Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ଓଡ଼ିଆ ଗଳ୍ପ ଓ କବିତା - ୩

Classics


2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics


ଫସଲ ଅମଳ

ଫସଲ ଅମଳ

4 mins 7.6K 4 mins 7.6K

ଶ୍ରୀ ଲକ୍ଷ୍ମୀଧର ନାୟକ

ଏରୋଡ୍ରମ୍ ଛକ. . .

ଡାହାଣ ପାଖ ମୋଡ଼ ଦେଇ ଟିକେ ଆଗକୁ ଗଲେ ମା’ ଭବାନୀଙ୍କ ମନ୍ଦିର । ବାମପାର୍ଶ୍ଵରେ ସୁଦୃଶ୍ୟ ତିନି ମହଲା ପ୍ରାସାଦଟିଏ । ଅନିଚ୍ଛାରେ ବି ସେଆଡ଼େ ମୋ ଦୃଷ୍ଟି ସମ୍ପ୍ରସାରିତ ହେଇଗଲା ।

କିପରି ହୁଅନ୍ତା ନି ?

ଅତୀତଟା ବର୍ତ୍ତମାନରେ ମୂର୍ତ୍ତିମନ୍ତ ହେବାରେ ହିଁ ତ. . . ମଣିଷ ମନର ଆନନ୍ଦ କିମ୍ୱା ଅବସାଦ ରୂପ ପାଇଥାଏ । ମୋ ଜୀବନ ଏବେ ଯନ୍ତ୍ରଣାର ଛିନ୍ନ ବୀଣାଟିଏ ହେଲେ ମଧ୍ୟ ମୁଁ ସେ ଆଡ଼େ ଚାହିଁ ଦେବାରୁ, ଏଥିରେ ଯେମିତି ମଧୁର ରାଗିଣୀ ଭରି ଯାଉଛି. . . କୌତୁକର ବାସ୍ନା ଝରି ଯାଉଛି ।

ଗତ ପଚାଶ ବର୍ଷ ତଳେ ଏମିତି ଲାଗୁ ନଥିଲା ଏ ପ୍ରାସାଦ । ସେତେବେଳେ ବାହାର ଅନ୍ଧାର ଭିତରେ ଦେହ ଲୁଚାଇ, ଭିତରେ କୋମଳ ନୀଳ ଆଲୋକରେ ଛାଇ ହେଇ. . . ସାଜ ସଙ୍ଗୀତରେ, ନୃତ୍ୟ ବିଳାସରେ, ଅଳସ ପ୍ରୀତିରେ ମୋହାବିଷ୍ଟ କରୁଥିଲା ରୂପ ନାଗର ମାନଙ୍କୁ । ଆଜି ତା’ର ଛାତ ଉପରେ ବିଜ୍ଞାପନ ଫଳକ- ରୂପ ଜୀବନ ମହଲ ଆଲୋକ ମାଳାରେ ସୁସଜ୍ଜିତ ।

ଏହାର କାରଣ, ସେହି ଦୂର ଅତୀତର ବେଶ୍ୟା-ଗଣିକା ଆଜି ଦେହଜୀବିନୀ ରୂପେ ସ୍ୱୀକୃତି ପାଇଛି । ସ୍ୱୀକୃତି ମିଳିଲା ପରେ ବିଜ୍ଞପ୍ତି ଅବଶ୍ୟମ୍ଭାବୀ ହେଇ ପଡ଼ିଛି. . . ।

ଆରେ ! ମୁଁ ଏ କ’ଣ ଦେଖୁଛି ?

ସେହି ରୂପ ଜୀବନ ମହଲର ଚକ୍କରଦାର ଶିଡ଼ି ପାହାଚରେ ତଳକୁ ଆସୁ ଆସୁ, ଅଟକି ଯାଇଛି- ମୁଁ ! ! ଦୁଇ ପାହାଚ ତଳକୁ ଆସି, ପାହାଚେ ଉପରକୁ ଉଠୁଛି- କ’ଣ ଯେ ଏ ପ୍ରହେଳିକା ! ! !

ସ୍ୱୟଂ ମୁଁ ଏଠି ବାହାରିଛି- ମା’ ଭବାନୀଙ୍କ ମନ୍ଦିରରେ ପ୍ରଭାତର ମଙ୍ଗଳ ଆଳିତ ଦେଖିବାକୁ । ପୁଣି, ସେଠି କିପରି ?

ମୋ ଓଠରେ କେଉଁ ବିରହୀର ବିଧୁରା ରାଗିଣୀ । ଯେମିତି କି ପ୍ରାଣ ଛାଡ଼ିଗଲା ବେଳେ ଦେହଟା ମରିଯିବା ଆଶଙ୍କାରେ ବିକଳ ହେଇ ଛଟ୍‌ପଟ୍ ହେଉଛି ସେ ସ୍ୱରରେ ।

ମଝି ମହଲା ଦଲାଣର ମୋଟା ଖମ୍ୱଟିରେ ବାଁ ହାତକୁ ଚାପି ଧରି, ଡାହାଣ ହାତର ସ୍ୱର୍ଣ୍ଣ କଙ୍କଣକୁ ରୁଣୁ ଝୁଣୁ କରି, ବହୁ ସୁନ୍ଦର ଉପମାର ଫୁଲ କଅଁଳ ଗୋରା ଗୋରା ମୁହଁଟିଏ, ତା’ର ଦୁଇଟି ସୁନ୍ଦର କନକନିଆ ଆଖିରେ, ମୋ ଅନିଚ୍ଛାର ଫେରନ୍ତା ପାଦକୁ ଚାହିଁ ରହିଛି- ଏହି ମାଘ ମାସ ପାହାନ୍ତ ପ୍ରହର ଶୀତକୁ ଭ୍ରୁକ୍ଷେପ ନ କରି । ସତେ କି ଆଜି ରାତିର ଅପୂର୍ଣ୍ଣ ତୃପ୍ତିକୁ, ଆଗାମୀ ରାତିରେ ପରିପୂର୍ଣ୍ଣତା ଦେବାର ଅନେକ ଇଶାରା ସେଥିରେ ରୋଷଣୀ ଜାଳୁଛି ।

ଆଃ ! କି ଯେ ବିସ୍ମୟ ! !

ମୁଁ ରୁକ୍ଷ ସ୍ୱରରେ ପ୍ରଶ୍ନ କଲି-

ଆବେ ମୁଁ ! ତୁ କିଏ ବେ ? ତୋର ଏତେ ସାହସ । ମୋ ପରି ସମ୍ଭ୍ରାନ୍ତ ବୃଦ୍ଧକୁ

. . . ତୁ ସହରର ପ୍ରସିଦ୍ଧ “ରୂପ ଜୀବନ ମହଲ”ରେ ରାତି ବିତାଇବା ପରେ, ରାସ୍ତାକୁ ଓହ୍ଲାଇ ଦେଉଛୁ । ଦେଖୁଛୁ ମୋ ହାତରେ ହାତୀ ଦାନ୍ତର ଷ୍ଟିକ୍‌କୁ । ସବୁ ଗଲା ପରେ ଏଇଟା ମୋ ଖାନ୍ଦାନୀ ନିଶାନ୍ । ଏଥିରେ ବ୍ରିଟିଶ୍ ଅମଳର ଲୁହା ଛଡ଼ ପଶିଛି । ଏକା ପାହାରକେ ତୋ ମୁଣ୍ଡକୁ ଛତୁ ନ କରି ଦେଇଛି ଯଦି ।

ଠୋ’ ଠୋ’ ହସି ଶିଡ଼ି ପାହାଚର ମୁଁ, ମୋତେ ସ୍ତବ୍ଧ କରିଦେଲା । ସ୍ଥାଣୁ କରିଦେଇ କହିଲା-

“ଶବ୍ଦ ସିନା ଅଛି ଶ୍ରୀଚନ୍ଦନ, ହାତ ପୂରା ଦୁର୍ବଳ । ସେଥିରେ ବୃଦ୍ଧ ବୟସର ବଳ ପ୍ରୟୋଗ କଲେ, ମଶାଟିଏ ବି ମରିବ ନି ।”

ଭାବୁଛ କି- ତୁମର ଯେଉଁ ବାହୁରେ ପାହାଡ଼େ ପାହାଡ଼େ ବଳ ଥିଲା, ଯେଉଁ ହାତ ପାପୁଲି ଓ ଲମ୍ୱା ଲମ୍ୱା ଆଙ୍ଗୁଳିରେ ସଜ ଫୁଟା ଫୁଲମାନଙ୍କୁ ତୁମେ ଦଳି ଦଳି, ତାଙ୍କର ସୁନ୍ଦର ପାଖୁଡ଼ା ସବୁକୁ ପରସ୍ତ ପରସ୍ତ କରୁଥିଲ, ଏବେ ବି ସେ ହାତ ସେମିତି ଅଛି ।

. . . ସେଦିନ ତୁମ ଦେହରେ ମନରେ ରୋମାଞ୍ଚକ ଉତ୍ତାପ । ତୃଷିତ ଓଠରେ ତୃପ୍ତିର ଅମୃତ ଢାଳିବାର ନିଶା । କଥାରେ କଥାରେ ଚମ୍ପାଫୁଲ ସୁରଭିର ଝଡ଼ । ସେଥିରେ ଭିଜି ଭିଜି ଗୀତ ଗାଇବାର ଅକଳନୀ କାମନା ଥିଲା ଅନୁଢ଼ା ଯୁବତୀ, ବ୍ୟଭିଚାରିଣୀ ସୁନ୍ଦରୀ ତରୁଣୀ ଓ ଗଣିକାମାନଙ୍କର ।

କେହି ଝରି ଝରି ମାଡୁଥିଲା ତ. . . କାହାକୁ ବନ୍ଧ ପକାଇ ମଡ଼ାଉଥିଲ । ସବୁ ଥିଲା ତୁମ ଟଙ୍କା ସୁନାର କରାମତି । ଆଜି ସବୁ ଗଲାପରେ, ଖୋଜୁଛ କାହାକୁ ? ମା’ ଭବାନୀଙ୍କ ମନ୍ଦିର ପାହାଚକୁ ଲୁହରେ ଲୁହରେ ବୁଡ଼େଇ ଦେଲେ ବି ପଥର କ’ଣ ତରଳିବ । ତୁମ ଅନୁତାପ ଜର୍ଜରିତ ହୃଦୟ ଯନ୍ତ୍ରଣାରେ କେହି ଶୀତଳ ଚନ୍ଦନ ଲିପିପାରିବ ! ନା. . . ତୁମର ସତୁରୀ ବର୍ଷର ବୁଢ଼ୀ ସ୍ତ୍ରୀଟି ତୁମକୁ କ୍ଷମା କରିଦେବ ଶ୍ରୀଚନ୍ଦନ ।

– ଉଃ ! ବନ୍ଦ କର ମୁଁ ବନ୍ଦ କର. . . । ଜଳୁଥିବା ଅଙ୍ଗାରରେ ଘିଅ ଛିଟିକା ମାରି ତାକୁ କାହିଁକି ହୁତୁ ହୁତୁ କରୁଛୁ ? କି ଲାଭ ମିଳୁଛି ? ମୁଁ ପତ୍ର ହରା, ଫଳ ହରା, ରସ ହରା ଥୁଣ୍ଟା ବରଗଛଟିଏ ଏବେ । ଆଜି କେହି ପାଖକୁ ଆସୁ ନାହାନ୍ତି । ମୋ ନିଜର ଆଶ୍ରୟ, ଅବଲମ୍ୱନ ଏକ ମାତ୍ର ଓହଳ- ମୋ ଝିଅ, ସେ ବି ମୋ ପାଇଁ ଥାଇ ନଥିଲା ପରି । କେତେବେଳେ କେଉଁ ଆଡ଼େ ଯାଇ ରାତି ବିତାଉଛି, ସେହି କେବଳ ଜାଣେ । ମୋ ସ୍ତ୍ରୀ ଧରିତ୍ରୀ. . . ସାରାଜୀବନ କାନ୍ଦିବା ପାଇଁ ଯେମିତି ବଞ୍ଚୁଥିଲା । ତାକୁ ମାଡ଼ ଦେଇ, ମୋ ବନ୍ଧୁମାନଙ୍କୁ ତା’ ହାତରେ ମଦ ପିଆଉଥିଲି । ଏବେ ତାକୁ କିଛି ଶୁଭୁ ନାହିଁ କି ଦିଶୁ ନାହିଁ । ଘର କୋଣରେ ବୁଜୁଳାଟି ହେଇ ପଡ଼ିଛି ।

. . . ମୋ ଅତୀତରେ ପବନ ସବୁ କ୍ଷେତ୍ରରେ ଏବେ ଭିନ୍ନ ଭିନ୍ନ ରୂପରେ ମୁଣ୍ଡ ଟେକିଛି । ମୁଁ ପ୍ରତି ମୁହୂର୍ତ୍ତରେ ସ୍ମୃତିର ମାଙ୍କଡ଼ଶା ଜାଲରେ ଛନ୍ଦି ହେଇ ବୁଦ୍ଧି ବିବେକ ମନ ହୃଦୟର କଣ୍ଟା ଛାଟିଆରେ ପିଟା ଖାଇ ଖାଇ ରକ୍ତାକ୍ତ ହେଉଛି । ବିଛାଇ ଥିବା ନିଜ ଜାଲରେ ଛନ୍ଦି ହେଇ, ଶୁଖି ଶୁଖି ମରୁଛି. . . । ଅଥଚ ପୀଡ଼ିତକୁ ସ୍ନେହର ସ୍ପର୍ଶ ଦେବା ପରିବର୍ତ୍ତେ, ତୁ ନିଆଁ ଖେଞ୍ଚା କାହିଁକି ମାରୁଛୁ- ମୁଁ ।

ପୂର୍ବ ପରି ବିଦ୍ରୁପର ହସ ମୁଁ ଓଠରେ. . . ।

କହିଲା- ଖୁବ୍ ଏକାକୀ ହେଇ ଯାଇଛ ନା ଶ୍ରୀଚନ୍ଦନ ? ତୁମ ବାର୍ଦ୍ଧକ୍ୟର ଶୋଷ ମେଣ୍ଟାଇବାକୁ ବି ଏହି “ରୂପ ଜୀବନ ମହଲ”ରେ ସବୁ ବ୍ୟବସ୍ଥା ରହିଛି । ବୁଢ଼ା ଦେହରେ ଆଶ୍ୱାସନାର ହାତ ବୁଲାଇ ଆଣିବାକୁ ଏଠି କୌଣସି ଦେହ ଜୀବିନୀଠାରେ ଘୃଣା ତିଳେ ନାହିଁ । ଆସିବ କି ?

ମୁଁ’ର ପ୍ରସ୍ତାବ ଶୁଣି, ପୂର୍ବ ଅଭ୍ୟାସ ଯୋଗୁଁ ମୁଁ କିଛି ସମୟ ଥମକି ଗଲି । ଏହା ପରେ ପଛରୁ କିଏ ଗୋଟାଏ ଛାଟିଆ ମାରିଲା ପରି ଲାଗିଲା । ଆଗକୁ ଯାଉ ଯାଉ ତଥାପି ଭାବୁଥାଏ ।

. . . ପାପ ପୁଣ୍ୟ, ଭଲ ମନ୍ଦ, ଆଦର୍ଶଷତା ଓ ଅନାଦର୍ଶତା. . . ଏସବୁର ମାନେ କ’ଣ ? ଯୋଡ଼େ ଯୋଡ଼େ ପରସ୍ପର ନିର୍ଭରଶୀଳ ଆପେକ୍ଷିକ ଶବ୍ଦ କେବଳ । ଜଣକର ଅବର୍ତ୍ତମାନରେ ଅନ୍ୟଟି ଓଜନହରା ।

. . . ରାବଣ ସମାଜରେ ପର ନାରୀକୁ ହରଣ କରିବା ପୁଣ୍ୟ । ରାମ ସମାଜରେ ତାହା ପାପ ! ଏଇ ତ ପାପ ପୁଣ୍ୟ ! ଅନ୍ୟ ସବୁ କଥା ଏମିତି ।


Rate this content
Log in

More oriya story from ଓଡ଼ିଆ ଗଳ୍ପ ଓ କବିତା - ୩

Similar oriya story from Classics