Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶରଶଜ୍ୟା
ଶରଶଜ୍ୟା
★★★★★

© Binay Mohapatra

Inspirational

7 Minutes   348    40


Content Ranking

ସଂଧ୍ୟା ନଇଁଆସିଲା ବେଳକୁ, ସକାଳ କଥା ଖୁବ୍ ବେଶି ମନେପଡେ । ସକାଳଟା ସତେ କେତେ ସୁନ୍ଦର ଥିଲା ! ସିନ୍ଦୁରା ଫଟେଇ ସୂର୍ଯ୍ୟ ଉଇଁଥିଲା । ସୂର୍ଯ୍ୟର ନାଲିଆ କିରଣରେ ସବୁକିଛି ଲାଲ ହୋଇ ଯାଇଥିଲା । ସତେ ଯେମିତି ଫଗୁଣରେ କିଏ ଫଗୁ ଖେଳିଗଲା ଆକାଶର ଖୋଲା ପଡିଆରେ । ନାଲିଆ ଅବିରସବୁ ବିଛାଡିଦେଇଗଲା ଆକାଶର ନିଳାଭ ଅଗଣାରେ । ସେଇ ଅବିରର ରଙ୍ଗରେ ସବୁକିଛି ଲାଲ ହୋଇଯାଇଥିଲା । ଏ ଆକାଶ, ଗଛର ପତ୍ର, ନଇର ଜଳ, ସବୁଜ କ୍ଷେତ ସବୁକିଛି ଲାଲ ହୋଇଯାଇଥିଲା । ସତେ ଯେମିତି କୁଆଁରୀ ଝିଅଟିକୁ କିଏ ତାର ଅଜାଣତରେ ଛୁଇଁ ଦେଇଗଲା, ଆଉ ଜୀବନର ପ୍ରଥମ ପ୍ରଣୟ ଛୁଆଁରେ ସେ ଲାଜେଇ ଲାଲ ହୋଇ ଯାଇଛି, ଲାଲ ହୋଇଯାଇଛି ତାର ଦୁଧଅଳତା ରଙ୍ଗର ଗୋରୀ ମୁହଁଟା । ସୂର୍ଯ୍ୟର ନାଲିଆ ବିନ୍ଦିଟିଏ ଝଟକୁଛି ତାର ଖୋଲା ମଥାଟାରେ । କଅଁଳ ସୂର୍ଯ୍ୟ କିରଣ ବିଛେଇ ହୋଇଯାଇଗଲା ଚଉଦିଗରେ । କାଉ ଆସିଲା, ସକାଳ ହେଲା ବୋଲି ସଭିଙ୍କୁ ନିଦରୁ ଉଠେଇଦେଇ ଚାଲିଗଲା । ପୁଣି ଚଳ ଚଞ୍ଚଳ ହୋଇଉଠିଲା ଶୁପ୍ତ ପୃଥିବୀ । ହେଲେ ସକାଳକୁ ଧରି ରଖି ହେଲାନି । ଦିପହରକୁ ବି, ଅପରାହ୍ନକୁ ବି, ସଂଧ୍ୟାକୁ ବି ଅଟକେଇ ହେଲାନି । ସମସ୍ତେ ଆସିଲେ, ଦିଘଡି ସାଙ୍ଗରେ ରହିଲେ, ପୁଣି ଆପଣା ଆପଣା ସମୟରେ ନିଜ ବାଟରେ ବାହୁଡିଗଲେ ।

ସମୟକୁ କହିଲି, ଆରେ ସମୟ, ରହି ଯାଆରେ ଆଉ ଟିକିଏ । ଆଉ ଘଡିଏ କି ଦି ଘଡି ମୋ ସାଥିରେ ରହିଯାଆ । କେତେଯେ କାମ କରିବାକୁ ବାକି ରହିଗଲା । ପରୀକ୍ଷାବେଳର ଶେଷଘଣ୍ଟି ବାଜିସାରିବା ପରେ ପରୀକ୍ଷକ ଖାତା ଛଡେଇନେଲା ପରି ସମୟବି ହାତଛଡା ହୋଇଯାଏ । ଆଉ ଦିଧାଡି ବାକି ରହିଗଲା ଶେଷ ପ୍ରଶ୍ନର ଉତ୍ତରଟା ପୁରାକରିବାକୁ । ହେଲେ ପରୀକ୍ଷକ ଶୁଣେନା ସେଇ ବୀନତି । କିଏ ପାଶ ହେଲେ କି ଫେଲ ହେଲେ ପରୀକ୍ଷକର ବା କଣ ଯାଏ ଆସେ ? ସେମିତି ଏଇ ନିର୍ଦ୍ଦୟ ସମୟ, କାହାର ସୁଖ ଦୁଃଖ ସାଙ୍ଗରେ ତାର କିଛି ସମ୍ପର୍କ ନଥାଏ, ତାକୁ କିଛି ଫରକ ପଡେନା କାହାର ହସ ଲୁହ ଦେଖି ।

ସମୟ ରହିଲାନି, ସେ ଚାଲିଗଲା , ଗଲାବେଳେ ଖାଲି ମୁହଁ ମୋଡିଦେଇ କହିଲା, "ବୁଝିଲୁ ମୁଁ କାହା ପାଇଁ କେବେ ଅପେକ୍ଷା କରେନି ! ମୁଁ କାହା ସାଥିରେ ଚାଲେନା । ତୁମ ଅନୁସାରେ ମୁଁ ଆସେନା କି ଯାଏନା । ପାରିବତ ତୁମେ ମୋ ସାଥିରେ ଚାଲିବାକୁ ଚେଷ୍ଟାକର" । ସମୟକୁ ଅଟକେଇ ହୁଏନା । ଘଡିର ଟିକ୍ ଟିକ୍ ଶବ୍ଦ ସାଥିରେ ପାଦ ମିଳେଇ ସତେ ଅବା ସମୟ ଦଉଡି ପଳେଇ ଯାଏ । ଦିନ ସରିଗଲା ବେଳକୁ ମନେପଡେ, କେତେ ଯେ କାମ ବାକି ରହିଗଲା କରିବାକୁ, କିନ୍ତୁ ସମୟ ସରିଗଲା । ମନହୁଏ ସମୟକୁ ଆଉ ଟିକିଏ ଅଟକେଇ ନବାକୁ । କିନ୍ତୁ ସମୟ ତ ସମୟ, କାହାପାଇଁ କେବେ ଅପେକ୍ଷା କରିଛି ଭଲା । ସେ ମନକୁ ମନ ଆସେ, ମନକୁ ମନ ଚାଲିଯାଏ, ସତେ ଅବା ମହାନଦୀର ଜଳଧାରା । ଯିଏ ବୋହିଗଲା ସିଏ ଗଲା, ପଛକୁ ଦେଖେନା, ସେ ଆଉ କେବେ ଫେରେନା । ମଣିଷ ଆଖିମଳି ସେମିତି ଚାହିରହିଁଥାଏ । ଚାଲିଗଲା ସମୟ କଥା ଭାବି ବାହୁନିହୁଏ, କିନ୍ତୁ ଅତିତ ଫେରେନା । ଜୀବନ ନାଟକର ପ୍ରତିଟି ଦୃଶ୍ୟ ଏମିତି ବିନା ରିହଲସାଲ ବିନା ରି-ଟେକରେ ହୁଏ । ଠିକ୍ ଭାବେ ନାଚିପାରିଲ ତ ଠିକ୍, ନହେଲେ ବ୍ୟର୍ଥଗଲା ସେହି ମୁହୁର୍ତ୍ତଟି । ଯେତେ ଝୁରିହେଲେବି ସେଇ ଭୂଲଟିର ଆଉ ସଂଶୋଧନ ହୋଇପାରେନା ।

କାମ ସରିଲା ପରେ ଆସିବୁରେ ସଂଧ୍ୟା, ଆଉ ଟିକିଏ ଅପେକ୍ଷା କରିଯାଆ । ବାସ୍ କାମ ସରିଆସିଲାଣି । ଖାଲି ଫାଇନାଲ ଟଚ୍ ଟା ବାକିଅଛି । ହେଲେ ଅବୁଝା ଅମାନିଆ ପିଲାଟିଏ ଏଇ ସମୟ, ସିଏ କଣ ଶୁଣିବ କାହାର ଅନୁରୋଧ, ବୁଝିବ କାହାର ହୃଦୟର ବେଦନା ? ଓଲଟି ପଚାରିବ, ଏତେ ବେଳ ଯାଏ କଣ କରୁଥିଲ ? ଦିନ ସରିଲା ବେଳକୁ ମନେ ପଡୁଛି କାମ ବାକି ରହିଗଲା ବୋଲି ? ଦିନ ସାରା ତ ବଡ ଆରାମରେ କଟେଇ ଦେଲ, ନା’ ଗଲା କାଲି କଥା ମନେ ପଡିଲା ନା’ ଆସନ୍ତା କାଲିର କଥା ଭାବିଲ ? ମୁଁ ଆସିଲେ ଅନ୍ଧାର ଆସିବ, ଏ କଥା କଣ ଜାଣି ନଥିଲ ? ଲଣ୍ଠନରେ କିରୋସିନ ରଖିବନି, ହାତରେ ଦିଆସିଲି ନାହିଁ, ଆଉ କଣନା ବାହାରିଛ ଅନ୍ଧାରକୁ ଅଟକେଇଦେବ ବୋଲି । ଅନ୍ଧାରକୁ କହିବ, ଅଟକି ଯାଆରେ ଟିକେ, ଅନ୍ଧାର କାହିଁକି ଶୁଣିବ ଯେ ତୁମର ଅନୁରୋଧ ?

ସମୟର କଥା ଶୁଣି ଚମକି ପଡିଲି ଟିକିଏ । ପୁଣି ମନକୁ ମନ କହିଲି, ନାହିଁରେ ଅନ୍ଧାର, ସବୁ କଥା ଭାବିଛି ମୁଁ, ଗଲା କାଲିର କଥା, ଆସନ୍ତା କାଲିର କଥା ବି । ହେଲେ କଣ ବା କରିପାରି ଥାଆନ୍ତି କହ ? ସବୁବେଳେ ବର୍ତ୍ତମାନଟା ହିଁ ମୋ ପାଇଁ ସବୁଠାରୁ ମୁଲ୍ୟବାନ ଥିଲା, କିନ୍ତୁ ସେଇ ବର୍ତ୍ତମାନଟା କେବେବି ସରିଲାନି । ତୁ ତ ସବୁ ଦେଖିଛୁ, ଆଉ ଦେଖୁଛୁ, ତୋତେ କଣବା ଅଛପା ଯେ ? ଦେଖୁନୁ ମୁଁ ସବୁବେଳେ କିପରି ସେଇ ବର୍ତ୍ତମାନର ପାତ୍ରଟିକୁ ଭରିବାରେ ଲାଗି ପଡିଛି ! ବର୍ତ୍ତମାନର ପାତ୍ର ଭରୁ ଭରୁ ଦିନ ସରିଯାଉଛି ସିନା, ହେଲେ ବର୍ତ୍ତମାନଟା ଏମିତି ଗୋଟିଏ ଫଟା ମାଠିଆ ଯେ, ଯେତେ ଭରିଲେ ବି ପୁରା ହେବାର ନାଆଁ ନେଉନି । ପାଟି ମେଲେଇ ଆଁ କରି ଅନେଇ ବସିଛି । ଆହୁରି ଦିଅ, ଆହୁରି ଦିଅ, ସର୍ବଗିଳା ବର୍ତ୍ତମାନ । ସବୁ ଖାଇ ହଜମ କରି ଦେଉଛି, ତଥାପି ସବୁବେଳେ ଭୋକିଲା ରହିଯାଉଛି । କିଛି ବଳିଲେ ସିନା ଗଲା କାଲି କଥା ଭାବିବି କି ଆସନ୍ତା କାଲି ପାଇଁ କିଛି କରିବି ।

ସମୟକୁ କହିଲି, ତୁ କଣ ଜାଣିନୁ, ଚାର୍ବାକଙ୍କ ସେଇ ଗଳ୍ପଟି, ପିଲା ଦିନେ ସ୍କୁଲରେ ପଢିଥିଲେ । ତାଙ୍କର ସେଇ ତିନୋଟି ଉପଦେଶ, ତିନୋଟି ମୁଲ୍ୟବାନ ନୀତି । 'ସବୁଠାରୁ ମୂଲ୍ୟବାନ ସମୟ କେଉଁଟା, ସବୁଠାରୁ ମହତ୍ୱପୂର୍ଣ୍ଣ ବ୍ୟକ୍ତି କିଏ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଣ' ! ମନେ ନାହିଁ ଯଦି, ଆଉଥରେ ମନେ ପକେଇ ଦେଉଛି ଶୁଣ ।

ବହୁତ ପୁରୁଣା ଦିନର କଥା, ଅଗନା ଅଗନୀ ବନସ୍ତରେ ଆଶ୍ରମଟିଏ ଥିଲା, ସେଠାରେ ଜଣେ ରୁଷି ତାଙ୍କର ଶିଷ୍ୟମାନଙ୍କୁ ସହିତ ରହୁଥିଲେ । ଖୁବ୍ ସୁନ୍ଦର ଆଶ୍ରମଟିଏ, କହନ୍ତି ସେ ଆଶ୍ରମରେ ସବୁ ରୁତୁରେ ବସନ୍ତର ବାସ ଥାଏ । ବର୍ଷସାରା ଆଶ୍ରମଟି ଫଳଫୁଲରେ ଭରିରହୁଥିଲା । ସମସ୍ତ ଆଶ୍ରମବାସୀ ବହୁତ ଖୁସିରେ ଥିଲେ । ରୁଷିଙ୍କର ଖ୍ୟାତି ଚାରିଦିଗରେ ବ୍ୟାପିଥିଲା । ସମସ୍ତେ ବଡ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ ରୁଷିଙ୍କୁ । ଏକଦା ସେ ଦେଶର ରାଜା ରୁଷିଙ୍କର ଦର୍ଶନ ପାଇଁ ଆଶ୍ରମକୁ ଆସି ପହଞ୍ଚିଲେ । ରାଜା ଆସିବା ଖବର ଶୁଣି ତାଙ୍କର ସ୍ୱାଗତ ପାଇଁ ରୁଷି ଆଶ୍ରମରୁ ବାହାରି ଆସିଲେ, କିନ୍ତୁ ସେ ରାଜାଙ୍କ ପାଖରେ ପହଞ୍ଚିବା ସମୟରେ ହଠାତ୍ କେଉଁଠାରୁ ଗୋଟିଏ ଶିକାରୀ କ୍ଷତ ବିକ୍ଷତ ଅବସ୍ଥାରେ ଆସି ଅକସ୍ମାତ ରୁଷିଙ୍କ ସାମ୍ନାରେ ଅଚେତ ହୋଇ ଖସିପଡିଲା । ହଠାତ୍ ଏପରି ଏକ ଅଭାବନୀୟ ପରିସ୍ଥିତିରେ ରୁଷି ଟିକିଏ ବିତଳିତ ହୋଇଗଲେ ଏବଂ ଶିକାରୀଟିର ଗୁରୁତର ଅବସ୍ଥା ଦେଖି ସେ ରାଜାଙ୍କର ସ୍ୱାଗତ କରିବା କଥା ଭୁଲିଗଲେ ଏବଂ ଶିଷ୍ୟ ମାନଙ୍କ ସହିତ ଅଚେତ ଶିକାରୀକୁ ଆଶ୍ରମ ଭିତରକୁ ନେଇଗଲେ । ସେଠାରେ ତାର ସେବା ସୁଶୃଷା କରିବାରେ ଲାଗି ପଡିଲେ ଏବଂ କିଛି ସମୟ ପରେ ଶିକାରୀଟିର ଚେତା ଫେରିଲା, ତାପରେ ରୁଷି ଶିକାରୀକୁ ଶିଷ୍ୟଙ୍କ ଦାୟିତ୍ୱରେ ଛାଡି ରାଜାଙ୍କର ସ୍ୱାଗତ କରିବା ପାଇଁ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ।

ଏସବୁ ଘଟଣା ଦେଖି ରାଜା କିଛି ବୁଝି ପାରୁ ନଥାନ୍ତି, ରୁଷି ଏପରି କାହିଁକି କଲେ ! ସିଏ ଏ ଦେଶର ରାଜା, କିନ୍ତୁ ରୁଷି ପ୍ରଥମେ ତାଙ୍କର ସ୍ୱାଗତ ନକରି ଜଣେ ସାମାନ୍ୟ ଶିକାରୀର ସେବାରେ ଲାଗିଗଲେ ? ରାଜା ତାଙ୍କର ଜିଜ୍ଞାସାକୁ ବେଶି ସମୟ ମନରେ ଚାପିରଖି ପାରିଲେ ନାହିଁ । କିଛି ସମୟ ପରେ ତାଙ୍କର ସନ୍ଦେହ ଦୁର କରିବା ପାଇଁ ରାଜା ରୁଷିଙ୍କୁ ପଚାରିଲେ, ହେ ଗୁରୁଦେବ ! ଆପଣଙ୍କ ବ୍ୟବହାର ଦେଖି ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି । ଦୟାକରି ମୋର ସନ୍ଦେହ ମୋଚନ କରନ୍ତୁ । ରୁଷି କହିଲେ, ହେ ରାଜନ, ନିସଙ୍କୋଚ ଆପଣ ନିଜର ଜିଜ୍ଞାସା ମୋତି ଖୋଲିକରି କୁହନ୍ତୁ । ରାଜା ଆସ୍ୱସ୍ଥ ହୋଇ ରୁଷିଙ୍କୁ କହିଲେ, ମହାଭାଗ, ମୁଁ ଏ ଦେଶର ରାଜା ଏବଂ ଆପଣଙ୍କର ଅତିଥି, କିନ୍ତୁ ଆପଣ ମୋର ସ୍ୱାଗତ କରିବାକୁ ଗୁରୁତ୍ୱ ନଦେଇ ଜଣେ ଅନାମଧେୟ ସାମାନ୍ୟ ଶିକାରୀର ସେବା କରିବାକୁ ଅଧିକ ମହତ୍ୱ କାହିଁକି ଦେଲେ ? ରୁଷି କିଛି ସମୟ ନୀରବ ରହି ଟିକିଏ ମୁରୁକି ହସିଲେ, ପୁଣି କହିଲେ 'ହେ ରାଜନ୍ ସଂସାରରେ ତିନୋଟି ମୂଲ୍ୟବାନ ନୀତି ସର୍ବଦା ମନେ ରଖିବ । ପ୍ରଥମଟି ମୂଲ୍ୟବାନ ସମୟ କେଉଁଟି, ଦ୍ଵିତୀୟଟି ମହତ୍ୱପୂର୍ଣ୍ଣ ବ୍ୟକ୍ତି କିଏ, ତୃତୀୟଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଣ !

ରୁଷି କହିଲେ, “ବର୍ତ୍ତମାନ” ହିଁ ମନୁଷ୍ୟ ପାଇଁ ସବୁଠାରୁ ମୂଲ୍ୟବାନ ସମୟ, ଏହି ସମୟରେ ତୁମ ସହିତ ଯିଏସବୁ ଅଛନ୍ତି ସେମାନେ ହିଁ ତୁମ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବ୍ୟକ୍ତି ଏବଂ ସେହି ବ୍ୟକ୍ତିମାନଙ୍କ ପାଇଁ ତୁମେ ଯାହାକିଛି କରି ପାରିବ ତାହା ହିଁ ହେଉଛି ତୁମପାଇଁ ଅଧିକ ଗୁତ୍ୱତ୍ୱପୂର୍ଣ୍ଣ କାର୍ଯ୍ୟ । ଯେତେବେଳେ ଆପଣ ଏଠାକୁ ଆସିଲେ ଠିକ୍ ସମୟରେ ଶିକାରୀଟି ମଧ୍ୟ ଆହତ ଅବସ୍ଥାରେ ଆସି ପହଞ୍ଚିଥିଲା । ସେ ସମୟରେ ଆପଣଙ୍କ ସ୍ୱାଗତ ତୁଳନାରେ ଜଣେ ଆହତ ବ୍ୟକ୍ତିର ଜୀବନ ରକ୍ଷା ମୋ ପାଇଁ ଅଧିକ ମହତ୍ୱପୂର୍ଣ୍ଣ ଥିଲା । ଯଦି ସେ ସମୟରେ ମୁଁ ଆହତ ଶିକାରୀକୁ ଛାଡି ମହାରାଜାଙ୍କର ସ୍ୱାଗତ କରି ଥାଆନ୍ତି, ତେବେ ହୁଏତ ଶିକାରୀଟିର ପ୍ରାଣ ଚାଲି ଯାଇଥାଆନ୍ତା । ଆଶା କରୁଛି ରାଜନ୍ ମୋର ପରିସ୍ଥିତିକୁ ବୁଝି ପାରିବେ ।”

ଚାର୍ବାକଙ୍କର ସେହି ଉକ୍ତି ଏହି “ବର୍ତ୍ତମାନ” ଉପରେ ହିଁ ମୁଁ ମୋର ସମସ୍ତ ଧ୍ୟାନ କେନ୍ଦ୍ରିତ କରି ରଖିଛି । ମୋର ବର୍ତ୍ତମାନରେ 'ମୋର ସ୍ତ୍ରୀ, ସନ୍ତାନ ପରିବାର' ମୋପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ମୋର ସମସ୍ତ ଚେଷ୍ଟା ସେମାନଙ୍କର ଆବଶ୍ୟକତାକୁ ପୁର୍ଣ୍ଣ କରିବାରେ ଚାଲି ଯାଉଛି, କିଛି ବଳିଲେ ସିନା ଗତକାଲି, ମାନେ ମୋର ବୃଦ୍ଧ ମାତା ପିତାଙ୍କ ପାଇଁ କିଛି କରିବି ଅବା ମୋର ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବି । କିନ୍ତୁ ବିଡମ୍ବନା ଦେଖ, ମୋର ବର୍ତ୍ତମାନ ଏପରି ଏକ ଫଟା ମାଠିଆ ପରି ହୋଇଯାଇଛି ଯେ ମୁଁ ଯେତେ ଚେଷ୍ଟା କଲେବି, ଯେତେ ଭରିଲେ ବି ସେଇ ଫଟା ମାଟିଆଟି ପୁରା ହୋଇ ପାରୁନି ।

ମୁଁ ଜାଣିଛି ତାର କଣ ପରିଣାମ କଣ ହେବ ? ଦିନ ଆସିବ, ମୁଁ ବି ମୋର ପିତାମାତାଙ୍କ ପରି ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚିଯିବି । ମୁଁ ମୋର ଯୌବନରେ ପତ୍ନୀ ପୁତ୍ର ପ୍ରେମରେ କେତେ ଅନ୍ଧ ହୋଇଯାଇଥିଲି ସତେ । ମୋର ପରିବାରକୁ କେବଳ ମୋର ପତ୍ନୀ ଏବଂ ନିଜ ସନ୍ତାନ ଭିତରେ ସୀମିତ କରିଦେଇଥିଲି । ମୁଁ କିପରି ଭୂଲିଗଲି ମୋର ଜନ୍ମଦାତା ପିତାମାତାଙ୍କୁ, ଯେଉଁମାନେ ମୋତେ ଏ ସଂସାରକୁ ଆଣିଥିଲେ । ଯେଉଁମାନେ ସେମାନଙ୍କର ସାରା ଜୀବନର ତପସ୍ୟା ମୋରି ପଛରେ ସାରିଦେଇଥିଲେ । ସେମିତି ଦିନେ ଆସିବ, ଯେତେବେଳେ ମୋର ସନ୍ତାନ ମାନଙ୍କ ପାଇଁ ମୁଁ ମଧ୍ୟ ମୋର ପିତାମାତାଙ୍କ ପରି ଅଦରକାରୀ ଏବଂ ଗୁରୁତ୍ୱହୀନ ହୋଇ ପଡିବି । ଶେଷରେ ପିତାମହ ଭୀଷ୍ମଙ୍କ ପରି ଅସହାୟ ନିଃସହାୟ ହୋଇ ଜୀବନର ଅନ୍ତିମ ଶରସଜ୍ୟା ଉପରେ ମୋର ଶେଷ ନିଃଶ୍ଵାସକୁ ଅପେକ୍ଷା କରିଥିବି ଆଉ ମନେ ପକାଉଥିବି ମୋର ସମସ୍ତ ଜୀବନ ଚରିତ୍ର । ଗୋଟିଏ ବଚନରେ ବାନ୍ଧିହୋଇ ମୁଁ କିପରି ଅନ୍ଧ ହୋଇଯାଇଥିଲି । ଦ୍ରୌପଦୀକୁ ନିର୍ବସ୍ତ୍ର ହେବା ଆଖିର ଦେଖି, ତାର ଆର୍ତ୍ତକ୍ରନ୍ଦନ ବ୍ୟାକୁଳ ନିବେଦନକୁ କାନରେ ଶୁଣି ମଧ୍ୟ ନିରବ ରହିବାର ଅଭିଶାପକୁ ସହିଗଲି । ମୋର ସମସ୍ତ ଧର୍ମ, ସମସ୍ତ କର୍ତ୍ତବ୍ୟ କେବଳ ନିଜ ପତ୍ନୀ ସନ୍ତାନ ପଛରେ ଖର୍ଚ୍ଚ କରିଦେଲି ଭୂଲିଗଲି ମୋର ଅନ୍ୟ ସମସ୍ତ ଧର୍ମକୁ । ଦିନେ ନିର୍ଲଜ ଆତ୍ମା ନେଇ ଅପେକ୍ଷା କରିଥିବି, ମୋର ଅର୍ଜୁନକୁ, ସେ ଆସିବ, ମୁଁ ଶେଷ ନିଶ୍ୱାସ ଛାଡିବା ପୂର୍ବରୁ ଗଙ୍ଗାଜଳ ଟୋପାଏ ମୋ ମୁହଁରେ ଦେବ । ହେଲେ ସେତେବେଳକୁ ମୋର ସେହି ଅର୍ଜୁନର ବି ତ ଗୋଟିଏ 'ବର୍ତ୍ତମାନ' ଥିବ ! ଯେପରି ଦିନେ ମୋ ପାଖରେଥିଲା । ଆଉ ସିଏବି ବ୍ୟସ୍ଥଥିବ ତାର ସେଇ ବର୍ତ୍ତମାନର ଆବଶ୍ୟକତାର ଫଟା ମାଠିଆକୁ ପୁରାକରିବାକୁ, ଠିକ୍ ଯେପରି ଦିନେ ମୁଁ ବ୍ୟସ୍ଥଥିଲି ।

ସଂଧ୍ୟା ହସିଲା, କୁଟିଳ ହସଟିଏ, ସତେଅବା ଖଳ ନାୟକର ହସ । କହିଲା ହଁ ଠିକ୍ ଜାଣିଛୁ । ତୁ ଅର୍ଜୁନକୁ ଅପେକ୍ଷା କରିଥିବୁ ସିନା, ହେଲେ କିଏ ଜାଣେ, ସିଏ ବି ଚାର୍ବାକଙ୍କର ପଟ୍ଟ ଶିଷ୍ୟ ଥାଇପାରେ । ସିଏବି ତୋରି ପରି ଲାଗି ପଡିଥିବ ତାର 'ବର୍ତ୍ତମାନ'ର ଫଟା ମାଠିଆକୁ ପୂର୍ଣ୍ଣ କରିବାରେ । ହେଲେ ନା’ ତାର ମାଠିଆ ଭରିବ, ନା’ ସିଏ ଆସିବ !

ସମୟ ସକାଳ ସଂଧ୍ୟା

Rate the content


Originality
Flow
Language
Cover design

Comments

Post

Some text some message..