Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଲୋଡା ଭାଇ
ଅଲୋଡା ଭାଇ
★★★★★

© Kiran Mishra

Inspirational Tragedy

4 Minutes   290    11


Content Ranking

ସାନ ପୁଅ ଜନ୍ମ ସମୟରେ ସୁଦାମ ଓ ତାଙ୍କ ସ୍ତ୍ରୀ ବହୁତ ଖୁସି ଥିଲେ।।ଯଦିଓ ତା'ପୂର୍ବରୁ ସୁଦାମଙ୍କର ପୁଅଟିଏ ଓ ଝିଅଟିଏ ଥିଲା ,ତଥାପି ଆଉ ଗୋଟିଏ ପୁଅ ହେବା ଖୁସି ରେ ଗାଁ ଲୋକଙ୍କୁ ଭୋଜି ଭାତ ଦେଇଥିଲେ । ପୁଅଟିର ନାଁ ମାଧବ ରଖିଥିଲେ। ମାଧବକୁ ଚାରି ପାଞ୍ଚ ବର୍ଷ ହେବା ପରେ ସୁଦାମ ଜାଣି ପାରିଥିଲେ ତା'ଙ୍କର ଅନ୍ୟ ଦୁଇଟି ପିଲାଙ୍କ ପରି ମାଧବ ନୁହେଁ ।ସେ ମାନସିକ ସ୍ତରରେ ଅନ୍ୟ ଦୁଇ ଭାଇ ଓ ଭଉଣୀଙ୍କ ଭଳି ସୁସ୍ଥ ନୁହେଁ। ସମୟ କ୍ରମେ ଶାରୀରିକ ବିକାଶ ହେଲା ସତ,କିନ୍ତୁ ମାନସିକ ବିକାଶ ଘଟିଲାନି।ସୁଦାମ ଓ ତାଙ୍କ ସ୍ତ୍ରୀ ମାଧବ ଚିନ୍ତାରେ ଭାଙ୍ଗି ପଡିଲେ। ମାଧବକୁ ଅନେକ ଡାକ୍ତର ଓ କବିରାଜ ଦେଖାଇଲେ କିନ୍ତୁ କୌଣସି ଫଳ ହେଲା ନାହିଁ। ଅନ୍ୟ ଭାଇ ଭଉଣୀ ପାଠପଢିଲେ ,ଯେତେ ଚେଷ୍ଟା କଲେ ବି ମାଧବ ହାତରେ ପାଠ ଦି'ଅକ୍ଷର ହେଲାନି।

ପାଠ ସିନା ହେଲାନି କିନ୍ତୁ ବାପା,ମା ,ଭାଇ,ଭଉଣୀ ସମସ୍ତଙ୍କର ବୋଲ ହାକ କରିବାକୁ ମାଧବ ପଛାଏନି।ସମୟ କ୍ରମେ ଘରର ଯାବତିୟ କାମର ଦାୟିତ୍ୱ ମାଧବ ଉପରେ । ମା'ଙ୍କୁ ଝିଅଟିଏ ପରି ରୋଷେଇ କାମରେ ସାହାଯ୍ୟକରେ। ବାପାଙ୍କୁ ପରିବା ଆଣିବା ,ଘର ସଉଦା କରିବା ସବୁରେ ସାହାଯ୍ୟ କରେ।ଭାଇ ଭଉଣୀ ବି ତା'ଉପରେ ନିର୍ଭରଶୀଳ। କାହାର କିଛି ଦରକାର ହେଲେ ମାଧବକୁ ଖୋଜା । ଆଜି ନଡିଆ ତୋଳା ହେବ,କାଲି ଗଡିଆ ସଫା ହେବ ସବୁ କାମରେ ମାଧବ ଠିଆ ନହେଲେ ହେବନି।ଗାଈକାମ ସବୁ ମାଧବ ଉପରେ।ବିନା ମାଧବରେ ଘର ଅଚଳ। ଯେତେ କାମ କଲେବି ସେ ବିକ୍ତ ହୁଏନି ବରଂ କୁହେ,"ନାନୀ ,ଭାଇ ତ ପାଠ ପଢି ମଣିଷ ହେଲେ ,ମୁଁ ଆଉ କ'ଣ କରିବି। ତା'ପରେ ଘରକାମ ତ କରୁଛି କୋଉ ବାହାର ଲୋକର କାମ କି !!"

ସୁଦାମ ଓ ତା'ଙ୍କ ସ୍ତ୍ରୀଙ୍କର ମାଧବ ପାଇଁ କିନ୍ତୁ ସବୁବେଳେ ଚିନ୍ତା ଥାଏ । 'ତିନୋଟି ସନ୍ତାନ ଭିତରୁ ଦୁଇଟି ପାଠଶାଠ ପଢି ଭଲରେ ରହିବେ। କିନ୍ତୁ ମାଧବର କ'ଣ ହେବ!। ସୁଦାମ ଓ ତାଙ୍କ ସ୍ତ୍ରୀଙ୍କର ପ୍ରାଣଠୁ ଅଧିକ ପ୍ରିୟ ଥିଲା ଏଇ ପୁଅଟି । ମାଧବର ଭବିଷ୍ୟତକୁ ନେଇ ଉଭୟ ଚିନ୍ତିତ ଥାନ୍ତି ।ଯଦି ବଡ ହେଲେ ଭାଇ ଭଉଣୀ ନ'ପଚାରିବେ!! ସେମାନେ ତ ଆଉ ସବୁଦିନ ବଂଚିବେନି । ସେମାନଙ୍କ ପରେ ମାଧବର କେମିତି ବଂଚିବ!! ମଧବକୁ ଅଣହେଳା କରିବେନି ତ !!

ସମୟ କିନ୍ତୁ ଅଟକେ ନାହିଁ। ସମୟ କ୍ରମେ ସୁଦାମଙ୍କ ଝିଅ ବଡ ହୋଇ ବାହା ହୋଇଯାଇଛି । ବଡପୁଅ ରାଘବ ଗାଁ ପାଖ ଗୋଟିଏ ସ୍କୁଲରେ ଶିକ୍ଷକତା କରେ । ରାଘବକୁ ମଧ୍ୟ ଗୋଟିଏ ଭଲ ଝିଅ ଦେଖି ସୁଦାମ ବାହା କରିଦେଲେ । ବିବାହ ପରେ ବୋହୂକୁ ଅନୁରୋଧ କରି ଶ୍ୱଶୁର କହିଥିଲେ, "ବୁଝିଲୁ ଝିଅ !ଏ ମାଧବଟା ହେଉଛି ତୋ ପୁଅ ପରି। ଭଗବାନ ସିନା ତାକୁ ଜନ୍ମ ଦେଲେ କିନ୍ତୁ ବୁଦ୍ଧିଟିକେ ଦେଲେନି । ନହେଲେ ସେବି କିଛି ଧନ୍ଦା କରି ତା ନିଜ କଥା ବୁଝି ପାରିଥାନ୍ତା । ପିଲା ହିସାବରେ କିନ୍ତୁ ହିରାମୁଣ୍ଡା ଟାଏ। ତା'କୁ କେବେବି ଅଣହେଳା କରିବୁ ନାହିଁ ।"ସୁଦାମକୁ ବାହା ଦେବା ପାଇଁ ଅନେକ ଥର ତା'ମା କହିଥିଲେ । କିନ୍ତୁ ପାଞ୍ଚ ଖଣ୍ଡ ଗାଁରେ ତ ସେ ନିର୍ବୁଦ୍ଧିଆ ଭାବରେ ପରିଚିତ ତାକୁ ଵା ଝିଅ ଦେବ କିଏ !ସେ ପରିବାର ପୋଷିବ ବା କେମିତି। ପ୍ରଥମେ ରାଘବର ସ୍ତ୍ରୀ ନିତା ମାଧବକୁ ଭଲ ବ୍ୟବହାର ଦେଖଉଥିଲା। ବାହାଘରର ଦୁଇ ବର୍ଷ ପରେ ଶାଶୁ ଏବଂ ପାଞ୍ଚ ବର୍ଷ ପରେ ଶ୍ୱଶୁର ଆର ପୁରକୁ ଡକାଡକି ହୋଇ ଚାଲିଗଲେ।

ଶାଶୁ ଶ୍ୱଶୁର ଚାଲି ଗଲା ପରେ ଏବଂ ନିଜର ଦୁଇଟି ପୁଅ ଝିଅ ହେବା ପରେ ମାଧବଟା କାହିଁକି ନିତା ପାଇଁ ବୋଝ ପାଲଟି ଗଲା । ଯଦିଓ ରାଘବ ସମ୍ନାରେ କିଛି କୁହେ ନାହିଁ, ପଛରେ କିନ୍ତୁ ସାମାନ୍ୟ କଥାରେ ଚିଡିଭିଡି ହୁଏ । ଠିକ୍ ସେ ଖାଇବାକୁ ମଧ୍ୟ ଦିଏ ନାହିଁ।

ସମସ୍ତେ ଖାଇ ସାରିଲା ପରେ ଯାହା ବଳକା ତାହା ମାଧବକୁ ମିଳେ।

ଭୋକ କଲେ ଖାଇବାକୁ ମାଗିଲେ ମଧ୍ୟ, "ଖାଇବା ପାଇଁ ବଂଚିଛ" ବୋଲି ଗାଳି ଖାଇବାକୁ ପଡେ। କେବଳ ଗଧ ଖଟଣୀ ତା" ଭାଗ୍ୟରେ ଥାଏ । ଅବାଞ୍ଛିତ ଅଲୋଡା ମଣିଷ ଟିଏ ଭଳି ପଡି ଥାଏ । କାଳକ୍ରମେ ରାଘବ ବି ବଦଳି ଗଲା। ସ୍ତ୍ରୀ ଓ ଛୁଆଙ୍କ ମୋହରେ ବାପ ମା'ଙ୍କୁ ଦେଇଥିବା ପ୍ରତିଶୃତି ବି ଭୂଲିଗଲା । ଭୂଲିଗଲା ସେଇ ସରଳ ନିରୀହ ଲୋକଟି କାହିଁକି ସେମାନଙ୍କୁ ନିଜର ବୋଲି ଭାବି ଦିନରାତି ଖଟୁଛି । ଭୁଲିଗଲା ସେ ତାର ରକ୍ତର ଭାଇ। ସମାନେ ସିନା ତାକୁ ନିଜର ଭାବୁ ନଥିଲେ,କିନ୍ତୁ ନିର୍ବୁଦ୍ଧିଆ ମାଧବ ଏମାନଙ୍କୁ ନିଜଠୁ ଅଧିକ ଭାବି ପଡି ରହିଥିଲା।

ସବୁଦିନ ସମସ୍ତଙ୍କର ସମାନ ଯାଏନି । କିଛି ବର୍ଷ ପରେ ରାଘବର ଦେହ ଖରାପ ହେଲା । ମାସେରୁ ଉଉର୍ଦ୍ଧ୍ଵ ସମୟ ଜ୍ଜର ହେଲା । ଅନେକ ଡାକ୍ତର କବିରାଜ ଦେଖାଇ ଔଷଧ ଖାଇଲେ ବି କମିବାର ନା ଧରୁନଥାଏ। । ଶେଷରେ ନିତା ରାଘବକୁ ଧରି ସହର ଗଲା ବଡ ଡାକ୍ତର ଦେଖାଇବାକୁ। ସେଠାରେ ଡାକ୍ତର ସବୁ ପ୍ରକାର ଟେଷ୍ଟ କରି ଜାଣିଲା ରାଘବର କିଡନୀ ଦୁଇଟି ନଷ୍ଟ ହୋଇ ଯାଇଛି।

ଏକଥା ଶୁଣିଲା ପରେ ରାଘବ ଓ ନିତାଙ୍କ ମୁଣ୍ଡ ଉପରେ ବଜ୍ର ପଡିଲା ପରି ଲାଗିଲା। ଡାକ୍ତର କହିଲେ କେହି କିଡ୍ନୀ ଦେଲେ ରାଘବ ବଂଚି ଯିବ। ସେଦିନ ଘରେ ଭାଲେଣି ପଡିଲା। ସମସ୍ତେ ଘରେ କନ୍ଦାକଟା କରୁଥାନ୍ତି। ମାଧବ ବୁଝି ପାରୁନଥାଏ କାନ୍ଦିବାର କାରଣ। ଯେତେ ପଚାରିଲେବି ସମସ୍ତ ହେୟ ମନେ କରି କେହି କିଛି କହୁ ନଥାନ୍ତି। ପରିବାରର ସଦସ୍ୟ ଭାବରେ ଯେଉଁଠି ସେ ପରିଗଣିତ ନୁହେଁ ,ସେଠି ତା'ର କୌଣସି ବିଷୟରେ ଜାଣିବାର ବା କି ଆବଶ୍ୟକତା ଅଛି !!

ପଡିଶା ଘର ଲୋକଙ୍କୁ ଯାଇ ଘରର କାନ୍ଦବୋବା ସଂପର୍କରେ ପଚାରିଲା । ପଡୋଶୀଙ୍କ ଠାରୁ ବୁଝି ଏତିକି ଜାଣିଲା ଯେ,"ଭାଇର ଶରୀର ଭିତରେ ଗୋଟିଏ ଯନ୍ତ୍ର ଖରାପ ହୋଇ ଯାଇଛି,ଭାଇ ତାର ବେଶି ଦିନ ବଂଚିବନି । " ମାଧବ ପୁଣି ପଚାରିଲା "ତା'ହେଲେ ବଂଚିବ କେମିତି !"ପଡୋଶୀ କହିଲେ , "ବଂଚିବାର ଗୋଟିଏ ଉପାୟ ,ଯଦି ସେହି ଯନ୍ତ୍ରଟି କେହି ନିଜ ଶରୀରରୁ କାଢି ତାକୁ ଦେବେ ତା'ହେଲେ ସେ ବଂଚିଯାଇ ପାରିବ"। ପୁଣି ସରଳ ମାଧବ ପଡୋଶୀଙ୍କୁ ପଚାରିଲା ମୋ ଭିତରେ କ'ଣ ସେ ଯନ୍ତ୍ରଟି ଅଛି! ମୁଁ ଚାହିଁଲେ କଣ ଦେଇ ପାରିବି"। ମାଧବର ପ୍ରଶ୍ନରେ ପଡୋଶୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କହିଲେ, "ହଁ ତୋ ଭିତରେ ମଧ୍ୟ ସେ ଯନ୍ତ୍ରଟି ଅଛି,ତୁ ବି ଦେଇ ପାରିବୁ"।

ପଡୋଶୀଙ୍କ ଠାରୁ ଏହି କଥାଟି ଶୁଣି ମାଧବ ଘରକୁ ଏକା ମୁହାଁ ହୋଇ ଆସିଛି । ସମସ୍ତଙ୍କ ଆଗରେ କହିଛି , "ଭାଇକୁ ଯନ୍ତ୍ର ମୁଁ ଦେବି,ମୋ ଭାଇ ବଂଚିବ । ତୁମେ ମାନେ ଚିନ୍ତା କରନି,ମୁଁ ଥାଉଥାଉ ମୋ ଭାଇର କିଛି ହେବନି । ଭାଇ ମୋର ଭଲ ହୋଇଯିବ। କେହି କାନ୍ଦନି ।" ସମସ୍ତେ ତା'କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସବୁବେଳେ ଅଲୋଡା ମନେ ହେଉଥିବା ଲୋକଟି ଯେମିତି ଖୁବ୍ କମ ସମୟରେ ସମସ୍ତଙ୍କ ଆଖିରେ ମୂଲ୍ୟବାନ ପାଲଟି ଗଲା। ରାଘବ ଓ ନିତାଙ୍କ ଆଖିରୁ ଧାର ଧାର ଲୁହ ବୋହିଗଲା ।ଲଜ୍ୟା ଓ ସରମରେ ସେମାନେ ମୁହଁଟେକି ଚାହିଁ ପାରୁନଥିଲେ। ମାଧବର ଯିଦ୍ ରେ ତାକୁ ସହର ନିଆଗଲା୍ ସବୁ ପରୀକ୍ଷା କରାଗଲା ଯୋଗକୁ ତା କିଡ୍ନୀ ମଧ୍ୟ ମ୍ୟାଚ୍ କରିଗଲା ଏବଂ ଅପରେସନ କରି ରାଘବଠାରେ କିଡ୍ନୀ ପ୍ରତିରୋପଣ କରାଗଲା।

ମାଧବ ଠାରୁ କିଡ୍ନୀ ନେଇ ରାଘବ ବଂଚିଗଲା ପରେ ଭାବିଛି ତା ନିର୍ବୁଦ୍ଧିଆ ଭାଇ ତା'ଠାରୁ ଶହେ ଗୁଣରେ ଭଲ। ଯାହାକୁ ସବୁବେଳେ ବୋଝ ବୋଲି ଭାବୁଥିଲା ଆଜି ସେ ତା ବୋଝ ଉଠାଇଲା । ଭଗବାନ ସିନା ତାକୁ ବୁଦ୍ଧି ଦେଇନାହାନ୍ତି,କିନ୍ତୁ ଯେଉଁ ବିବେକ ଟିକକ ଦେଇଛନ୍ତି ଯାହା ତା ନିଜ ପାଖରେ ନାହିଁ । ମାଧବ ପାଖରେ ବୁଦ୍ଧିଥିଲେ ବୋଧେ ସେ ଵି ତା ଭଳି ସ୍ୱ।ର୍ଥପର ହୋଇଥାନ୍ତା । ଏମିତି ସରଳ, ନୀରିହ ,ନିଷ୍ପାପ ହୋଇ ରହି ନଥାନ୍ତା । ପାଠସାଠ ପଢି ମଣିଷ ବିବେକି ହେଉନି ବରଂ ସ୍ୱ।ର୍ଥପର ହୋଇଯାଉଛି।

ପାଠ ମଣିଷକୁ ବିଚାରଶୀଳ କରାଏ । ଏବେ କିନ୍ତୁ ତା'ଭଳି ପାଠୁଆ ବିପରିତ ଆଚରଣ ପ୍ରଦର୍ଶନ କରୁଛନ୍ତି।ଆଜି ରାଘବର ଆଖି ଆପାଠୁଆ ମାଧବ ଖୋଲି ଦେଇଛି।ସେ ଓ ତା'ସ୍ତ୍ରୀ ନିତା ମାଧବର ମୂଲ୍ୟ ବୁଝି ପାରିଛନ୍ତି।

ସୁଦାମ ମାଧବ ନଡିଆ

Rate the content


Originality
Flow
Language
Cover design

Comments

Post

Some text some message..