦୌ ଠିକ୍ କହି ନ ଥିଲି । ଆତ୍ମ ରକ୍ଷା ପାଇଁ ଲୋକ କେତେ କ’ଣ ନ କହେ ।

ସେ ମୁଁ କିନ୍ତୁ କେଣେ ଯାଇ ନ ଥିଲା । ସେ ଖାଲି ଦେହରେ, ମୋରି ପାଖରେ ବସି ଶୀତରେ ଥୁରୁ ଥୁରୁ ହେଉଥିଲା । କୂଟ ନୀତି ପ୍ରୟୋଗ କରି କହିଲି- “ଆ ! ଆହୁରି ପାଖକୁ ଘୁଞ୍ଚିଆ । ନେ । ଶାଲ୍‌ର ଗୋଟିଏ ପାଖ ଢାଙ୍କି ହେଇପଡ୍ । ବହୁତ ଶୀତ ଲାଗୁଛି ନା !”

କିଛି ବି ନ କହି, ତା’ ବାଁ ହାତ ସାମ୍ନାକୁ ବଢ଼ାଇ, ସେଆଡ଼େ ଦେଖିବାକୁ ତର୍ଜନୀ ଆଙ୍ଗୁଳିରେ ଇଙ୍ଗିତ କଲା ମୁଁ. . . ।

. . . ମୁଁ ଦେଖିଲି- ରାସ୍ତା ସେପାଖ ଲାଇଟ୍ପୋଷ୍ଟ ତଳେ ଗୋଟାଏ ଆୱାରା ଲୋଫର୍ ହିପ୍ପୀ ଚେହେରାର ଟୋକା ଅଧା ଲଙ୍ଗୁଳି ଡେଙ୍ଗୀ ଝିଅଟାର ମୁହଁ ଉପରେ ନିଜ ମୁହଁଟିକୁ ଏମିତି ରଖି ଦେଇଛି ଯେ. . . ତାର ଝଙ୍କାଳିଆ କହରା ବାଳ ଗୁଡ଼ାକ ଝିଅଟାର ମୁହଁକୁ ଢାଙ୍କି ପକାଇଛି । କିଏ ସେମାନେ ?

ମୁଁ ଆଡ଼େ ଚାହିଁ, ଧୀରେ ଧୀରେ ପଚାରିଲି- “କିଏ କି ସେମାନେ ?” ମୁଁ ଫିସ୍ ଫିସ୍ ହେଇ କହିଲା- “ଏବେ ଝିଅଟାର ପିଠିକୁ ଚାହିଁ । ସେଇଠି ତା’ର ପରିଚୟ ଅଛି ।”

ମୁଁ ଚାହିଁଲି. . . ତା ପିଠିରେ ମୋ ଅବିକଳ ଆକୃତିର ରେଖା ଚିତ୍ର ଆସ୍ତେ ଆସ୍ତେ ଆଙ୍କି ହେଇଯାଉଛି । ନେସି ହେଇ ରହୁଛି ।

ମୁଁ ଚିତ୍କାର କରି ଉଠିଲି- “ଆରେ, ସେ ମୋରି ଝିଅ ଲୁମ୍ୱିନୀ ଯେ !” କର୍କଶ ସ୍ୱରରେ କହିଲି- “କ’ଣ ହେଉଛି ଲୁମ୍ୱିନୀ ?”

ବୟଫ୍ରେଣ୍ଡ୍‌ର ବାଳ ତକଳୁ ମଦ ଅଳସ ସ୍ୱରରେ ଝିଅ ମୋର କହିଲା- “ଆମକୁ କାହିଁକି କିଏ ବୋର୍ କରୁଛ ବେ ! ତୁମେ ତୁମ କାମ କର, ଆମେ ଆମ କାମ କରୁଛୁ । ତୁମେ ବୁଢ଼ାଟେ କି ? ସ୍ୱର କ’ଣ ଦଦରା !”

. . . ତୁମେ କୁଆଡୁ ଜାଣିବ- ଶୀତ ପାହାନ୍ତାର, କୁହୁଡ଼ି ଛାତିରେ, ହଜି ହଜି କେଶ ଗହଳରେ ମୁହଁ ଖୋଜିବାରେ କି ଆନନ୍ଦ ! !

ମୋ ଆଖିରୁ ଲୁହ ଝରି ପଡ଼ିଲା. . . ।

ମୋ ସୃଷ୍ଟି, ମୋତେ ଏପରି କହୁଛି ??

ମୁଁ ମୋ ପାଖକୁ ଘୁଞ୍ଚି ଆସି, ଆହୁରି ନିବିଡ଼ତର ହେବାକୁ ଚେଷ୍ଟା କରି କହିଲା- “ନିଜର ବୁଢ଼ା ବୟସକୁ ଶାନ୍ତି ଆରାମ ଦେବା ପାଇଁ, ଉଦଣ୍ଡ ଯୌବନକୁ ସଜାଡ଼ିବାର ଥିଲା ଶ୍ରୀଚନ୍ଦନ । ବୁଢ଼ା ବୟସରେ ଯାହାଙ୍କ ନିଘାରେ ରହିବ- ସେ ଯଦି ତୁମ ଚରିତ୍ରର କୁପ୍ରଭାବରେ ନଷ୍ଟ ହେଇଯାଆନ୍ତି, ଶାନ୍ତି ତୁମକୁ ଦେବ କିଏ ? ତୁମେ ଯଦି ଜାଣିବାକୁ ଚେଷ୍ଟା କରିଥାନ୍ତ ତୁମ ଅସ୍ତିତ୍ୱର ମୂଲ୍ୟ କେଡ଼େ ମହାନ୍ . . . ବିଷ ବୃକ୍ଷଟିଏ ନ ହୋଇ ଅମୃତର ଫଳ ଫଳାଇଥାନ୍ତ । ତା’ ପାଇଁ ଆସି ମୁଗ୍ଧ ହେଉଥାନ୍ତ. . . ଏ ସବୁ ପୁଣ୍ୟ କର୍ମର ଫଳ କେବଳ. . . !”

ଭାବଲି ‘ମୁଁ’ଟା ଆଦୌ ମିଛ କହୁନାହିଁ ।

ପଚାରିଲି “ପୁଣ୍ୟ କ’ଣ ? ପାପ ଓ ଅସ୍ତିତ୍ୱ କ’ଣ ?”

କହିଲା- “ଯାହା କଲେ ଅସ୍ତିତ୍ୱକୁ ରକ୍ଷା କରି ହୁଏ, ତାହା ପୁଣ୍ୟ । ଏହାର ବିପରୀତ ପାପ । ତୁମେ ତ ଅସ୍ତିତ୍ୱ କ’ଣ ଜାଣିବାକୁ ସମୟ ପାଇଲ ନାହିଁ । ତାହାର ରକ୍ଷା ହୁଏ କେମିତି, ଜାଣିଲ ନାହିଁ । ଅସ୍ତିତ୍ୱକୁ ବୁଝିଲେ ସିନା ପାପ ପ୍ରତି ବିମୁଖ ହେଇଥାନ୍ତ । ଭାବୁଛ କି- ଏହି ଅସ୍ଥି, ମାଂସ, ରକ୍ତ, ଜଳ, ଉତ୍ତାପ ଓ ପ୍ରେମ, ବିରହ. . . ଏଇ ସବୁ ତୁମର କି ଅନ୍ୟ କାହାର ଅସ୍ତିତ୍ୱ !”

ମୋତେ ଯେମିତି ଲାଗିଲା- ଯାହା ଆଖିକୁ ଦିଶୁଛି, ତାହା ଅସ୍ତିତ୍ୱ ନୁହେଁ । ଯାହାଟା ଦିଶୁ ନାହିଁ, ତାହା ହିଁ ଅସ୍ତିତ୍ୱ । ଯେମିତି କି. . . ମନ କି ହୃଦୟ ! ବୁଦ୍ଧି କି ବିବେକ ! ଏସବୁ ଯାହାଠାରେ ପ୍ରାଣୀର ମଙ୍ଗଳ ପାଇଁ ସଚେତନ. . . ସେ ହିଁ ଅସ୍ତିତ୍ୱବାନ୍ ।

ଆଉ ଟିକେ ଆଗକୁ ଭାବିଲି- ଅସ୍ତିତ୍ୱ ନିଶ୍ଚୟ ପ୍ରାଣସତ୍ତାର କଥା । ପ୍ରାଣ ପରମାତ୍ମାଙ୍କର ଅଂଶ । ଏଣୁ, ମଙ୍ଗଳମୟଙ୍କର ମନୁଷ୍ୟ ଦେହରେ ଉପସ୍ଥିତିର ଉପଲବ୍ଧି ହିଁ ଅସ୍ତିତ୍ୱ । ଏହି ଅସ୍ତିତ୍ୱକୁ ଜାଣିପାରିଲେ, ମନୁଷ୍ୟ ଦ୍ୱାରା ଭଲ କାମ ହୁଏ । ପୁଣ୍ୟ କାମ ହୁଏ । ଅନିଶ୍ଚିତ ଦେହରେ ନିଶ୍ଚିତ ଆତ୍ମାର ସଂଯୋଗରେ ଯେଉଁ କର୍ମ ହୁଏ, ତାହା ଜଗତର ମଙ୍ଗଳ କରେ । ଅସ୍ତିତ୍ୱର ବିକାଶ ଘଟିବାରୁ ପୁଣ୍ୟର ଶୀତଳ ପୂର୍ଣ୍ଣିମା ଜ୍ୟୋତ୍ସ୍ନାରେ ଧରିତ୍ରୀର ଛାତି ଫୁଲିଉଠେ ।

ଏତିକିବେଳେ ମଙ୍ଗଳ ଶଙ୍ଖ ବାଜି ଉଠିଲା. . . ।

ମଙ୍ଗଳ ଆଳତି ଆରମ୍ଭ ହେଲା. . . ।

ଯେମିତି କି ଏହା ଜୀବନରେ ସର୍ବପ୍ରଥମ ମାହେନ୍ଦ୍ର ବେଳା ଥିଲା ମୋ ପାଇଁ ।

ସ୍ଥିର କଲି- ମୁଁ ହିଁ ମୋର ପରମ ବନ୍ଧୁ !

ତାକୁ ଆଉ ପାଖରୁ ଛାଡ଼ିବି ନାହିଁ । ସାଥୀରେ ଧରି ଘରକୁ ଯିବି । ଅନ୍ଧୁଣୀ ସ୍ତ୍ରୀର ଆଖିରୁ ଲେଞ୍ଜରା ପୋଛି ଦେଇ, ସକାଳୁ ସକାଳୁ ଦାନ୍ତ ଘଷି ଦେବି । ଲୁମ୍ୱିନୀ ଆସିବ । ସମସ୍ତେ ସାଥୀ ହୋଇ ଖାଇବୁ । ଅନ୍ଧାର ରାତିଟା ଆମ ସାମ୍ନାରୁ ଘୁଞ୍ଚିଯିବ ।

. . . କିନ୍ତୁ ଦେଖିଲା ବେଳକୁ, ମୁଁ ମୋ ବାଁ କଡ଼ରେ କିମ୍ୱା ଅନ୍ୟ କେଉଁଠି ନ ଥିଲା । ମୁଁ ଏଣେ ତେଣେ ଚାହିଁଲି । ମୋ ଛାତି ଭିତରୁ କେହି କହିଲା- ମୁଁ ଏଇଠି ଅଛି ନା ! ତୁମ ଛାତିରେ ଅଛି ଶ୍ରୀଚନ୍ଦନ. . . ।

ଖୁସି ହେଇଗଲି ।

ସେ ସେଇଠି ରହୁ । ସେଇ ଜାଗାଟା ବୋଧହୁଏ ତା’ ନିଜର ଜାଗା । ସେଇଠି ଥାଇ, ସେ ମୋତେ ସହୃଦୟ ବନ୍ଧୁ ପରି ଭଲରେ ମନ୍ଦରେ ପରାମର୍ଶ ଦେଉଥିବ । ଉଚ୍ଚକୁ ଉଠିବା ବେଳେ, ପଛରୁ ପେଲି ଧରୁଥିବ । ତଳକୁ ଖସିବାବେଳେ, ପାଦକୁ ଟାଣି ଧରୁଥିବ । ତାକୁ ପଚାରି ଜୀବନ ଜୀଇଁଲେ, ବାକି ସମୟଟା ମଧୁମୟ ହେଇଯିବ । ସେ ସେଇଠି ରହୁ. . . ।

ମନ ଖୁସିରେ ଘର ବାହୁଡ଼ା ପାଦ ଫେରାଇଲି

ମୋତେ ଥରକୁ ଥର ଲୁମ୍ୱିନୀର ସ୍ୱର ଶୁଭିଲା-

. . . ତୁମେ କୁଆଡୁ ଜାଣିବ- ଶୀତ ପାହାନ୍ତରେ କୁହୁଡ଼ି ଛାତିରେ ହଜି ହଜି, କେଶ ଗହଳରେ ମୁହଁ ଖୋଜିବାରେ କି ଆନନ୍ଦ. . . ! ! !

ମୁଁ କାନରେ ହାତ ଚାପି ଶୀଘ୍ର ଶୀଘ୍ର ଚାଲିଲି. . . ।

ଖାନ୍‌ଦାନୀର ହାତୀଦାନ୍ତ ଷ୍ଟିକ୍‌ଟାକୁ ପଥର ପାହାଚରେ ସବୁଦିନ ପାଇଁ ଛାଡ଼ି ଦେଲି । ସେଇଟା ମୋତେ ମର୍ଯ୍ୟାଦା ଦେବ କ’ଣ, ମର୍ଯ୍ୟାଦାକୁ ଲୁଟି ଚାଲିଥିଲା. . ।

ଯୌବନ ପାପ ପୁଣ୍ୟ ମର୍ଯ୍ୟାଦାହୀନ

Rate the content


Originality
Flow
Language
Cover design

Comments

Post

Some text some message..